ଗୋଟିଏ ଗ୍ରାମରେ ମନ୍ଥରକ ନାମକ ଏକ ତନ୍ତୀ ବାସ କରୁଥାଏ । ଲୁଗା ବୁଣି ସେ ତା’ର ଗୁଜୁରାଣ ମେଂଟାଏ । ଦିନେ ଲୁଗା ବୁଣୁଥିବା ସମୟରେ ତା’ର ତନ୍ତଟି ଭାଂଗିଗଲା । ତନ୍ତ ଭାଂଗିଯିବା ପରେ ମନ୍ଥରକ କୁରାଢିଟି ନେଇ ବଣକୁ ଗଲା । ତନ୍ତ ମରାମତି କରିବା ପାଇଁ ଭଲ କାଠ ଆବଶ୍ୟକ । ଭଲ କାଠ ଗଛ ଖୋଜୁ ଖୋଜୁ ଶେଷରେ ସେ ଏକ ଶିଂଶପା ଗଛ ଦେଖି ପାରିଲା । ସେହି ଗଛଟିକୁ ହାଣିବା ଆରମ୍ଭ କଲା । କିନ୍ତୁ ସେହି ଗଛରେ ଏକ ରାକ୍ଷସ ରହୁଥାଏ । ସେ ଅଦୃଶ୍ୟରେ ମନ୍ଥରକଙ୍କୁ କହିଲା, “ମନ୍ଥରକ! ଦୟାକରି ତୁମେ ଏହି ଗଛଟାକୁ ହାଣ ନାହିଁ । ଏହି ଗଛରେ ମୁଁ ବସା କରି ରହୁଛି । ନଦୀ କୂଳର ଥଣ୍ଡାପବନ ସବୁ ସମୟରେ ମୋ ଦେହରେ ବାଜୁଛି । ମୁଁ ଏଠାରେ ପରମ ଶାନ୍ତିରେ ବାସ କରୁଛି । ମୁଁ ତୁମକୁ ଯାହା କହିବି ତୁମେ ମାନିବ ।”
ଅଦୃଶ୍ୟରୁ ଭାସି ଆସୁଥିବା ବ୍ୟକ୍ତିର କଣ୍ଠସ୍ୱର ଶୁଣି ମନ୍ଥରକ ସଂଗେ ସଂଗେ ତା’ କଥାରେ ରାଜି ହୋଇଗଲା । କିନ୍ତୁ ମନ୍ଥରକ କ’ଣ ମାଗିବେ କିଛି ଠିକ୍ କରିପାରିଲେ ନାହିଁ । ତେଣୁ ସେ ଅଦୃଶ୍ୟ ବ୍ୟକ୍ତିକୁ କହିଲେ ମୁଁ ମୋର ପତ୍ନୀ ଏବଂ ବଂଧୁ ବାଂଧବଙ୍କ ପରାମର୍ଶ ଅନୁସାରେ ତୁମକୁ ମାଗିବି । ଅଦୃଶ୍ୟ ବ୍ୟକ୍ତି ରୂପୀ ବ୍ରହ୍ମ ରାକ୍ଷସ ମନ୍ଥରକ କଥାରେ ରାଜି ହେଲେ । ମନ୍ଥରକ ସଂଗେ ସଂଗେ ଘରକୁ ଧାଇଁଲେ । ଗାଁ ମୁଣ୍ଡରେ ପହଁଚିବାକ୍ଷଣି ମନ୍ଥରକର ଭଣ୍ଡାରୀ ସହିତ ଦେଖା ହେଲା । ସେ ଶୁଣିଥିବା ସମସ୍ତ ଘଟଣା ଭଣ୍ଡାରୀ ଆଗରେ ବର୍ଣ୍ଣନା କଲା । ଭଣ୍ଡାରୀ ତାକୁ ଏକ ଉପାୟ ବତାଇଦେଲା । ଭଣ୍ଡାରୀ କହିଲା, “ମନ୍ଥରକ! ତୁମେ ଏହି ସୁଯୋଗକୁ ହାତଛଡା କର ନାହିଁ । ତୁମେ ତାଂକୁ କୁହ ଯେ ମୁଁ ରାଜା ହେବାକୁ ଚାହୁଁଛି । ଯେହେତୁ ମୁଁ ତୁମକୁ ଏହି ଉପାୟ ବତାଇ ଦେଲି ତୁମେ ରାଜା ହେବାକ୍ଷଣି ମୋତେ ତୁମର ମନ୍ତ୍ରୀ କରିଦେବ ।”