ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ସେହି କୁରୁକ୍ଷେତ୍ରରେ ନିଜର ଭାତୃଗଣଙ୍କୁ ନେଇ ସୁଦୀର୍ଘ ଏକ ସର୍ପଯଜ୍ଞ କରାଉଥିଲେ । ସେହି ସମୟରେ ସରମା ନାମକ ଦେବତାଙ୍କ ଶ୍ୱାନର ପୁତ୍ର ସାରମେୟ ଯଜ୍ଞସ୍ଥଳୀରେ ଲକ୍ଷ୍ୟହୀନ ଭାବରେ ବିଚରଣ କରୁଥିଲା । ଜନ୍ମେଜୟଙ୍କ ଭାଇମାନେ ତାକୁ ସେଠାରୁ ତଡିଦେଲେ । ସେ ଦୁଃଖିତ ହୋଇ ମା’ ସରମାଙ୍କ ନିକଟକୁ ଯାଇ ସବୁକଥା କହିଲା । ସରମା ଏପରି କାର୍ଯ୍ୟର ଘୋର ନିନ୍ଦା କରି କହିଲେ, “ଯିଏ ସାଧୁଙ୍କୁ ଓ ଦରିଦ୍ରଙ୍କୁ କଷ୍ଟ ଦିଏ, ତା’ର ମଧ୍ୟ କୌଣସି କାରଣରୁ ନିଶ୍ଚୟ କଷ୍ଟ ହେବ ।” ଜନ୍ମେଜୟଙ୍କର ଭୟ ହେଲା ଯେ କାଳେ ସରମାଙ୍କର ଏହି ବାକ୍ୟ ଅଭିଶାପରେ ପରିଣତ ହେବ । ସେ ତତ୍କ୍ଷଣାତ୍ ହସ୍ତିନାପୁରକୁ ଫେରି ଆସି ଶାନ୍ତି ପାଇଁ ଯଜ୍ଞ କରିବାକୁ ପୁରୋହିତ ଖୋଜିଲେ । ଦିନେ ଯେତେବେଳେ ସେ ଜଙ୍ଗଲରେ ଶିକାର କରୁଥିଲେ, ସେତେବେଳେ ସେ ଶ୍ରୁତଶ୍ରବଋଷିଙ୍କ ଆଶ୍ରମ ଦୂରରୁ ଦେଖି ପାରିଲେ । ସେ ଜାଣିଥିଲେ ଶ୍ରୁତଶ୍ରବଙ୍କର ସୋମବ୍ରତ ନାମକ ପୁତ୍ର ଅତି ଜ୍ଞାନୀ । ତେଣୁ ସେ ଶ୍ରୁତଶ୍ରବଙ୍କ ସହ ଦେଖା କରି କହିଲେ, “ମହାଭାଗ, ମୋର ଏକ ଯଜ୍ଞ ପାଇଁ ଆପଣଙ୍କ ପୁତ୍ରଙ୍କୁ ନେବା ସକାଶେ ଅନୁମତି ଦେବେ କି?”
ଋଷି କହିଲେ “ମୋ ପୁତ୍ରର ଗୋଟିଏ ବ୍ରତ ଅଛି । ସେ ବ୍ରାହ୍ମଣ ଓ ସିଦ୍ଧ । ତାକୁ ଯାହା ମାଗିଲେ, ସେ ତତ୍କ୍ଷଣାତ୍ ଦେଇ ଦେଇ ପାରିବ । କିନ୍ତୁ ତୁମେ କଥା ଦିଅ ଯେ ଯେପରି ତା’ ବ୍ରତରେ କୌଣସି ବିଘ୍ନ ନହୁଏ । ତେବେ ଯାଇ ସେ ତୁମ ସହିତ ଯିବ ।”
ଜନ୍ମେଜୟ ତାଙ୍କ କଥାରେ ସ୍ୱୀକୃତ ହେଲେ ଏବଂ ସୋମବ୍ରତଙ୍କୁ ସାଥିରେ ନେଇ ରାଜଧାନୀକୁ ଫେରିଲେ । ସେଠାରେ ନାନା ଯାଗଯଜ୍ଞ ତାଙ୍କ ସହାୟତାରେ ଅନୁଷ୍ଠିତ ହେଲା ।
ଦିନେ ମହର୍ଷି ଉତଙ୍କ ଜନ୍ମେଜୟଙ୍କ ପାଖକୁ ଆସି କହିଲେ, “ରାଜନ୍, ତୁମର କର୍ତ୍ତବ୍ୟ ଭୁଲିଯାଇ ଚୁପ୍ ହୋଇ ବସିଛ? କର୍ତ୍ତବ୍ୟକୁ ଉପେକ୍ଷା କରିବା ଏକ ମାରାତ୍ମକ ଭୁଲ୍ ।”
ଜନ୍ମେଜୟ କହିଲେ “ମହାଭାଗ, କ୍ଷତ୍ରୀୟ ଧର୍ମୋଚିତ ସମସ୍ତ କର୍ମ ତ ମୁଁ କରୁଛି । ଯଦି ପ୍ରମାଦବଶତଃ କିଛି କର୍ତ୍ତବ୍ୟ ମୁଁ ଭୁଲି ଯାଇଥିବି, ତେବେ ଆପଣ ଦୟାକରି ମୋତେ ନିର୍ଦ୍ଧେଶ କରନ୍ତୁ । ତତ୍କ୍ଷଣାତ୍ ଆପଣଙ୍କ ଆଜ୍ଞା ପାଳିତ ହେବ ।”
“ବତ୍ସ, ତୁମେ ସର୍ପଯଜ୍ଞ କର । ତୁମର କ’ଣ ମନେ ପଡୁନାହିଁ ଯେ ଦୁଷ୍ଟ ତକ୍ଷକ କିପରି ତୁମର ଧାର୍ମିକ ପିତାଙ୍କର ପ୍ରାଣନାଶ କଲା? ତାହାକୁ ସମୂଳେ ବିନାଶ କର । ସେହି କର୍ମ ଦ୍ୱାରାହିଁ ତୁମେ ପିତୃଘାତୀ ତକ୍ଷକ ଉପରେ ପ୍ରକୃତ ପ୍ରତିଶୋଧ ନେଇପାରିବ ଓ ତୁମ ପିତାଙ୍କ ଆତ୍ମା ସ୍ୱର୍ଗରେ ଥାଇ ଶାନ୍ତି ପାଇବ ।”
ପ୍ରକୃତରେ କହିବାକୁ ଗଲେ ଉତଙ୍କ ତକ୍ଷକ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ । ତେଣୁ ସେ ରାଜାଙ୍କୁ ଏପରି କହିଥିଲେ । ତା’ର କାରଣ ସମ୍ପର୍କରେ କହୁଛି ଶୁଣନ୍ତୁ ।
ବେଦନାମକ ଋଷିଙ୍କ ନିକଟରେ ଉତଙ୍କ ଶିକ୍ଷା ସମାପ୍ତ କରି ଗୁରୁଙ୍କୁ ଜିଜ୍ଞାସା କଲେ ଯେ କ’ଣ ଦକ୍ଷିଣା ଦେବେ । ତହୁଁ ଗୁରୁ କହିଲେ, “ମୋ ସ୍ତ୍ରୀଙ୍କୁ ଯାଇ ପଚାର, ସେ ଯାହା ମାଗିବେ ତୁମେ ତାହା ଦେବ ।” ଉତଙ୍କ ଗୁରୁଙ୍କ ସ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, “ବତ୍ସ ତିନିଦିନ ପରେ ମୁଁ ଏକ ପୁଣ୍ୟବ୍ରତ କରିବାକୁ ଯାଉଛି, ମୋର ଇଚ୍ଛା ସେତେବେଳେ ମୁଁ ମୋ କାନରେ କୁଣ୍ଡଳ ପିନ୍ଧନ୍ତି । ସେହି ବିଶେଷ ଧରଣର କୁଣ୍ଡଳ କେବଳ ରାଣୀଙ୍କ ପାଖରେହିଁ ଅଛି । ତୁମେ କ’ଣ ତାହା ଆଣି ପାରିବ?”