ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଋଷିମୁନିଗଣଙ୍କର ନିବାସସ୍ଥଳୀ ନୈମିଷାରଣ୍ୟ ଥିଲା; ମହାମୁନି ଶୌନକ ସେମାନଙ୍କ କୁଳପତି ଥିଲେ । ଥରେ ସେ ବାରବର୍ଷ ପର୍ଯ୍ୟନ୍ତ ଯଜ୍ଞ କଲେ । ଯେତେବେଳେ ମୁନିଋଷିମାନେ ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିଲେ ସେତେବେଳେ ରୋମହର୍ଷଣଙ୍କ ପୁତ୍ର ସୂତମୁନି ସେଠାକୁ ଆଗମନ କଲେ । ସୂତମୁନି ସମସ୍ତ ପୁରାଣରେ ପଣ୍ଡିତ ଥିଲେ । ତେଣୁ ଅନେକ ଋଷିମୁନି ତାଙ୍କୁ ପୁରାଣ କଥା ଶୁଣାଇବାକୁ ଅନୁରୋଧ କଲେ ।

ସୂତ କହିଲେ, “ମହର୍ଷିଗଣ, ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ବହୁତ ବଡ ସର୍ପଯଜ୍ଞ କରିଥିଲେ । ବୈଷମ୍ପାୟନ ଜନ୍ମେଜୟଙ୍କୁ ଭାରତର ପୁଣ୍ୟକଥା ଶୁଣାଇଥିଲେ । ସେହିସବୁ କଥାର ରଚୟିତା ହେଲେ ବେଦବ୍ୟାସ । ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥାଇ ସମସ୍ତ କଥା ଶ୍ରବଣ କରିଥିଲି । ସମନ୍ତକପଂଚକ ନାମକ ପୁଣ୍ୟ କ୍ଷେତ୍ରରୁ ମୁଁ ଏଠାକୁ ଆସୁଛି । ସେହିଠାରେ ହିଁ ମହାଭାରତ ଯୁଦ୍ଧ ହୋଇଥିଲା ।”

ତାଙ୍କ କଥା ଶୁଣି ଋଷିଗଣ ବହୁତ ଆନନ୍ଦିତ ଓ ଉତ୍ସାହିତ ହୋଇ ସୂତଙ୍କୁ ବେଦବ୍ୟାସଙ୍କ ରଚିତ କଥା ଶୁଣାଇବାକୁ ଅନୁରୋଧ କଲେ ।

ସୂତ କହିବାକୁ ଆରମ୍ଭ କଲେ – “ଜାଣନ୍ତି କି ମହାଭାରତ ରଚନା କିପରି ହେଲା? କୃଷ୍ଣଦ୍ୱିପାୟନ – ବ୍ୟାସ ବେଦକୁ ଚାରି ଭାଗରେ ବିଭକ୍ତ କଲେ । ତା’ପରେ ସେ ହିମାଳୟ ପର୍ବତରେ ଯାଇ ତପସ୍ୟା କଲେ । ଧୃତରାଷ୍ଟ୍ରଙ୍କ ରାଜ୍ୟର ସମାପ୍ତିପରେ ସେ ମହାଭାରତ ରଚନା କରିବାକୁ ଚାହିଁଲେ । ସେ ଗଭୀର ଭାବରେ ଚିନ୍ତାକଲେ ଯେ ମହାଭାରତ କେଉଁ ପଦ୍ଧତିରେ ଲେଖା ହେବ? ଯ’ଦ୍ୱାରା ସାରା ପୃଥିବୀର ଲୋକେ ତାକୁ ଆନନ୍ଦରେ ପାଠ କରିବେ । ଠିକ୍ ସେତିକିବେଳେ ବ୍ରହ୍ମା ଆସି ସେଠାରେ ପହଁଚିଲେ । ବ୍ୟାସଦେବ ବିନୟପୂର୍ବକ ବ୍ରହ୍ମାଙ୍କୁ ପ୍ରଣାମ କରି କହିଲେ, “ପ୍ରଭୁ, ମୁଁ ବେଦବେଦାଙ୍ଗର ସାରତତ୍ୱକୁ ନେଇ ମହାଭାରତ ନାମକ ଗ୍ରନ୍ଥରଚନା କରିବାକୁ ଭାବୁଛି । କିନ୍ତୁ ମୁଁ ଭାବି ପାରୁନାହିଁ ଯେ ଏତେ ବଡ ଗ୍ରନ୍ଥକୁ କିଏ ଲିପିବଦ୍ଧ କରିବ? ଆପଣ ତ ଜାଣନ୍ତି ଯେ ଏହି ଗ୍ରନ୍ଥକୁ ପଢିବାକୁ ଲୋକେ କେତେ ଉତ୍କଣ୍ଠିତ ହେବେ!”

ବ୍ରହ୍ମା କହିଲେ, “ବତ୍ସ, ତମେ ଆନ୍ତରିକତା ସହକାରେ ବିଘ୍ନେଶ୍ୱର ଗଣେଶଙ୍କୁ ପ୍ରାର୍ଥନା କର । କେବଳ ସେହିଁ ତୁମକୁ ଏ ଦିଗରେ ସହାୟତା କରିବେ ।”

ବ୍ୟାସଦେବଙ୍କ ନିବିଡ ପ୍ରାର୍ଥନାରେ ଗଣେଶ ଆବିର୍ଭୂତ ହେଲେ । ସମସ୍ତ କଥା ବ୍ୟାସଦେବ କହିବାରୁ ଗଣେଶ ସେଥିରେ ସ୍ୱୀକୃତ ହେଲେ । ବ୍ୟାସଦେବ କହିଯାଆନ୍ତି, ଆଉ ଗଣେଶ ସେସବୁ ଲେଖି ଯାଆନ୍ତି । ଦେବଲୋକରେ ନାରଦ, ପିତୃଲୋକରେ ଦେବଳ ଓ ଗନ୍ଧର୍ବଲୋକରେ ଶୁକ ସେହି ଗ୍ରନ୍ଥର ପ୍ରଚାର କଲେ । ଜନ୍ମେଜୟଙ୍କ ସର୍ପଯଜ୍ଞରେ ଋଷି ବୈଷମ୍ପାୟନ ସେହି ଗ୍ରନ୍ଥ ପଠନ କରୁଥିଲେ । ଏବଂ ତାହା ପୃଥିବୀରେ ସେହିଭଳି ଭାବରେ ପ୍ରଚାରିତ ହେଲା ।

ଶୌନକ ଆଦି ମୁନି ଏହି କଥା ଶୁଣି ଅତ୍ୟନ୍ତ ତୃପ୍ତ ହେଲେ । ସେମାନେ ସୂତଙ୍କୁ ପଚାରିଲେ ଯେ ଯେଉଁ ଯୁଦ୍ଧକ୍ଷେତ୍ରରେ କୌରବ ଓ ପାଣ୍ଡବଙ୍କର ଯୁଦ୍ଧ ହେଲା, ସେହି କ୍ଷେତ୍ରର ନାମ କାହିଁକି ସମନ୍ତକପଂଚକ ହୋଇଛି ।

ସୂତ କହିଲେ, “ତ୍ରେତେୟା ଯୁଗ ଓ ଦ୍ୱାପର ଯୁଗର ସନ୍ଧିକ୍ଷଣରେ ରାଜାମାନଙ୍କର ଗର୍ବ ଅହଂକାର ସୀମା ଟପି ଯାଇଥିଲା । ଭଗବାନଙ୍କର ଅନ୍ୟତମ ଅବତାର ପରଶୁରାମ ସେମାନଙ୍କୁ ଖୋଜି ଖୋଜି ମାରିଥିଲେ । ସେମାନଙ୍କ ରକ୍ତରେ ପାଂଚଟି ପୁଷ୍କରିଣୀ ସୃଷ୍ଟି ହେଲା । ସେହି ରକ୍ତରେ ସେ ତାଙ୍କ ପିତୃପୁରୁଷଙ୍କୁ ତର୍ପଣ କଲେ । ତଦ୍ୱାରା ପିତୃପୁରୁଷମାନେ ବହୁତ ଆନନ୍ଦିତ ହେଲେ । ସେମାନେ ପରଶୁରାମଙ୍କୁ ଏହି ବର ଦେଲେ ଯେ ସେହି ପାଂଚଟି ପୁଷ୍କରିଣୀ ଥିବା କ୍ଷେତ୍ର କାଳକ୍ରମେ ପୁଣ୍ୟତୀର୍ଥରେ ପରିଣତ ହେବ । ସେହି କ୍ଷେତ୍ରରେହିଁ ମହାଭାରତ ଯୁଦ୍ଧ ହୋଇଥିଲା । ଏଣୁ ଏହାର ଅନ୍ୟନାମ କୁରୁକ୍ଷେତ୍ର ।


ଗପ ସାରଣୀ

ତାଲିକାଭୁକ୍ତ ଗପ