ମାତ୍ର ସାଗତସ୍ଥବୀର ଟିକିଏ ବି ବିଚଳିତ ହେଲେ ନାହିଁ, ବରଂ ସେ ପଚାରିଲେ, “କ’ଣ ତୁମ ନାମ, ଅମ୍ବକକୀର୍ତ୍ତିକ?” ଏକଥା ଶୁଣିବା ମାତ୍ରେ ସାପ ଫୁକାର କରିବାକୁ ଲାଗିଲା ଓ ତା’ ମୁହଁରୁ କଳାଧୂଆଁ ବାହାରିଲା । ସ୍ଥବୀର ମଧ୍ୟ ନିଜ ମୁହଁରୁ କଳାଧୂଆଁ ବାହାର କଲେ । ତା’ପରେ ସାପ ମୁହଁରୁ ଅଗ୍ନି ବାହାରିଲା । ସ୍ଥବୀର ମଧ୍ୟ ଅନୁରୂପ କଲେ । ଏହିପରି କିଛି ସମୟ ଧରି ପରସ୍ପର ପରସ୍ପରକୁ ନିଜର ସାମର୍ଥ୍ୟ ଓ ଶକ୍ତି ଦେଖାଇବାକୁ ଲାଗିଲେ । ସ୍ଥବୀରଙ୍କର ନିର୍ଭୟତା ଦେଖି ସାପ ନିଜ ଫଣାକୁ ତଳକୁ କରି ସେଠାରୁ ବୁଲି ପଡି ଧୀରେ ଧୀରେ ଚାଲିବାକୁ ଲାଗିଲା । ସ୍ଥବୀର କିନ୍ତୁ ହଠାତ୍ ତା’ର ଲାଞ୍ଜ ଧରି ଟାଣି ଆଣି ପଚାରିଲେ, “ଅମ୍ବକକୀର୍ତ୍ତିକ, ମୁଁ ଜାଣେ ଏ ତୀର୍ଥରେ ସ୍ନାନ କରିବାକୁ ଆସିଥିବା କେତେକ ଲୋକ ତୋ ଯୋଗୁଁ ପ୍ରାଣ ଦେଇଛନ୍ତି ।” ଏତକ କହି ସେ ବଳପୂର୍ବକ ଅମ୍ବକକୀର୍ତ୍ତିକର ବିଷଦାନ୍ତ ସବୁ ଝାଡି ଦେଇ ତାକୁ ଛାଡି ଦେଲେ ।
ଏହି ଘଟଣା ପରେ ବୋଧିସତ୍ୱ ଓ ତାଙ୍କ ଶିଷ୍ୟଗଣ ଯାଇ କୌଶାମ୍ବି ନଗରରେ ପହଁଚିଲେ । ସର୍ପ ବିଷୟକ ଘଟଣା ଚାରିଆଡେ ପ୍ରଚାର ହୋଇଗଲା । କୌଶାମ୍ବି ନଗରର ଲୋକମାନେ ବୋଧିସତ୍ୱଙ୍କୁ ଓ ତାଙ୍କ ଶିଷ୍ୟଗଣଙ୍କୁ ଖୁବ୍ ସମ୍ବର୍ଦ୍ଧନା କଲେ ।
ପରଦିନ ସକାଳେ, ସେହି ନଗରର କେତେକ ଅଧିବାସୀ ସ୍ଥବୀରଙ୍କ ପାଖରେ ଆସି ପହଁଚିଲେ । ସେତେବେଳେ ସ୍ଥବୀର କେତେକ ଗୁରୁଭାଇଙ୍କ ସହିତ ଏକ ବୃକ୍ଷଚ୍ଛାୟାରେ ବସିଥିଲେ । ସେମାନେ ତାଙ୍କୁ ପ୍ରଣାମ କରି କହିଲେ, “ଆପଣ ତ ହିମାଳୟରୁ ଆସିଛନ୍ତି । ସେଠି ଅନେକ ଜିନିଷ ମିଳିବା କଷ୍ଟ । ଯଦି କିଛି ଜିନିଷ ଆପଣଙ୍କର ଦରକାର ହୁଏ ତ ଆମକୁ କହନ୍ତୁ । ତେବେ ଆମେ ତାହା ତୁରନ୍ତ ଆଣି ଦେବୁ ।”
ସେମାନଙ୍କ କଥା ଶୁଣି ସ୍ଥବୀର ଚୁପ୍ ରହିଲେ । ହେଲେ ଅନ୍ୟ ଗୁରୁଭାଇମାନେ କହିଲେ, “ଭଦ୍ରଜନେ, ଆମେ ଏକ ଦୁର୍ଲଭ ମଦିରା ପାନ କରିବାକୁ ଚାହୁଁଛୁ । ତମେମାନେ ଯଦି ଏହା ପାଇବ ତେବେ ପଠାଇ ଦେବ ।”
ତା’ପରେ ସେ ଲୋକମାନେ ସେଠାରୁ ବିଦାୟ ନେଇ ଚାଲିଗଲେ । ଯେଉଁ ଶିଷ୍ୟମାନେ ଦୁର୍ଲଭ ମଦ୍ୟ କଥା କହିଥିଲେ, ସେମାନେ ଆଧ୍ୟାତ୍ମିକ ଜ୍ଞାନକୁ ବୁଝାଇଥିଲେ । କିନ୍ତୁ ଗ୍ରାମବାସୀମାନେ ସେକଥା ନ ବୁଝି ସତରେ କିଛି ଭଲ ମଦ୍ୟ ସଂଗ୍ରହ କଲେ । ସେମାନେ ଆସି ସେ କଥା କହିବାରୁ ବୁଦ୍ଧଙ୍କ ଶିଷ୍ୟମାନେ ହସିଲେ । କିନ୍ତୁ ସ୍ଥବୀର ମନେ ମନେ କୌତୁହଳୀ ହୋଇ ସେମାନଙ୍କ ସହ ଯିବାକୁ ପ୍ରସ୍ତୁତ ହେଲେ ।
ସେମାନେ ସ୍ଥବୀରଙ୍କୁ ନେଇଗଲେ । ସେ ମଦ୍ୟପାନ କଲେ ଓ ନିଶାଗ୍ରସ୍ଥ ହୋଇ ଭୂମି ଉପରେ ହଠାତ୍ ଲୋଟି ପଡିଲେ । ଗୁରୁଭାଇମାନେ ତାଙ୍କର ଏହି ଦୁରାବସ୍ଥା ଦେଖି ତାଙ୍କୁ ଟେକି ନେଇ ଗୁରୁଙ୍କ ପାଦ ପାଖରେ ଲୋଟାଇ ଦେଲେ ଯେପରି ତାଙ୍କର ମଥା ଗୁରୁଙ୍କ ପାଦକୁ ସ୍ପର୍ଶ କରିବ ।
ନିଶାଗ୍ରସ୍ଥ ସ୍ଥବୀର ଏକଥା ଦେଖି ଭୀଷଣ ରାଗିଗଲେ ଓ ଓଲଟି ପଡି ନିଜ ପାଦ ଗୁରୁଙ୍କ ଆଡକୁ କରି ପଡି ରହିଲେ । ଏସବୁ ଦେଖି ବୋଧିସତ୍ୱ ହସିଲେ ଅନ୍ୟ ଶିଷ୍ୟମାନଙ୍କୁ ପଚାରିଲେ, “ଅମ୍ବତୀର୍ଥରେ ଭୟଙ୍କର ସର୍ପକୁ ଦମନ କରିବାବାଲା ଲୋକ କ’ଣ ଏଇ? ଏପରି ଦୂରାବସ୍ଥାରେ ପଡିଛି? ହାୟ, ଇଏ ତ ଏବେ ବିଷହୀନ ଛୋଟ ଜଳସର୍ପଟିଏ ବି ସୁଦ୍ଧା ବଶ କରିପାରିବ ନାହିଁ ।”
ବୋଧିସତ୍ୱ ଗମ୍ଭୀର ହୋଇ କହିଲେ “ତାହାହେଲେ ତମେ ଏ ଘଟଣାକୁ କେବେ ବି ଭୁଲ ନାହିଁ । ମଦିରାପାନ ଯେ କେବଳ ନିଶାଗ୍ରସ୍ଥ କରାଏ ତାହା ନୁହେଁ, ଆହୁରି ମଧ୍ୟ ଚିତଭ୍ରମ କରାଏ । ତେଣୁ ମନେରଖ ଆଜିଠାରୁ କୌଣସି ସନ୍ନ୍ୟାସୀ ଏହା ସ୍ପର୍ଶ ସୁଦ୍ଧା ବି କରିବ ନାହିଁ ।”
ମଦ୍ୟନିଶା ଛାଡିଗଲା ପରେ ସ୍ଥବୀର ଉଠି ପଡି ବୋଧିସତ୍ୱଙ୍କ ପାଦରେ ପଡି ବହୁ ପଶ୍ଚାତାପ କରିବାକୁ ଲାଗିଲେ । ତା’ପରେ ବୋଧିସତ୍ୱ ତାଙ୍କୁ ଉଠାଇଲେ ଓ ମଦ୍ୟପାନର କୁପରିଣାମ ବିଷୟରେ ବୁଝାଇଲେ ।