ମାଙ୍କଡ ଦଳପତି ବୋଧିସତ୍ୱ ଏପରି ଭାବି ଦଳର ମାଙ୍କଡମାନଙ୍କୁ ଡାକି କହିଲେ – “ଦେଖ, ଆମ୍ବଗଛର ଗୋଟିଏ ବଡ ଡାଳ ନଈ ଭିତରକୁ ଓହଳି ରହିଚି । ସେଇ ଡାଳରେ କଷି ହେବା ମାତ୍ରେ ତୁମେମାନେ ସବୁ ଆମ୍ବକଷି ଖାଇଦେବ । ପାଚିବାକୁ ଗୋଟିଏ ହେଲେ ବି ଯେମିତି ରଖିବନି । ପାଚିବା ଯାଏଁ ଆମ୍ବ ରହିଲେ ଆମେ ବଡ ବିପଦରେ ପଡିବା ।”
ମାଙ୍କଡମାନେ ଦଳପତିଙ୍କ କଥା ମାନିନେଲେ । ସେ ଡାଳରେ ଆମ୍ବ କଷି ହେବା ମାତ୍ରେ ସବୁ ଖାଇଦେଲେ । ସେମାନେ ଡାଳସାରା ଟିକିନିଖିକରି ଖୋଜି ଆମ୍ବକଷିଗୁଡିକ ଖାଇଯାଉଥିଲେ । ଥରେ କ’ଣ ହେଲା ନା, ଗୋଟିଏ ଆମ୍ବକଷି ପତ୍ରଗହଳରେ ଲୁଚି ରହିଗଲା । କାଇପୁଡିଆଟିଏ ତାକୁ ଘୋଡାଇ ପକାଇଥିଲା । ତେଣୁ ମାଙ୍କଡମାନେ ସେ ଆମ୍ବକଷିକୁ ଦେଖିପାରିନଥିଲେ । ସେଇ ଆମ୍ବକଷିଟି ବଢି ଗୋଟିଏ ବଡ ଆମ୍ବ ହେଲା । ତା’ପରେ ଆମ୍ବଟି ପାଚି ନଈ ପାଣିରେ ଖସି ପଡିଲା । ପାଚିଲା ଆମ୍ବଟି ନଈସୁଅରେ ଭାସିଯାଇ ବାରାଣସୀର ଗାଧୁଆ ଘାଟରେ ଲାଗିଲା । ସେତେବେଳକୁ ବାରାଣସୀ ରାଜା ଘାଟରେ ଗାଧୋଉ-ଥିଲେ । ତାଙ୍କର ଜଣେ ଅନୁଚର ଆମ୍ବଟିକୁ ପାଣିରୁ ନେଇ ରାଜାଙ୍କୁ ଦେଲା । ରାଜା ପଚାରିଲେ – “ଏଇଟା କି ଫଳ? ଆମ୍ବ ଭଳି ଦିଶୁଚି, କିନ୍ତୁ ଆମ୍ବଠାରୁ ଢେର ବଡ । ମୁଁ ଭାବୁଚି ଏଇଟା ଆମ୍ବ ନହୋଇ ଆଉ କ’ଣ ହୋଇଥିବ ।”
ଅନୁଚରମାନେ କହିଲେ – “ମଣିମା ! ଏପରି ଫଳ ଆମେ ବି ଆଗରୁ କେବେ ଦେଖିନାହୁଁ । ଶବରମାନଙ୍କୁ ପଚାରିଲେ ଜଣାଯିବ ।”