ସିପାହୀମାନେ ଧନୁଶର ଧରି ଗଛଟିକୁ ଘେରିଗଲେ । ମାଙ୍କଡମାନେ ଏହା ଦେଖି ଡରିଗଲେ । ସେମାନେ ବୋଧିସତ୍ୱଙ୍କୁ କହିଲେ – “ରାଜାଙ୍କ ସିପାହୀମାନେ ଧନୁଶର ଧରି ଆମକୁ ଘେରି ଗଲେଣି । ସେମାନେ ଆମକୁ ମାରିପକାଇବେ । ଆମେ କିପରି ପ୍ରାଣ ବଂଚାଇବା କହନ୍ତୁ ।”
ଏହା ଶୁଣି ବୋଧିସତ୍ୱ କହିଲେ – “ବିପଦବେଳେ ଡରିଯିବା ଉଚିତ୍ ନୁହେଁ । ତୁମେମାନେ ଧୈର୍ଯ୍ୟଧର, ମୁଁ ପ୍ରାଣରକ୍ଷାପାଇଁ କିଛି ଉପାୟ କରିବି ।”
ଏପରି କହି ବୋଧିସତ୍ୱ ନଈଭିତରକୁ ଲମ୍ବିଯାଇଥିବା ଡାଳର ଶେଷ ପର୍ଯ୍ୟନ୍ତ ଚାଲିଗଲେ । ସେଠାରୁ ସେ ନଈର ଆରକୂଳକୁ ଡେଇଁପଡିଲେ । ସେ ଜାଗାରୁ ଡାଳର ଶେଷଭାଗ କେତେ ଲମ୍ବ ହେବ ସେ କଳନା କଲେ । ବୋଧିସତ୍ୱ ସେଇ ଲମ୍ବର ବେତ ଖଣ୍ଡେ ଛିଣ୍ଡାଇ ଆଣିଲେ । ବେତର ଗୋଟିଏ ମୁଣ୍ଡକୁ କୂଳରେ ଥିବା ଗୋଟିଏ ଗଛର ଡାଳରେ ବାନ୍ଧିଦେଲେ । ତା’ର ଆର ମୁଣ୍ଡଟି ନିଜ ଅଂଟାରେ ବାନ୍ଧିଲେ । ମାତ୍ର ତାଙ୍କର ହିସାବରେ ଟିକିଏ ଭୁଲ୍ ହୋଇଥିଲା । ସେ ସିନା ଗଛ ଡାଳର ଅଗ ଯାଏଁ କେତେ ଲମ୍ବ ହେବ ତା’ କଳନା କରିଥିଲେ, କିନ୍ତୁ ନିଜ ଅଂଟାରେ ବାନ୍ଧିବାକୁ କେତେ ଲମ୍ବର ବେତ ଲାଗିବ ତାହା ହିସାବକୁ ନେଇନଥିଲେ ।
ବୋଧିସତ୍ୱ ତା’ପରେ ଏକ ଡିଆଁ ମାରିଲେ । ସେଇ ଏକା ଡିଆଁରେ ଯାଇ ଡାଳର ଅଗକୁ ଧରିପକାଇଲେ । କିନ୍ତୁ ବେତର ଲମ୍ବ ଅଭାବରୁ ସେ ଡାଳ ଉପରକୁ ଯାଇପାରିଲେନାହିଁ । ସେଥିପାଇଁ ଆଉ ଟିକିଏ ଲମ୍ବ ବେତ ଦରକାର ଥିଲା । ତେଣୁ ବୋଧିସତ୍ୱ ଡାଳର ଅଗକୁ ଧରି ଶୂନ୍ୟରେ ଝୁଲି ରହିଗଲେ ।