ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ୍ତ୍ର ରାକ୍ଷସ କଥା

କଥାକାର କହିଲେ – ଏହି ସେହି ରାଜ୍ୟ, ଯେଉଁ ରାଜ୍ୟରେ ରାଧା ମାଧବ ନାମରେ ଜଣେ ପ୍ରତିପତିଶାଳୀ ସୌଦାଗର ବାସ କରୁ ଥିଲେ । ସୌଦାଗରଙ୍କର ଦୁଇ ଗୋଟି ପୁଅ ଥିଲେ । ବଡ ପୁଅର ନାମ ଅଗାଧୁ ଓ ସାନ ପୁଅର ନାମ ବେଣୁ । ସୌଦାଗରଙ୍କର ଏପରି ଦୁଇଟି ଭେଣ୍ଡିଆ ପୁଅ ଥାଇ ମଧ୍ୟ ସୌଦାଗରଙ୍କ ମନରେ ସବୁବେଳେ ଦୁଃଖ । ଦୁଇ ଜଣଙ୍କର ଗୁଣ ସମାନ । ପୁଅ ଦୁଇଟା ନିତି ପ୍ରତି ଦିନ ମଦ ପିଇ ମାତାଲ୍ । ପାଠଶାଳାର ଦୁଆର ତ କେହି ମଧ୍ୟ ମାଡିଲେ ନାହିଁ । ଦିନେ ଚିନ୍ତା ମଗ୍ନ ସୌଦାଗର ତାଙ୍କ ଦୁଇ ପୁଅଙ୍କୁ ପାଖକୁ ଡାକି କହିଲେ ବାବୁରେ ତମ ମାନଙ୍କ ପାଇଁ କ’ଣ ସମୟ ବସୁଛି । ଏଡେ ଏଡେ ଭେଣ୍ଡା ପୁଅ ଦୁହେଁ ହେଲଣି, ବସି ଖାଇଲେ ତ ନଦୀ ବାଲି ସରେ । ମୋର ଆସି ଶେଷ ବୟସ ହେଲା । କେଉଁ ଦିନ ତୁମେ ନିଜ କଥାକୁ ହେଜିବ । ମୁଁ ତୁମକୁ ଗୋଟିଏ ଭଲ କଥା କହୁଛି ଶୁଣ । ମୋର ପୁରୁଣା ବ୍ୟବସାୟକୁ ତୁମେ ଆରମ୍ଭ କର । ମୋ ପରି ମୋର ବୋଇତ ନେଇ ଦୂର ଦେଶ ବିଦେଶକୁ ଯାଅ । ମୁଁ ଏଠାରେ ବସି ରହିଛି । ତମ ମାନଙ୍କୁ ବେପାର ବାଣିଜ୍ୟ ବତେଇ ଦେବି ।

ପିତାଙ୍କର କଥା ଦୁଇ ପୁଅଙ୍କ ମନକୁ ବେଶ୍ ପାଇଲା । ଦୁଇ ପୁଅ ପିତାଙ୍କର ଆଗରୁ ଥିବା ଦୁଇଟି ବୋଇତ ବାହାର କଲେ । ବଡ ପୁଅ ଯେଉଁ ବୋଇତ ନେଇ ଯାଇ ଥିଲା, ସେ ବୋଇତ ଯାଇ ସିଂହଳ ଦ୍ୱୀପରେ ଲାଗିଲା । ସେଠାରେ ସେ କିଛି ଦିନ ବେପାର ବଣିଜ କରିବା ସମୟରେ ସେଠାରେ ତା’ର ଜାମୁ ଗଡ ରାଜାଙ୍କର କନ୍ୟା ସହିତ ସମ୍ପର୍କ ହେବାରୁ ସେ ସେହି ରାଜ କନ୍ୟାଙ୍କୁ ସେଠାରେ ବିବାହ କରି ରହି ଗଲା । ଏହା ପରେ ସେ ଆଉ ପିତା ମାତା ଭାଇ ବନ୍ଧୁ ଘର ଦ୍ୱାର କଥା ମନେ ପକାଇଲା ନାହିଁ ।

ଏଥୁ ଅନ୍ତେ ସାନ ଭାଇ ସାଗର ମଧ୍ୟରେ ବୋଇତ ନେଇ ହିମାଳୟର ଆର ପାରିକୁ ଚାଲି ଗଲା । ସେ ଜାଣି ନଥିଲା ଯେ ସେଠାରେ ଖୁବ୍ ତୁଷାର ପାତ ହେଉଛି । ସେ ଅଜଣାରେ ବିପଦ ମଧ୍ୟରେ ପଶି ଯିବାରୁ ତା’ର ବୋଇତଟି ସାଗର ମଧ୍ୟରେ ବୁଡି ଗଲା । ସାନ ଭାଇ କିନ୍ତୁ ସମୁଦ୍ର ମଧ୍ୟରେ ଗୋଟିଏ କାଠ ଗଡକୁ ଆଶ୍ରା କରି ଭାସି ଭାସି ଆସି ଏକ ଜଙ୍ଗଲ ନିକଟରେ ପହଁଚି ଗଲା । ସେ ବହୁ କଷ୍ଟରେ କାଠ ଗଡ ଛାଡି ଉପରକୁ ଆସି ସେଠାରେ ଚେତା ହୀନ ହୋଇ ପଡି ଗଲା ।

ସକାଳ ହେବାରୁ ସେହି ଜଙ୍ଗଲରେ ଆଶ୍ରମ କରି ରହୁଥିବା ଜଣେ ସ୍ନାନ କରିବା ନିମନ୍ତେ ଆସନ୍ତେ ସାଗର ପଠା ଜଙ୍ଗଲଠାରେ ସାନ ଭାଇକୁ ଦେଖି ତାକୁ ସଙ୍ଗେ ସଙ୍ଗେ ତାଙ୍କ ଆଶ୍ରମକୁ ନେଇ ତା’ର ଚିକିତ୍ସା କରିବାରୁ ସାନ ଭାଇର ଚେତା ଆସିଲା । ପିଲାଟିର ଚେତା ଆସିବାରୁ ଋଷି ତାକୁ ସମସ୍ତ କଥା ପଚାରିଲେ । ତା’ପରେ ତା ପ୍ରତି ଦୟା ପରବଶ ହୋଇ ତାଙ୍କୁ ଗୋଟିଏ ମୁଦ୍ରିକା ସହିତ ଗୋଟିଏ ମନ୍ତ୍ର ଲେଖି ଦେଇ କହିଲେ ତୁ ଏହି ମୁଦ୍ରିକାକୁ ଧାରଣ କରି ମୁଦ୍ରିକାକୁ ଚାହିଁ ଏହି ମନ୍ତ୍ର ପାଠ କଲେ ସଙ୍ଗେ ସଙ୍ଗେ ତୋ ଆଗରେ ଆସି ଗୋଟିଏ ରାକ୍ଷସ ଉପସ୍ଥିତ ହେବ । ତୁ ତାକୁ ଭୟ ନକରି ଯାହା ଆଦେଶ ଦେବୁ ରାକ୍ଷସ ତୋର ସବୁ ଆଦେଶକୁ ନିଶ୍ଚୟ ପାଳନ କରିବ ।

ମନ୍ତ୍ର ମୁଦ୍ରିକା ଓ ମନ୍ତ୍ର ପାଇ ସୌଦାଗରର ସାନ ପୁଅ ବେଣୁ ଖୁବ୍ ଆନନ୍ଦ ହୋଇ ଗଲା । ତା’ପରେ ତା’ର ପିତାମାତାଙ୍କ କଥା ବିଶେଷ ଭାବରେ ମନେ ପଡିବାରୁ ସେ ବିକଳରେ ଜଙ୍ଗଲ ମଧ୍ୟକୁ ପଳାଇ ଗଲା । ଜଙ୍ଗଲରେ ଯାଇ ମନ୍ତ୍ର ମୁଦ୍ରିକାକୁ ଚାହିଁ ମନ୍ତ୍ର ପାଠ କଲା । ସତକୁ ସତ ଋଷି ଯାହା କହିଥିଲେ ତାହା ହିଁ ହେଲା । ମନ୍ତ୍ର ଶେଷରେ ବେଣୁର ସମ୍ମୁଖ ଭାଗରେ ଆସି ସେହି ମନ୍ତ୍ର ରାକ୍ଷସ ତାକୁ ପ୍ରଣାମ କରି କହିଲା ଆପଣ ଏବେ ମୋର ପ୍ରଭୁ, ମୁଁ ଆପଣଙ୍କର ସେବାକାରୀ ଦାସ । ଏବେ ଆପଣ ମୋତେ ଆଦେଶ କରନ୍ତୁ । ମୁଁ ଆପଣଙ୍କ ଲାଗି କେଉଁ କାର୍ଯ୍ୟ କରି ପାରିବି ।

ସୌଦାଗର ପୁଅ ବେଣୁ କହିଲା ମୁଁ କ’ଣ ଯାହା କହିବି ତୁ ତାହା କରି ପାରିବୁ ।

ମନ୍ତ୍ର ରାକ୍ଷସ କହିଲା – ଏଥିରେ ପଚାରିବାର କ’ଣ ଅଛି । ମୁଁ ପରା ସେଇଥି ଲାଗି ଆସିଛି ।

ସୌଦାଗର ପୁଅ ବେଣୁ କହିଲା – ତାହା ହେଲେ ତୁ କହ ମୋର ପିତା ମାତା କେଉଁଠାରେ ଅଛନ୍ତି । ମୁଁ ତାଙ୍କୁ ପାଇବି କିପରି ।

ମନ୍ତ୍ର ରାକ୍ଷସ କହିଲା ମୁଁ ଆସନ୍ତା କାଲି ସେମାନଙ୍କୁ ଆଣି ଏଠାରେ ପହଁଚାଇ ଦେବି ।

ସୌଦାଗର ପୁଅ ତେଣୁ କହିଲା – ଏଠାରେ ମୁଁ ରହିବି କିପରି । ମୋ ପାଖରେ ତ କିଛି ଖାଇବା ଲାଗି ନାହିଁ । ମୁଁ ଖାଇବି କ’ଣ । ମନ୍ତ୍ର ରାକ୍ଷସ କହିଲା ଠିକ୍ ଅଛି ଆପଣ ଏହି ଠାରେ କିଛି କ୍ଷଣ ନୀରବରେ ବସି ଯାଆନ୍ତୁ, ମୁଁ ଆପଣଙ୍କ ଲାଗି ଏ ସବୁର ବ୍ୟବସ୍ଥା କରି ଦେଇ ସାରିବା ପରେ ଆପଣଙ୍କର ପିତା ମାତାଙ୍କୁ ଏଠାକୁ ଆଣିବାରେ ଲାଗି ଯିବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ