“କୁବେର କେଉଁଠାରେ ଅଛନ୍ତି, ତାଙ୍କୁ ଖୋଜିବାକୁ ମୋର ସମୟ ନାହିଁ । କେତୋଟି ପୁଷ୍ପ ନେବାପାଇଁ ତାଙ୍କର ଅନୁମତି ଭିକ୍ଷା କରିବି? ଏହା ମୋ ଦ୍ୱାରା ହୋଇପାରିବ ନାହିଁ । ମୁଁ କ୍ଷତ୍ରୀୟ ହୋଇଥିବାରୁ, ନିଜର ଶକ୍ତିର ପରାକାଷ୍ଠା ଦେଖାଇବା ମୋର ଧର୍ମ । ଏହା ଭଗବାନଙ୍କର ଏକ ଅପୂର୍ବ ସୃଷ୍ଟି ଅଟେ, କୁବେରଙ୍କର ନୁହେଁ ।” ଏତିକି କହି ଭୀମ ସେ ରାକ୍ଷସର କୌଣସି ବାରଣ ନମାନି ସରୋବରରେ ପ୍ରବେଶ କଲେ ।
ରାକ୍ଷସ ଭୀମଙ୍କୁ ଆକ୍ରମଣ କଲା । ଅନ୍ୟ ରାକ୍ଷସ ମଧ୍ୟ ତା’ ସହିତ ଯୋଗ ଦେଇ ଭୀମଙ୍କୁ ପ୍ରତିରୋଧ କଲେ । ଭୀମ ପ୍ରତି ଆକ୍ରମଣ କରି ଗଳା ପ୍ରହାର କଲେ । କିଛି ରାକ୍ଷସ ଧାଇଁ ଯାଇ କୁବେରଙ୍କୁ ଏ ସମ୍ବାଦ ଶୁଣେଇଲେ ।
“ଭୀମଙ୍କୁ ପୁଷ୍ପ ନେବାରେ କୌଣସି ବାଧା ଦିଅନାହିଁ । ଏଥିରେ ମୋର କୌଣସି ଆପତ୍ତି ନାହିଁ ।” କୁବେର ରାକ୍ଷସମାନଙ୍କୁ ଏପରି ଆଦେଶ ଦେଲେ । ଭୀମ ଅନେକଗୁଡିଏ ପୁଷ୍ପ ସଂଗ୍ରହ କରି ସେଠାରୁ ଫେରିଲେ ।
ଧର୍ମରାଜ, ଭୀମଙ୍କୁ ନିକଟରେ ଦେଖିବାକୁ ନପାଇ ଦ୍ରୌପଦୀଙ୍କୁ ଭୀମଙ୍କର ଅନୁପସ୍ଥିତିର କାରଣ ପଚାରିଲେ । ଦ୍ରୌପଦୀ ଭୀମଙ୍କୁ ସୁଗନ୍ଧିକା ପୁଷ୍ପ ସଂଗ୍ରହ ପାଇଁ ପଠାଇଥିବା ବିଷୟ ଧର୍ମରାଜଙ୍କୁ କହିଲେ ।
ଏହି ସମୟରେ ଘଟୋତ୍କଚ ସେଠାରେ ପହଁଚିବାରୁ, ସେ ଦ୍ରୌପଦୀ ଓ ଅନ୍ୟ ପାଣ୍ଡବଙ୍କୁ ଭୀମଙ୍କ ପାଖକୁ ଘେନିଗଲେ । ଭୀମ ଦ୍ରୌପଦୀଙ୍କୁ ସୁଗନ୍ଧିକା ପୁଷ୍ପ ପ୍ରଦାନ କଲେ । ପାଣ୍ଡବଗଣ ଅର୍ଜୁନଙ୍କ ଫେରିବା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଧନ ପର୍ବତ ଅଂଚଳରେ ଅବସ୍ଥାନ କରିବାର ଅନୁମତି କୁବେରଙ୍କ ଠାରୁ ଆଣିଲେ । ଘଟୋତ୍କଚ ସମସ୍ତଙ୍କୁ ନରନାରାୟଣଙ୍କ ଆଶ୍ରମ ପର୍ଯ୍ୟନ୍ତ ଘେନିଗଲେ ଓ ସେଠାରୁ ଅନୁମତି ଭିକ୍ଷା କରି ଫେରିଗଲେ ।
ଇତି ମଧ୍ୟରେ ଜଟାସୁର ନାମକ ଏକ ରାକ୍ଷସ ବ୍ରାହ୍ମଣର ଛଦ୍ମରୂପ ଧାରଣ କରି ଧର୍ମରାଜଙ୍କ ନିକଟକୁ ଆସିଲା । ତା’ର ଉଦ୍ଧେଶ୍ୟ – ଦ୍ରୌପଦୀଙ୍କୁ ହରଣ କରିବା । ସେ ନିଜକୁ ପର୍ଶୁରାମଙ୍କ ଶିଷ୍ୟ ରୂପେ ପରିଚୟ ଦେଇ, ନିଜେ ସବୁ ଶାସ୍ତ୍ରରେ ନିପୁଣ ଓ ଅସ୍ତ୍ର ବିଦ୍ୟାରେ ପାରଙ୍ଗମ ବୋଲି ବର୍ଣ୍ଣନା କଲା । ଧର୍ମରାଜ ତା’ର କଥା ବିଶ୍ୱାସ କରି, ସେମାନଙ୍କ ସହିତ ରହିବାପାଇଁ ତାକୁ ଅନୁମତି ଦେଲେ ।
ଦିନେ ଭୀମ ଶିକାର ଉଦ୍ଧେଶ୍ୟରେ ଯାଇଥାନ୍ତି । ରୋମେଶ, ଧୌମ୍ୟ ଓ ଅନ୍ୟ ମୁନିଗଣ, ନିଜର ଦୈନନ୍ଦିନ ଆବଶ୍ୟକତାର ଯୋଗାଡରେ ଅରଣ୍ୟକୁ ଯାଇଥାନ୍ତି । ଏହି ଅବସରରେ ଜଟାସୁର ପାଣ୍ଡବଙ୍କର ଅସ୍ତ୍ରଶସ୍ତ୍ରକୁ ଲୁଚାଇ ଦେଲା । ତିନିପାଣ୍ଡବ ଓ ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ପଳାୟନ କରିବାକୁ ସେ ଚେଷ୍ଟାକଲା । ସହଦେବ, କୌଣସି ପ୍ରକାରରେ ସେ ରାକ୍ଷସ ହାତରୁ ଖସି ଆସି, ଲୁଚାଇ ରଖା ଯାଇଥିବା ଅସ୍ତ୍ର ମଧ୍ୟରୁ ଖଣ୍ଡିଏ ତରବାରୀ ପାଇବାରେ ସମର୍ଥ ହେଲେ । ବଡପାଟିରେ ସେ ଭୀମଙ୍କ ନାମ ଧରି ଚିତ୍କାର କରି ରାକ୍ଷସ ପଛେ ପଛେ ଧାଇଁଲେ ।
ଧର୍ମରାଜ ସେହି ରାକ୍ଷସକୁ କହିଲେ, “ଆରେ ମୂର୍ଖ, ତୁ ଏପରି ଅଧର୍ମ କାଣ୍ଡ କାହିଁକି କରୁଛୁ? ନିଜକୁ ବଳବାନ ଭାବୁଥିଲେ ଆମକୁ ଆମର ଅସ୍ତ୍ରଶସ୍ତ୍ର ଫେରାଇଦେଇ ଆମ ସହିତ ସମ୍ମୁଖ ଯୁଦ୍ଧ କର । ଆମ୍ଭେ ତ ତୋର ଏପରି କିଛିବି କ୍ଷତି କରିନାହୁଁ, ଯାହାର ପ୍ରତିବଦଳରେ ତୁ ଏତେବଡ ଅନ୍ୟାୟ କରୁଛୁ । ଆମେ ତତେ ଅତିଥିର ସମ୍ମାନ ଦେଇ ଆଶ୍ରୟ ଦେଇଥିଲୁ ।”
ସହଦେବ କହିଲେ, “ତାକୁ କୌଣସି କଥା ବୁଝାଇବା ନିରର୍ଥକ । ଆମେ ତାହାକୁ ମାରିବା, କିମ୍ବା ତା’ ହାତରେ ମରିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ ।” ଏପରି କହି ସହଦେବ ରାକ୍ଷସକୁ ଆକ୍ରମଣ କରିବା ସମୟରେ, ଭୀମ ଆସି ସେଠାରେ ପହଁଚିଗଲେ । ଜଟାସୁର, ଧର୍ମରାଜ, ନକୁଳ ଓ ଦ୍ରୌପଦୀଙ୍କୁ କାନ୍ଧରୁ ଓହ୍ଲାଇଦେଇ ଭୀମଙ୍କ ସହିତ ଲଢେଇ କରିବାକୁ ଆରମ୍ଭ କଲା । ଅସୁର ବଳହୀନ ହେବା ପର୍ଯ୍ୟନ୍ତ ଭୀମ ତା’ ସହିତ ମଲ୍ଲଯୁଦ୍ଧ କଲେ ।
ଶେଷରେ ତା’କୁ ଭୀମ ଉପରକୁ ଉଠାଇ, ଚତୁର୍ଦ୍ଦିଗରେ ଘୁରାଇ ଭୂମିରେ କଚାଡି ଦେଲେ । ଏପରି ଭାବେ ସେ ରାକ୍ଷସର ମୃତ୍ୟୁ ହେଲା । ତା’ପରେ ଭୀମ ଧର୍ମରାଜଙ୍କୁ କହିଲେ, “ଆପଣ ସମସ୍ତଙ୍କୁ ସହଜରେ ବିଶ୍ୱାସ କରୁଛନ୍ତି । ଆପଣଙ୍କର ଏହି ସରଳତାର ସୁଯୋଗରେ ରାକ୍ଷସ ଏପରି କାଣ୍ଡ କରୁଥିଲା । ମୁଁ ଆଜି ଏଠି ଠିକ୍ ସମୟରେ ପହଁଚି ନ ଥିଲେ, ଆପଣମାନଙ୍କର ଅବସ୍ଥା ଯେ କ’ଣ ହୋଇଥାଆନ୍ତ? ମୁଁ ଅର୍ଜୁନକୁ କଣ ଉତ୍ତର ଦେଇଥାଆନ୍ତି?” ଧର୍ମରାଜ ତାଙ୍କୁ ଅଧୀର ନ ହେବା ପାଇଁ ଉପଦେଶ ଦେଲେ ।