ଏହାପରେ ଯୁଦ୍ଧ କରିବାରୁ ସମସ୍ତେ କ୍ଷାନ୍ତ ହେଲେ । ଏଣେ କୁନ୍ତୀ କୁମ୍ଭାର ଘରେ ରନ୍ଧାବଢା କରି ତାଙ୍କ ପୁତ୍ରମାନଙ୍କ ବାଟ ଚାହିଁ ବସିଥାନ୍ତି । ସେ ବଡ ଉତ୍କଣ୍ଠିତ ହୋଇ ଭାବିଲେ, ହୁଏତ କୌରବମାନେ ଏମାନଙ୍କୁ ଚିହ୍ନିପକାଇ ଆଉ କିଛି ଉପଦ୍ରବ ବା ଅତ୍ୟାଚାର କରି ନାହାଁନ୍ତି ତ । କିଛି ସମୟ ପରେ ଭୀମ ଓ ଅର୍ଜୁନ ସେଠାକୁ ଆସିଲେ, ସଙ୍ଗରେ ଦ୍ରୌପଦୀ ଘରର ବାହାରେ ଠିଆ ହୋଇ ସେମାନେ କହିଲେ, “ମା’ ଆମେ ଭିକ୍ଷା ନେଇ ଆସିଛୁ ।” କୁନ୍ତୀ ବାହାରକୁ ଉଠି ଆସୁ ଆସୁ କହିଲେ, “ପାଂଚଭାଇ ବାଂଟି ନିଅ ।” ତା’ପରେ ବାହାରେ ଅପୂର୍ବ ରୂପସମ୍ପନ୍ନା ଦ୍ରୌପଦୀଙ୍କୁ ଦେଖି ସେ ସ୍ତମ୍ଭିତ ହୋଇଗଲେ । କିଛି ସମୟ ପରେ ଯୁଧିଷ୍ଠିର, ନକୁଳ ଓ ସହଦେବ ବି ଆସିଲେ । କୁନ୍ତୀ ସମସ୍ତ ବିଷୟ ଯୁଧିଷ୍ଠିରଙ୍କୁ କହିଲେ । ତା’ପରେ ସେ କହିଲେ, “ପୁତ୍ର, ମୁଁ ତ କେବେବି ଅସତ୍ୟ କୁହେ ନାହିଁ । ଏ କ୍ଷେତ୍ରରେ ମୋ କଥା ତୁମେମାନେ ଯଦି ସ୍ୱୀକାର କରିବ ତ ତେବେ ଏହା ବଡ ଅଧର୍ମ ହେବ । ନ କରିଲେ ମୋ କଥା ଅସତ୍ୟ ପ୍ରମାଣିତ ହେବ । ଏବେ ଧର୍ମ ଅଧର୍ମ ବୁଝି ତୁମେମାନେ କାର୍ଯ୍ୟ କର ।” ଯୁଧିଷ୍ଠିର କହିଲେ, “ଅର୍ଜୁନହିଁ ଦ୍ରୌପଦୀଙ୍କୁ ପଣ ଜିଣି ନେଇ ଆଣିଛନ୍ତି, ଏଣୁ କେବଳ ସେହିଁ ତାଙ୍କୁ ବିବାହ କରିବେ ।”
ଅର୍ଜୁନ କହିଲେ “ମୋ ଉପରେ ଦୁଇଜଣ ଜ୍ୟେଷ୍ଠଭ୍ରାତା ଥାଉ ଥାଉ ମୁଁ କିପରି ବିବାହ କରିବି? ଏହା ତ ବଡ ଅସୁନ୍ଦର କଥା ହେବ ।”
ଏହିପରି କଥା ହେଉ ହେଉ ଶ୍ରୀକୃଷ୍ଣ ସେଠାରେ ଆସି ପହଁଚିଲେ । ତାଙ୍କୁ ଦେଖି ସମସ୍ତେ ହର୍ଷିତ ଓ ଆନନ୍ଦିତ ହେଲେ । ଯୁଧିଷ୍ଠିର କହିଲେ, “ଆମେ ତ ବ୍ରାହ୍ମଣ ବେଶରେ ଥିଲୁ, ହେଲେ ଆମକୁ ଆପଣ କିପରି ଚିହ୍ନିପାରିଲେ?”
ଶ୍ରୀକୃଷ୍ଣ କହିଲେ “ଅଗ୍ନି କ’ଣ କେବେବି କେଉଁଠି ଲୁଚି ରହିପାରେ? ତୁମମାନଙ୍କୁ ତ ଦେଖିବାକ୍ଷଣିହିଁ ମୁଁ ଚିହ୍ନି ପକାଇଛି । ଆଚ୍ଛା, ଏବେ କୁହ ଏତେ ଆନନ୍ଦ ମଧ୍ୟରେ ସମସ୍ତିଙ୍କ ମନରେ ବିଷାଦର ଛାୟା କାହିଁକି ଲାଗି ରହିଛି?”
ତା’ପରେ କୁନ୍ତୀ ସମସ୍ତକଥା ତାଙ୍କୁ କହିଲେ । ସବୁକଥା ଶୁଣି ଶ୍ରୀକୃଷ୍ଣ କହିଲେ, “ତାହେଲେ ତ ମୁଁ ଠିକ୍ ସମୟରେ ଏଠାରେ ଆସି ପହଁଚିଛି । ତେବେ ଶୁଣ । ଦ୍ରୌପଦୀ ତାଙ୍କର ପୂର୍ବଜନ୍ମରେ ସବୁଠାରୁ ସୁନ୍ଦର, ବୀର ଧାର୍ମିକ, ବଳଶାଳୀ, ଶାନ୍ତ ବ୍ୟକ୍ତିକୁ ସ୍ୱାମୀ ରୂପରେ ପାଇବାକୁ ଶିବଙ୍କୁ ତପସ୍ୟା କରି ପ୍ରାର୍ଥନା କରିଥିଲେ; ପୁଣି ଏହି ପାଂଚଜଣ ପାଣ୍ଡବଙ୍କ ମଧ୍ୟରେ ସେହି ସବୁଗୁଣ ରହିଛି । ଶିବଙ୍କ ବର କିପରି ବା ଅନ୍ୟଥା ହେବ? ସେଥିପାଇଁ ଆଜିଠାରୁ ସେ ଏହି ପାଂଚଜଣଙ୍କର ପତ୍ନୀ ହୋଇ ରହିବେ । ସେ ଯାଜ୍ଞସେନୀ । ତାଙ୍କ ମଧ୍ୟରେ ତଦ୍ୱାରା କୌଣସି ଅପବିତ୍ରତା ଆସିବ ନାହିଁ । ଜଣେ ପତି ସହିତ ସେ ପତ୍ନୀ ଭାବରେ ରହିବା ପରେ ଅଗ୍ନସ୍ନାନ କରି ନିଜକୁ ପବିତ୍ର କରି ପୁଣି ଅନ୍ୟ ଏକ ପତି ବରଣ କରିବେ । ଏହିପରି ଭାବେ ତାଙ୍କୁ ରହିବାକୁ ହେବ ।”
ଶ୍ରୀକୃଷ୍ଣଙ୍କର ଏହିକଥା ସମସ୍ତିଙ୍କ ମନକୁ ବେଶ୍ ପାଇଲା, ତା’ପରେ ଶ୍ରୀକୃଷ୍ଣ ସେଠାରୁ ବିଦାୟ ନେଇ ବଳରାମଙ୍କ ସହ ପ୍ରତ୍ୟାବର୍ତ୍ତନ କରିବା ବାଟରେ ବଳରାମ ପ୍ରଶ୍ନ କଲେ ଯେ ଅର୍ଜୁନ ବ୍ୟତୀତ ତ ଏହି ପଣ ଆଉ କେହିବି ଜିତି ପାରିବ ନାହିଁ । ଆଶ୍ଚର୍ଯ୍ୟର କଥା ଏହି ଯେ ଜଣେ ବ୍ରାହ୍ମଣ ଏପରି କାର୍ଯ୍ୟ କରିପାରିଲା ।
ଇତି ମଧ୍ୟରେ ଧୃଷ୍ଟଦ୍ୟୁମ୍ନ ମହାସମସ୍ୟାରେ ପଡିଲେ । ସେ ଭାବିଲେ, “ଏହି ତେଜସ୍ୱୀ ବ୍ରାହ୍ମଣ ଜଣକ କିଏ, ଏମାନଙ୍କ ପରିଚୟ କ’ଣ, ଦ୍ରୌପଦୀଙ୍କୁ ନେଇ ଏମାନେ କୁଆଡେ ବା ଗଲେ?” ଏସବୁ ଭାବି ଭାବି ସେ ତାଙ୍କ ଯିବାପଥ ଅନୁସରଣ କରି ତାଙ୍କ ଘର ପାଖରେ ଯାଇ ପହଁଚିଲେ ଓ ଲୁଚିରହି ସେମାନଙ୍କ କଥାବାର୍ତ୍ତା ସବୁ ଶୁଣିଲେ । ସେ ସେମାନଙ୍କ ବିଷୟରେ ଯେତେ ଯେତେ ଶୁଣୁଥା’ନ୍ତି ସେତେ ସେତେ ଉତ୍ଫୁଲ୍ଲିତ ହେଉଥା’ନ୍ତି । କିନ୍ତୁ ଜଣେ ଝିଅକୁ ପାଂଚଜଣ ବିବାହ କରିବାଟା ତାଙ୍କ ମନକୁ ଟିକିଏ ଅସୁବିଧା ଲାଗିଲା ।
ଯାହା ଭିକ୍ଷା କରି ଭାଇମାନେ ଆଣିଥିଲେ କୁନ୍ତୀ ସେସବୁ ରାନ୍ଧିବା ପରେ ଦ୍ରୌପଦୀଙ୍କୁ କହିଲେ ସେଥିରୁ ଏକ ତୃତୀୟାଂଶ ଅତିଥି ଅଭ୍ୟାଗତଙ୍କ ପାଇଁ ରଖିବେ; ତା’ପରେ ଅଧେ ଭୀମଙ୍କୁ ଦେବେ ଓ ଅନ୍ୟ ଅଧକ ସମସ୍ତେ ବାଂଟି ଖାଇବେ । ଦ୍ରୌପଦୀ ସେହିପରି ଖାଦ୍ୟ ପରଷିଲେ । ରାତିରେ ହରିଣ ଛାଲ ବିଛାଇ ସେ ପାଂଚଭାଇ ଯାକ ଶୋଇଲେ । ଦ୍ରୌପଦୀ ତାଙ୍କ ପାଦ ପାଖକୁ ଶୋଇଲେ, କୁନ୍ତୀ ମୁଣ୍ଡପାଖକୁ ଶୋଇଲେ ।