ରାଜା ଶବରମାନଙ୍କୁ ଡକାଇ ଆଣି ଫଳଟି ଦେଖାଇଲେ । ଶବରମାନେ ଦେଖି କହିଲେ – “ମଣିମା ! ଏଇଟା ଗୋଟାଏ ପାଚିଲା ଆମ୍ବ ।” ଫଳଟା କଟାଗଲା । ରାଜା ଶବରମାନଙ୍କୁ ସେଥିରୁ ଖଣ୍ଡେ ଖଣ୍ଡେ ଦେଲେ । ସେମାନେ ଚାଖିକରି କହିଲେ – “ମଣିମା, ଏ ଆମ୍ବ ଭାରି ମିଠା । ଏହାର ବାସନା ବି ଭାରି ବଢିଆ । ଏହା ସାଧାରଣ ଆମ୍ବ ନୁହେଁ ।”
ତାପରେ ସେ ଆମ୍ବରୁ ଖଣ୍ଡେ ଖଣ୍ଡେ ରାଜାଙ୍କର ଲୋକମାନେ ଚାଖିଲେ । ସେମାନେ କହିଲେ ଯେ ଶବରମାନଙ୍କ କଥା ଠିକ୍ । ଶେଷରେ ରାଜା ନିଜେ ଖଣ୍ଡେ ଆମ୍ବ ଖାଇଲେ । ଆମ୍ବର ମିଠା ଓ ବାସନା ଦେଖି ସେ ଖୁସି ହୋଇଗଲେ । ରାଜା କହିଲେ – “ଏ ବିଚିତ୍ର ଆମ୍ବ କେଉଁଠି କେଉଁ ଗଛରେ ଫଳୁଚି ତାହା ଜାଣିବା ଦରକାର ।”
ରାଜା ହୁକୁମ୍ ଦେଲେ । କେତେ ଖଣ୍ଡ ନୌକା ଯୋଗାଡ କରାଗଲା । ସେଥିରେ ରାଜା, ତାଙ୍କ ପାଖ ଲୋକେ ଓ ସିପାହୀମାନେ ବସିଲେ । ଆମ୍ବଟି ଯେଉଁଆଡୁ ଭାସିଆସିଥିଲା, ସେଇ ଆଡକୁ ନୌକାମାନ ଚାଲିଲା । ବହୁତ ଦିନ ବିତିଗଲା । ତା’ପରେ ସେ ଆମ୍ବଗଛ ନଜରରେ ପଡିଲା । ସମସ୍ତେ ନୌକାରୁ ଓହ୍ଲାଇଲେ । ସିପାହୀମାନେ ଗଛରୁ ପାଚିଲା ଆମ୍ବ ତୋଳି ଆଣିଲେ । ସମସ୍ତେ ଆମ୍ବ ଖାଇ ବହୁତ ଖୁସିହେଲେ । ଖାଇସାରି ସବୁ ଲୋକ ଶୋଇପଡିଲେ ।
ବୋଧିସତ୍ୱ ଓ ତାଙ୍କର ଦଳ ତ ବଣରେ ବୁଲିବାକୁ ଯାଇଥିଲେ । ରାତି ହେବାରୁ ସେମାନେ ତାଙ୍କର ବାସସ୍ଥାନ ଆମ୍ବଗଛ ପାଖକୁ ଫେରିଆସିଲେ । ସେମାନେ ଦେଖିଲେ ଯେ, ଅନେକ ଲୋକ ଗଛ ତଳେ ଶୋଇଛନ୍ତି । ମାଙ୍କଡମାନେ ଗଛରେ ଚଢି ଆମ୍ବ ଖାଇଲେ । ମାଙ୍କଡମାନଙ୍କର ଡାଳକୁ ଡାଳ ଡେଇଁବା ଶବ୍ଦରେ ରାଜାଙ୍କ ନିଦ ଭାଙ୍ଗିଗଲା । ରାଜା ସିପାହୀମାନଙ୍କୁ କହିଲେ – “ଯାଅ, ଧନୁଶରରେ ମାଙ୍କଡଗୁଡାଙ୍କୁ ମାରିପକାଅ ।”