ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହା ଠକ

                ଏହି ଘଟଣାର କିଛି ଦିନ ପରେ ବୁଢୀର ଦ୍ୱିତୀୟ ପୁତ୍ର ଲେଉଟି ଆସିଲା । ବୁଢୀ କହିଲା, “ପୁଅ, ତୁ ଯେତେବେଳେ ବିଦେଶରେ ଥିଲୁ, ସେତେବେଳେ ଜଣେ ସିପାହୀ ପର ଲୋକରୁ ଆସିଥିଲା ଓ ତୋ ବଡ ଭାଇ ବିଷୟରେ ସେ ଅନେକ ଖବର ଦେଲା । ତା’ ହାତରେ ମୁଁ ତୋ ବଡଭାଇ ପାଇଁ ଲୁଗା ଓ କିଛି ପଇସା ପଠାଇଛି ।”

                “ମା ତମେ ବଡ ମହାନ୍ କାମ କରିଛ । ସେ ତୁମକୁ ଭଲ ଭାବରେ ଠକି ନେଲା । ତୁମ ପରି ଭୋଳା ମଣିଷ କେତେଜଣ ଆହୁରି ଅଛନ୍ତି ମୁଁ ଦେଖି ସାରି ଫେରିବି ।” ଏତିକି କହି ସେଠାରୁ ସେ ତୁରନ୍ତ ଚାଲିଗଲା ।

                ବୁଢୀର ପୁଅ ମିଖାଇଲ୍ ଜଙ୍ଗଲପାର ହୋଇ ଏକ ପଶୁପାଳନ କେନ୍ଦ୍ରରେ ପହଁଚିଲା ସେଠାରେ ଗୋଟିଏ ଘୁଷୁରୀ ତା ଛୁଆମାନଙ୍କ ସହିତ କିଛି ଖାଉଥିଲା । ମିଖାଇଲ୍ ଆଣ୍ଠୁମାଡି ତାକୁ ପ୍ରଣାମ କଲା । ଜମିଦାରର ସ୍ତ୍ରୀ ଏସବୁ ଦୂରରୁ ଦେଖୁଥିଲେ । ସେ ତାଙ୍କ ପରିଚାରିକାକୁ କହିଲେ, “ଯାଇ ଦେଖତ, ସେ ଲୋକ ଘୁଷୁରୀକୁ କ’ଣ କହୁଥିଲା ।”

ପରିଚାରିକା ମିଖାଇଲ୍ ପାଖକୁ ଯାଇ ତାକୁ କହିଲା, “ତୁମେ ଆମ ଘୁଷୁରୀକୁ ନମସ୍କାର କାହିଁକି କଲ?” ମିଖାଇଲ୍ କହିଲା, “କୃପାମୟୀ, ଏହି ଘୁଷୁରୀ ମୋ ସ୍ତ୍ରୀର ଦୂର ସମ୍ପର୍କରେ ବନ୍ଧୁବାନ୍ଧବ ହେବ । କାଲି ମୋଝିଅର ବାହାଘର ହେବ । ମୁଁ ୟାଙ୍କୁ ଓ ତା’ଙ୍କ ପିଲାଙ୍କୁ ନେବାକୁ ଆସିଛି । ତୁମ ମାଲିକାଣୀଙ୍କୁ କୁହ ସେ ଆଜ୍ଞା ଦେଲେ ମୁଁ ସେମାନଙ୍କୁ ନେବି ।”

ପରିଚାରିକା ମାଲିକାଣୀଙ୍କୁ ଏସବୁ କଥା ଯାଇ କହିବାରୁ, ସେ ହସି ହସି କହିଲେ, ଏହି ଘୁଷୁରୀ ଓ ତା’ର ଛୁଆକୁ ବିବାହକୁ ନିମନ୍ତ୍ରଣ କରିବାକୁ ସେ ଆସିଛି? ଠିକ୍ ଅଛି । ନିଜେ ବୋକା ବନିବ । ତୁ ଯାଇ ଘୁଷୁରୀକୁ ଚେନ୍ ପିନ୍ଧାଇ ଦେ; ତାକୁ ଓ ତା ଛୁଆଙ୍କୁ ଭଲ କରି ବେଶ କରି ଗାଡିରେ ବସାଇ ପଠାଇ ଦେ ।”

ଘୁଷୁରୀକୁ ଓ ତା ଛୁଆମାନଙ୍କୁ ପୋଷାକ ପିନ୍ଧାଇ ଘୋଡା ଗାଡିରେ ବସାଗଲା ଓ ଲଗାମ ମିଖାଇଲ୍କୁ ଦିଆଗଲା । ମିଖାଇଲ୍ ଗାଡିରେ ବସାଇ ସେମାନଙ୍କୁ ନେବାବେଳେ ଛାତ ଉପରୁ ମାଲିକାଣୀ ଦେଖି ହସୁଥାନ୍ତି ।

ଜମିଦାର ସେତେବେଳେ ଶିକାର କରିବାକୁ ଯାଇଥିଲେ । ସେ ଫେରିବା ପରେ ତାଙ୍କ ସ୍ତ୍ରୀ ସମଗ୍ର ଘଟଣା କହି ହସି ହସି ଗଡିଗଲେ । ତା’ପରେ ସେ କହିଲେ, “ତମେ ବି ସେଠାରେ ଥିଲେ ଆହୁରି ଖୁସି ହୋଇଥାନ୍ତ ।”

ଜମିଦାର ପଚାରିଲେ “ଆଚ୍ଛା ସେ ଯୁବକ କେଉଁଠି ରହୁଛି?”

ତାଙ୍କ ସ୍ତ୍ରୀ କହିଲେ “ମୁଁ କ’ଣ ଜାଣେ?”  ସ୍ତ୍ରୀଙ୍କର ଏପ୍ରକାର ଉତ୍ତର ଶୁଣି ଜମିଦାର ଭୀଷଣ ରାଗିଯାଇ କହିଲେ, “ତୁମକୁ ତ ସେ ଠକି ଦେଇ ଗଲା ।” ଏତିକି କହି ସେ ଘୋଡା ଚଢି ତାକୁ ଖୋଜିବାକୁ ଗଲେ ।

ଦୂରରୁ ଘୋଡା ଟାପୁର ଶବ୍ଦ ଶୁଣି ମିଖାଇଲ୍ ଘୋଡା ଗାଡି ଓ ଘୁଷୁରୀ ମାନଙ୍କୁ ଲୁଚାଇ ଦେଲା । ନିଜେ ଜଙ୍ଗଲ ବାହାରେ ଥିବା ରାସ୍ତା କଡରେ ବସି ନିଜ ଟୋପିଟିକୁ ଲେଉଟାଇ ରଖିଦେଲା । କିଛି ସମୟ ଭିତରେ ସେ ଜମିଦାର ସେଠାରେ ପହଁଚିଲେ ଓ ମିଖାଇଲ୍କୁ ପଚାରିଲେ, “ଏ ବାଟରେ ଗୋଟାଏ ଘୋଡାଗାଡି ଘୁଷୁରୀ ମାନଙ୍କୁ ବସାଇ ଯାଉଥିବାର ତୁମେ ଦେଖିଛ କି?”

ମିଖାଇଲ୍ କହିଲା “ହଁ ହଜୁର ଦେଖିଥିଲି । କିନ୍ତୁ ସେମାନେ ଏଠାରୁ ଯିବାର ତ ବହୁତ ସମୟ ହୋଇଗଲାଣି । ଇତିମଧ୍ୟରେ ତ ସେମାନେ ବହୁତ ଦୂରକୁ ଚାଲି ଯିବେଣି ।”

ଜମିଦାର ତାକୁ କହିଲେ ଯେ ସେ ତାଙ୍କୁ ଘୁଷୁରୀ ଚୋରକୁ ଧରିବା ପାଇଁ ସାହାଯ୍ୟ କରି ପାରେ କି? ତହୁଁ ମିଖାଇଲ୍ କହିଲା, “କାହିଁକି କରିବି ନାହିଁ? ଯଦି ଆପଣଙ୍କୁ କୌଣସି ପାଖ ରାସ୍ତା ଜଣାଥାଏ ତେବେ କୁହନ୍ତୁ ତେବେ ଯାଇ ଆମେ ତାକୁ ଧରି ପାରିବା । ମୁଁ ଗୋଟାଏ ରାସ୍ତା ଜାଣେ, ହେଲେ ମୋ ପାଖରେ ଘୋଡା ନାହିଁ । ପୁଣି କୌଣସି ଏକ କାରଣରୁ ମୁଁ ଏଠା ଛାଡି ଯାଇ ପାରିବି ନାହିଁ । କାରଣ ଏହି ଟୋପି ତଳେ ଗୋଟିଏ ବାଜ ପକ୍ଷୀ ଅଛି । ତାକୁ ମୁଁ ପାଳିଛି ସେଇଟା ଆମ ମାଲିକଙ୍କର । ଯଦି ସେ ଉଡିଯାଏ ତ ମୋ ମାଲିକ ମୋର ତଂଟି ଚିପି ମୋଠାରୁ ତିନିଶହ ରୁବେଲ୍ ନେଇଯିବ ।”

“ଆଚ୍ଛା ପୁଅ, ତୁମେ ମୋର ଘୋଡା ନିଅ ଓ ଜଲ୍ଦି ସେହି ଲୋକକୁ ଧର । ମୁଁ ତୁମ ଟୋପି ଓ ବାଜପକ୍ଷୀ ଉପରେ ଆଖି ରଖିଛି ବରଂ ତିନିଶ ରୁବେଲ୍ ଏଇ ନିଅ ରଖ ଯଦି ବାଜପକ୍ଷୀ ଉଡିଯାଏ ତ ତୁମ ମାଲିକଙ୍କୁ ସେତକ ଦେଇଦେବ ।” ତା’ପରେ ଜମିଦାର ନିଜର ଘୋଡା ଓ ତିନିଶହ ରୁବେଲ୍ ତାକୁ ଦେଇ ଦେଲେ ।

ଜମିଦାରଙ୍କ ଟଙ୍କା ଓ ଘୋଡା, ପୁଣି ଲୁଚେଇ ରଖିଥିବା ଘୋଡାଗାଡି ଓ ଘୁଷୁରୀ ସବୁ ନେଇ ମିଖାଇଲ୍ ଅତି ଆନନ୍ଦ ମନରେ ନିଜ ଗାଁରେ ଯାଇ ପହଁଚିଲା । ଏଣେ ଜମିଦାର ବହୁତ ସମୟ ଅପେକ୍ଷା କରି କରି ଯୁବକଟି ନ ଆସିବାରୁ ବିରକ୍ତ ହୋଇ ପଡିଲେ । ତା’ପରେ ଟୋପିଟି ଉଠାଇଲେ ଓ ଦେଖିଲେ ସେଥିରେ କିଛିବି ନାହିଁ । ସେତେବେଳେ ସେ ଯାଇ ବୁଝିଲେ ଯେ ସେହି ଯୁବକହିଁ ତାଙ୍କ ସ୍ତ୍ରୀକୁ ଠକାଇଛି ଏବଂ ତାଙ୍କୁ ମଧ୍ୟ ଭଲ ଭାବରେ ଠକାଇଲା । ଶିକାରରୁ କିଛି ମିଳି ନଥିଲା; ଏଣେ ଗୁଡାଏ ଧନ ନଷ୍ଟ । ମନ ଦୁଃଖରେ ସେ ଘରକୁ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ