ରାଜାଙ୍କ ମୁହଁରୁ ପ୍ରଶ୍ନ ନସରୁଣୁ ପ୍ରଜାମାନେ ସମସ୍ତେ ଏକ ସ୍ୱରରେ କହି ଉଠିଲେ, “ମହାରାଜ ! ଆମ୍ଭମାନଙ୍କର କିଛି ଅଭାବ, ଅସୁବିଧା ନାହିଁ । ଆମେ ଆମ ରାଜ୍ୟରେ ସୁଖ, ଶାନ୍ତିରେ କାଳାତିପାତ କରିପାରୁଛୁ । ଦୁଃଖ କେବେ ବି ଆମ ମନକୁ ସ୍ପର୍ଶ କରି ନାହିଁ ।” ପ୍ରଜାମାନଙ୍କ କଥା ଶୁଣିବା ପରେ ମଧ୍ୟ ରାଜା ଖୁସି ହୋଇଗଲେ ଏହାପରେ ପ୍ରଜାମାନଙ୍କୁ ସସମ୍ମାନେ ନିଜ ଦରବାରରୁ ବିଦାୟ ଦେଲେ । ରାତ୍ରି ଭୋଜନ ସାରି ରାଜା ଶୟନ କକ୍ଷକୁ ବିଶ୍ରାମ ନେବାପାଇଁ ଗଲେ । ମନେ ମନେ ଦିନଯାକର ଘଟିଥିବା ସମସ୍ତ କଥା ପାଇଁ ମନେ ମନେ ଦୁଃଖି ହୋଇଗଲେ । ସତେ ଯେପରି ସେ ତାଙ୍କର ପ୍ରଶ୍ନର ସଠିକ୍ ଉତ୍ତର ପାଇନାହାଁନ୍ତି । ନିଜେ ବେଶ ବଦଳାଇ ସହର ଠାରୁ ଦୂରରେ ଥିବା ଗ୍ରାମ ଗୁଡିକୁ ଗଲେ । ସେଠାକାର ଜନତାଙ୍କଠାରୁ ହିଁ ସଠିକ୍ କଥା ସଂଗ୍ରହ କରାଯାଇ ପାରିବ । ମନେ ମନେ ଏହି କଥା ଠିକ୍ କରି ରାତି ନପାହୁଣୁ ରାଜା ଛଦ୍ମବେଶ ଧାରଣ କରି ରଥର ସାରଥିକୁ ସାଙ୍ଗରେ ଧରି ଗ୍ରାମ ଅଭିମୁଖେ ବାହାରି ପଡିଲେ । କିଛି ସମୟପରେ ରାଜା ଦୂରବର୍ତୀ ଗୋଟିଏ ଗ୍ରାମରେ ଯାଇ ପହଁଚିଲେ । ରାଜାଙ୍କ ରଥ ଆଗକୁ ଆଗକୁ ମାଡିଚାଲିଥାଏ । ବାଟରେ ରାଜାଯାହାକୁ ଦେଖୁଥାଆନ୍ତି ତାକୁ ପଚାରୁଥାଆନ୍ତି, “ଭାଇ ! ତୁମ ବ୍ରାହ୍ମଦତ୍ତ ମହାରାଜ କେମିତି”? ସମସ୍ତେ ରାଜାଙ୍କ ଗୁଣଗାନ କରୁଥାଆନ୍ତି ।
ରାଜାଙ୍କର ରଥ ଆଗକୁ ମାଡି ଚାଲିଥାଏ । ହଠାତ୍ ରଥ ଗୋଟିଏ ଅଣଓସାରିଆ ରାସ୍ତା ମଧ୍ୟ ଦେଇ ଚାଲିଲା । ସେହି ସମୟରେ ରାସ୍ତାର ସମ୍ମୁଖ ଦିଗରୁ ଆଉ ଗୋଟିଏ ରଥ ଆସୁଥିଲା । ପ୍ରାଚୀନ କାଳରେ ରାସ୍ତାରେ ପାର ହେବାପାଇଁ ଏକ ଅଦ୍ଭୁତ ନିୟମ ଥିଲା । ରାସ୍ତା ପାର ହେବା ସମୟରେ ଯଦି ଜଣେ ଛୋଟ ବ୍ୟକ୍ତି କୌଣସି ମର୍ଯ୍ୟାଦାବନ୍ତ ବ୍ୟକ୍ତିଙ୍କୁ ଦେଖେ ତା’ହେଲେ ସେ ତାଙ୍କୁ ରାସ୍ତା ଛାଡିଦିଏ । ସମ୍ମୁଖ ଦିଗରୁ ଯେଉଁ ରଥଟି ଆସୁଥିଲା, ସେହି ରଥରେ ‘ସୁଦ୍ରାକ୍ସି’ର ମହାରାଜା ‘ବୁଦ୍ଧିଦତ୍ତ ’ ଥିଲେ । ଦୁଇଟି ରଥ ସାମ୍ନା ସାମ୍ନି ହୋଇଗଲେ । କିଛି ସମୟ ପରେ ବ୍ରାହ୍ମଦତ୍ତ ରାଜାଙ୍କ ସାରଥୀ କହିଲା, “ମୋ ରଥରେ ମୋ ଦେଶର ରାଜା ବ୍ରାହ୍ମଦତ୍ତ ବସିଛନ୍ତି । ତୁମେ ତାଙ୍କୁ ରାସ୍ତା ଛାଡିଦିଅ ।” ସଂଗେ ସଂଗେ ସୁଦ୍ରାକ୍ସି ରାଜାଙ୍କର ସାରଥୀ କହିଲା, “ତୁମ ପାଇଁ ତୁମ ଦେଶର ରାଜା ଯେମିତି ବଡ, ମୋ ପାଇଁ ମୋ ଦେଶର ରାଜା ମଧ୍ୟ ସେମିତି ବଡ । ମୋ ରଥରେ ସୁଦ୍ରାକ୍ସି ନରେଶ ବୁଦ୍ଧିଦତ୍ତ ଅଛନ୍ତି । ମୁଁ ତା’ ହେଲେ କାହିଁକି ତୁମକୁ ପ୍ରଥମେ ରାସ୍ତା ଛାଡିବି?” ଏହାପରେ ବ୍ରାହ୍ମଦତ୍ତ ରାଜା ଏବଂ ରାଜା ବୁଦ୍ଧିଦତ୍ତ ଦୁହେଁ ମିଶି ଏକ ନିର୍ଣ୍ଣୟ କଲେ ଯେ, ଯାହାର ରାଜ୍ୟ ବଡ ଏବଂ ଯାହାର ବୟସ ଅଧିକ ହୋଇଥିବ, ତାଙ୍କୁ ପ୍ରଥମେ ବାଟ ଛଡାଯିବ ।” କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟଙ୍କ ରାଜ୍ୟର କ୍ଷେତ୍ରଫଳ ଏବଂ ଉଭୟ ରାଜାଙ୍କର ବୟସ ସମାନ ଥିଲା ।
ଏହି କଥା ଜଣା ପଡିବାପରେ ଦୁଇଜଣଯାକ ରାଜା ଚିନ୍ତାରେ ପଡିଗଲେ । ତା’ ହେଲେ ସମସ୍ୟାର ସମାଧାନ ହେବ କିପରି? କିଛି ସମୟ ଚିନ୍ତା କରିବାପରେ ସୁଦ୍ରାକ୍ସି ନରେଶ ବୁଦ୍ଧିଦତ୍ତ କହିଲେ, “ଯେଉଁ ବ୍ୟକ୍ତି ମହାନ୍ ତା’ର ପରିଚୟ ତା’ର ଗୁଣ ବା ସ୍ୱଭାବରୁ କରାଯାଇଥାଏ । ବର୍ତ୍ତମାନ ତୁମେ ତୁମର ଏପରି ଏକ ସୁଗୁଣର ପରିଚୟ ଦିଅ ଯାହା ଦ୍ୱାରାକି ତୁମର ମହାନତାର ପରିଚୟ ଆପେ ଆପେ ମିଳିପାରିବ ।” ରାଜା ବୁଦ୍ଧିଦତ୍ତ ଙ୍କ କଥା ଶୁଣିବାପରେ ରାଜା ବ୍ରାହ୍ମଦତ୍ତ କହିଲେ, “ମୁଁ ଖରାପ୍ କଥାର ଜବାବ୍ ଖରାପ୍ରେ ଏବଂ ଭଲ କଥାର ଜବାବ୍ ଭଲରେ ଦିଏ । ମୋ ପ୍ରତି ଯିଏ ଖରାପ ବ୍ୟବହାର ପ୍ରଦର୍ଶନ କରେ, ମୁଁ ତା’ ପ୍ରତି ମଧ୍ୟ ଅନୁରୂପ ବ୍ୟବହାର ପ୍ରଦର୍ଶନ କରିଥାଏ । ରାଜା ବ୍ରାହ୍ମଦତ୍ତଙ୍କର କଥା ଶୁଣି ରାଜା ବୁଦ୍ଧିଦତ୍ତ କହିଲେ, “ଆପଣଙ୍କ କଥାରୁ ମୁଁ ଯାହା ଜାଣୁଛି ଏହା ଆପଣଙ୍କର ମହାନତା ନୁହେଁ । ଏହା ତ’ ଏକ ବଡ ଦୋଷ ।” ରାଜା ବୁଦ୍ଧିଦତ୍ତ ଙ୍କର କଥାଶୁଣି ରାଜା ବ୍ରାହ୍ମଦତ୍ତ ଖୁବ୍ ରାଗିଗଲେ । ରାଗିଯାଇ କହିଲେ, “ଆପଣ ହୋସ୍ରେ ଅଛନ୍ତିତ’, ସାରା ସଂସାର ମୋର ଜୟ ଜୟକାର କରୁଥିବା ବେଳେ ଆପଣ ମୋର ଦୋଷ ତ୍ରୁଟି ବାହାର କରୁଛନ୍ତି?” ରାଜା ବ୍ରାହ୍ମଦତ୍ତଙ୍କର କଥା ଶୁଣି ବୁଦ୍ଧିଦତ୍ତ କହିଲେ, “ମହାରାଜ ! ଆପଣ ମନରୁ ଏ ପ୍ରକାର ଧାରଣା ଯଥା ସମ୍ଭବ ତ୍ୟାଗ କରନ୍ତୁ । ଯେଉଁ ଲୋକ ତୁମକୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛି ତୁମେ ତା’କୁ ଖରାପ ବ୍ୟବହାର ପ୍ରଦର୍ଶନ କର ନାହିଁ । ଉଦାହରଣତଃ କୁକୁର ତୁମକୁ ଯଦି କାମୁଡେ ତୁମେ ତ’ କୁକୁରକୁ କାମୁଡିବ ନାହିଁ । ସେହି ନ୍ୟାୟରେ ଖରାପ୍ ଲୋକକୁ ଖରାପ୍ ବ୍ୟବହାର ଦେଖାଅ ନାହିଁ । ଖରାପ ଲୋକଙ୍କୁ ସର୍ବଦା ଭଲ ବ୍ୟବହାର ଦେଖାଇବା ଉଚିତ୍ । ତୁମେ ଯଦି ତାକୁ ଭଲ ବ୍ୟବହାର ଦେଖାଇବ ତା’ ହେଲେ ସେହି ମାଧ୍ୟମରେ ସେ ତା’ର ଭୁଲ୍ର ଅନୁତାପ କରିବ, ତେଣୁ ମୋ ପ୍ରତି ଯିଏ ଖରାପ ବ୍ୟବହାର ଦେଖାଏ, ମୁଁ ତାକୁ ସେପରି ଖରାପ ବ୍ୟବହାର ଦେଖାଏ ନାହିଁ , ଏହା କହି ସାରଥୀକୁ ବାଟ ଦବା ପାଇଁ ଅନୁମତି ଦେଲେ। ରାଜା ବୁଦ୍ଧିଦତ୍ତଙ୍କର କଥା ରାଜା ବ୍ରାହ୍ମଦତ୍ତଙ୍କ ମନକୁ ବେଶ୍ ପାଇଲା । ସେ ତାଙ୍କର ଭୁଲ୍ ବୁଝିପାରିଲେ ଓ ବୁଦ୍ଧିଦତ୍ତଙ୍କୁ ରାଜପ୍ରସାଦକୁ ଆମନ୍ତ୍ରଣ କଲେ।