ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ୍ତ୍ରୀ ନିର୍ବାଚନ

ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ ଅଦୂରରେ ଥିବା ଏକ ଗ୍ରାମରେ ଆନନ୍ଦ ନାମକ ଜଣେ ବ୍ୟକ୍ତି ଅଛନ୍ତି । ସେ ଗୋଟିଏ ଗୁରୁକୁଳର ଅଧ୍ୟକ୍ଷ । ରାଜା ଭାବିଲେ କେବଳ ସେ ହିଁ ଏହି ପଦ ପାଇଁ ଯୋଗ୍ୟ । ତେଣୁ ରାଜା ଗୋଟିଏ ପତ୍ର ଲେଖି ଆନନ୍ଦଙ୍କୁ ରାଜଧାନୀକୁ ଡକାଇଲେ ।

ଆନନ୍ଦ ରାଜାଙ୍କ ପତ୍ର ପାଇ ବହୁତ ଆଶ୍ଚର୍ଯ୍ୟ ହେଲେ । ତା’ପରେ ରାଜଧାନୀରେ ଆସି ସେ ପହଁଚିଲେ । ସେ ରାଜାଙ୍କୁ ଦେଖାକରି କହିଲେ, “ମହାରାଜ, ଗୁରୁକୁଳ ଚଳାଇ ମୁଁ ତ ଖୁବ୍ ଖୁସି ଅଛି । ରାଜନୀତି ପ୍ରତି ମୋର କୌଣସି ବି ଆକର୍ଷଣ ନାହିଁ । ଏକଥା ପତ୍ର ଦ୍ୱାରା ଜଣାଇବା ଅସୁନ୍ଦର ହେବ ବୋଲି ମୁଁ ନିଜେ ଆପଣଙ୍କ ପାଖକୁ ଆସିଲି । ହେଲେ ମୋତେ କ୍ଷମା କରନ୍ତୁ । ମୁଁ ଆପଣଙ୍କ ମନ୍ତ୍ରୀ ହେବା ପାଇଁ ଆଦୌ ଯୋଗ୍ୟ ନୁହେଁ ।”

ରାଜା ଚିତ୍ରଧ୍ୱଜ ଆନନ୍ଦଙ୍କ ସବୁ କଥା ଶୁଣି ଦୁଃଖିତ ହେବା ପରିବର୍ତ୍ତେ ତାଙ୍କର ଏପରି ନିର୍ଲୋଭ ଗୁଣ ଦେଖି ବରଂ ସେ ଅଧିକ ଖୁସି ହେଲେ । ତା’ପରେ ରାଜା କହିଲେ, “ଆପଣଙ୍କ ପରି ବ୍ୟକ୍ତିହିଁ ମୋର ଦରକାର । ପ୍ରକୃତରେ ମୁଁ ଆପଣଙ୍କ ପରି ଜଣକୁ ହିଁ ମନେ ମନେ ଖୋଜୁଥିଲି ଯାହାର କି ଧନ ବା ପ୍ରତିଷ୍ଠା ପ୍ରତି କୌଣସି ଲୋଭ ନଥିବ । ମୋର ମନ୍ତ୍ରୀ ସୁବୁଦ୍ଧି କେବଳ ତା’ର ନିଜ ଲୋଭ ଯୋଗୁଁ ନିଜ ରାସ୍ତାରୁ ଭ୍ରଷ୍ଟ ହୋଇଗଲାଣି । ତା’ର ଖାଲି ଧନ ଦରକାର, ତା’ପାଖରେ ପ୍ରଜାଙ୍କ କଥାର କିଛି ବି ମୂଲ୍ୟ ନାହିଁ । ତେଣୁ ମୁଁ ତାକୁ ମନ୍ତ୍ରୀପଦରୁ ବିଦାୟ ଦେବାକୁ ଚାହୁଁଛି । କେବଳ ପ୍ରଜାଙ୍କ ହିତ ପାଇଁ ଆପଣ ଏ ପଦକୁ ସ୍ୱୀକାର କରିବା ଉଚିତ୍ । ଖାଲି ସୁବୁଦ୍ଧିକୁ ନୁହେଁ ବରଂ ତା’ ପାଖରେ କାମ କରୁଥିବା ସମସ୍ତ ଅଧିକାରୀମାନଙ୍କୁ ମଧ୍ୟ ମୁଁ ବଦଳ କରିଦେବାକୁ ଚାହେଁ । କିନ୍ତୁ ଏ କାମ ଖୁବ୍ ସାବଧାନତାର ସହିତ କରିବାକୁ ପଡିବ । ଏବେ କେବଳ ବାକି ରହିଲା ଆପଣଙ୍କ ଗୁରୁକୁଳର ଦାୟିତ୍ୱ । ସେଥିପାଇଁ ମୁଁ ଉପଯୁକ୍ତ ବ୍ୟବସ୍ଥା କରୁଛି ।”

ଆନନ୍ଦ ଏଥିରୁ ବୁଝିଗଲେ ଯେ ଏହା ରାଜାଙ୍କର ଅନୁରୋଧ ନୁହେଁ ବରଂ ଆଦେଶ; ତାଙ୍କୁ ନାହିଁ କରିବାକୁ ଅବସର ନ ଦେଇ ରାଜା ପ୍ରାୟ ମନ୍ତ୍ରୀପଦ ତାଙ୍କୁ ଦେଇସାରିଲେଣି । ତେଣୁ ସେ ସବୁ କିଛି ସ୍ୱୀକାର କରିନେଲେ ।

ଆନନ୍ଦଙ୍କର ମନ୍ତ୍ରୀତ୍ୱ ପ୍ରାପ୍ତି ଓ ସୁବୁଦ୍ଧିଙ୍କର ପଦଚ୍ୟୁତ ଏତେ ହଠାତ୍ ଉପରେ ହେଲା ଯେ ସମସ୍ତେ ବିଶେଷତଃ ସୁବୁଦ୍ଧି ବହୁତ ଆଶ୍ଚର୍ଯ୍ୟ ହେଲେ । ନିଜ କୁକର୍ମ ସକାଶେ କିଛି ବାହାନା ଦେବାପାଇଁ ମଧ୍ୟ ତାଙ୍କୁ ଆଉ ସମୟ ଦିଆଗଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ