“ଆଚ୍ଛା । କିନ୍ତୁ ମୋଠାରୁ କରଜ ଟଙ୍କା ଆଦାୟ କରିବା ପରେ ଆପଣ ମୋର ସେହି ବନ୍ଧକ ଜିନିଷଟିକୁ ମୋତେ ଫେରସ୍ତ ଦେବେ ।” ଏହିକଥା କହି ଯଶପାଳ ତାଙ୍କୁ ଗୋଟିଏ ଖଡୁ ଦେଇ କହିଲେ, “ଛ ମାସ ମଧ୍ୟରେ ମୋଠାରୁ ଟଙ୍କା ଆଦାୟ କରିବେ । ଆଉ ଟଙ୍କା ନ ଆଣି ଖଡୁ ବିକି ଟଙ୍କା ପାଇଲେ ବୋଲି ଯଦି କହିବେ ତେବେ ସେପରି ଆଦୌ ହେବ ନାହିଁ । ମୋର ସର୍ତ୍ତ ମନେ ରଖିବେ ।”
ଯଶପାଳ ଖଡୁଟି ବନ୍ଧା ଦେଇ ଦୁଇଶ ଟଙ୍କା ନେଇ ଚାଲିଗଲେ । ତା’ପରେ ସେ ଛ ମାସ ପର୍ଯ୍ୟନ୍ତ ଖୁବ୍ ସାବଧାନ୍ ହୋଇଥାନ୍ତି ।
ଛ ମାସ ପରେ । ବୀରଦାସ ଯଶପାଳଙ୍କୁ କରଜ ଶୁଝିବା ପାଇଁ କେବେ କିଛି ମଧ୍ୟ କହିଲେ ନାହିଁ । ଦିନେ ଯଶପାଳ ଖୁସିରେ ବୀରଦାସଙ୍କ ପାଖକୁ ଏହା କହିବାକୁ ଗଲେ ଯେ, ବାଜିରେ ସେ ଜିତି ଯାଇଛନ୍ତି ।
ଯଶପାଳଙ୍କୁ ଦେଖିବା ମାତ୍ରେ ବୀରଦାସ ଖୁବ୍ ଉତ୍ସାହଭରେ ହସି ହସି ପଚାରିଲେ, “କ’ଣ ହଜାର ଟଙ୍କା ସାଙ୍ଗରେ ଧରି ଆସିଛ ତ?”
ଯଶପାଳ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଟଙ୍କା? ମୁଁ କାହିଁକି ଦେବି? ଆପଣ ତ ହାରି ଯାଇଛନ୍ତି । କାହିଁକିନା ଆପଣ ତ ମୋଠାରୁ କରଜ ଟଙ୍କା ଆଦାୟ କରିପାରି ନାହାଁନ୍ତି । ଏଣେ ଛମାସ ସମୟ ପୁରି ଯାଇଛି । ଅର୍ଥାତ୍ ମୁଁ ତ ଏ ବାଜି ଜିତିଲି ।”
ଏକଥା ଶୁଣି ବୀରଦାସ ହସି ହସି କହିଲେ, “ଯଶପାଳ ଭାଇ, ଆପଣଙ୍କୁ ଦେଇଥିବା କରଜ ତ ମୁଁ କେବେଠାରୁ ଆଦାୟ କରି ସାରିଛି ।”
ତାଙ୍କ କଥା ଶୁଣି ଯଶପାଳ କହିଲା “ମିଛକଥା । କେବେ ଆଉ କିପରି ଆପଣ ତାହା କଲେ? ଖାଲି କହିଦେଲେ କ’ଣ ହୋଇଗଲା? କ’ଣ ଏହାର କିଛି ପ୍ରମାଣ ରଖିଛନ୍ତି? ବାଜିରେ ହାରି ଯାଇଥିବାରୁ ଆପଣ ଏପରି ମିଛ କଥା କହୁଛନ୍ତି ।”
“ମିଛ କହିବାର କୌଣସି ଆବଶ୍ୟକତା ନାହିଁ ବା ମୋର ସେପରି କିଛି ଅଭ୍ୟାସ ନାହିଁ ।” ଏକଥା କହି ବୀରଦାସ ଗୋବିନ୍ଦକୁ ଡାକିଲେ ଓ ଯଶପାଳଙ୍କୁ ପଚାରିଲେ, “କ’ଣ ଆପଣ ଏହାକୁ ଚିହ୍ନନ୍ତି ।”
ଗୋବିନ୍ଦ ନାମକ ସେହି ଚାକରକୁ ଦେଖି ଯଶପାଳ ସବୁକଥା ଅଳ୍ପ ବହୁତ ବୁଝିଗଲେ । କଥା କ’ଣ କି ଚାରିମାସ ଆଗରୁ ଦିନେ ବର୍ଷା ରାତିରେ ଏଇ ଲୋକ ଆସି ପହଁଚିଲା ଓ ବଡ ବିକଳ ହୋଇ କହିଲା, “ବାବୁ, ଆପଣ ମୋତେ ବଂଚାନ୍ତୁ, ମୋ ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଖୁବ୍ ସାଂଘାତିକ, ତାକୁ ସହରକୁ ନେଇଯିବାକୁ ହେବ, ଏଣୁ ମୋତେ ଦୟାକରି ଦୁଇଶ ଟଙ୍କା ଧାର୍ ଦିଅନ୍ତୁ ।”
ଯଶପାଳ କହିଲେ, “ବାଃ, ନଜାଣି ନଶୁଣି ମୁଁ ତୁମକୁ କିପରି ଦୁଇଶ ଟଙ୍କା ଦେଇଦେବି? କ’ଣ ତୁ ତୋ ସାଥିରେ କିଛି ବନ୍ଧକ ଆଣିଛୁ?”
“ବାବୁ ମୁଁ ତ ମୋ ସାଥିରେ ବନ୍ଧକ ନେଇକରିହିଁ ଆସିଛି ।” ଏଭଳି କଥା କହି ସେ ଲୋକଟି ତା’ ଲୁଗା ଭିତରୁ କେତୋଟି ଚୁଡି ବାହାର କରି ଦେଲା ।
ସୁନା ଚୁଡି ଦେଖି ଯଶପାଳ ଅତ୍ୟନ୍ତ ଖୁସି ହୋଇ ତାକୁ ଟଙ୍କା ଦେଲେ ଓ ସେ ଲୋକର ଟିପଚିହ୍ନ କାଗଜରେ ରଖିଲେ । ଏଇ ଭାବରେ ବୀରଦାସ ନିଜ ଚାକର ଦ୍ୱାରା ଯଶପାଳଙ୍କ ପାଖରୁ କରଜ ଟଙ୍କା ଆଦାୟ କରି ସାରିଥିଲେ ।
ଯଶପାଳ ଉତ୍ତେଜିତ ହୋଇ କହିଲେ, “ଇଏ ତ ଠକାମୀ ହେଲା । ମୋର ସର୍ତ୍ତ ଥିଲା ଯେ ମୋର ବନ୍ଧକ ରଖିଥିବା ସୁନା ଖଡୁ ମୋ ଠାରୁ ଟଙ୍କା ନେବା ଆଗରୁ ଫେରାଇ ଦେବେ । ସେ ସର୍ତ୍ତ ଆପଣ କିପରି ଭୁଲିଗଲେ?”
ବୀରଦାସ କହିଲେ “ଆରେ ଭାଇ, ଏଥିରେ ଠକାମୀ ଫକାମୀ କିଛି ନାହିଁ । ସେଦିନ ଗୋବିନ୍ଦ ଯେଉଁ ସୁନାଚୁଡି ଆପଣଙ୍କ ପାଖରେ ବନ୍ଧକ ରଖିଥିଲା ତାହାହିଁ ତ ଆପଣଙ୍କର । କେବଳ ପାର୍ଥକ୍ୟ ହେଉଛି ଏତିକି ଯେ ଆପଣଙ୍କ ସୁନା ଖଡୁକୁ ମୁଁ ବଣିଆକୁ ଦେଇ ସେଥିରେ ଚୁଡି ବନାଇ ଦେଇଛି । ଆପଣ ଚାହିଁଲେ ଓଜନ କରି ଦେଖି ପାରନ୍ତି । ଏକା ଓଜନ ।”
ଯଶପାଳ ଏତେ ସହଜରେ ହାରି ଯାଇ ହଜାରେ ଟଙ୍କା ଦେବାକୁ ରାଜି ନଥିଲେ । ତେଣୁ ସେ କିଛି ସମୟ ଭାବିଚିନ୍ତି କହିଲେ, “ମୁଁ ତୁମକୁ ସର୍ତ୍ତର ହଜାରେ ଟଙ୍କା ଦେବି ନାହିଁ । ମୁଁ ମଧ୍ୟ ଦେଖିବାକୁ ଚାହେଁ ଏଇ ସର୍ତ୍ତ ଟଙ୍କା ଆପଣ କିପରି ମୋଠାରୁ ଆଦାୟ କରିବେ ।”
ବୀରଦାସ ହସି ହସି କହିଲେ, “ପ୍ରଥମରୁହିଁ ମୋର ଏହି ବିଷୟରେ ସନ୍ଦେହ ଥିଲା ଯେ ଆପଣ ମୋତେ ଏପରି ଠକିବେ । ପ୍ରାୟ ଦୁଇ ହଜାର ଟଙ୍କାର ଆପଣଙ୍କ ସୁନାଖଡୁ ଏବେ ମଧ୍ୟ ମୋ ପାଖରେ ଅଛି । ଗୋବିନ୍ଦ ଯେଉଁ ସୁନାଚୁଡି ଆପଣଙ୍କୁ ଦେଇଛି ତାହା ସମ୍ପୂର୍ଣ୍ଣ ସୁନା ନୁହେଁ । ତମ୍ବା ଉପରେ ସୁନା କଲେଇ କରି ଦିଆଯାଇଛି । ତେଣୁ ଆପଣ ସର୍ତ୍ତ ବାବଦ ହଜାରେ ଟଙ୍କା ଓ ନକଲି ଚୁଡି ମୋତେ ଦେଇ ଆପଣ ଆପଣଙ୍କ ସୁନା ଖଡୁ ନେଇଯାଇ ପାରନ୍ତି ।” ଏକଥା କହି ବୀରଦାସ ଗୋବିନ୍ଦକୁ ସେ ସୁନା ଖଡୁ ଆଣିବାକୁ କହିଲେ ।