ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ୍ତ୍ର ରାକ୍ଷସ କଥା

ଏଥୁ ଅନ୍ତେ ମନ୍ତ୍ର ରାକ୍ଷସ ଜଙ୍ଗଲ ମଧ୍ୟରେ ବଡ କୋଠା ଘରଟିଏ ନିର୍ମାଣ କରି ଦେଲା । କୋଠା ଭିତରେ ଖଟ ପଲଙ୍କ, ଚେୟାର୍ ଟେବୁଲ୍, ସୁନ୍ଦର ଶଯ୍ୟାର ବ୍ୟବସ୍ଥା ମଧ୍ୟ କରିଦେଲା । ତା’ପରେ ରୋଷେଇ ଘରେ ଖାଇବା ଲାଗି ଫଳମୂଳ ଠାରୁ ଆରମ୍ଭ କରି ସମସ୍ତ ଦ୍ରବ୍ୟ ଖଞ୍ଜା କରି କହିଲା ଆପଣ ମୋତେ ଏବେ ବିଦାୟ ଦିଅନ୍ତୁ । ଏହା ପରେ ମୁଁ ଆପଣଙ୍କର ପିତା ମାତାଙ୍କୁ ଆଣିବା ଲାଗି ଯିବି ।

ସୌଦାଗର ପୁଅ ଏହା ସବୁ ଦେଖି କହିଲା – ସବୁ ଭଲ ହେଲା । ହେଲେ ମୁଁ ଏଠାରେ ରହିବି କିପରି । ଏକା ଏକା ରହିଲେ ମୋର ମନ ଲାଗିବ ନାହିଁ । ଏହା ପରେ ମନ୍ତ୍ର ରାକ୍ଷସ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଦୁଇ ଚାରି ଜଣ ମାୟାରେ ଅର୍ଦ୍ଧ ଉଲଗ୍ନ କନ୍ୟା ମାନଙ୍କୁ ଆଣି ସେଠାରେ ଛାଡି ଦେଇ ବିଦାୟ ନେଲା ।

ଅସୁର ବିଦାୟ ନେଲା । ମାୟା ସୁନ୍ଦରୀ ମାନେ ମାୟାରେ ଖୁବ୍ ମନଲୋଭା ପୋଷାକ ପରିଧାନ କରି ସୌଦାଗର ପୁଅକୁ ବହୁ ମୂଲ୍ୟବାନ ମାୟା ପୋଷାକରେ ରାଜା ବେଶରେ ସଜାଇ ଦେଲେ । ତାପରେ ସେହି ସ୍ଥାନଟି ନିର୍ଜନ ଥିଲା । ଏତେ ବଡ କୋଠା ଘରେ, ମାତ୍ର ସେହି ମାନେ କେତେ ଜଣ, ସେମାନେ ଅଦଳ ବଦଳ କରି ସର୍ବଦା ସୌଦଗର ପୁଅ ସାଥିରେ ରତି ରସରେ ମାତି ଗଲେ ।

ଏହି ଭଳି ଭାବରେ ସେଦିନ ରାତ୍ରଟି ମଉଜ ମଜଲିସ୍ରେ ସୌଦାଗରର ସାନ ପୁଅ ବିତାଇ ସୁନ୍ଦରୀ ରମଣୀ ମାନଙ୍କ ସହିତ ପଲଙ୍କ ଉପରେ ଶୋଇ ପଡିଲା । ରାତି ପାହି ସକାଳ ହୁଅନ୍ତେ ସୌଦାଗର ପୁଅ ବେଣୁର ନିଦ ଭାଙ୍ଗି ଗଲା । ସୂର୍ଯ୍ୟ ଉଦୟ ହେବେ । ଦିନତ ହୋଇ ଯାଇଛି । ସୌଦାଗର ପୁଅ କାହିଁକିବା କାହାକୁ ଭୟ କରିବ । ସେ ପଦାକୁ ଆସି ଦେଖିଲା ଯେ ମନ୍ତ୍ର ରାକ୍ଷସ ମୁଣ୍ଡରେ ଗୋଟିଏ ପଲଙ୍କ ମୁଣ୍ଡାଇ ସେହି ଜଙ୍ଗଲ ଆଡେ ଆସୁଛି ।

ମନ୍ତ୍ର ରାକ୍ଷସକୁ ଦେଖି ସୌଦାଗର ପୁଅ ମନରେ ଆନନ୍ଦ କହିଲେ ନସରେ । ବହୁ ଦିନ ପରେ ସେ ତାଙ୍କର ପିତା ମାତାଙ୍କୁ ଦେଖିବ । ଆଉ ତା ପିତା ମଧ୍ୟ ତାଙ୍କ ସାନ ପୁଅର ଅସମ୍ଭବ ବିଭବ ଦେଖି ଆନନ୍ଦ ହୋଇ ଯିବେ । କିନ୍ତୁ ମାୟା ରାକ୍ଷସ ପାଖକୁ ଆସି ଯିବାରୁ ସେ ତା’ର ନିଜର ବଡ ଭାଇ ଅଗାଧୁ ଓ ଭାଉଜଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା । ପିତା ମାତା ସାଥିରେ ନଥିବାରୁ ସେ ମନ୍ତ୍ର ରାକ୍ଷସକୁ ଚାହାନ୍ତେ ମନ୍ତ୍ର ରାକ୍ଷସ କହିଲା ମୁଁ ନିରୁପାୟ ହୋଇ ପଡିଲି । ସେଠାରେ ଯାଇ ଦେଖିଲି ଆପଣଙ୍କର ପିତା ମାତା ନାହାଁନ୍ତି । ଆପଣଙ୍କ ଘରେ ସେହି ଗ୍ରାମର ଅନ୍ୟ କେହି ଜଣେ ନିଜର ପିଲା ଛୁଆ ଧରି ରହୁ ଛନ୍ତି । ସେଠାରେ ମୋତେ ମାୟାରେ ମନୁଷ୍ୟ ହେବାକୁ ହେଲା । ମାୟା ମନୁଷ୍ୟ ହେବା ପରେ ମୁଁ ସେଠାରୁ ଯାହା ଖବର ପାଇଲି ତାହା ଶୁଣିବା ପରେ ମୋର ମନରେ ବହୁତ ଦୁଃଖ ଆସିଲା । ଆପଣଙ୍କ ପିତା ମାତାଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇ ଯାଇଥିବା ସମ୍ବାଦ ପାଇବା ପରେ ମୁଁ ସଙ୍ଗେ ସଙ୍ଗେ ସେଠାରୁ ଫେରି ଆସି ଆପଣଙ୍କର ଭାଇ ଭାଉଜଙ୍କୁ ଧରି ଜାମୁ ଗଡରୁ ସିଧା ଏଠାକୁ ଚାଲି ଆସିଲି ।

ଦୁଇ ଭାଇ ଯାକ ନିଜ ପିତା ମାତାଙ୍କର ମୃତ୍ୟୁ ସମ୍ବାଦ ଶୁଣି ସେମାନେ ଦୁହେଁ ବହୁତ ମନ ଦୁଃଖ କଲେ । ବଡ ଭାଇ ସାନ ଭାଇର ଧନ ଦୌଲତ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଗଲା ଓ ସେମାନେ ସମସ୍ତେ ସେହି ସାନ ଭାଇର ମାୟା କୋଠାରେ ବାସ କଲେ ।

ସେଠାରେ କିଛି ଦିନ ରହିବା ପରେ ସାନ ପୁଅ ବେଣୁ ଧର ନିଜ ରାଜ୍ୟ ବୁଲିବାକୁ ଆସି ଦେଖିଲା ଯେ ସେ ରାଜାଙ୍କ ସହିତ ବାହାରର ଶତ୍ରୁ ରାଜା ଆସି ଯୁଦ୍ଧ କରୁଛି । ସାନ ପୁଅ ବେଣୁ ଧର ରାଜାଙ୍କୁ ଯାଇ କହିଲା ମୁଁ ଆପଣଙ୍କ ଶତ୍ରୁ ମାନଙ୍କୁ ଯୁଦ୍ଧରେ ନିଶ୍ଚୟ ହରାଇ ଆମ ରାଜ୍ୟର ଟେକ ରଖିବି । ରାଜା ନିରାଶ୍ରୟ ହୋଇ ପଡି ଥିଲେ । ସୌଦାଗରର ସାନ ପୁଅ ବେଣୁ ଧରକୁ କହିଲେ ଠିକ୍ ଅଛି ତୁମେ ଯଦି ମୋର ସମସ୍ତ ଶତ୍ରୁକୁ ହରାଇ ମୋ ରାଜ୍ୟକୁ ଉଦ୍ଧାର କରିବ ତାହା ହେଲେ ମୋର ଅଲିଅଳି କନ୍ୟାକୁ ମୁଁ ତୁମ ସହିତ ନିଶ୍ଚୟ ବିବାହ କରାଇ ଦେବି ।

ଏହା ପରେ ସୌଦାଗରର ସାନ ପୁଅ ବେଣୁ ଧର ମନ୍ତ୍ର ରାକ୍ଷସକୁ ଆଦେଶ ଦିଅନ୍ତେ ମନ୍ତ୍ର ରାକ୍ଷସ ତା ମନ୍ତ୍ର ଦ୍ୱାରା ଅସଂଖ୍ୟ ରାକ୍ଷସ ସୈନ୍ୟ ଜନ୍ମ କରି ଶତ୍ରୁ ସହିତ ଯୁଦ୍ଧ କରି ଶତ୍ରୁ ମାନଙ୍କୁ ହତ୍ୟା କଲେ ଓ ନିଜ ରାଜ୍ୟକୁ ସେହି ଶତ୍ରୁ କବଳରୁ ଉଦ୍ଧାର କରିଥିବା ହେତୁ ରାଜା ପ୍ରିତ ହୋଇ ସୌଦାଗରର ସାନ ପୁଅ ବେଣୁ ଧରକୁ ନିଜର କନ୍ୟାକୁ ବିବାହ ଦେଇ ତାଙ୍କୁ ବହୁ ଧନ ରତ୍ନ ଦାନ କଲେ ।

ସୌଦାଗରର ସାନ ପୁଅ ବେଣୁ ଧର ସେହି ରାଜ କନ୍ୟାକୁ ବିବାହ କଲା । ସୌଦାଗର ପୁଅ ଖୁସିରେ ଥାଏ । ଏତିକି ବେଳେ ମନ୍ତ୍ର ରାକ୍ଷସ ଆସି ସୌଦାଗର ପୁଅକୁ ପ୍ରଣାମ କରି ଯିବାକୁ ବିଦାୟ ମାଗନ୍ତେ ସୌଦାଗର ପୁଅ ସେ ମନ୍ତ୍ର ରାକ୍ଷସକୁ କହିଲା – ତୁମେ ପୁଣି ଯିବ କୁଆଡେ । ମୋର ତୁମକୁ ଆଦେଶ ହେଲା ଯେ, ୟେ ମୋର ଶ୍ୱଶୁରଙ୍କ ରାଜ୍ୟ । ମୁଁ ଓ ତାଙ୍କ ଅଲିଅଳି କନ୍ୟା ଏଠାରୁ ବିଦାୟ ନେଇ ଗଲା ପରେ ତାଙ୍କର ବିପଦ ଆପଦ ବେଳକୁ ତାଙ୍କୁ ସାହାଯ୍ୟ କରିବ କିଏ । ସେଥି ଲାଗି ତୁମକୁ ଏଠାରେ ରହିବାକୁ ହେବ । ତୁମେ ଏହି ରାଜ୍ୟରେ ରହି ଶତ୍ରୁ ପକ୍ଷ ଉପରେ ନଜର ରଖିବ ।

ସୌଦାଗର ସାନ ପୁଅର ଏପରି ଆଦେଶ ଶୁଣି ମନ୍ତ୍ର ଅସୁର କହିଲା ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ । ମୁଁ ଆଜି ଠାରୁ ଏହି ଠାରେ ରହିଲି । ଏହା ପରେ ସେହି ମନ୍ତ୍ର ରାକ୍ଷସ ସେଠାରେ ଏକ କଳା ପଥରରେ ମୂର୍ତ୍ତି ହୋଇ ଗଲା । ସୌଦାଗର ପୁଅ ରାଜାଙ୍କୁ କହି ମନ୍ତ୍ର ରାକ୍ଷସର ପାଷାଣ ମୂର୍ତ୍ତିର ଚାରି ପାଶ୍ୱର୍ରେ ଗୋଟିଏ କାଚର ଗୃହ ନିର୍ମାଣ କରାଇ ନିଜ ସ୍ଥାନକୁ ଚାଲି ଗଲେ ।

ଶୁଣିଲୁ ବାବୁ ବୋଲକରାରେ

ମନ୍ତ୍ର ରାକ୍ଷସର କଥା

ପାଷାଣ ହୋଇ ରହିଲା ଏଠି

ତୋର ଲାଗି ଚିନ୍ତା ।

ଉପଦେଷ୍ଟାଙ୍କ ଠାରୁ ଏ କଥା ଶୁଣି ବୋଲକରା କହିଲା, ଗଲା ମୋ ମୁଣ୍ଡରୁ ଗୋଟିଏ ମସ୍ତ ବଡ ଚିନ୍ତା ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ