ସେହି ସମୟରେ ଦେବତାଙ୍କ ଡରରେ ଦାନବଗଣ ପାତାଳ ପୁରୀରେ ଯାଇ ଆତ୍ମଗୋପନ କରିଥାନ୍ତି । ସେମାନେ ଜାଣିଗଲେ ଯେ, ଦୁର୍ଯ୍ୟୋଧନ ଉପବାସ ବ୍ରତ ଆରମ୍ଭ କରିଛନ୍ତି । ସେମାନେ ଇଚ୍ଛାକଲେ, ଦୁର୍ଯ୍ୟୋଧନଙ୍କୁ ନିଜ ପାଖକୁ ଡାକିନେବେ ଓ ଉପଯୁକ୍ତ ପରାମର୍ଶ ଦେବେ । ଏହି ଉଦ୍ଧେଶ୍ୟରେ ସେମାନେ ଏକ ଅଗ୍ନିକୁଣ୍ଡ ସ୍ଥାପନ କରି, ଅଥର୍ବବେଦ ପାଠ କଲେ ଓ ଦୁଗ୍ଧ ଆହୁତି ଦେଇ ହୋମ ଆରମ୍ଭ କଲେ । ସେହି ଅଗ୍ନିରୁ ‘କୃତ୍ୟା’ ନାମକ ଏକ ରାକ୍ଷସ ଉତ୍ପନ୍ନ ହେଲା ଓ ଦାନବଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲା, “ତୁମମାନଙ୍କୁ ମୁଁ କିପରି ସାହାଯ୍ୟ କରିପାରିବି, ତାହା ପ୍ରକାଶ କର ।”
“ଭୂଲୋକରେ ଦୁର୍ଯ୍ୟୋଧନ ଉପବାସ ବ୍ରତ ଆରମ୍ଭ କରିଛି । ତାକୁ ଏହି ପାତାଳଲୋକକୁ ସ୍ୱଶରୀରରେ ଘେନି ଆସ ।” ଦାନବଙ୍କର ଏପରି ଆଦେଶ ପାଇ କୃତ୍ୟା ତତ୍କ୍ଷଣାତ୍ ତାହା ପାଳନ କରି ଦୁର୍ଯ୍ୟୋଧନଙ୍କୁ ପାତାଳଲୋକକୁ ନେଇ ଆସିଲା ।
ସାରାରାତି ଦୁର୍ଯ୍ୟୋଧନଙ୍କୁ ସେ ଦାନବମାନେ ନିଜ ପାଶ୍ୱର୍ରେ ବସାଇ, ତାଙ୍କର ସମସ୍ତ ପ୍ରକାର ମନୋରଞ୍ଜନ ବ୍ୟବସ୍ଥା କଲେ ଓ କହିଲେ, “ତୁମେ ତ ଜଣେ ଉତ୍ତମ କ୍ଷତ୍ରିୟ । ହେଲେ କ୍ଷତ୍ରିୟ ଧର୍ମକୁ ପରିତ୍ୟାଗ କରି ଏହି ଉପବାସ ଦୀକ୍ଷା ତୁମେ କାହିଁକି ଗ୍ରହଣ କରୁଛ? ଏହା ଫଳରେ ତୁମକୁ ଆତ୍ମହତ୍ୟା ପାପ ଗ୍ରାସ କରିବ । ସାର ହେବ, କିଛି ସୁଖ ବା ଗୌରବର ପ୍ରଶ୍ନ ଉଠୁନାହିଁ । ଶତ୍ରୁଙ୍କୁ ଆନନ୍ଦିତ କରିବା ପରି ଏହି କାର୍ଯ୍ୟ ବନ୍ଦ କର । ତୁମର ଏହି ବଜ୍ର କଠୋର ଶରୀର ଈଶ୍ୱରଙ୍କର ଏକ ବରଦାନ ଅଟେ । ତୁମ ଶରୀରର ନିମ୍ନଭାଗ ଆମେ ସୃଷ୍ଟି କରିଛୁ । ତୁମେ କୌଣସି ସାଧାରଣ ମାନବ ନୁହଁ । ଯୁଦ୍ଧ ସମୟରେ ଯେଉଁମାନେ ସବୁ ତୁମ ପକ୍ଷରେ ରହି ଲଢିବେ, ସେମାନେ ସମସ୍ତେ ଆମମାନଙ୍କର ଅଂଶ ଅଟନ୍ତି । ତୁମର ସଖା କର୍ଣ୍ଣ ନରକାସୁରର ଏକ ଅଂଶ ଅଟେ । ତେଣୁ ତୁମେ ଏହି ବୃଥା ଭାବନା ତ୍ୟାଗ କରି, ନିର୍ଭୟରେ ରାଜ୍ୟ କାର୍ଯ୍ୟ ପରିଚାଳନା କର । ଯେଉଁଦିନ ପାଣ୍ଡବମାନଙ୍କର ବିଲୋପ ଘଟିବ, ଖାଲି ସେହିଦିନକୁ ପ୍ରତୀକ୍ଷା କର ।” ଏପରି ବାଣୀ ଦୁର୍ଯ୍ୟୋଧନଙ୍କ ଅଶାନ୍ତ ତଥା ଉତ୍ତପ୍ତ ମନକୁ ଅନେକାଂଶରେ ଶୀତଳ କଲା । ତା’ ମନରେ ଉତ୍ସାହ ସଂଚରି ଉଠିଲା । କୃତ୍ୟା ପୂର୍ବପରି ତାଙ୍କୁ ଆଣି ଭୂଲୋକର ସେହି କୁଶାସନ ଉପରେ ବସାଇ ଦେଇ ଚାଲିଗଲା ।
ପ୍ରଭାତ ସମୟକୁ ଦୁର୍ଯ୍ୟୋଧନଙ୍କୁ ମନେହେଲା, ସତେ ଯେପରି ସେ ଏକ ସ୍ୱପ୍ନ ଦେଖୁଥିଲେ । ସେ ଏହି ବିଷୟ କାହା ଆଗରେ କିଛି ପ୍ରକାଶ କଲେ ନାହିଁ ।
ଦୁର୍ଯ୍ୟୋଧନଙ୍କ ମାନସିକ ପରିବର୍ତ୍ତନ କର୍ଣ୍ଣ ତଥା ଅନ୍ୟମାନଙ୍କ ମନରେ ପ୍ରସନ୍ନତା ଆଣିଦେଲା । ପରିବାରବର୍ଗଙ୍କୁ ସଙ୍ଗରେ ଧରି ଦୁର୍ଯ୍ୟୋଧନ ମହା ଆଡମ୍ବରରେ ହସ୍ତିନାପୁର ପ୍ରତ୍ୟାବର୍ତ୍ତନ କଲେ ।
କୁରୁସଭାରେ ସମସ୍ତଙ୍କ ଉପସ୍ଥିତିରେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଭତ୍ସର୍ନା କରି କହିଲେ, “ଆମ୍ଭମାନଙ୍କର ବାରଣ ନ ମାନି, ଘୋଷଯାତ୍ରାର ଆଡମ୍ବର ଦେଖାଇବାକୁ ଯାଇ, ଅପମାନିତ ଓ ପରାଜିତ ହେଲ । ଧର୍ମରାଜ ତୁମର ସମ୍ମାନ ରକ୍ଷା କରି ଉଦାର ବ୍ୟବହାର ପୋଷଣ କଲେ । କର୍ଣ୍ଣ ପାଇଁ ତୁମେ ଏହି ମହାନ୍ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଆଚରଣ କରିଛ । କିନ୍ତୁ ତୁମର ସେହି ପ୍ରିୟସଖା କର୍ଣ୍ଣ, ତୁମକୁ ଗନ୍ଧର୍ବଙ୍କ ହାତରେ ଛାଡିଦେଇ, ସ୍ୱୟଂ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ଏବେ ବି ସମୟ ଅଛି, ପାଣ୍ଡବଙ୍କ ସହିତ ସ୍ନେହସମ୍ପର୍କ ସ୍ଥାପନ କରି ନିଜର କୁଳ ରକ୍ଷା କର ।”
ତାଙ୍କ କଥାକୁ ଦୁର୍ଯ୍ୟୋଧନ ହସରେ ଉଡାଇ ଦେଲେ ଓ କର୍ଣ୍ଣ, ଶକୁନି ଦୁଃଶାସନ ଆଦିଙ୍କୁ ନିଜ ସଙ୍ଗରେ ଧରି ସେ ସଭାସ୍ଥଳ ପରିତ୍ୟାଗ କଲେ । କିନ୍ତୁ ଭୀଷ୍ମଙ୍କ କଥାରେ କର୍ଣ୍ଣ ଲଜ୍ଜିତ ଅନୁଭବ କରି, ମୁଣ୍ଡ ତଳକୁ କରିଦେଲେ । ସେ ଧରିନେଲେ ଯେ, ତାଙ୍କୁ ଅପମାନିତ କରିବା ଭୀଷ୍ମଙ୍କର ଉଦ୍ଧେଶ୍ୟ ଥିଲା । ସେ ଦୁର୍ଯ୍ୟୋଧନଙ୍କୁ କହିଲେ, “ରାଜନ୍ ମୋତେ ସୈନ୍ୟବଳ ପ୍ରଦାନ କରନ୍ତୁ । ଭୀମ, ଅର୍ଜୁନ, ନକୁଳ, ସହଦେବ ଏ ଚାରିଜଣ ମିଶି ଯେତେ ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି, ମୁଁ ଏକାକୀ ଏହାଠାରୁ ଅଧିକ ରାଜ୍ୟ ଦଖଲ କରି ତୁମକୁ ସମର୍ପଣ କରିବି । ତେବେ ଯାଇ, ସେହି ବୃଦ୍ଧ ଭୀଷ୍ମ ମୋ ସମ୍ବନ୍ଧରେ ଏପରି ଭୀରୁତାପୂର୍ଣ୍ଣ ବାକ୍ୟ ଆଉ କେବେବି ମଧ୍ୟ ଉଚ୍ଚାରଣ କରିପାରିବ ନାହିଁ । ଏହା ମୋର ସମ୍ମାନ ଫେରେଇ ଆଣିବା ସହିତ, ମୋର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ସୁଯୋଗ ପ୍ରଦାନ କରିବ ।” ଦୁର୍ଯ୍ୟୋଧନ ଏଥିରେ ସମ୍ମତ ହେଲେ ।
ସେନାବାହିନୀଙ୍କୁ ସଙ୍ଗରେ ନେଇ କର୍ଣ୍ଣ ପ୍ରଥମେ ଦ୍ରୁପଦ ରାଜ୍ୟକୁ ପରାସ୍ତ କରି ସେଠାରୁ କର ଆଦାୟ କଲେ । ଏହାପରେ ଉତ୍ତରଦିଗରେ ଯାତ୍ରା କରି ସେ ଅଙ୍ଗ, ବଙ୍ଗ, କଳିଙ୍ଗ, ମଗଧ, ମତ୍ସ୍ୟ, କୋଶଳ ଆଦି ଦେଶର ଶାସକଙ୍କୁ ପରାଜିତ କରି ସେମାନଙ୍କଠାରୁ କର ଆଦାୟ କଲେ । ତତ୍ପରେ ଦକ୍ଷିଣ ଦିଗରେ ଜୟଯାତ୍ରା କରି, ସେ ଆହୁରି ଅନେକ ରାଜାଙ୍କୁ ପରାସ୍ତ କଲେ । କୁଣ୍ଡିନ ନଗରୀର ରାଜା ରୁକ୍ମୀ ବିନାଯୁଦ୍ଧରେ କର୍ଣ୍ଣଙ୍କ ସହିତ ସନ୍ଧିସ୍ଥାପନ କଲେ । ଏହିପରି ସଫଳ ଦିଗ୍ବିଜୟ ଯାତ୍ରା ସମାପ୍ତ କରି ହସ୍ତିନାକୁ ସେ ଫେରିଆସିଲେ ।
ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ଭୀଷ୍ମ, ଦ୍ରୋଣ, ବାହ୍ଲିକ ଆଦି କେତେ ବୀର ମୋ ପକ୍ଷରେ ଥାଇ ମଧ୍ୟ, ତୁମେ ଯାହା କାର୍ଯ୍ୟରେ କରି ଦେଖାଇଲ ସେପରି ଆଉ କେହିବି କରିନାହାଁନ୍ତି । ତୁମେ ହିଁ ମୋର ପ୍ରକୃତ ମିତ୍ର ।”