ରାଜା କହିଲେ, “ତେବେ କୁହ, ତୁମର ପୁଅ ଜଙ୍ଗଲ ପାଖରେ ରହି ମୋ ଝିଅକୁ ଉଦ୍ଧାର କରିବାକୁ ଯାଉଥିବା ସମସ୍ତ ବୀରମାନଙ୍କୁ କାହିଁକି ଫେରାଇ ଦେଉଛି?”
ମହାବୀରଙ୍କ ମା’ ଆଶ୍ଚର୍ଯ୍ୟ ହୋଇ କହିଲେ, “ରାଜନ୍ ମୋ ପୁଅ ତ ବଡ ଶକ୍ତିଶାଳୀ । ତାକୁ ହରାଇବା ଭଳି ଏଠାରେ କେହି ଜଣେ ହେଲେବି ତ ବୀର ନାହିଁ । ସେ ନାନା ଦେଶ ବୁଲି ବୁଲି ନାନା ପ୍ରକାର ବିଦ୍ୟା ଶିକ୍ଷା କରିଛି । ରାକ୍ଷସକୁ ମାରିବାକୁ ମୋଠାରୁ ସେ ଆଶିର୍ବାଦ ନେବାକୁ ଆସିଥିଲା । ତେଣୁ ଆପଣଙ୍କ କଥା ଶୁଣି ମୋତେ ବଡ ଆଶ୍ଚର୍ଯ୍ୟ ଲାଗୁଛି ।”
ରାଜାଙ୍କର ମନେ ହେଲା ସେ ଯାହା କହୁଛନ୍ତି ସବୁ ସତ କହୁଛନ୍ତି । ତେଣୁ ସେ ନଅରକୁ ଫେରି ଆସି ମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କଲେ । ମନ୍ତ୍ରୀ କିଛି ସମୟ ଭାବିବା ପରେ କହିଲେ, “ଆଜିପର୍ଯ୍ୟନ୍ତ କୌଣସି ବୀର ମହାବୀରଙ୍କୁ ଜିତି ପାରି ନାହାଁନ୍ତି । ଆମେ ତାଙ୍କୁ ଥରେ ପ୍ରତ୍ୟକ୍ଷ ଭାବରେ ଦେଖିବା ଉଚିତ୍ । ଚାଲନ୍ତୁ ସେଠାକୁ ଆମେ ଛଦ୍ମବେଶରେହିଁ ଯିବା ।”
ଏହିପରି ଭାବି ଦିନେ ରାଜା ଓ ମନ୍ତ୍ରୀ ଗରିବ ଚାଷୀ ବେଶରେ ସେଠାରେ ଯାଇ ପହଁଚିଲେ । ସେମାନେ ଦେଖିଲେ ଯେ ମହାବୀର ପ୍ରକୃତରେହିଁ ମହାବୀର । ରାଜା ତାଙ୍କୁ ପଚାରିଲେ, “ଏଠାରେ ତୁମେ କ’ଣ କରୁଛ?”
ମହାବୀର କହିଲେ “ଏଠାକୁ ଆସୁଥିବା ବୀରମାନଙ୍କୁ ମୁଁ ପରୀକ୍ଷା କରୁଛି”
ରାଜା ପଚାରିଲେ “ସେସବୁ ତ ରାଜାଙ୍କ କାମ । ସେନାପତି ଏହି କାମ କରନ୍ତି । ଉତ୍ପଳ ଦେଶର ବୀରମାନଙ୍କର ପରୀକ୍ଷା ନେବାରେ ତୁମର କ’ଣ ଦରକାର?” ତହୁଁ ମହାବୀର କହିଲେ, “ଏହି ଅରଣ୍ୟରେ ଜଣେ ରାକ୍ଷସ ବାସ କରୁଛି । ତାକୁ କେହିବି ମାରି ପାରୁ ନାହାଁନ୍ତି । ଯିଏ ଯାଉଛି, ତାକୁ ସିଏ ଖାଇ ଦେଉଛି । ତେଣୁ ଅନ୍ତତଃ ସେମାନେ ତ ବଂଚି ଯାଉଛନ୍ତି ।”
ରାଜା ପ୍ରଶ୍ନକଲେ “ତୁମେ କିପରି ଜାଣିଲ ଯେ ସେମାନେ ରାକ୍ଷସକୁ ମାରିପାରିବେ ନାହିଁ? ତୁମେ କାହିଁକି ଭାବୁଛ ଯେ ସେମାନେ ରାକ୍ଷସ ହାତରେ ମରିବେ?”
ମହାବୀର ଏକଥା ଶୁଣି ହସିପକାଇ କହିଲେ, “ଏତିକି ଜାଣିବା ପାଇଁ ଅଳ୍ପ ବୁଦ୍ଧି ଦରକାର । ଯିଏ ମୋତେ ହରାଇ ପାରିବ ନାହିଁ । ସେ ରାକ୍ଷସକୁ କିପରି ମାରିବ?”
ରାଜା କହିଲେ “ଠିକ୍ କଥା । ତେବେ ରାକ୍ଷସକୁ ମାରିବା ଭଳି ବୀର କ’ଣ ଆମ ରାଜ୍ୟରେ କେହିବି ନାହାଁନ୍ତି?”
ମହାବୀର କହିଲେ “କାହିଁକି ନାହାଁନ୍ତି? ମୁଁ ତ ତାକୁ ସହଜରେ ମାରିପାରିବି ।”
ରାଜା କହିଲେ “ତେବେ ଡେରି କାହିଁକି? ତୁମେ ଯଥାଶୀଘ୍ର ଯାଇ ରାକ୍ଷସକୁ ନମାରି, ଏଠାରେ ସମସ୍ତଙ୍କୁ ଭିତରକୁ ଯିବାକୁ ବନ୍ଦ କରିବାରେ କ’ଣ ବା ଲାଭ?”
“ଏକାମ ତ ମୁଁ କେବେଠାରୁ କରିସାରନ୍ତିଣି । କିନ୍ତୁ ଏ ଦେଶର ମହାରାଜାଙ୍କ ଯୋଗୁଁ ହିଁ ଏହି କାମ ମୁଁ କରିପାରୁ ନାହିଁ ।” ତା’ପରେ ସେ ନିଜର ଜୀବନ କଥା କହିଲେ ।