ମହାରାଜାଙ୍କ କଥାଶୁଣି ଜଣେ ଦାନବ ଶିଷ୍ୟମାନଙ୍କୁ ଖୋଲି ଛାଡିଦେଲା । ଅନ୍ୟ ଜଣେ ବିକ୍ରମାଦିତ୍ୟଙ୍କୁ ପଛପଟୁ ହାତବାନ୍ଧି ଏକ ଗୁମ୍ଫା ଭିତରକୁ ନେଇଗଲା । ସେଠାରେ ମହାକାଳୀଙ୍କ ମୂର୍ତ୍ତି ଥାଏ । ଜଣେ ଦାନବ ତାଙ୍କୁ ତିଳକ ଲଗାଇ ଦେବୀଙ୍କ ଚାରିପାଖରେ ପ୍ରଦକ୍ଷିଣ କରିବାକୁ କହିଲା । ସେମାନଙ୍କ କଥା ମାନି ମହାରାଜା ଅନୁରୂପ ଭାବରେ କାର୍ଯ୍ୟ କରିଚାଲିଲେ ।
ଜଣେ ଦାନବ ତାଙ୍କ ମଥାରେ ସିନ୍ଦୂର ବୋଳି ବେକରେ ଏକ ଫୁଲମାଳ ପକାଇ ବଳିବେଦୀପରେ ବେକ ରଖିବାକୁ କହିଲା । ଅନ୍ୟ ଜଣେ ଦାନବ ଏକ ଧାରୁଆ ଖଣ୍ଡା ଆଣି ତାଙ୍କ ଆଗରେ ଦେବୀଙ୍କ ମୁଣ୍ଡରେ ଛୁଆଁଇ ଆଣି ହତ୍ୟା କରିବାକୁ ପ୍ରସ୍ତୁତ ହେଲା ଏବଂ ମହାରାଜାଙ୍କୁ ଇଷ୍ଟ ସ୍ମରଣ କରିବାକୁ କହିଲା । ମହାରାଜା ଈଶ୍ୱରଙ୍କୁ ମନେ ମନେ ସ୍ମରଣ କରି ବଳିବେଦୀରେ ବେକ ରଖି ଅପେକ୍ଷା କଲେ । ମାତ୍ର….. ଏ କ’ଣ? ତାଙ୍କୁ ହତ୍ୟାକରି ବଳି ଚଢାଇବା କଥା । ଅଥଚ ଏତେ ସମୟଧରି ନୀରବ କାହିଁକି?
ଆଶ୍ଚର୍ଯ୍ୟରେ ମହାରାଜା ମୁଣ୍ଡ ଉଠାଇ ମୂର୍ତ୍ତି ଦେଖି ଚମକି ପଡିଲେ । ତାଙ୍କ ସମ୍ନାରେ ହସ ହସ ମୁଖରେ ଛିଡା ହୋଇଥାନ୍ତି, ଦେବତା । ଦାନବମାନେ କୁଆଡେ ଉଭାନ୍ । ତାଙ୍କ ଉପରେ ପୁଷ୍ପବୃଷ୍ଟି ହେଲା । ଦେବରାଜ କହିଲେ, “ଧନ୍ୟ, ଧନ୍ୟ ତୁମେ ବିକ୍ରମାଦିତ୍ୟ । ପ୍ରଜାଙ୍କ ମଙ୍ଗଳପାଇଁ ବିଶାଳ ଦାନ ସମାରୋହର କେବଳ ତମେ କରାଇପାର । ଅନ୍ୟ ପାଇଁ ହସି ହସି ତମେ ଜୀବନ ଦେବାକୁ ଆଗେଇପାର । ତମର ତୁଳନା ଅନ୍ୟ ସହିତ କରାଯାଇ ପାରିବ ନାହିଁ । ତମେ ଅନନ୍ୟ ।”
ଦେବ କହିଲେ, “ଧନ୍ୟ ବିକ୍ରମାଦିତ୍ୟ, ତମେ ମହାନ୍ । ବିଶାଳ ଯଜ୍ଞାନୁଷ୍ଠାନ କରାଇ ଅଶେଷ କୀର୍ତିର ଅଧିକାରୀ ହୋଇଛ । ତମ ଭଳି ଅନ୍ୟ କେହି ନାହାନ୍ତି ଏ ଦୁନିଆରେ ଯିଏକି ଅନ୍ୟ ପାଇଁ ନିଜ ଜୀବନକୁ ବଳିବେଦୀରେ ଉତ୍ସର୍ଗ କରିବାକୁ ଆଗେଇ ଆସିପାରେ । ଆମେ ତମର ଧୈର୍ଯ୍ୟ, ନିଷ୍ଠା, କର୍ତ୍ତବ୍ୟ ପରାୟଣତା ପରୀକ୍ଷା କରିବା ପାଇଁ ଏପରି ନାଟକ ରଚନା କରିଥିଲୁ । ତମ ରାଜ୍ୟରେ କେବେ ମରୁଡି ପଡିବ ନାହିଁ । ଅଶାନ୍ତି, ଅସ୍ଥିରତା ଦେଖାଦେବ ନାହିଁ । ଧନ୍ୟ ତମେ । ଯାଅ ଅକ୍ଷୟ କୀର୍ତିର ଅଧିକାରୀ ହୁଅ ।”
ଦେବତାମାନଙ୍କର ଆଶୀର୍ବାଦ ଗ୍ରହଣ କରି ମହାରାଜ ନିଜ ରାଜ୍ୟକୁ ଫେରିଲେ ଏବଂ ତାଙ୍କର ଯଶଖ୍ୟାତି ବିଭିନ୍ନ ଆଡକୁ ବ୍ୟାପିଗଲା । ଲୋକମାନେ ତାଙ୍କର ଜୟ ଜୟ କାର କଲେ ।
କହାଣୀ ଶୁଣାଇ ସାରି ମଧୁମାଳତୀ ପ୍ରଶ୍ନ କଲା, “ରୁହନ୍ତୁ ମହାରାଜ! ଆପଣ କ’ଣ କେବେ କୌଣସି ପ୍ରଜାପାଇଁ ଜୀବନ ଉତ୍ସର୍ଗ କରିଛନ୍ତି? ତ୍ୟାଗ ସ୍ୱୀକାର କରି ଅନ୍ୟର ମଙ୍ଗଳ ସାଧନା କରିଛନ୍ତି? ଯଦି ଆପଣ ନିଜକୁ ଯୋଗ୍ୟ ମନେ କରୁଛନ୍ତି ତେବେ ସିଂହାସନରେ ବସନ୍ତୁ ।” ଭୋଜରାଜ ନୀରବରେ ରାଜ ଉଆସକୁ ଫେରିଗଲେ ।