ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଏହାପରେ ହନୁମାନ ନିଜର ପରିଚୟ ପ୍ରଦାନ କରି କହିଲେ, “ପୁତ୍ର, ମୁଁ ସ୍ୱୟଂ ନିଜେ ହନୁମାନ ଅଟେ । ବାଳୀ ଓ ସୁଗ୍ରୀବଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାରୁ, ସୁଗ୍ରୀବ ମୋର ସହାୟତା ଲୋଡିଥିଲେ । ତାଙ୍କର ମିତ୍ର ଭାବେ ପ୍ରଭୁ ଶ୍ରୀରାମଙ୍କ ସେବା କରିବାର ସୁଯୋଗ ମୁଁ ପାଇଲି ।” ଏହିପରି ସେ ରାମାୟଣ ସମୟର ସମସ୍ତ ଘଟଣା ଓ ନିଜର ଅନୁଭୂତି ବର୍ଣ୍ଣନା କଲେ । ଶେଷରେ ସେ କହିଲେ, “ମୁଁ ଏବେ ଏଠାରେ ଅବସ୍ଥାନ କରୁଛି । ଏହି ସ୍ଥାନର ନିବାସୀ ଗନ୍ଧର୍ବ ଓ ବିଦ୍ୟାଧର ମାନେ ମୋତେ ରାମକଥା ଶୁଣାଉଛନ୍ତି । ତାହାହିଁ ମୋର ଅପାର ଆନନ୍ଦର ଆଧାର । ଏହି ପ୍ରଦେଶରେ ତ ମନୁଷ୍ୟ ପ୍ରବେଶ ନିଶିଦ୍ଧ । ତୁମେ ଏଠାକୁ କାହିଁକି ଆସିଛ, ଏବେ ପ୍ରକାଶ କର?”

ସଙ୍ଗେ ସଙ୍ଗେ ଭୀମ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲେ, “ମହାତ୍ମା, ଆପଣଙ୍କର ଦର୍ଶନ ପାଇ ମୋର ଜୀବନ ସାର୍ଥକ ହୋଇଗଲା । ଆପଣଙ୍କର ସମୁଦ୍ର ଲଙ୍ଘିବା ସମୟର ରୂପ ଦେଖିବା ପାଇଁ, ମୋର ଇଚ୍ଛା ବହୁଦିନରୁ ରହିଛି । ମୋତେ ସେହି ରୂପ ଦେଖାଇ ଧନ୍ୟ କରନ୍ତୁ ।”

ହନୁମାନ ଭୀମଙ୍କ କଥାକୁ ଟାଳିବାକୁ ଯାଇ କହିଲେ “ସେହି ସମୟର ରୂପ ଏବେ କ’ଣ ଆଉ ପ୍ରକାଶ କରିବା ସମ୍ଭବ ।”

ଭୀମ କିନ୍ତୁ ନିଜ ଜିଦ୍ରେ ଅଟଳ ରହି, ହନୁମାନଙ୍କୁ ବାରମ୍ବାର ପ୍ରାର୍ଥନା କଲେ । ହନୁମାନ ତାଙ୍କର କଥାରଖି ନିଜର ଶରୀରକୁ ବିସ୍ତାର କଲେ । ତାହା ସମଗ୍ର ବନପ୍ରଦେଶରେ ବ୍ୟାପ୍ତ ହୋଇ ଆକାଶକୁ ଛୁଇଁବା ପରି ମନେହେଲା । ତାଙ୍କ ମୁଖମଣ୍ଡଳରୁ ସୂର୍ଯ୍ୟଙ୍କ ସଦୃଶ ଉଜ୍ଜ୍ୱଳତା ଓ ଚକ୍ଷୁରୁ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେବାପରି ମନେ ହେଉଥାଏ ଓ ଲମ୍ବାକୃତି ପୁଚ୍ଛ ଭୂମିକୁ ସ୍ପର୍ଶ କରିଥାଏ ।

ହନୁମାନ ଭୀମଙ୍କୁ କହିଲେ, “ମୋର ରୂପ ତୁମେ ଦେଖି ପାରୁଛ ତ? ଆବଶ୍ୟକ ପଡିଲେ, ମୁଁ ମୋର ଶରୀରକୁ ଆହୁରି ମଧ୍ୟ ବିସ୍ତୃତ କରିପାରିବି । ମୋର ଏହି ବିରାଟକାୟ ରୂପକୁ ଦେଖୁଦେଖୁ ଶତ୍ରୁ ପଛଘୁଂଚା ଦେଇଥାଏ । ମୁଁ ଅଧିକ କାୟା ବିସ୍ତାରିତ କଲେ, ତାହା ତୁମେ ଧୈର୍ଯ୍ୟର ସହ ଆଦୌ ଦେଖିପାରିବ ନାହିଁ ।”

ଭୀମ କହିଲେ, “ମୁଁ ତ ଏହି ଜ୍ୟୋତିର୍ମୟ ରୂପକୁ ମଧ୍ୟ ସ୍ପଷ୍ଟଭାବେ ନିରୀକ୍ଷଣ କରିପାରୁ ନାହିଁ । ଚକ୍ଷୁ ଅନ୍ଧାର ହୋଇ ଯାଉଛି । କୃପାକରି ଆପଣ ନିଜ ପୂର୍ବ ରୂପକୁ ଫେରି ଆସନ୍ତୁ ।”

ଏହାପରେ ହନୁମାନ ନିଜର ପୂର୍ବ ସ୍ୱରୂପକୁ ଫେରି ଆସିଲେ । ସେ ଭୀମଙ୍କୁ କୋଳାଗ୍ରତ କରି କହିଲେ, “ଏହି ପଥରେ ଗଲେ ତୁମେ ସୁଗନ୍ଧିକା ପୁଷ୍ପ ଲାଭ କରିବ । ନିଜର ସାହସ ଓ ପରାକ୍ରମ ଦେଖାଇ ପୁଷ୍ପ ଆଣିବାକୁ ଚେଷ୍ଟା କଲେ ଦେବଗଣ କ୍ରୋଧିତ ହୋଇ ପାରନ୍ତି । ସେମାନଙ୍କ ସହିତ ଶତ୍ରୁତା କରିବା ତୁମ ପାଇଁ ଆଦୌ ଠିକ୍ ହେବ ନାହିଁ । ଆଚ୍ଛା ତୁମେ ଏବେ ଏଠୁ ଯାଅ । ମୁଁ ତୁମକୁ କଲ୍ୟାଣ କରୁଛି । କିଛି ବିଘ୍ନ ଘଟିଲେ ମୋତେ ନିଶ୍ଚୟ ସ୍ମରଣ କରିବ ।”

ହନୁମାନଙ୍କର ଆଶୀର୍ବାଦ ଲାଭ କରି ଭୀମଙ୍କର ଉତ୍ସାହ ଦ୍ୱିଗୁଣିତ ହେଲା । ପର୍ବତମାଳା ମଧ୍ୟରେ ଥିବା ଏକ ସରୋବରରେ ସେ ସୁଗନ୍ଧିକା ପୁଷ୍ପ – ସମୂହ ଦେଖିଲେ । ବୈଦୁର୍ଯ୍ୟଠାରୁ ଶତଗୁଣ ଆଭାରେ ପ୍ରକାଶିତ ସୁଗନ୍ଧିକା ପୁଷ୍ପ, ତା’ର ଅପୂର୍ବ ସୁଗନ୍ଧରେ ବନଭୂମି ମହକିତ କରୁଥାଏ । ଦ୍ରୌପଦୀଙ୍କ ଇଚ୍ଛା ପୂରଣ ପାଇଁ ଭୀମ ଏହି ପୁଷ୍ପରୁ ଗୋଟିଏ ତୋଳିବାକୁ ଯାଆନ୍ତି ତ, ଏକ ଭୟଙ୍କର ଆକୃତିର ରାକ୍ଷସ ପ୍ରହରୀ ଭୀମକୁ ତାଙ୍କ କାର୍ଯ୍ୟରେ ବାଧାଦେଇ କହିଲା, “ମହାଶୟ, ଆପଣ କିଏ? ଅସ୍ତ୍ରଶସ୍ତ୍ର ଧରି ଏଠାରେ କ’ଣ କରୁଛନ୍ତି?”

“ମୁଁ କୁରୁବଂଶଜ, ରାଜାପାଣ୍ଡୁଙ୍କ ପୁତ୍ର, ଦ୍ୱିତୀୟ ପାଣ୍ଡବ ଭୀମସେନ । ଧର୍ମରାଜ ମୋର ଜ୍ୟେଷ୍ଠଭ୍ରାତା । ଏହି ପୁଷ୍ପ ନେବା ଉଦ୍ଧେଶ୍ୟରେ ମୁଁ ଏଠାକୁ ଆସିଛି ।”

ରାକ୍ଷସ ଉତ୍ତର ଦେଲା “ଏହି ବନ କୁବେରଙ୍କର । ଏହି ସ୍ଥାନରେ ମାନବଙ୍କର ପ୍ରବେଶ ନିଷେଧ । କୁବେରଙ୍କଠାରୁ ଅନୁମତି ଆଣି, ଆପଣଙ୍କ ଇଚ୍ଛା ମୁତାବକ ପୁଷ୍ପ ନେଇପାରନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ