ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ସେତେବେଳେ ଧୃଷ୍ଟଦ୍ୟୁମ୍ନ ସେ ସଭାରେ ଛିଡା ହୋଇ ବ୍ୟଙ୍ଗସ୍ୱରରେ କହିଲେ, “ହେ ରାଜା ଓ ରାଜକୁମାରଗଣ, ଆଜିର ଏହି ଘଟଣାବଳୀ ଦେଖି ମୋର କାହିଁ ମନେହେଉଛି ଆମ ଦେଶ ବୀରହୀନ ହୋଇପଡିଛି । ଯୋଉଥିପାଇଁ କେହି ଜଣେ ହେଲେ ବି ମତ୍ସ୍ୟଯନ୍ତ୍ରଙ୍କୁ ଆଜି ଜିତି ପାରିଲେ ନାହିଁ । ଏବେ ମୁଁ ଘୋଷଣା କରୁଛି ଯେ କ୍ଷତ୍ରିୟଙ୍କ ବ୍ୟତୀତ ଅନ୍ୟ କେହି ଯଦି ଏହାକୁ ଜୟ କରିପାରିବ, ତେବେ ମୁଁ ମୋର ଭଗ୍ନୀକୁ ତାହାରି ହାତରେ ସମର୍ପଣ କରିବି ।”

ଏକଥା ଶୁଣିବା ମାତ୍ରେ ସେ ବ୍ରାହ୍ମଣମାନଙ୍କ ମଧ୍ୟରୁ ବ୍ରାହ୍ମଣରୂପୀ ଅର୍ଜୁନ ବାହାରିଲେ । ଏହା ଦେଖି ବ୍ରାହ୍ମଣମାନେ କହିଲେ, “ଯେଉଁଠି ବଡ ବଡ ଯୋଦ୍ଧାମାନେ ହାରିଯାଉଛନ୍ତି, ସେଠାରେ ଏ ଭିକ୍ଷୁ ବ୍ରାହ୍ମଣ କିପରି ଜିତିବ ବୋଲି ଭାବି ସେଠାକୁ ଯାଉଛି । ଏହାର ଫଳସ୍ୱରୂପ କେବଳ ବ୍ରାହ୍ମଣମାନଙ୍କର ଅପମାନହିଁ ହେବ ।” ରାଜାମାନେ ମଧ୍ୟ ବ୍ରାହ୍ମଣର ଏହି ଔଧତ୍ୟ ଦେଖି ହସି ଉଡାଇଲେ ।

ଅର୍ଜୁନ ଅଳ୍ପ ହସି ମତ୍ସ୍ୟଯନ୍ତ୍ର ପାଖକୁ ଗଲେ । ସେଠାରେ ସଭାକୁ ସେ ପ୍ରଣାମ କରି ଗୁରୁଙ୍କୁ ସ୍ମରଣ କରି ପ୍ରଣାମ କଲେ ତା’ପରେ ଅନାୟାସରେ ପାଂଚଟି ବାଣ ବିନ୍ଧି ସେ ପଣ ଜିତିଲେ । ପ୍ରଥମେ ତ କେହି କିଛି ହେଲେବି କହିଲେ ନାହିଁ, ସାରା ସଭା ଯେମିତି ନିସ୍ତବ୍ଧ ହୋଇଗଲା । ଏହି ଘଟଣା ଦେଖି ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ଦ୍ରୁପଦ ଓ ତାଙ୍କ ପରିବାରର ଅନ୍ୟମାନେ ହର୍ଷଧ୍ୱନି କଲେ । ତେଣେ ମଙ୍ଗଳବାଦ୍ୟ ବାଜି ଉଠିଲା । ସମସ୍ତେ ହର୍ଷୋତ୍ଫୁଲ୍ଲ ଦେଖାଗଲେ । ଦ୍ରୁପଦ ଅତି ସ୍ନେହରେ ଅର୍ଜୁନଙ୍କୁ କେବଳ ଦେଖୁଥା’ନ୍ତି ।

ରାଜାମାନେ ଏହି ଘଟଣାକୁ ନିଜ ପାଇଁ ଅପମାନବୋଧ କଲେ । ସେମାନେ କହିଲେ, “ରାଜା ଦ୍ରୁପଦ ଏପରି କ’ଣ କଲେ । ଅନ୍ତତଃ କର୍ଣ୍ଣ ତ ଜିତି ପାରିଥାନ୍ତେ । ତାଙ୍କୁ ଦ୍ରୌପଦୀ ବାରଣ କଲେ । ପୁଣି ଇଏ କି ପ୍ରକାରର ନାଟକ । ଆମେ ଏତେ କ୍ଷତ୍ରିୟ ରାଜା, ରାଜକୁମାର ଥାଉ ଥାଉ ଏକ ବ୍ରାହ୍ମଣ ଯୁବକ କିପରି ତାଙ୍କୁ ବାହା ହୋଇ ନେଇଯିବ ଆଉ ଆମେ ଚୁପ୍ ହୋଇ ବସିବା? ଆମ କଥାରେ ଦ୍ରୁପଦ ରାଜି ନହେଲେ ଶେଷକୁ ଦ୍ରୌପଦୀଙ୍କୁ ନେଇ ସେହି ଯଜ୍ଞ କୁଣ୍ଡରେ ପକାଇବା । କାରଣ ଯେଉଁଠୁ ଯାଜ୍ଞସେନୀଙ୍କର ଜନ୍ମ ବରଂ ସେହିଠାକୁହିଁ ସେ ଫେରିଯା’ନ୍ତୁ । ନହେଲେ ଆମ ମଧ୍ୟରୁ ସେ କାହାକୁ ଜଣକୁ ହେଲେ ବାଛନ୍ତୁ । ଯୁବକ ତ ବ୍ରାହ୍ମଣ; ତାକୁ ଅଗ୍ନିରେ ଜଳାଇ ମାରିଲେ ପାପ ହେବ ।”

ତା’ପରେ ସେମାନେ ବାଣବର୍ଷଣ କରିବାରେ ଲାଗିଲେ ବିଶେଷତଃ ଦୁର୍ଯ୍ୟୋଧନ ବଂଶ । ଏକା ଅର୍ଜୁନହିଁ ସେସବୁକୁ ନିଜ ବାଣ ଦ୍ୱାରା ପ୍ରତିହତ କରୁଥା’ନ୍ତି । ଭୀମ ମଧ୍ୟ ଅର୍ଜୁନକୁ ଏଥିରେ ସାହାଯ୍ୟ କଲେ । ଶେଷକୁ ଭୀମ ଦ୍ରୁମଟିଏ ଉପାଡି ଆଣି ସେମାନଙ୍କ ଉପରକୁ ଫିଙ୍ଗିଲେ, ବ୍ରାହ୍ମଣମାନେ ରାଜାମାନଙ୍କ ଉପରକୁ ଟେକାପଥର ଫିଙ୍ଗିଲେ । ଇତିମଧ୍ୟରେ କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । କର୍ଣ୍ଣ ଯେତେ ଚେଷ୍ଟା କରି ମଧ୍ୟ ଅର୍ଜୁନଙ୍କୁ ଜିତିପାରିଲେ ନାହିଁ । ଶେଷକୁ ସେ କର୍ଣ୍ଣ କହିଲେ, “ହେ ବ୍ରାହ୍ମଣ, ତୁମର ଏଭଳି ଯୁଦ୍ଧକୌଶଳ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଉଛି । ଏହି ପୃଥିବୀ ଉପରେ ମୋର ସମାସ୍କନ୍ଧ ବୀର ହେଉଛି କେବଳ ଜଣେ । ସେ ହେଲା ଅର୍ଜୁନ । କିନ୍ତୁ ତୁମେ କିଏ?” ଏହା ଶୁଣି ଅର୍ଜୁନ ନୀରବ ରହିଲେ । କର୍ଣ୍ଣ ଆଉ ଅଯଥାରେ ବାଣ ନଷ୍ଟ କରିବାକୁ ଚାହିଁଲେ ନାହିଁ । ଏତିକିରେ ସେ ତାଙ୍କ ଯୁଦ୍ଧ ବନ୍ଦ କରିଦେଲେ । ତେଣେ ଭୀମ ଓ ଶଲ୍ୟ ଭୟଙ୍କର ଦ୍ୱନ୍ଦ୍ୱ ଯୁଦ୍ଧରେ ଲାଗି ରହିଥିଲେ । ଶେଷକୁ ଭୀମ ଶଲ୍ୟଙ୍କୁ ଧରି ଟେକି କଚାଡି ଦେଲେ । ତାଙ୍କର ଏପରି ଅବସ୍ଥା ଦେଖି ବ୍ରାହ୍ମଣମାନେ ଖାଲି ହାସ୍ୟରୋଳ କଲେ । ତା’ପରେ ସେ ବ୍ରାହ୍ମଣମାନଙ୍କ ସହିତ ଲଢିବାକୁ ଆଉ କେହିବି ସାହସ କଲେ ନାହିଁ । କାରଣ ସେମାନେ ଜାଣିଗଲେ ଯେ ଏମାନେ କୋଉ ସାମାନ୍ୟ ବ୍ରାହ୍ମଣ ନୁହଁନ୍ତି ।

ତା’ପରେ ଶ୍ରୀକୃଷ୍ଣ ସେ ରାଜାମାନଙ୍କୁ କହିଲେ “ଏହି ବ୍ରାହ୍ମଣମାନେ ତ ନ୍ୟାୟପୂର୍ବକ ଦ୍ରୌପଦୀଙ୍କୁ ଜିତିଛନ୍ତି । ତାଛଡା ରାଜାମାନଙ୍କ ସହିତ ଯୁଦ୍ଧ କରି ସେ ସେମାନଙ୍କୁ ହରାଇଛନ୍ତି । ତେଣୁ ସେମାନଙ୍କଠାରୁ ଦୂରେଇ ରହିବା ଉତ୍ତମ । ଏଠାରେ ଅଧିକ ଗୋଳମାଳ କରି ଆଉ କିଛିବି ଲାଭ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ