ମହାବୀରଙ୍କ ପିତା ଚନ୍ଦ୍ରସେନ ଯେତେବେଳେ ଯୁଦ୍ଧରେ ମରିଗଲେ, ସେତେବେଳେ ସେ ମାତ୍ର ପାଂଚ ବର୍ଷ ବୟସର ବାଳକ ଥିଲେ । ତାଙ୍କ ମା’ ପ୍ରତିଦିନ ତାଙ୍କ ବାପାଙ୍କର ଗୁଣ, କୀର୍ତ୍ତି ଓ ପରାକ୍ରମକୁ ପ୍ରଶଂସା କରି କହନ୍ତି “ଯୁଦ୍ଧରେ ଏତେ ବଡ ବୀର ଅନାଥ ହୋଇ ମରିଗଲେ; ମୁଁ ଚାହେଁ କି ତୁ ଜଣେ ବଡ ବୀର ହେବୁ, ଯେପରି ଯୁଦ୍ଧରେ କେବେବି ମରିବୁ ନାହିଁ ।”
ମା’ଙ୍କର ଏହି ପଦିଏ କଥା ମହାବୀରଙ୍କ ଜୀବନ ଉପରେ ବଡ ପ୍ରଭାବ ପକାଇଥିଲା । ପିଲା ଦିନରୁ ହିଁ ସେ ଯୁଦ୍ଧବିଦ୍ୟା ଶିକ୍ଷା କରିବାକୁ ଲାଗିଲେ । ତାଙ୍କୁ ଯେତେବେଳେ ସତର ବର୍ଷ ବୟସ ମାଙ୍କୁ ସେ କହିଲେ, “ମା’, ମୁଁ ହିମାଳୟକୁ ଯିବି । ସେଠାରେ ସାଧୁ ସନ୍ଥଙ୍କର ସେବା କରି ମୁଁ ମନ୍ତ୍ରଯନ୍ତ୍ର ଶିଖିବି । ଏଣୁ ମୋତେ ଆଶିର୍ବାଦ ଦିଅ ।” ଏହାପରେ ମା’ଙ୍କର ଆଶିର୍ବାଦ ନେଇ ସେ ଘର ଛାଡି ଚାଲିଗଲେ ।
ହିମାଳୟରେ ତାଙ୍କର ଇଚ୍ଛା ପୂର୍ଣ୍ଣ ହେଲା । ସେଠାରେ ଜଣେ ମୁନି ତାଙ୍କୁ ଶିଷ୍ୟ କରି ମନ୍ତ୍ରଯନ୍ତ୍ର ଶିଖାଇଲେ । ଦିନେ ସେ କହିଲେ, “ବତ୍ସ, ଏହି ପୃଥିବୀ ଉପରେ ତୁମକୁ ହରାଇବା ଭଳି ଲୋକ ଆଉ କେହି ନାହିଁ । କିନ୍ତୁ ପ୍ରଥମଥର ଯଦି ମାନବାତୀତ କୌଣସି ପ୍ରାଣୀ ସହିତ ଯୁଦ୍ଧ କରିବୁ, ମା’ଙ୍କର ଆଶିର୍ବାଦ ନିଶ୍ଚୟ ନେବୁ । ତା’ପରେ ତୋତେ ଆଉ କେହି ମଧ୍ୟ ହରାଇ ପାରିବେ ନାହିଁ ।”
ସେଠାରୁ ଫେରିବା ବେଳେ, ମହାବୀର ଦଳେ ଡକାୟତଙ୍କ ସହିତ ଲଢେଇ କରିଥିଲେ । ପାଖ ଗ୍ରାମରେ ଚନ୍ଦ୍ରିକା ନାମରେ ସୁନ୍ଦର ଝିଅଟିଏ ଥାଏ । ସେ ଡକାୟତମାନେ ତାକୁ ଓ ତାର ବାପମା’ଙ୍କୁ ବଳପୂର୍ବକ ଅପହରଣ କରି ନେଉଥିଲେ । ସେମାନଙ୍କ ସାଙ୍ଗରେ ଜଣେ ପୁରୋହିତ ମଧ୍ୟ ଥାଏ । ଡକାଏତ୍ ସର୍ଦ୍ଦାର ସେ ଝିଅଟିକୁ ବିବାହ କରିବାକୁ ନେଉଥାଏ । ସେ ଡକାଏତ ଦଳରେ କୋଡିଏ ଜଣ ବଳିଷ୍ଠ ଲୋକ ଥିଲେ । ମହାବୀର ସେମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହରାଇଲେ ।
ଚନ୍ଦ୍ରିକାର ପିତା କହିଲେ, “ପୁଅ, ତୁମେ ଆମକୁ ବଡ ବିପଦରୁ ରକ୍ଷା କଲ । କିନ୍ତୁ ଶୁଭ ମୁହୂର୍ତ୍ତ ସମୟରେ ହିଁ ଆମେ ବିପଦରେ ପଡିଲୁ । ଏବେ ଆମେ ଆଉ କାହାକୁ ବା ମୁହଁ ଦେଖାଇବୁ? ତେଣୁ ତୁମେ ଚନ୍ଦ୍ରିକାକୁ ବିବାହ କର । ସାଙ୍ଗରେ ତ ପୁରୋହିତ ଅଛନ୍ତି । ଆମେ ତ କନ୍ୟାଦାନ କରିବୁ ।”
ମହାବୀର ଦେଖିଲେ ଚନ୍ଦ୍ରିକାର ମଧ୍ୟ ସେହି ଇଚ୍ଛା; ସେଠାରେ ଚନ୍ଦ୍ରିକା ସହିତ ବିବାହ କରିବା ପରେ ସେ ଦୁହେଁ ଉତ୍ପଳ ରାଜ୍ୟକୁ ଫେରୁଥାନ୍ତି । ବାଟରେ ଜଣେ ରାକ୍ଷସ ହଠାତ୍ ଆସି କହିଲା, “ବାଃ, କି ସୁନ୍ଦର ଝିଅଟିଏ, ତୁ ତାକୁ କୁଆଡେ ନେଇ ଯାଉଛୁ? ମୁଁ ଏହାକୁ ମୋ ଘରକୁ ନେଇ ଯାଉଛି । ପାରିବୁ ତ ଲଢେଇ କରି ମୋଠାରୁ ତାକୁ ନେଇଯା ।”
ସେତେବେଳେ ମୁନିଙ୍କର ଚେତାବନୀ ମହାବୀରଙ୍କର ମନେ ପଡିଲା । ସେ ମହାବୀରଙ୍କୁ କହିଥିଲେ କି ମା’ର ଆଶିର୍ବାଦ ବିନା ମାନବାତୀତ ଶକ୍ତି ସହିତ କେବେବି ମଧ୍ୟ ଲଢେଇ କରିବ ନାହିଁ । ତେଣୁ ମହାବୀର କହିଲେ, “ରେ ରାକ୍ଷସ, ମୁଁ ନିଶ୍ଚୟ ତୋ ସହିତ ଲଢେଇ କରିବି, କିନ୍ତୁ ସେଥିପାଇଁ ମୋର କିଛି ସମୟ ଦରକାର ।”
ରାକ୍ଷସ ବିକଟ ହାସ୍ୟ କରି କହିଲା, “ଅଳ୍ପ ଦିନ ମଧ୍ୟରେ ମୁଁ ନଅଜଣ ମାନବ କନ୍ୟାଙ୍କୁ ଏକାଠି ବିବାହ କରିବି । ସେତିକି ସମୟ ମଧ୍ୟରେ ତୁ ଆସିପାରୁ ।” ଏତିକି କହି ଚନ୍ଦ୍ରିକାକୁ ନେଇ ସେ ଚାଲିଗଲା ।
ମହାବୀର ଉତ୍ପଳଦେଶରେ ପହଁଚି, ବିବାହ କଥା ମା’ଙ୍କୁ ନ କହି ରାକ୍ଷସ ସହିତ ଲଢିବେ ବୋଲି, ମା’ଙ୍କର ଆଶିର୍ବାଦ ନେଲେ । ସେତେବେଳେ ରାଜାଙ୍କ ଘୋଷଣା ଶୁଣି ସେ ବଡ ଅଡୁଆରେ ପଡିଲେ ।
ମନ୍ତ୍ରୀ କହିଲେ “ଏଥିରେ ଅଡୁଆ କଥା କ’ଣ? ତୁମେ ଯାହା ଚାହଁ ରାଜା ମଧ୍ୟ ତ ସେଇଆ ଚାହାଁନ୍ତି ।”
ମହାବୀର କହିଲେ “ରାଜାଙ୍କ ଘୋଷଣା ଅନୁସାରେ ଯିଏ ରାଜକୁମାରୀଙ୍କୁ ମୁକ୍ତ କରିବ ସେ ତାଙ୍କୁ ବିବାହ କରିବ । ହେଲେ ମୁଁ ତ ବିବାହିତ, ପୁଣି ଏକପତ୍ନୀବ୍ରତ । ସେପରି କ୍ଷେତ୍ରରେ କ’ଣ କରାଯିବ?”
ମହାବୀରଙ୍କର ସରଳତା, ସ୍ପଷ୍ଟବାଦୀତା ଓ ଲୋଭଶୁନ୍ୟତା ଦେଖି ରାଜା ଚକିତ ହେଲେ । ସେ କହିଲେ, “ଏତେ ଛୋଟ କଥା ଉପରେ ଏତେ ଯିଦି କାହିଁକି? ରାଜାଙ୍କୁ ଏକଥା କହିଲେ ସେ ତ କିଛି ସମାଧାନ କରିପାରିଥା’ନ୍ତେ ।”
ମହାବୀର କହିଲେ “ମୁଁ ଜାଣେନି କ’ଣ ହୁଅନ୍ତା । ତା’ଛଡା ମୁଁ ଜାଣିବାକୁ ଚାହୁଁଥିଲି କି ଏ ଦେଶରେ କେହି ବୀର ନାହିଁ ଯିଏ ରାକ୍ଷସ ସହିତ ଯୁଦ୍ଧ କରି ରାଜକୁମାରୀଙ୍କୁ ଫେରାଇ ଆଣି ପାରିବ?”
ରାଜା ମହାବୀରଙ୍କ ଏଭଳି ବ୍ୟବହାରରେ ଅତ୍ୟନ୍ତ ମୁଗ୍ଧ ହୋଇ ନିଜର ପରିଚୟ ଦେଲେ ଓ ଘୋଷଣା କଲେ ରାଜକୁମାରୀଙ୍କୁ ଯିଏ ମୁକ୍ତ କରିବ ତାକୁ ଯଥେଷ୍ଟ ପୁରସ୍କାର ଦିଆଯିବ ।”
କିଛିଦିନ ମଧ୍ୟରେ ମହାବୀର ରାକ୍ଷସକୁ ମାରିଲେ । ରାଜକୁମାରୀଙ୍କୁ ଆଣି ତାଙ୍କ ପିତାଙ୍କୁ ସମର୍ପଣ କଲେ । ରାଜା ତାଙ୍କର ବୀରତ୍ୱ ଓ ସାଧୁତାରେ ମୁଗ୍ଧ ହୋଇ ତାଙ୍କ ସେ ରାଜ୍ୟର ସେନାପତି କଲେ ଓ ବହୁତ ଉପହାର ଦେଲେ ।