ସେ ବିଦ୍ୟାଳୟକୁ ଲାଗି ହାଇସ୍କୁଲ୍ ଏବଂ ବଟ ଗୋସାଇଁଙ୍କ ମନ୍ଦିର । ବିରାଟ ଏକ ବରଗଛ, ଓହଳ ଓରରେ ଲମ୍ବାଇ ବଢିଯାଇଛି । ଚାରିଆଡକୁ ବି ତାର ଛାୟା ବିସ୍ତାରିତ ହୋଇଅଛି । ସମସ୍ତେ ସେଠାରେ ଖରାଦିନେ ବସିବାକୁ ଖୁବ୍ ଭଲ ପାଆନ୍ତି । ସେହି ମନ୍ଦିରର ଗୋଟିଏ ପଟରେ ବରଗଛକୁ ଲାଗି ଦୁଇଟି ବଡ ଗାତ ଥାଏ । ନାଗ ଓ ନାଗୁଣୀ ଦୁଇଟି ସେଠାରେ ବାସ କରନ୍ତି । ଦେବତା ଠାକୁର ବୋଲି ସମସ୍ତେ ତାଙ୍କୁ ଦେଖି ଲମ୍ବ ହୋଇ ପ୍ରଣାମ କରନ୍ତି । କ୍ଷୀର ତାଟିଆରେ ରଖନ୍ତି ସାପ ଦୁଇଟି ସେହି କ୍ଷୀରକୁ ପିଇସାରି ଗାତ ଭିତରେ ରହନ୍ତି ।
ଦିନେ ରାତିରେ ଗୋଟିଏ ଝିଅ, ତାର ନାମ ଶାନ୍ତିପ୍ରିୟା, ସେହି ପାଟେଣୀ ଗାଁରେ ସେ ପଢୁଥାଏ । ଥରେ ସେ ସ୍ୱପ୍ନ ଦେଖିଲା ଯେ, ନାଗ ଓ ନାଗୁଣୀ ତାଙ୍କ ବିଦ୍ୟାଳୟ ଚାରିପଟେ ବୁଲୁଛନ୍ତି, କିନ୍ତୁ ସାପ ରୂପରେ ନୁହେଁ । ଅତି ସୁନ୍ଦର ରୂପଯୁକ୍ତ ଯୁବକ ଓ ଯୁବତୀ ଭାବରେ । ସେମାନଙ୍କର ମୁଣ୍ଡରେ ସାପର ଫଣା ରହିଛି । ଏଣେ ସେମାନେ ବିଦ୍ୟାଳୟ ଭିତରକୁ ଆସି ପ୍ରଧାନ ଶିକ୍ଷକ ଭ୍ରମର ବାବୁଙ୍କୁ କହୁଛନ୍ତି ତୁମେ ଜଣେ ଭଲ ମଣିଷ । ବିଦ୍ୟାଳୟକୁ ଉତ୍ତମ ଭାବରେ ପରିଚାଳନା କରୁଥିବାରୁ ତୁମକୁ ସମସ୍ତେ ଭଲ ପାଉଛନ୍ତି । ପ୍ରତି ଶନିବାର ଦିନ ପ୍ରତିଭା ପାଇଁ ଯେଉଁ କାର୍ଯ୍ୟକ୍ରମ କରୁଛ, ଆମେ ପବନ ସ୍ୱରୂପୀ ହୋଇ ସେସବୁ ଦେଖିପାରୁଛୁ । ମୋତେ ଏସବୁ ଅତି ଭଲ ଲାଗୁଛି । ଶାନ୍ତିପ୍ରିୟା ତ ଏସବୁ ସ୍ୱପ୍ନରେ ଦେଖୁଥାଏ । ହଠାତ୍ ପ୍ରଧାନଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେମାନେ କିଏ ମୁଁ ତ ଚିହ୍ନିପାରୁନି, ମୋତେ ନିଜ ନିଜର ପରିଚୟ ଦିଅନ୍ତୁ ।
ତହୁଁ ସେମାନେ କହିଲେ –
“ଆମେ ମରତର ନାଗ ଓ ନାଗୁଣୀ,
ନାଗୁଣୀ – ନାଗୁଣୀ ମୁଁ ଅଟେ ମର୍ତ୍ତ୍ୟ ପରୀରାଣୀ!
ନାଗ – ଈଶ୍ୱର ପ୍ରେରିତ ଦୂତ ମୁହିଁ ନାଗ,
ନାଗରାଜା ସିନା, ନାହିଁ ମୋର ରାଗ ।
ରହି ଆସିଲୁଣି ବହୁ ବର୍ଷ ଧରି,
ଏ ପରିବେଶକୁ ଛାଡିବୁ କିପରି ।
ଅତି ସୁନ୍ଦରିଆ ଜାଗା ଏହି ସ୍ଥାନ,
ଛାତ୍ରଛାତ୍ରୀମାନେ ଅତି ଭାଗ୍ୟବାନ ।
ଠିକ୍ ସମୟରେ ଠିକ୍ କାମ ହୁଏ,
ଆଦର୍ଶ ସ୍କୁଲ୍ ଗାଆଁ ସାରା କୁହେ ।”