ପ୍ରାଚୀନ କାଳରେ ଆରବ ଦେଶରେ ଜଣେ ସୁଲତାନ୍ ଥା’ନ୍ତି । ସେ ସର୍ବଦା ନାନା ବିଳାସ-ବ୍ୟସନରେ ବୁଡି ରହିଥା’ନ୍ତି ଓ ସେ ତାଙ୍କ ରାଜ୍ୟକାର୍ଯ୍ୟ ଆଦୌ ଭଲ ଭାବରେ ଚଳାଉ ନଥାନ୍ତି । ସେଥିପାଇଁ ତାଙ୍କ ରାଜ୍ୟରେ ଅରାଜକତା ବ୍ୟାପି ଥାଏ ।
କର୍ମଚାରୀମାନେ ମଧ୍ୟ ଅଳସୁଆ ହୋଇଗଲେ । ବ୍ୟବସାୟ ମଧ୍ୟ ନଷ୍ଟ ହେଲା । ପ୍ରଜାମାନଙ୍କ ଜୀବନ ବିପନ୍ନ ହେଲା ।
ସୁଲତାନ୍ଙ୍କ ପାଖରେ ଅନେକ ମନ୍ତ୍ରୀ ଥା’ନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସୁଲତାନ୍ଙ୍କ ପରି ଭୋଗବିଳାସରେ ବୁଡି ରହିଥା’ନ୍ତି । ଅନ୍ୟ କେତେକ ମନ୍ତ୍ରୀ ରାଜ୍ୟର ଦୁରବସ୍ଥା ଦେଖି ବଡ ଚିନ୍ତାରେ ପଡିଥା’ନ୍ତି । କିପରି ଏକଥା ସେମାନେ ରାଜାଙ୍କୁ କହିବେ? ହୁଏତ ସେ ରାଗି ଉଠିବେ ।
ଦିନେ ସେ ସୁଲତାନ୍ଙ୍କ ସହ ଜଣେ ମନ୍ତ୍ରୀ ଉଦ୍ୟାନ ଭ୍ରମଣରେ ଗଲେ । ସେତେବେଳକୁ ସଂଧ୍ୟା ହୋଇ ଆସୁଥାଏ । ଗୋଟିଏ ପେଚା ବୋବାଇବାକୁ ଲାଗିଲା । ମନ୍ତ୍ରୀ ମନଧ୍ୟାନ ଦେଇ ତାହା ଶୁଣିବାକୁ ଲାଗିଲେ ।
ଏସବୁ ଦେଖି ସେ ସୁଲତାନ୍ ଖୁବ୍ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲେ, “ମନ୍ତ୍ରୀବର, ଏତେ ମନଦେଇ କ’ଣ ଶୁଣୁଛ?”
ତହୁଁ ସେ ମନ୍ତ୍ରୀ କହିଲେ “ହଜୁର! ଦୁଇଟି ପେଚା କଥାବାର୍ତ୍ତା ହେଉଛନ୍ତି । ମୁଁ ସେମାନଙ୍କ କଥା ଶୁଣୁଛି ।”
ଏହା ଶୁଣି ସୁଲତାନ୍ ପଚାରିଲେ ଅର୍ଥାତ୍ ତମେ ପେଚାମାନଙ୍କର ଭାଷା ବୁଝିପାର?”
ମନ୍ତ୍ରୀ କହିଲେ “ଆଜ୍ଞା, ହଜୁର ।”