କର୍ଣ୍ଣଙ୍କ ଦିଗ୍ବିଜୟ ପରେ, ଦୁର୍ଯ୍ୟୋଧନଙ୍କ ମୁଣ୍ଡରେ ପୁଣି ଏକ ଦୁର୍ବୁଦ୍ଧି ଜାତ ହେଲା ଯେ, ସେ ଏକ ରାଜସୂୟ ଯଜ୍ଞ କରିବେ । ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରି ସେ ରତ୍ୱିକ ମାନଙ୍କୁ ଯଜ୍ଞାନୁଷ୍ଠାନ ପାଇଁ ଡକାଇଲେ ।
କିନ୍ତୁ ରତ୍ୱିକ ଗଣ ଆପତ୍ତି କରି କହିଲେ, “ପାଣ୍ଡବମାନଙ୍କ ଉପରେ ବିଜୟ ହାସଲ କରିବା ପରେ ଯାଇ ତୁମେ ରାଜସୂୟ ଯଜ୍ଞ କରିବା ପାଇଁ ସମର୍ଥ ହେବ । ଏହା ବ୍ୟତୀତ ତୁମର ପିତା ଏବେସୁଦ୍ଧା ଜୀବିତ ଅଛନ୍ତି । ତେଣୁ ତାଙ୍କ ଜୀବନକାଳ ମଧ୍ୟରେ ତୁମକୁ ଚକ୍ରବର୍ତ୍ତୀ ବୋଲାଇବାର ଅଧିକାର ମିଳିବ ନାହିଁ । ଯଜ୍ଞ କରିବାକୁ ଚାହୁଁଥିଲେ, ରାଜସୂୟ ସମାନ ଅନ୍ୟ ଏକ ଯଜ୍ଞ ‘ବୈଷ୍ଣବ ଯଜ୍ଞ’ ତୁମେ କରିପାର ।”
ଦୁର୍ଯ୍ୟୋଧନ ରତ୍ୱିକଗଣଙ୍କର ଏହି ପରାମର୍ଶ ନିଜର ଭାତୃବୃନ୍ଦ, କର୍ଣ୍ଣ ଓ ଶକୁନିକୁ ଜଣାଇଲେ । ସେମାନଙ୍କର ସହମତିରେ ବୈଷ୍ଣବଯଜ୍ଞର ଆୟୋଜନ କରାଗଲା । ନଗରର ବାହାରେ ସେମାନେ ଏକ ଯଜ୍ଞଶାଳା ନିର୍ମାଣ କଲେ । ସେହି ସମୟରେ ପାଣ୍ଡବଗଣ ଦ୍ୱୈତବନରେ ରହୁଥିଲେ । ଜଣେ ଦୂତଙ୍କୁ ପ୍ରେରଣ କରି ଦୁର୍ଯ୍ୟୋଧନ ଏହି ସମାଚାର ଯୁଧିଷ୍ଠିରଙ୍କୁ ଜଣାଇଲେ । ଧର୍ମରାଜ ସେହି ଦୂତକୁ କହିଲେ, “ଆମ୍ଭର ଭ୍ରାତା ଦୁର୍ଯ୍ୟୋଧନଙ୍କର ଯଜ୍ଞାନୁଷ୍ଠାନର ସମାଚାର ଶୁଣି ଆମେ ଅତି ଆନନ୍ଦିତ । କିନ୍ତୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଆମେ ସେହି ଯଜ୍ଞରେ ଭାଗ ନେବାପାଇଁ ହସ୍ତିନାପୁର ଯାଇ ପାରିବୁ ନାହିଁ । ଏହାଦ୍ୱାରା ଆମର ବନବାସ ଦୀକ୍ଷା ଭଗ୍ନ ହେବ ।”
ବୈଷ୍ଣବ ଯଜ୍ଞ ବିନା ବାଧାବିଘ୍ନରେ ସମ୍ପନ୍ନ ହୋଇଗଲା । ଏହି ଅବସରରେ ଦୁର୍ଯ୍ୟୋଧନଙ୍କୁ ଅଭିନନ୍ଦନ ଜଣାଇ କର୍ଣ୍ଣ କହିଲେ, “ଆଗାମୀ ଯୁଦ୍ଧରେ ମୁଁ ପାଣ୍ଡବଗଣଙ୍କୁ ମୃତ୍ୟୁଲୋକରେ ପହଁଚାଇବି ଓ ତୁମଦ୍ୱାରା ରାଜସୂୟ ଯଜ୍ଞ ବି କରାଇବି ।”
ପାଣ୍ଡବ ଦ୍ୱୈତବନରେ ଦୀର୍ଘକାଳ ଅବସ୍ଥାପନ କଲେ । ସେମାନଙ୍କର ଶିକାର କାରଣରୁ ଅରଣ୍ୟରୁ ପଶୁସଂଖ୍ୟା ଦିନକୁ ଦିନ ହ୍ରାସ ପାଇଲା । ଏହା ଲକ୍ଷ୍ୟ କରି ଧର୍ମରାଜ ତାଙ୍କ ଭାଇମାନଙ୍କ ସହିତ କାମ୍ୟକବନ ଚାଲିଆସିଲେ ଓ ଫଳାହାର କରି ଜୀବନନିର୍ବାହ କରିବା ପାଇଁ ନିଷ୍ପତି ନେଲେ ।
ଏପରି ବନବାସର ଏକାଦଶ ବର୍ଷ ସମାପ୍ତ ହେଲା । ସମୟେ ସମୟେ ଧର୍ମରାଜ ନିଜର କୃତକର୍ମ ପାଇଁ ଅନେକ ମନସ୍ତାପ କରୁଥାନ୍ତି ଯେ, ସେ ଯେବେ ପଶା ଖେଳି ନ ଥାନ୍ତେ, ତେବେ ତାଙ୍କର ଭ୍ରାତା ଓ ଦ୍ରୌପଦୀଙ୍କୁ ଆଜି ଏପରି ଦୁଃସହ କଷ୍ଟ ଭୋଗିବାକୁ କେବେବି ପଡି ନ ଥାନ୍ତା । ଭବିଷ୍ୟତ କଥା ଭାବିଲେ, ତାଙ୍କ ସ୍ମରଣକୁ କର୍ଣ୍ଣଙ୍କର ପାଣ୍ଡବଙ୍କୁ ବଧ କରିବାର ଅଟଳ ପ୍ରତିଜ୍ଞା ଆସୁଥାଏ । ଏହି ସବୁ ଦୁଃଶ୍ଚିନ୍ତାରେ ତାଙ୍କୁ ରାତ୍ରିରେ ନିଦ୍ରା ଆଉ ମଧ୍ୟ ଆସୁ ନ ଥାଏ ।
ଥରେ ବ୍ୟାସଦେବ ସେମାନଙ୍କୁ ଭେଟିବା ପାଇଁ କାମ୍ୟକବନରେ ଯାଇ ପହଁଚିଲେ । ଦେଖିଲେ, ପାଣ୍ଡବମାନେ ହତୋତ୍ସାହିତ ଓ ବଳହୀନ ହୋଇ ପଡିଛନ୍ତି । ସେ ସେମାନଙ୍କୁ ଧୈର୍ଯ୍ୟ ପ୍ରଦାନ କରି ଭବିଷ୍ୟବାଣୀ କରି କହିଲେ, ତେରବର୍ଷର ଏହି ବନବାସ ଯୋଗ ସଫଳତାର ସହିତ କଟିଯିବା ପରେ, ତୁମ୍ଭମାନଙ୍କୁ ନିଶ୍ଚୟ ରାଜ୍ୟ ପ୍ରାପ୍ତ ହେବ ।
ଅରଣ୍ୟରେ ନାନାଦି ଦୁଃଖ ଯାତନାରେ ପାଣ୍ଡବ ମାନଙ୍କର ସମୟ ବିତୁଥିବା ବେଳେ, ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଆଦି ବିଭିନ୍ନ ଯୋଜନାରେ ଲାଗି ପଡିଥାନ୍ତି ଯେ କିପରି ସେମାନଙ୍କର ବନବାସ ଦୀକ୍ଷା ଭଗ୍ନ ହେବ ଓ ସେମାନଙ୍କୁ ଅଧିକରୁ ଅଧିକ କଷ୍ଟ ଦିଆଯାଇପାରିବ ।
ଏହି ସମୟରେ, ଦୁର୍ବାସା ମହାମୁନି ତାଙ୍କର ଦଶହଜାର ଶିଷ୍ୟଙ୍କୁ ସାଥିରେ ଆଣି ହସ୍ତିନାପୁର ଠାରେ ଆସି ପହଁଚିଲେ । ମହାମୁନି ଦୁର୍ବାସା ତ ତାଙ୍କର କ୍ରୋଧୀ ସ୍ୱଭାବ ପାଇଁ ପ୍ରସିଦ୍ଧ । ତାଙ୍କର ଆତିଥ୍ୟରେ ସାମାନ୍ୟତମ ତ୍ରୁଟି ପରିଲକ୍ଷିତ ହେଲେ ସେ ଅଭିଶାପ ଦେବେ । ତେଣୁ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ ଅତି ସାବଧାନତାର ସହିତ ତାଙ୍କର ସେବା କରୁଥାନ୍ତି ।