ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ସେମାନଙ୍କୁ ଦେଖି ଦୁଃଶାସନ କହିଲା, “ଆହା, କେତେଦିନ ପରେ ମୁଁ ଗୋଟାଏ ସୁନ୍ଦର ଦୃଶ୍ୟ ଦେଖିଲି, ଆଉ ଏବେ ପୁଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଏମାନଙ୍କର କଷ୍ଟ ଜୀବନ ବିତିବ ଏକଥା ଭାବି ମୋର ମନ ଆନନ୍ଦରେ କୁରୁଳି ହୋଇ ଉଠୁଛି, ମନେ ହେଉଛି ମୋର ଜନ୍ମ ସାର୍ଥକ ହେଲା । ଏବେ ଆମପରି ଐଶ୍ୱର୍ଯ୍ୟ ଆଉ କାହାର ବି ନାହିଁ । ଏମାନେ ବନର ଜନ୍ତୁ ପରି ଜୀବନ ବିତାଇବେ ।” ତା’ପରେ ସେ ଦ୍ରୌପଦୀଙ୍କୁ ଚାହିଁ କହିଲେ, “ଦେଖ, ତୁମ ସ୍ୱାମୀମାନେ ତ ଏବେଠାରୁ ଭିକାରୀ ପରି ବୁଲିବେ, ରାଜ୍ୟ, ହରାଇ ଦରିଦ୍ର ଜୀବନ ବିତାଇବେ, ହେଲେ ତୁମେ କାହିଁକି ଏସବୁ କଷ୍ଟ ସହିବ? ଆମ ଭାଇମାନଙ୍କ ମଧ୍ୟରୁ ତମର ଯାହାକୁ ଇଚ୍ଛା ତାକୁ ବରଣ କର, ତା’ପରେ ସିନା ତମେ ସୁଖରେ ରାଣୀ ହୋଇ ଐଶ୍ୱର୍ଯ୍ୟ ମଧ୍ୟରେ ଜୀବନଯାପନ କରିବ ।”

ଏକଥା ଶୁଣି ଭୀମ ସିଂହନାଦ ପୂର୍ବକ ଗର୍ଜନ କରି କହିଲେ, “ଆରେ, ନୀଚ୍ଚ, ପାପୀ, ଦୁଷ୍ଟ, ବର୍ବର ଦୁଃଶାସନ, ଶକୁନିର କପଟ ଛଳନାର ପଶାରେ ଜିତି ଏତେ ବଡପଣିଆ ଦେଖାଉଛୁ? ମୋର ଶପଥ ଯେ ଯୁଦ୍ଧରେ ମୁଁ ତୋତେ ମାରି ତୋ ଦେହର ମାଂସକୁ ଶୃଗାଳ ଓ ଶାଗୁଣାମାନଙ୍କୁ ଖାଦ୍ୟ ରୂପେ ବାଂଟିବି । କେବଳ ତୁ ନୁହେଁ ତୋର ଅନେଶ୍ୱତ ଭାଇଙ୍କର ମଧ୍ୟ ସେହି ଏକା ଅବସ୍ଥା ହେବ ।”

ଦୁର୍ଯ୍ୟୋଧନଙ୍କୁ ଚାହିଁ ଭୀମ କହିଲେ, “ଆରେ ମୂର୍ଖ । ଏବେ ଏମିତି କ’ଣ ହୋଇଛି ଯେ ତା’ତୁ ଦେଖୁଛୁ? ଦେଖ୍ ଆଗକୁ କ’ଣ ହେବ । ଯେଉଁଦିନ ମୁଁ ତୋତେ ବଧ କରିବି, ଠିକ୍ ସେଇଦିନହିଁ ତୁ ତୋର ସମସ୍ତ କୁକର୍ମର ଫଳ ପାଇବୁ ।” ଏହାପରେ ଭୀମ ସଭାସ୍ଥଳୀକୁ ଚାହିଁ ସମସ୍ତିଙ୍କୁ କହିଲେ, “ମହାଶୟମାନେ, ମୋ କଥା ସ୍ମରଣ ରଖନ୍ତୁ, ଯୁଦ୍ଧରେ ଏହି ଦୁର୍ଯ୍ୟୋଧନକୁ ମୁଁ ବଡ ଭୟଙ୍କର ଭାବରେ ସଂହାର କରିବି, ଏହି ଦୁରଭିମାନୀ କର୍ଣ୍ଣକୁ ଅର୍ଜୁନ, ଓ କୁଟୀଳ ଶକୁନିଙ୍କୁ ସହଦେବ ମାରିବେ, ଏହାହିଁ ସେମାନଙ୍କ ଭାଗ୍ୟରେ ଲେଖା ହୋଇ ରହିଛି । ତାକୁ କେହିବି ଅନ୍ୟଥା କରିପାରିବେ ନାହିଁ ।”

ଅର୍ଜୁନ ଭୀମଙ୍କୁ କହିଲେ, “ଏସବୁ ଏବେ ସେମାନଙ୍କୁ କହି କ’ଣ ବା ଲାଭ? ତେର ବର୍ଷର ବନବାସ ପରେ ଯାହା ହେବ ସେକଥା ଏବେ କହିବାର କୌଣସି ବି ଆବଶ୍ୟକତା ନାହିଁ । ସମୟ ବିତିଯିବା ପରେ ଯଦି ସେମାନେ ଆମର ରାଜ୍ୟ ଆମକୁ ନ ଫେରାନ୍ତି, ତେବେ ଯାଇ ତୁମ କଥା ସତ୍ୟ ହେବ, ଏବେ ତ ଶାନ୍ତ ହୋଇଯାଅ ।”

ସହଦେବ ଶକୁନିକୁ କହିଲେ, “ଆରେ ନୀଚ୍ଚ, କପଟରେ ପଶାଖେଳରେ ଜିତିଗଲେ କ’ଣ ହେବ? ସେହି ଯୁଦ୍ଧକ୍ଷେତ୍ରରେ ନିଜର ବୀରତ୍ୱ ଦେଖାଇବ । ଭୀମଙ୍କର କଥା ଅନୁସାରେହିଁ ମୋ ହାତରେ ତୁମର ମୃତ୍ୟୁ ଲେଖା ହୋଇଛି ।” ଏବେ ଜୀବନର ସମସ୍ତ ଆନନ୍ଦ ଉପଭୋଗ କରି ନିଅ । ତା’ପରେ ମୃତ୍ୟୁର ପ୍ରତୀକ୍ଷା କର ।”

ନକୁଳ ରୁଦ୍ରମୂର୍ତ୍ତି ଧାରଣ କରି କହିଲେ, “ଯେଉଁମାନେସବୁ ଏହି ସଭାରେ ଦ୍ରୌପଦୀଙ୍କର ଅପମାନ କରିଛନ୍ତି, ସେମାନଙ୍କୁ କୀଟ ଭଳି ଦଳି ଦଳି ମାରିଦିଆଯିବ ।”

ଏଥୁଅନ୍ତେ ପାଣ୍ଡବମାନେ ସଭାରେ ଉପସ୍ଥିତ ସମସ୍ତ ଗୁରୁଜନମାନଙ୍କ ଠାରୁ ବିଦାୟ ନେଲେ । କୌରବଙ୍କ ଦ୍ୱାରା ଭୟଭୀତ ହୋଇ ଲୋକେ କିଛି ବି କହିଲେ ନାହିଁ । କେବଳ ବିଦୁର ଧର୍ମରାଜଙ୍କୁ କହିଲେ, “ଛଳ କପଟ ଦ୍ୱାରା ସେମାନେ ତୁମକୁ ହରାଇଛନ୍ତି; ସେଥିପାଇଁ ଚିନ୍ତିତ ହେବାର କୌଣସି ପ୍ରୟୋଜନ ନାହିଁ । ତୁମର ଭାଇମାନେ ତୁମର ଅନୁଗତ । ସେମାନେ ଗୋଟିଏ ଗୋଟିଏ ରତ୍ନ । ଦ୍ରୌପଦୀଙ୍କର ତ ଅଶେଷଗୁଣ ପୁରି ରହିଛି । ତୁମ ମାଙ୍କର ବୟସ ହୋଇଛି ଏହି କାରଣରୁ ସେ ଆଉ ବନଗମନ କରିବାର କଷ୍ଟ ସହି ପାରିବେ ନାହିଁ । ତେଣୁ ସେ ଏଇଠାରେ ହିଁ ରହିଥା’ନ୍ତୁ । ମୁଁ ଏଠାରେ ତାଙ୍କର ଦାୟିତ୍ୱ ନେଲି, ମୁଁ ତାଙ୍କର ସେବାଯତ୍ନ କରିବି । ତୁମେମାନେ ଶୁଭରେ ଯାଇ ଶୁଭରେ ପୁଣି ଫେରିଆସ ।”

ଯୁଧିଷ୍ଠିର ବିଦୁରଙ୍କୁ କହିଲେ, “କାକା, ଆପଣ ତ ମୋ ପାଇଁ ଉଭୟ ପିତା ଓ ଗୁରୁ ସମାନ । ଆମର ଶୁଭେଚ୍ଛୁ ମାନଙ୍କ ମଧ୍ୟରୁ ଆପଣହିଁ ଶ୍ରେଷ୍ଠ । ତେଶୁ ଆପଣଙ୍କ ବାକ୍ୟ ମୋର ଶିରୋଧାର୍ଯ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ