ଦେବପୁରରେ ବୀରଦାସ ନାମକ ଜଣେ ସେଠ୍ ଥିଲେ । ତାଙ୍କର ମହାଜନୀ କାରବାର ଥିଲା । ଗ୍ରାମର ଅଧିକାଂଶ ଲୋକ ସେମାନଙ୍କର ଆବଶ୍ୟକ ସମୟରେ ତାଙ୍କଠାରୁ ଟଙ୍କା କରଜ ନେଉଥିଲେ ଓ ସୁଧ ସହ ଠିକ୍ ସମୟରେ ଫେରାଇ ଦେଉଥିଲେ । ପୁଣି କେହି କେହି ବା ଅଳ୍ପ ଅଳ୍ପ କରି ଶୁଝୁଥିଲେ ।
ପାଖ ଗ୍ରାମ ଧରମପୁରରେ ଯଶପାଳ ନାମକ ଜଣେ ଧନୀ ବ୍ୟକ୍ତି ଥା’ନ୍ତି । ତାଙ୍କର ବାପା ଜେଜେବାପା ବହୁ ସମ୍ପତ୍ତି ତାଙ୍କ ପାଇଁ ରଖି ଯାଇଥିଲେ ମଧ୍ୟ ଟଙ୍କା ବଢାଇବା ପାଇଁ ସେ ମହାଜନୀ କାରବାର କରୁଥା’ନ୍ତି । କିନ୍ତୁ ସେ କରଜ ନେଇଥିବା ବ୍ୟକ୍ତି ଉପରେ ଏତେ ସୁଧ ବସାନ୍ତି ଯେ ସେମାନେ ସୁଧ ଓ ମୂଳ ଟଙ୍କା ଦେବାରେ ବହୁତ ବିଳମ୍ବ କରନ୍ତି । ଏପରିକି ବେଳେ ବେଳେ ଯଶପାଳ ତାଙ୍କ ଦେହରକ୍ଷୀମାନଙ୍କୁ ପଠାଇ ମାରଧର କରି ଟଙ୍କା ଆଦାୟ କରନ୍ତି । ଅଚିରେ ସେ ଜଣେ ଅତ୍ୟାଚାରୀ ଜମିଦାର ବୋଲି ଖ୍ୟାତ ହେଲେ । ତା’ ଛଡା ଟଙ୍କା ପାଇଁ ଏସବୁ କରି କରି ସେ ନିଜର ମାନସିକ ଶାନ୍ତି ହରାଇ ବସିଲେ । ସେ ବୀରଦାସଙ୍କ ବିଷୟରେ ଆଗରୁ ବହୁତ କିଛି ଶୁଣିଥିଲେ । ଦିନେ ସେ ଦେବପୁର ଯାଇ ବୀରଦାସଙ୍କ ସହିତ ଦେଖା କଲେ । ଅଳ୍ପ ସମୟ କଥାବାର୍ତ୍ତା ପରେ ସେ ବୀରଦାସଙ୍କୁ ପଚାରିଲେ, “ଭାଇ, କୁହନ୍ତୁ ତ ଆପଣ କି ଉପାୟରେ ଲୋକଙ୍କଠାରୁ ସୁଧ ଓ ମୂଳ ଆଦାୟ କରନ୍ତି?”
ବୀରଦାସ ସହଜଭାବରେ କହିଲେ, “ମୋର ଟଙ୍କା ଆଦାୟ କରିବାର ଉପାୟ ବିଷୟରେ ପ୍ରଶ୍ନ ଉଠେ ନାହିଁ । ସେମାନେ ନିଜେ ନିଜେ ଆସି ଟଙ୍କା ଦେଇଯା’ନ୍ତି ।”
ଯଶପାଳ ପଚାରିଲେ “କିନ୍ତୁ କେହି କେହି ଲୋକ ଯଦି ବଦମାସି କରେ, ଆପଣ ସେ କ୍ଷେତ୍ରରେ କ’ଣ କରନ୍ତି?”
ବୀରଦାସ କହିଲେ “ଯେତେ ଦୁଷ୍ଟ ଲୋକ ହେଲେ ମଧ୍ୟ ମୁଁ ତା’ ଠାରୁ କୌଶଳରେ ଟଙ୍କା ଆଦାୟ କରି ନେବି ।”
କିଛି ସମୟ ଚିନ୍ତା କରିବା ପରେ ଯଶପାଳ କହିଲେ, “ଠିକ୍ ଅଛି । ଆଜି ମୁଁ ଆପଣଙ୍କଠାରୁ ଦୁଇଶ ଟଙ୍କା କରଜ ନେଉଛି । ଆପଣ ଯଦି ମୋଠାରୁ ସୁଧ ଓ ମୂଳ ଛ ମାସ ମଧ୍ୟରେ ଆଦାୟ କରି ଦେଖାଇ ଦେବେ, ତେବେ ମୁଁ ଏ ହଜାର ଟଙ୍କାର ବାଜି ରଖୁଛି । ଆପଣ ଜିତିଲେ ପାଇବେ ନହେଲେ ଦେବେ; କ’ଣ କହୁଛ ମୋ ପ୍ରସ୍ତାବରେ ଆପଣ ରାଜି ତ?”
ଏପରି କଥା ଶୁଣି ବୀରଦାସ ଅଳ୍ପ ହସି କହିଲେ, “ତାହେଲେ ଠିକ୍ ଅଛି । ତେବେ ଏଥିରେ ମୋର ଗୋଟିଏ ନିୟମ ଅଛି । ମୋ ନିଜ ଗ୍ରାମ ବ୍ୟତୀତ ଅନ୍ୟ ଯେ କୌଣସି ଗ୍ରାମର ଲୋକ ଟଙ୍କା କରଜ ନେଲେ ସେମାନେ କିଛି ବନ୍ଧା ରଖି ଟଙ୍କା ନିଅନ୍ତି । ତେଣୁ ଏ କ୍ଷେତ୍ରରେ ମୁଁ ଆଉ କ’ଣ ମୋ ନିୟମ ଭାଙ୍ଗିବି?”