ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

“ମୋ ପ୍ରତି ଏପରି କଟୁଭାଷା ପ୍ରୟୋଗ କର ନାହିଁ । ନଚେତ୍ ପରେ ତୁମକୁ ଏଥିପାଇଁ ପଶ୍ଚାତାପ କରିବାକୁ ପଡିପାରେ । ମୁଁ ଏହି ରାଜ୍ୟ ଓ ରାଜାଙ୍କର ମୂଳଭିତ୍ତି । ଧନ-ସମ୍ପତ୍ତି, ଭୋଗ-ଭାଗ୍ୟ, ରୂପ-ଯୌବନରେ ମୋ ସହିତ ସମତୁଲ ତୁମେ ଅନ୍ୟ କାହାକୁ ମଧ୍ୟ ଏହି ଧରାରେ ପାଇବ ନାହିଁ । ମୋତେ ଆପଣାର କରି ତୁମେ ମୋତେ ନିଜର ଦାସ ରୂପେ ସ୍ୱୀକାର କର ଓ ସମସ୍ତ ବିଭବର ଅଧିକାରିଣୀ ହୁଅ । ତୁମର ଏହି ସୁନ୍ଦର ଜୀବନ, ଅନ୍ୟର ସେବା କରି ବ୍ୟର୍ଥ ଭାବରେ ଉଜୁଡି ଯିବାକୁ ମୋଟେ ଦିଅ ନାହିଁ ।” ଏହିଭଳି ଅନେକ କଥା କହି ସେ କୀଚକ ଦ୍ରୌପଦୀଙ୍କୁ ପ୍ରଲୋଭିତ କରିବା ପାଇଁ ଚାହିଁଲା ।

ମାତ୍ର ଦ୍ରୌପଦୀ ଭୟଙ୍କର କ୍ରୋଧିତା ହୋଇ କହିଲେ, “ଯଦି ତୁମ ମନରୁ ମୋ ପ୍ରତି ଥିବା ପାପ-ଲାଳସା ପରିତ୍ୟାଗ କରିବ ନାହିଁ, ତେବେ ଜାଣିରଖ ମୃତ୍ୟୁ ତୁମର ନିକଟତର ହେଲାଣି । ମୋର ପାଂଚଜଣ ଗନ୍ଧର୍ବ ପତି ସର୍ବଦା ମୋତେ ସୁରକ୍ଷିତ କରି ରଖିଛନ୍ତି । ସେମାନଙ୍କର ଦୃଷ୍ଟି ମୋ ଉପରେ ସଦା ସର୍ବଦା କେନ୍ଦ୍ରିତ । ତୁମର ଏହି ନୀଚ ଉଦ୍ଧେଶ୍ୟର ସାମାନ୍ୟତମ ସୁରାକ୍ ପାଇବା ମାତ୍ରେ, ସେମାନେ ତୁମର ପ୍ରାଣନାଶ କରିବାଟା ତ ସୁନିଶ୍ଚିତ । ତେଣିକି ଆଉ କେହି ମଧ୍ୟ ତୁମକୁ ସେମାନଙ୍କଠାରୁ ରକ୍ଷା କରିପାରିବେ ନାହିଁ ।”

ଦ୍ରୌପଦୀଙ୍କର ଏହି ଚେତାବନୀ କୀଚକ ମନରେ କୌଣସି ପ୍ରକାର ଭାବାନ୍ତର ମଧ୍ୟ ସୃଷ୍ଟି କଲା ନାହିଁ । ଅପରନ୍ତୁ ତାହାର ଲାଳସା, ମୋହ ଦିନକୁ ଦିନ ବଢିଚାଲିଲା । ଦିନେ ସେ ତା’ ଭଉଣୀ ସୁଦେଷ୍ଣାଙ୍କ ନିକଟରେ ପହଁଚି କହିଲା, “ଯେ କୌଣସି ଉପାୟରେ, ଯେ କୌଣସି ପରିସ୍ଥିତିରେ ହେଉ ପଛେ ମୁଁ ସେ ସୈରିନ୍ଧ୍ରୀକୁ ହାସଲ କରିବା ପାଇଁ ଚାହୁଁଛି । ତା’ ବିନା ମୁଁ ମୋ ପ୍ରାଣ କସ୍ମିନ୍ କାଳେ ମଧ୍ୟ ଧାରଣ କରି ପାରିବି ନାହିଁ । ମୁଁ ଏଥିଲାଗି ତାକୁ ଅନେକ ପ୍ରକାର ଅନୁରୋଧ, ବିନୟ, ପ୍ରାର୍ଥନା, ପ୍ରଲୋଭନ କରିବା ପରେ ମଧ୍ୟ ସେ ମୋ ପ୍ରତି ତିଳେମାତ୍ର ଆସକ୍ତ ନୁହେଁ । ମୋତେ ଆପଣାର କରିବା ପାଇଁ ସେ ଆଦୌ ପ୍ରସ୍ତୁତ ନୁହେଁ ।” ସୁଦେଷ୍ଣା ତାଙ୍କ ଭାଇର ମୋହଭଙ୍ଗ କରିବା ପାଇଁ ତାଙ୍କୁ କହିଲେ, “ସୈରିନ୍ଧ୍ରୀ ମୋର ଆଶ୍ରିତା । ମୁଁ ତା’କୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛି । ସେ ତ ପ୍ରଥମରୁ ମୋତେ କହିଛି ଯେ, ତାହାର ପାଂଚଜଣ ଗନ୍ଧର୍ବ ସ୍ୱାମୀ ଅଛନ୍ତି । ତୁମେ ମୋର ଭାଇ ହୋଇଥିବାରୁ ମୁଁ ତୁମକୁ ଏହା ଚେତାବନୀ ଦେଉଛି ଯେ, ସୈରିନ୍ଧ୍ରୀ ପାଇଁ ମୋହାସକ୍ତ ହୋଇ ନିଜକୁ ସଙ୍କଟରେ ପକାଇବା ମୋଟେ ଠିକ୍ ନୁହେଁ ।”

“ହଜାରେ ଗନ୍ଧର୍ବ ମୋର କିଛିବି କରିପାରିବେ ନାହିଁ । କେତେ ପତିବ୍ରତା ସ୍ତ୍ରୀ ମୋର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ମୋତେ ଝୁରୁଛନ୍ତି । ମୋର ବୈଭବ ଓ ଐଶ୍ୱର୍ଯ୍ୟ ଦେଖି ସୈରିନ୍ଧ୍ରୀ ମଧ୍ୟ ଦିନେ ନା ଦିନେ ମୋର ଅବଶ୍ୟ ଅଧୀନସ୍ଥା ହେବ ଓ ମୋତେ ପାଇବା ପାଇଁ ସେ ଅତ୍ୟନ୍ତ ବ୍ୟାକୁଳ ହେବ । ଯେ କୌଣସି ପ୍ରକାରେ ତୁମେ ସୈରିନ୍ଧ୍ରୀକୁ ମୋତେ ପ୍ରଦାନ କର । ମୁଁ ତା ବିନା ଆଉ ଜମା ବଂଚିପାରିବି ନାହିଁ ।” କୀଚକ ଆସ୍ଫାଳନ ଦେଖାଉଥିଲେ ମଧ୍ୟ ଭଉଣୀକୁ ଅନୁନୟ ହୋଇ ସେ ଏ ପ୍ରକାର ଅନୁରୋଧ କଲା ।

ସୁଦେଷ୍ଣା ବିବଶ ହୋଇ କହିଲେ “ଏବେ ତୁମେ ନିଜ ଭବନକୁ ଯାଇ ମଧୁର ଅନ୍ନ ଓ ପାନୀୟର ଯଥାଶୀଘ୍ର ବ୍ୟବସ୍ଥା କର । ମୁଁ ସେସବୁ ତୁମ କକ୍ଷକୁ ଯାଇ ଆଣିବା ପାଇଁ ସୈରିନ୍ଧ୍ରୀକୁ ପଠାଇବି । ତେଣିକି, ଯାହା ଆମ ଭାଗ୍ୟରେ ଥିବ ।”

କୀଚକ ଆନନ୍ଦ ମନରେ ନିଜ ଭବନକୁ ଫେରି ଆସିଲା । ସୁମିଷ୍ଟ ଖାଦ୍ୟ ଓ ରୁଚିକର ପାନୀୟ ପ୍ରସ୍ତୁତ କରି ସେ ଦ୍ରୌପଦୀଙ୍କର ପ୍ରତୀକ୍ଷାରେ ରହିଲା ।

ଏହାର କିଛି ସମୟ ପରେ ସୁଦେଷ୍ଣା ଦୌପଦୀଙ୍କୁ କହିଲେ, “ସୈରିନ୍ଧ୍ରୀ ମୁଁ ଭୀଷଣ ତୃଷ୍ଣା ଅନୁଭବ କରୁଛି । ତୁମେ କୀଚକର ଭବନକୁ ଯାଇ ସେଠାରୁ ରୁଚିକର ପାନୀୟ ନେଇଆସ ।” “ଦେବୀ, ମୁଁ ତ ସେହି ସ୍ଥାନକୁ ଆଦୌ ଯାଇପାରିବି ନାହିଁ, କାହିଁକିନା ଆପଣ ତ ଉତ୍ତମ ରୂପେ ଏହା ଜାଣନ୍ତି ଯେ, କୀଚକ ମୋହବିଷ୍ଟ ହୋଇ ନିଜର ହିତାହିତ ଜ୍ଞାନଶୂନ୍ୟ ହୋଇ ପଡିଛି । ଏବେ ମୁଁ ତା’ ପାଖକୁ ଗଲେ ସେ ନିଶ୍ଚୟ ମୋର ଅପମାନ କରିବ । ସୁତରାଂ ଆପଣ ଆପଣଙ୍କ ଅନ୍ୟ କେଉଁ ପରିଚାରିକାଙ୍କୁ ଏହି ଦାଇତ୍ତ୍ଵ ଅର୍ପଣ କରନ୍ତୁ ।” ଏହିପରି ଭାବେ ଦ୍ରୌପଦୀ ନିଜର ମନୋଭାବ ସ୍ପଷ୍ଟ ରୂପେ ପ୍ରକାଶ କଲେ ।

“ନା, ନା ମୁଁ ଯେତେବେଳେ ମୋର କାମ ପାଇଁ ତୁମକୁ ସେ ସ୍ଥାନକୁ ପଠାଉଛି, ସେ ତୁମସାଙ୍ଗେ କୌଣସି ପ୍ରକାରେ ର୍ଦୁବ୍ୟବହାର କରିବା ପାଇଁ କେବେବି ସାହାସ କରିବ ନାହିଁ ।” ଏପରି କହି ସୁଦେଷ୍ଣା ଏକ ସ୍ୱର୍ଣ୍ଣପାତ୍ର ଦ୍ରୌପଦୀଙ୍କ ହାତକୁ ଦେଲେ ।

ରାଣୀଙ୍କ ଆଦେଶ ପାଳନ କରିବା ବ୍ୟତୀତ ସେତେବେଳେ ଦ୍ରୌପଦୀଙ୍କର ଗତ୍ୟନ୍ତର ନ ଥିଲା । ତେଣୁ ସ୍ୱର୍ଣ୍ଣପାତ୍ରଟି ଧରି ସେ କୀଚକ-ଭବନ ଅଭିମୁଖେ ବାହାରିଲେ । ତାଙ୍କୁ ଦେଖିବାକ୍ଷଣି କୀଚକ ଅତି ଆନନ୍ଦରେ ଉତଫୁଲ୍ଲିତ ହୋଇ ଉଠି କହିଲା, “ହେ ସୁନ୍ଦରୀ, ମୁଁ ଏଠାରେ ତୁମକୁ ସ୍ୱାଗତ ଜଣାଉଛି । ତୁମର ପଦସ୍ପର୍ଶ ଲାଭ କରି ମୋର ଏ ଭବନ ଆଜି ଧନ୍ୟ ହୋଇଗଲା । ତୁମେ ମୋର ପ୍ରାଣ । ମୋର ଅତ୍ୟନ୍ତ ସୌଭାଗ୍ୟ ଯେ, ମୁଁ ଆଜି ଏଠାରେ ତୁମକୁ ପାଇଛି । ମୋର ମନର ବାସନା ପୂରଣ କରି ତୁମେ ଦିବ୍ୟବସ୍ତ୍ର, ହୀରାନୀଳାର ଆଭୂଷଣ ପରିଧାନ କର । ମୋ ସହିତ ମଦିରାପାନ କରି ନିଜ ଜୀବନକୁ ଉପଭୋଗ କର ।”

ଦ୍ରୌପଦୀ ନିଜର ଅଭିପ୍ରାୟ ଜଣାଇବାକୁ ଯାଇ କହିଲେ “ମହାରାଣୀ, ତୃଷିତା ଥିବାରୁ ସେ ମୋତେ ଏଠାକୁ ପାନୀୟ ନେବା ଉଦ୍ଧେଶ୍ୟରେ ପଠାଇଛନ୍ତି । ଏଣୁ ମୁଁ ତାଙ୍କର ଆଦେଶ ପାଳନ କରିବା ପୂର୍ବକ ଏଠାରୁ ତୁରନ୍ତ ଚାଲିଯିବି ।”

“ମୁଁ ଅନ୍ୟ କାହା ହାତରେ ପାନୀୟ ପଠାଇ ଦେବାର ବନ୍ଦୋବସ୍ତ କରୁଛି ।” ଏହା କହି ସେ କୀଚକ ଦ୍ରୌପଦୀଙ୍କ ହସ୍ତ ଧରି ପକେଇଲା । ଫଳରେ ଦ୍ରୌପଦୀ ଏଥିରେ ଭୟଭୀତା ହୋଇ ସେ କୀଚକକୁ ଏକ ଧକ୍କା ମାରି ତାକୁ ତଳେ ପକାଇଦେଲେ ଓ ସେଠାରୁ ଅତି ଜୋର୍ରେ ସେ ପଳାୟନ କରି ବିରାଟଙ୍କ ରାଜସଭାରେ ଯାଇ ଉପସ୍ଥିତ ହେଲେ । କୀଚକ ତାଙ୍କର ଅନୁଧାବନ କରି ସେଠାରେ ପହଁଚି ଦ୍ରୌପଦୀଙ୍କର କେଶ ଆକର୍ଷଣ କଲା । ସେତେବେଳେ ବିରାଟ ରାଜାଙ୍କ ଆଖି ଆଗରେ ଏ ସମସ୍ତ ଘଟଣା ଘଟି ଯାଉଥିଲା ।

ଏଣେ ଏହିଭଳି ଅନ୍ୟାୟ ଅତ୍ୟାଚାର ଧର୍ମରାଜ ଓ ଭୀମ ମଧ୍ୟ ଦେଖି ପାରୁଥିଲେ । ଭୀମ ତ ସେହି କ୍ଷଣରେ ହିଁ ସେ ଦୁଷ୍ଟ କୀଚକକୁ ନାଶ କରିଦେବା ପାଇଁ ଚାହୁଁଥିଲେ । ଏଣୁ ସେ କ୍ରୋଧରେ ନିଜ ଦାନ୍ତ କଡମଡ କରୁଥାନ୍ତି ଓ ତାଙ୍କ ଶରୀରରୁ ଝାଳ ନିଗିଡି ପଡୁଥାଏ । ସେ ନିଜକୁ ଆଉ ନିୟନ୍ତ୍ରଣରେ ରଖି ନ ପାରି ସମ୍ମୁଖରେ ଦିଶୁଥବା ଏକ ବୃକ୍ଷ ଉତ୍ପାଟନ କରିବା ଉଦ୍ଧେଶ୍ୟରେ ନିଜ ସ୍ଥାନରୁ ଉଠି ଠିଆ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ