ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
ତଥାପି ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । କିନ୍ତୁ ତା’ପରେ ସେ ଶବଟିକୁ କାନ୍ଧରେ ପକାଇ ଭୟାବହ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ କାହା ପାଇଁ ଏ କାଠିକର କାମ ହାତକୁ ନେଇଛ? ସେ କାର୍ଯ୍ୟସିଦ୍ଧି ପରେ ତମ ଅଭିଲକ୍ଷ ପୂରଣ କରିବ ତ? ଥରେ ଥରେ ଦେଖାଯାଏ କ୍ଷମତା ଥିବା ଲୋକେ ଅନ୍ୟର ହିତ କରିବାର ସୁଯୋଗ ପାଇ ମଧ୍ୟ ସେ ଦିଗରେ ସେମାନେ କିଛିବି କରନ୍ତି ନାହିଁ; ପୁଣି ଥରେ ଥରେ ବିନା ଦ୍ୱିଧାରେ କାହାରି କାହାରି ମାଗୁଣି ପୂରଣ କରି ଦିଅନ୍ତି । ତମକୁ ଗୋଟାଏ ଉଦାହରଣ ଦେଉଛି । ମନଦେଇ ତାହା ଶୁଣ । ଫଳରେ ତମ ଶ୍ରମଭାର ଲାଘବ ମନେ ହେବ ।”
ବେତାଳ ଗପିଲା: ବୈଶାଳୀର ଗୋଟିଏ ପ୍ରାଚୀନ ମନ୍ଦିର ଥରେ ଭୁଷୁଡି ପଡିଲା । ରାଜା ସେସବୁ ପଥର ଘୁଂଚାଇ ସେଠାରେ ନୂଆ ମନ୍ଦିରଟିଏ ନିର୍ମାଣ କରିବାକୁ ସ୍ଥିର କଲେ ।
ସେ ସ୍ଥାନ ପରିସ୍କାର କଲାବେଳେ ଗୋଟିଏ ସୁଡଙ୍ଗ ଆବିଷ୍କୃତ ହେଲା । ସେ ସୁଡଙ୍ଗ ଭିତରେ ଗୋଟିଏ ଅଦ୍ଭୁତ ସିଂହାସନ ଥିବାର ଦେଖାଗଲା । ସେ ସିଂହାସନ ବିଷୟରେ କିମ୍ବଦନ୍ତି ଜରିଆରେ ଲୋକେ ବହୁତ କଥା ଶୁଣିଥିଲେ । ଶହେ ବର୍ଷ ତଳେ ଜଣେ ତାନ୍ତ୍ରିକ ସେ ସିଂହାସନଟି ନିର୍ମାଣ କରିଥିଲେ । ସେ ସିଂହାସନର ଅଦ୍ଭୁତ ଗୁଣ ଥିଲା । କୌଣସି ବ୍ରତ ଉପବାସ କରି ଓ କିଛି ମନ୍ତ୍ର ପଢି ଯିଏ ସେ ସିଂହାସନରେ ଥରେ ବସି ପଡିବ, ସିଏ ଗୋଟାଏ ମହାଶକ୍ତିଶାଳୀ ବନିଯିବ ।
ରାଜା ସେହି ସିଂହାସନଟିକୁ ଆଣି ତାକୁ ନଅର ଭିତରେ ଗୋଟିଏ କକ୍ଷରେ ରଖିଲେ । ପ୍ରଥମେ ପ୍ରଥମେ ଶହ ଶହ ଲୋକ ତାକୁ ଦେଖିବାକୁ ଆସିଲେ । ରାଜା ସେଥିରେ କିଛି ଆପତ୍ତି କଲେ ନାହିଁ । କିନ୍ତୁ କେହି କେହି ଦର୍ଶକ ସେ ସିଂହାସନରେ ଗୋଟିଏ ବାୟବୀୟ ମୂର୍ତ୍ତି ବସିଥିବାର ଦେଖିଲେ । ସେ ମୂର୍ତ୍ତି ବିରକ୍ତ ଦିଶୁଥିଲା । ଦୁଇ ଚାରିଜଣ ଦର୍ଶକ ମଧ୍ୟ ମୂର୍ଚ୍ଛା ଗଲେ ।
ରାଜା ହୁକୁମ୍ ଦେଲେ କି ତେଣିକି ସେ କକ୍ଷକୁ ଆଉ କେହିବି ଯିବେ ନାହିଁ । କକ୍ଷ ଆଗରେ ଜଣେ ଜଗୁଆଳ ମଧ୍ୟ ରହିଲା ।
ଶ୍ରୀଦେବ ନାମକ ଜଣେ ବ୍ରାହ୍ମଣ ରାଜାଙ୍କ ପାଖରେ ସବୁଦିନେ ପୁରାଣ ପାଠ କରୁଥାଏ । ଶ୍ରୀଦେବର ଘର ଗୋଟିଏ ଦୂରବର୍ତ୍ତୀ ଗ୍ରାମରେ । ତେବେ ସେ ରାଜଧାନୀରେ ଆସି ପ୍ରାୟ ତିରିଶବର୍ଷ କାଳ ରହିଥିଲା ।
ଦିନେ ଶ୍ରୀଦେବର ଜଣେ ବାଲ୍ୟବନ୍ଧୁ ନବଘନ ଗାଁରୁ ଆସି ଶ୍ରୀଦେବକୁ ଦେଖା କଲେ । ଅନେକ ବର୍ଷ ପରେ ବାଲ୍ୟବନ୍ଧୁକୁ ଦେଖି ଶ୍ରୀଦେବ ଖୁସି ହେଲା । କିନ୍ତୁ ସେ ଯେତେବେଳେ ବନ୍ଧୁଟି ଆସିବାର କାରଣ ବୁଝିଲା, ସେତେବେଳେ ତାର ଭ୍ରୁକୁଂଚନ ହେଲା । ନବଘନ କହିଲା କି ସେ ମନ୍ତ୍ରସିଂହାସନଟି ଦେଖିବାକୁ ଆସିଛନ୍ତି ।