ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।”
ବୁଢୀ ପଚାରିଲା “ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?”
ତା’ପରେ ସେ ସିପାହୀ କହିଲା “ମାଉସୀ, ମୁଁ ଅନ୍ୟ ଲୋକରୁ ଆସିଛି ।” ବୁଢୀ ପଚାରିଲା “ସତେ? ମୋର ବି ପୁଅଟିଏ ଅନ୍ୟ ଲୋକକୁ ଚାଲିଯାଇଛି । ତୁ ତାକୁ କେବେ ସେଠାରେ ଦେଖିଛୁ କି?”
ସିପାହୀ କହିଲା “ହଁ, ହଁ, ଦେଖିଛି । ମୁଁ ଓ ସେ ତ ଗୋଟିଏ ବଖରାରେ ରହୁ ।”
ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ସତେ?”
ସିପାହୀ କହିଲା “ତୁମ ପୁଅ ସେଠାରେ ବଗ ଚରାଇବାର କାମ କରୁଛି ।”
ବୁଢୀ କହିଲା “ଓଃ, ବିଚରାକୁ କେତେ କଷ୍ଟ ନ ହେଉଥିବ ଟି?” ସିପାହୀ କହିଲା “ମାଉସୀ ସେମାନଙ୍କୁ ଏକାଠି ଅଡେଇବା ପାଇଁ କଂଟାଝାଡରେ ପଶି ଲୁଗା ଏବଂ ଦେହ ଛିଡିଯାଏ ।”
ବୁଢୀ ପଚାରିଲା “ଓହୋ, ତେବେ ତ ତା’ର ସମୁଦାୟ ପୋଷାକପତ୍ର ଫାଟିଯିବଣି ।” ସିପାହୀ କହିଲା “ହଁ ମାଉସୀ, ତାଙ୍କର ସମସ୍ତ ପୋଷାକ ନଷ୍ଟ ହୋଇ ଗଲାଣି ।” ବୁଢୀ କହିଲା ତେବେ ମୋ ପାଖରେ ଖଣ୍ଡେ ଚାଳିଶ ଗଜ ଲମ୍ବର ନୂଆ କପଡା ଅଛି । କିଛି ପଇସା ମଧ୍ୟ ଅଛି । ଏସବୁ ମୋ ପୁଅକୁ ଦେଇଦେବ ନା?
ସିପାହୀ କହିଲା “ନିଶ୍ଚୟ ଦେଇ ଦେବି ମାଉସୀ । ମୁଁ କ’ଣ ଏତେ ଟିକିଏ କାମ କରିପାରିବି ନାହିଁ?”
ସେଦିନ ରାତିରେ ସେ ବୁଢୀ ଘରେ ଆରାମରେ ଶୋଇଲା ରାତି ପାହିବାରୁ ଲୁଗା ଜିନିଷପତ୍ର ଧରି ଅତି ଆନନ୍ଦରେ ସେ ତା’ ନିଜ ରାସ୍ତା ଧରିଲା ।