ବୋଧିସତ୍ୱ ଥରେ ଗୋଟିଏ ମାଙ୍କଡ ରୂପରେ ଜନ୍ମ ହୋଇଥିଲେ । ହିମାଳୟ ପର୍ବତ ତଳେ ଘଂଚ ଜଙ୍ଗଲ ଅଛି । ସେଇ ଜଙ୍ଗଲରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ପିଲାଦିନ ଗଲା । ସେ ଯୁବକ ହେଲେ । ସେ ଭାରି ବଳୁଆ ହେଲେ । କାମିକା ମଧ୍ୟ ହେଲେ । ମାଙ୍କଡ ଦଳ ତାଙ୍କୁ ଦଳପତି ବୋଲି ମାନିନେଇଥିଲେ ।
ଗଙ୍ଗାନଦୀ କୂଳରେ ଗୋଟିଏ ବଡ ଆମ୍ବଗଛ ଥିଲା । ଗଛର ଡାଳଗୁଡିକ ବହୁଦୂର ଯାଏଁ ଲମ୍ବି ଯାଇଥିଲା । ଗଛର ପତ୍ରଗୁଡିକ ବେଶ୍ ଗହଳିଆ ହୋଇ ରହିଥିଲା । ଗହଳିଆ ପତ୍ର ଥିବାରୁ ଗଛତଳେ ବେଶ୍ ଛାଇ ହେଉଥିଲା । ମାଙ୍କଡମାନେ ସେଠାରେ ଆନନ୍ଦରେ ଆଶ୍ରା ନେଇପାରୁଥିଲେ । ଖରାର ତାତି ସେ ଜାଗାରେ ମୋଟେ ଜଣାପଡୁନଥିଲା । ଗଛର ଆମ୍ବଗୁଡିକ ଯେମିତି ବଡ ସେମିତି ସୁଆଦିଆ ଥିଲା । ସେଇ ମିଠା ଆମ୍ବ ଖାଇ ମାଙ୍କଡମାନେ ସେଠାରେ ବେଶ୍ ଖୁସିରେ ରହୁଥିଲେ ।
ଆମ୍ବଗଛର ଗୋଟିଏ ବଡ ଡାଳ ନଦୀର ମଝି ପର୍ଯ୍ୟନ୍ତ ଲମ୍ବିଯାଇଥିଲା । ତେଣୁ ସେଇ ଡାଳରେ ଫଳୁଥିବା ଆମ୍ବ ପାଚି ନଈ ଭିତରେ ଝଡିପଡୁଥିଲା । ବୋଧିସତ୍ୱ ଭାବିଲେ – ନଈ ଭିତରକୁ ଲମ୍ବିଯାଇଥିବା ଏଇ ଡାଳ ଯୋଗୁଁ ଦିନେ ମାଙ୍କଡମାନଙ୍କ ପ୍ରତି ବିପଦ ଆସିବ । ପାଚିଲା ଆମ୍ବ ନଈ ପାଣିରେ ପଡି ଭାସିଯାଇ ଦୂର ଜାଗାରେ ଲାଗିବ । ଏ ମିଠା ଆମ୍ବକୁ ଯେ ଖାଇବ, ସେ ନିଶ୍ଚୟ ଆମ୍ବଗଛ ଖୋଜିବାକୁ ଆସିବ । ଲୋକମାନେ ଏଠାକୁ ଆସିବାପରେ ଆମକୁ ଏଠାରୁ ତଡିଦେବେ ବା ମାରିପକାଇବେ । ତା’ପରେ ସବୁ ଆମ୍ବ ବୋହିନେବେ । ତେଣୁ ଆଗରୁ ଗୋଟିଏ କିଛି ବାଟ କରିବାକୁ ହବ ଯେମିତି ଆମ୍ବ ନଈରେ ପଡି ଭାସି ନଯାଏ ।