୧୮୮୦ ମସିହା ବେଳର କଥା । ସେତେବେଳେ ଇଣ୍ଡିଆରେ ବଡଲାଟ୍ ଥାଆନ୍ତି ଲର୍ଡ ରିପନ୍ । ସେତିକିବେଳଠୁଁ ଇଣ୍ଡିଆବର୍ଷର ବଡ ବଡ ସହରରେ ଗଠିତ ମ୍ୟୁନିସପାଲଟି ଗୁଡିକରେ ସ୍ୱାୟତ୍ତ ଶାସନ ଦିବସ ପାଳନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଚାଲିଆସୁଛି । ମାତ୍ର ଆନନ୍ଦର କଥା ଯେ, ଏହାର ଚାରିବର୍ଷ ପୂର୍ବରୁ ଅର୍ଥାତ୍ ୧୮୭୬ରୁ କଟକ ମ୍ୟୁନିସପାଲଟି ଗଠନ ହୋଇସାରିଥିଲା । ସେହି ସ୍ୱାୟତ୍ତ ଶାସନ ଦିବସଟି ଏବେ ବି ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖ ଦିନ ପାଳିତ ହୋଇ ଆସୁଅଛି ।
ଏକଦା ବିହାର-ଓଡିଶା ବିଧାନସଭାରେ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଥିଲେ ମିଷ୍ଟର ମଧୁସୂଦନ ଦାସ । ସେତେବେଳେ ମନ୍ତ୍ରୀଙ୍କର ମାସିକ ଦରମା ଥିଲା ପାଂଚହଜାର ଟଙ୍କା । ଆଜିକାଲି ତାହା ପଚାଶହଜାରରୁ ବି ଉର୍ଦ୍ଧ ହେବ । ହେଲେ ମିଷ୍ଟର ଦାସ୍ ଏଭଳି ଦରମା ନେବାକୁ ଆଦୌ ପସନ୍ଦ କରୁନଥିଲେ ।
ମିଃ ଦାସଙ୍କ ମନ୍ତ୍ରିତ୍ୱ କାଳ କିଛି ଦିନ ଚାଲିଲାଣି । ମାତ୍ର ତାଙ୍କ ମନରେ ଆଦୌ ସୁଖ ନଥାଏ । ଦିନକର କଥା ମିଃ ଦାସ ସିଧାସଳଖ ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖିଲେ । ସେ ଚିଠିରେ ଲେଖାଥିଲା – ସେ ଯେଉଁ ବିଭାଗର ମନ୍ତ୍ରୀ ଅଛନ୍ତି ସେଥିଲାଗି ତାଙ୍କୁ ପାଂଚହଜାର ଟଙ୍କା ଦରମା ଦିଆଯାଉଥିଲା ବେଳେ, ତାଙ୍କ ଅଧୀନସ୍ଥ ମ୍ୟୁନିସପାଲଟି ବା ଜିଲ୍ଲାବୋର୍ଡର ଚେୟାରମ୍ୟାନମାନେ ବିନା ବେତନରେ କାମ କରୁଛନ୍ତି । ଏଭଳି ବ୍ୟବସ୍ଥା ଅନୁଚିତ । ଏହା କ’ଣ ପାତର ଅନ୍ତର ନୀତି ନୁହେଁ? ସୁତରାଂ ସେମାନେ ଦରମା ନେବାଲାଗି ପ୍ରଥମେ ଯୋଗ୍ୟ ବିବେଚିତ ହୁଅନ୍ତୁ ଅଥବା ତାଙ୍କୁ ବିନା ବେତନରେ ମନ୍ତ୍ରୀ କରାଯାଉ ।”
ମାତ୍ର ରାଜ୍ୟପାଳ ମିଃ ଦାସଙ୍କର ଏଭଳି ଅଭିଯୋଗକୁ ଆଦୌ କର୍ଣ୍ଣପାତ କଲେ ନାହିଁ । ସୁତରାଂ ସେହିକ୍ଷଣି ମଧୁସୂଦନ ଦାସ ମନ୍ତ୍ରୀପଦ ଛାଡିଦେଲେ ସିନା ସବୁଦିନ ଲାଗି ସେ ଆଦର୍ଶ ପାଲଟିଗଲେ ।