କିନ୍ତୁ ସେ ରାଜା ମଧ୍ୟ ଛାଡିବା ବାଲା ନୁହଁନ୍ତି । ସେ ହସିବାର କାରଣ ଜାଣିବାକୁ ଯିଦ୍ କଲେ । ମନ୍ତ୍ରୀ ଶେଷରେ ନିରୂପାୟ ହୋଇ କହିଲେ, “ମହାରାଜ, ଯୁବରାଜ ଧର୍ମସେନ୍ ମୋ ଝିଅ ହେମମାଳାକୁ ଭଲପାନ୍ତି । ରୂପ ଓ ଗୁଣ, ସମଦୃଷ୍ଟିରୁ ଦେଖିଲେ ମୋ ଝିଅ ଅନେକ ରାଜକୁମାରୀଙ୍କ ଠାରୁ ମଧ୍ୟ ଅଧିକ । କିନ୍ତୁ ମୋର ବିଶ୍ୱାସ ଯେ ଆପଣ କୌଣସି ରାଜକୁମାରୀଙ୍କୁ ଛାଡି ମନ୍ତ୍ରୀର ଝିଅକୁ ପୁତ୍ରବଧୁ ରୂପେ ବରଣ କରିବେ ନାହିଁ । ଆପଣ କ’ଣ ପୁରୁଣା ପରମ୍ପରାକୁ ତ୍ୟାଗ କରିଦେବେ?”
ମନ୍ତ୍ରୀଙ୍କର ଏଭଳି କଥା ଶୁଣି ସେ ରାଜାଙ୍କୁ ଭୀଷଣ ରାଗ ଲାଗିଲା । କିନ୍ତୁ ରାଗକୁ ଯଥାସମ୍ଭବ ସଂଯତ କରି ସେ କହିଲେ, “ଆପଣଙ୍କ ଝିଅର ଯୋଗ୍ୟତା କେତେଦୂର ସେକଥା ତ ମୁଁ ନିର୍ଣ୍ଣୟ କରିବି, ଆପଣ ନୁହଁନ୍ତି ।”
ଏକଥା ଶୁଣି ମନ୍ତ୍ରୀ ପୁଣି ଅଳ୍ପ ହସିଲେ ଓ ନୀରବ ରହିଲେ । ରାଜା ପୁଣି ଜୋର୍ ଦେଇ ମନ୍ତ୍ରୀଙ୍କର ହସିବାର କାରଣ ପଚାରିଲେ । ତହୁଁ ମନ୍ତ୍ରୀ କହିଲେ, “ମହାରାଜ, ନିଜ ସ୍ତ୍ରୀ ବାଛିବାରଅଧିକାର କେବଳ ପୁରୁଷର ହିଁ ହେବା ଉଚିତ୍ । ଧର୍ମସେନ୍ ହେମମାଳୀକୁ ବିବାହ କରିବାକୁ ଚାହାଁନ୍ତି । ଏହାର ବିରୋଧ କରିବା ପାଇଁ ଆପଣଙ୍କ ଅପେକ୍ଷା ମୋର ଅଧିକାର ବେଶି । କାରଣ କୁମାରମାନଙ୍କର ଯୋଗ୍ୟତା ଦେଖି ଉତ୍ତରାଧିକାରୀ ଆପଣ ନିର୍ଣ୍ଣୟ କରି ପାରିଲେ ନାହିଁ ବୋଲି ତ ମୋ ଉପରେ ତାହା ଛାଡି ଦେଇଛନ୍ତି । ଯଦି ରାଜ୍ୟର ରାଜା ମୋ ପସନ୍ଦରେ ହେବ ତେବେ ରାଣୀ ମଧ୍ୟ ମୋ ପସନ୍ଦରେ ହେବା ଦରକାର ।”
ଏପରି କଥା ଶୁଣି ରାଜା କିଛି ସମୟ ଭାବିବା ପରେ କହିଲେ, “ମନ୍ତ୍ରୀବର, ତୁମ କଥା ସତ୍ୟ । ଯଦି ଧର୍ମସେନ୍ ହେମମାଳାକୁ ପସନ୍ଦ କରିଛି ତେବେ ତା’ର ବିବାହ ମୁଁ ସଂପନ୍ନ କରିବି । କିନ୍ତୁ ପୁତ୍ରମାନଙ୍କ ମଧ୍ୟରେ ରାଜପଦ ପାଇଁ କିଏ ଯୋଗ୍ୟତମ ସେଇଟା ତମେ ନିର୍ଣ୍ଣୟ କର ।
ଏଥର ମଧ୍ୟ ମନ୍ତ୍ରୀ ଅଳ୍ପ ହସି ମୌନ ରହିଲେ । ରାଜା ପଚାରିଲେ, “କ’ଣ ଏବେ ମଧ୍ୟ ମୋର ବୁଦ୍ଧିଶୁଦ୍ଧି ଉପରେ ଆପଣଙ୍କର ବିଶ୍ୱାସ ନାହିଁ । କାହିଁକି ଆପଣ ହସୁଛନ୍ତି?”
ମନ୍ତ୍ରୀ କହିଲେ, “ମହାରାଜ, ଏବେ ଧର୍ମସେନ୍ ମୋର ଜାମାତା ହେବେ । ତେବେ ଆପଣ କିପରି ବିଶ୍ୱାସ କରୁଛନ୍ତି ଯେ ମୁଁ ରାଜପଦ ପାଇଁ ତାଙ୍କ ଛଡା ଆଉ କାହାକୁ ଅଧିକ ଯୋଗ୍ୟ ବୋଲି ପସନ୍ଦ କରିବି?”
ରାଜା କହିଲେ, “ଆପଣଙ୍କ ନିଃସ୍ୱାର୍ଥ ବୁଦ୍ଧି ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି ।”
ମନ୍ତ୍ରୀ କହିଲେ, “ତେବେ ମୁଁ ଯାହା ସ୍ଥିର କରିଛି ତାହା ଶୁଣନ୍ତୁ । ଏବେ କେତେଦିନ ହେବ ଧର୍ମସେନ୍ ମୋ ଝିଅକୁ ଭଲ ପାଉଛନ୍ତି । ଏହା ମୁଁ ପ୍ରଥମରୁ ଓ ବଡ ସାବଧାନତାର ସହିତ ନିରୀକ୍ଷଣ କରୁଛି । ଯେତେବେଳେ ମୁଁ ଜାଣିଲି ଯେ କୁମାରମାନଙ୍କ ମଧ୍ୟରେ ଧର୍ମସେନ୍ଙ୍କର ହିଁ ଅଧିକ ଯୋଗ୍ୟତା ଅଛି, ସେତେବେଳେ ହିଁ ମୁଁ ସେ ଦୁହିଁଙ୍କର ବିବାହ ପ୍ରସ୍ତାବ ଆପଣଙ୍କୁ ଦେଲି ।”
ଏସବୁ ଶୁଣି ଚନ୍ଦ୍ରସେନ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୁଁ କେବେବି ଭାବି ନଥିଲି ଯେ ଆପଣଙ୍କ ବ୍ୟବହାରରେ ପକ୍ଷପାତିତା ରହିବ! ଆପଣ ସ୍ୱାର୍ଥରେ ପଡି ମୋର ଆଦର୍ଶ ଉପରେ ପ୍ରହାର କରିଛନ୍ତି!” ଏକଥା ଶୁଣି ମନ୍ତ୍ରୀ ପୁଣି ହସି ମୌନ ରହିଲେ ।
ଅଳ୍ପ ରାଗିଯାଇ ରାଜା ପଚାରିଲେ, “ଏପରି ଭାବରେ ବାରମ୍ବାର ଆପଣଙ୍କର ହସିବାଟା ମୋତେ ଆଦୌ ଭଲ ଲାଗୁନାହିଁ ।”
ତହୁଁ ମନ୍ତ୍ରୀ ତାଙ୍କୁ ବୁଝାଇ କହିଲେ, “ମହାରାଜ, ମୁଁ ଆପଣଙ୍କ ଆଦର୍ଶର ଅର୍ଥ କିଛି ବୁଝି ପାରୁନାହିଁ । ଆପଣ ଯଦି ସୁଯୋଗ୍ୟ ବ୍ୟକ୍ତିକୁ ଉତ୍ତରାଧିକାରୀ ପାଇଁ ବାଛନ୍ତି ତେବେ କେବଳ ଚାରିକୁମାରଙ୍କ ମଧ୍ୟରୁ କାହିଁକି? ସାରା ରାଜ୍ୟରେ ତ ବହୁତ ଯୋଗ୍ୟ ଯୁବକ ଅଛନ୍ତି । ତେଣୁ ଏଠାରେ ଆପଣ ପରମ୍ପରା ପାଳନ କରି ରାଜପୁତ୍ରମାନଙ୍କ ମଧ୍ୟରୁ ବାଛିବାକୁ କହୁଛନ୍ତି । ପୁଣି କହୁଛନ୍ତି କି ପରମ୍ପରା ନ ମାନି ଆଦର୍ଶ ମାନିବା ହେଉଛି ଆପଣଙ୍କ ଧର୍ମ । ଯେପରି ଆପଣ ଆପଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ରାଜା କରିବାକୁ ଚାହାଁନ୍ତି, ଠିକ୍ ସେହିପରି ମୁଁ ମଧ୍ୟ ମୋ ଜାମାତାକୁ ଯଦି ରାଜା କରିବାକୁ ଚାହିଁବି ତେବେ ମୋର ଏଥିରେ ଭୁଲ୍ ରହିଲା କେଉଁଠି? ଏପରି ପରିସ୍ଥିତିରେ କେବଳ ଆପଣ ହିଁ କୁହନ୍ତୁ ଆପଣଙ୍କର ଏହି ବିଚାର ଦେଖି ହସିବା ଛଡା ମୁଁ ବା ଆଉ କ’ଣ କରିପାରେ?”
ମନ୍ତ୍ରୀଙ୍କ କଥା ଶୁଣି ରାଜା ନିଜର ଭୁଲ୍ ବୁଝି ପାରିଲେ । ଏହା ପରେ ସେ ପରମ୍ପରା ଭାଙ୍ଗିବାର ବିଚାରକୁ ସଂପୂର୍ଣ୍ଣ ରୂପେ ଭୁଲିଗଲେ । ତା’ପରେ ସେ ମନ୍ତ୍ରୀଙ୍କୁ ପଚାରିଲେ, “ମନ୍ତ୍ରୀବର, ଏବେ କୁହନ୍ତୁ ଯେ ଧର୍ମସେନ୍ ରାଜା ହେବାପାଇଁ ଯୋଗ୍ୟ ବା ନୁହେଁ?”
ମନ୍ତ୍ରୀ କହିଲେ, “ମହାରାଜ, ଯଦି କୌଣସି ରାଜାଙ୍କୁ, ଦକ୍ଷ ମନ୍ତ୍ରୀ, ଶକ୍ତିଶାଳୀ ପରିବାର, ବିଶ୍ୱସ୍ତ ସେବକ, ସୁଯୋଗ୍ୟ ସହଧର୍ମିଣୀ ତଥା ରାଜଭକ୍ତ ପ୍ରଜା ମିଳିଯାଏ ତ ସେ ଶାସନ କରିବାର ଯୋଗ୍ୟତା ଆପେ ଆପେ ପାଇଯାଏ । ଅଧିକନ୍ତୁ ଧର୍ମସେନ୍ ପ୍ରାଚୀନ ପରମ୍ପରା ଦୃଷ୍ଟିରୁ ସିଂହାସନରେ ଅଧିକାରୀ ହେବାପାଇଁ ଅବଶ୍ୟ ଯୋଗ୍ୟ ।”
ମନ୍ତ୍ରୀଙ୍କ ପ୍ରସ୍ତାବକୁ ରାଜା ତତକ୍ଷଣାତ୍ ସ୍ୱୀକାର କରିନେଲେ । ମନ୍ତ୍ରୀ ପୁଣି ହସିଲେ ଓ କହିଲେ, “ମହାରାଜ ଆପଣ ଏଥର ଆଉ ମୋତେ ପଚାରନ୍ତୁ ନାହିଁ ଯେ ମୁଁ କାହିଁକି ହସିଲି । ଏବେ ମୁଁ ଆପଣଙ୍କର ସମୂଦି ହେବାକୁ ଯାଉଛି । ତେଣୁ ମୁଁ ଆପଣଙ୍କୁ ଭୟ କରିବାର ମଧ୍ୟ କିଛି କାରଣ ନାହିଁ । ଯଦି ଏ କ୍ଷେତ୍ରରେ ରାଜା ସ୍ୱାର୍ଥପର ହୁଅନ୍ତି ତେବେ ଏହା ଅନ୍ତଃପୁର ମଧ୍ୟରେ ସୀମିତ ହୁଅନ୍ତା । କିନ୍ତୁ ରାଜା ମନ୍ତ୍ରୀ ଦୁହେଁ ସ୍ୱାର୍ଥନ୍ୱେଷୀ ହେଲେ, କିମ୍ବା ଦୁହିଁଙ୍କ ସ୍ୱାର୍ଥ ଏକ ହେଲେ, ପୂର୍ବପୁରୁଷଙ୍କ ଦ୍ୱାରା ପ୍ରବର୍ତ୍ତୀତ ପରମ୍ପରା ଚାଲୁ ରହିବ । ତେବେ ପରମ୍ପରା ଯଦି ଭଲ ହୋଇଥିବ, ତେବେ ସେଥିରେ କିଛି ବି କ୍ଷତି ନାହିଁ ।”
ମନ୍ତ୍ରୀଙ୍କ କଥା ବୁଝିବା ପରେ ରାଜା ହସିଦେଲେ ଓ କହିଲେ, “ମନ୍ତ୍ରୀବର, ଆପଣ କେବଳ ପ୍ରମାଣିତ କଲେ ଯେ ରାଜନୀତିଠାରୁ ମନ୍ତ୍ରୀନୀତି ଅଧିକ ମହାନ୍ । ରାଜନୀତି ମୋ ପୁଅକୁ ରାଜା କରିବ ତ ମନ୍ତ୍ରୀନୀତି ଆପଣଙ୍କ ଝିଅକୁ ରାଣୀ କରିବ । ଆପଣଙ୍କ ପରି ଜଣେ ଦକ୍ଷ ବ୍ୟକ୍ତିଙ୍କର ଜାମାତା ହୋଇ ଧର୍ମସେନ୍ଙ୍କ ପକ୍ଷେ ରାଜ୍ୟଶାସନ କରିବାରେ କୌଣସି ବାଧାବିପତ୍ତି ଆସିବ ନାହିଁ ।”
ରାଜା ତାଙ୍କ ପୁତ୍ର ଧର୍ମସେନ୍ର ବିବାହ ଓ ରାଜ୍ୟାଭିଷେକ ପାଇଁ ସମସ୍ତ ବନ୍ଦୋବସ୍ତ କଲେ । ଏଣେ ମନ୍ତ୍ରୀଙ୍କର ମନରେ ବି ବହୁତ ଆନନ୍ଦ, କାରଣ ତାଙ୍କ ଝିଅ ରାଣୀ ହେବ ଏବଂ ସେ ଓ ଧର୍ମସେନ ଆଦର୍ଶ ରାଜାରାଣୀ ହେବେ । ରାଜାଙ୍କର ତାଙ୍କ ଉପରେ ଅଟଳ ବିଶ୍ୱାସ କଥା ଭାବି ସେ ମନେ ମନେ ବହୁତ ଖୁସି ହେଲେ ।