ଉତଙ୍କ ରାଣୀଙ୍କୁ ଯାଇ ସବୁକଥା କହିଲେ । ରାଣୀ ତାହା ଦେବାକୁ ସ୍ୱୀକୃତ ହେଲେ; କିନ୍ତୁ ତାଙ୍କୁ ସାବଧାନ କରାଇ କହିଲେ ଯେ, ସେହି ବିଶିଷ୍ଟ କୁଣ୍ଡଳକୁ ତକ୍ଷକ ଚୋରୀ କରିବା ପାଇଁ ସୁଯୋଗ ଖୋଜୁଛି ।
ଏହାପରେ ଉତଙ୍କ କୁଣ୍ଡଳ ଦୁଇଟି ଧରି ଚାଲିଲେ । ଦୀର୍ଘ ପଥ ଅତିକ୍ରମ କରିବା ପରେ ସେ ଏକ ଶୀତଳ ଜଳପୂର୍ଣ୍ଣ ପୁଷ୍କରିଣୀ ଦେଖି ସେଠାରେ ସ୍ନାନ କରିବାକୁ ଚାହିଁଲେ । କୂଳରେ କୁଣ୍ଡଳ, ତାଙ୍କ ବସ୍ତ୍ର ଓ କମଣ୍ଡଳୁ ସବୁ ରଖି, ସ୍ନାନ କରି ଫେରି ଦେଖିଲେ ତକ୍ଷକ ଏକ ନଗ୍ନ ମନୁଷ୍ୟ ରୂପରେ କୁଣ୍ଡଳ ଧରି ପଳାଉଛି । ଉତଙ୍କ ତାକୁ ଧରିବାରୁ ସେ ସାପ ହୋଇ ଯାଇ ତାଙ୍କ ହାତରୁ ଖସିଯାଇ ତୁରନ୍ତ ଏକ ଗର୍ତ୍ତରେ ଯାଇ ପଶିଗଲା । ଉତଙ୍କ ବାଡିଟିଏ ଆଣି ସେହି ଗର୍ତ୍ତଟି ଖୋଳି ଖୋଳି ପାତାଳ ପୁରରେ ଯାଇ ପହଁଚିଲେ । ସେଠାରେ ଥିବା ନାଗଲୋକରେ ସେ ନାଗମାନଙ୍କୁ କୁଣ୍ଡଳ ଫେରାଇ ଦେବାକୁ ଅନୁରୋଧ କଲେ, କିନ୍ତୁ ତାହା ବ୍ୟର୍ଥ ପ୍ରୟାସ ଥିଲା । ଶେଷରେ ଉତଙ୍କ ସେଠାରେ ଏକ ଲାଲ୍ ଘୋଡା ଉପରେ ବସିଥିବା ଏକ ମନୁଷ୍ୟକୁ ଦେଖିଲେ । ସେହି ଅଶ୍ୱ ଅଗ୍ନିଦେବତା ଥିଲେ ଓ ତାଙ୍କ ପିଠିରେ ଦେବରାଜ ଇନ୍ଦ୍ର ବସିଥିଲେ । ସେମାନଙ୍କୁ ଉତଙ୍କ ନିଜର ବିପଦ କଥା ଜଣାଇବାରୁ ଅଗ୍ନରୂପୀ ଅଶ୍ୱର ମୁଖରୁ ଭୟଙ୍କର ଅଗ୍ନି ନିର୍ଗତ ହୋଇ ସାରା ନାଗ ଲୋକ ମଧ୍ୟରେ ତାହା ବ୍ୟାପି ଗଲା । ମନେ ହେଲା ଏହା ନାଗଲୋକକୁ ଭସ୍ମ କରିବ । ସେଥିରେ ଭୟଭୀତ ହୋଇ ତକ୍ଷକ କୁଣ୍ଡଳ ଫେରାଇ ଦେଲେ । ଉତଙ୍କ ତାହା ନେଇ ଆସି ଗୁରୁପତ୍ନୀଙ୍କୁ ସମର୍ପଣ କଲେ ।
ଉତଙ୍କଙ୍କ ଠାରୁ ପିତାଙ୍କ ମୃତ୍ୟୁ ବିଷୟ ଶୁଣି ଜନ୍ମେଜୟ ମନ୍ତ୍ରୀମାନଙ୍କୁ ଡାକି ଏହାର କାରଣ ଜିଜ୍ଞାସା କଲେ । ମନ୍ତ୍ରୀମାନେ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟ ତାଙ୍କୁ କହିଲେ ।
ଆପଣମାନେ ତ ଜାଣନ୍ତି ଯେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ମହାସଂଗ୍ରାମ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରେ ଥିଲେ । ଶ୍ରୀକୃଷ୍ଣଙ୍କ ମାର୍ଗଦର୍ଶନ ଯୋଗୁଁ ପାଣ୍ଡବମାନେ ଶେଷରେ ଜିତିଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଓ କର୍ଣ୍ଣ ପ୍ରଭୃତି ମହାରଥୀମାନେ କୌରବ ପକ୍ଷରେ ଥିଲେ । କିନ୍ତୁ ସୁଭଦ୍ରା ପୁତ୍ର ଅଭିମନ୍ୟୁ ସେହି ମହାରଥୀମାନଙ୍କୁ ମଧ୍ୟ ଯୁଦ୍ଧରେ ଛିନ୍ନଛତ୍ର କରି ପକାଉଥିଲେ । ତାହାର ବାଣବର୍ଷଣରେ କୌରବ ସୈନ୍ୟ ଧ୍ୱଂସ ହେଉଥିଲେ । ଭୀଷ୍ମଙ୍କ ଶରଶଯ୍ୟାପରେ ସପ୍ତରଥୀ ମିଶି ଏକ ଚକ୍ରବ୍ୟୁହ ରଚନା କରି ବାରବର୍ଷର ବାଳକ ଅଭିମନ୍ୟୁକୁ ଅନ୍ୟାୟ ଯୁଦ୍ଧରେ ମାରି ପକାଇଲେ । ଅର୍ଜୁନ ତ ପ୍ରଥମେ ନିଜର ପ୍ରିୟ ଲୋକମାନଙ୍କୁ ମାରିବାକୁ ଚାହୁଁ ନଥିଲେ; କିନ୍ତୁ ଅଭିମନ୍ୟୁଙ୍କ ମୃତ୍ୟୁ ପରେ ତାଙ୍କର ଧନୁର୍ବାଣ ଅହରହ ବାଣବର୍ଷଣ କରି କୌରବ ପକ୍ଷଙ୍କୁ ହରାଉଥିଲେ । ଅଭିମନ୍ୟୁଙ୍କ ମୃତ୍ୟୁ ବେଳକୁ ଉତରା ଗର୍ଭବତୀ । ଉତରାଙ୍କ ଗର୍ଭରେ ଥିବା ପରୀକ୍ଷିତଙ୍କୁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ରରେ ମାରିପକାଇଥିଲା । ମାତ୍ର ଶ୍ରୀକୃଷ୍ଣ ତାଙ୍କୁ ପୁଣି ଜୀବନ ଦାନ ଦେଲେ; ମହାପରୀକ୍ଷାରେ ଉତୀର୍ଣ୍ଣ ହୋଇ ଥିବାରୁ ତାଙ୍କର ନାମ ପରୀକ୍ଷିତ ରଖାଗଲା ।
କାଳକ୍ରମେ ସେ ରାଜା ହେଲେ । ଶିକାର କରିବାରେ ତାଙ୍କର ବଡ ସଉକ ଥିଲା । ଦିନେ ଶିକାର କରିବାକୁ ଯାଇ ଘନ ଜଙ୍ଗଲରେ ଗୋଟିଏ ମୃଗ ଉପରେ ସେ ଶରସନ୍ଧାନ କଲେ । ମୃଗଟି ପବନ ବେଗରେ ଧାବିତ ହୋଇ କେଉଁଠି ଲୁଚିଗଲା । ତାକୁ ଅନୁସରଣ କରୁକରୁ ସେ ସମୀକ ମୁନିଙ୍କ ଆଶ୍ରମରେ ଯାଇ ପହଁଚିଲେ । ଧ୍ୟାନରତ ମୁନିଙ୍କୁ ସେ ସେହି ଆହତ ମୃଗ ବିଷୟରେ ପଚାରିଲେ ଓ ତୃଷିତ ହୋଇଥିବାରୁ ପାଣି ମାଗିଲେ । ମୁନି ନିରୁତ୍ତର । ତେଣୁ ସେ ରାଗି ଯାଇ ଗୋଟିଏ ମୃତସର୍ପ ଆଣି ମୁନିଙ୍କ ଗଳାରେ ପକାଇ ଦେଲେ । ଅବଶ୍ୟ ଏହା କଳିଯୁଗର ପ୍ରଭାବ ଯୋଗୁଁ ଥିଲା । ତାହା ପରିକ୍ଷୀତ ଜାଣି ପାରି ନଥିଲେ । କାହିଁକିନା ସେତେବେଳେ ଦ୍ୱାପର ଯାଇ କଳି ଆସିଥିଲା । ସେ ଫେରି ଆସିଲେ, କିନ୍ତୁ ସମୀକ ମୁନିଙ୍କର ପୁତ୍ର ଶୃଙ୍ଗୀ ତାଙ୍କ ପିତାଙ୍କର ଏହି ଦଶା ଦେଖି ଅଭିଶାପ ଦେଲେ ଯେ ଯିଏ ଏପରି କାମ କରିଛି ସେ ଏକ ସପ୍ତାହ ମଧ୍ୟରେ ସାପର ଦଂଶନରେ ନିଶ୍ଚୟ ମୃତ୍ୟୁ ବରଣ କରିବ ।”
ସମୀକମୁନି ଧ୍ୟାନରୁ ଉଠି ସବୁକଥା ଶୁଣି ବଡ ଦୁଃଖିତ ହୋଇ ପରୀକ୍ଷିତଙ୍କୁ ସବୁକଥା ଜଣାଇଲେ । ରାଜ୍ୟସାରା ହାହାକାର ପଡିଗଲା । ମନ୍ତ୍ରୀ, ପାରିଷଦଗଣ ଓ ଅନ୍ୟାନ୍ୟ ଶୁଭେଚ୍ଛୁମାନେ ଏକ ବଡ ସ୍ତମ୍ଭ କରି ତାହାରି ଉପରେ ଏକ କକ୍ଷ ନିର୍ମାଣ କଲେ । ପରୀକ୍ଷିତ ସେଇଠାରେ ରହୁଥାନ୍ତି । ପ୍ରହରୀମାନେ ଜାଗ୍ରତ ଥାନ୍ତି । ଏହିପରି ଛଅଦିନ ବିତିଗଲା । ପରେ ତକ୍ଷକ ସପ୍ତମ ଦିନ ରାଜାଙ୍କୁ ଦଂଶନ କରିବାକୁ ଆସୁଥାଏ । କାଶ୍ୟପ ନାମକ ଏକ ବ୍ରାହ୍ମଣ ମଧ୍ୟ ରାଜାଙ୍କୁ ସର୍ପଦଂଶନରୁ ରକ୍ଷା କରିବାକୁ ଆସୁଥାନ୍ତି । ଏପରି କରିବା ପଛରେ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବହୁତ ଧନରତ୍ନ ପାଇବା । ରାସ୍ତାରେ ତାଙ୍କର ତକ୍ଷକ ସହିତ ଦେଖା ହେଲା । ପରସ୍ପର କଥାବାର୍ତ୍ତାରୁ ପରସ୍ପରର ଉଦ୍ଧେଶ୍ୟ ଜାଣିଲେ । ତକ୍ଷକ କହିଲା, “ମୁଁ ଏହି ବୃକ୍ଷକୁ ଦଂଶନ କରୁଛି, ବଂଚାଅ ତ ଦେଖି?” ଏହି କହି ସେ ବୃକ୍ଷଟିକୁ ଦଂଶନ କଲା । ଚାହୁଁଚାହୁଁ ତତ୍କ୍ଷଣାତ୍ ସେ ବୃକ୍ଷଟି ସମୁଦାୟ ଭସ୍ମରେ ପରିଣତ ହେଲା । କାଶ୍ୟପ ମଧ୍ୟ ମନ୍ତ୍ରପାଣି ଛିଂଚି ଦେବାରୁ ବୃକ୍ଷଟି ପୁନର୍ଜୀବନ ଲାଭ କଲା । ତକ୍ଷକ ଏହି ଘଟଣା ଦେଖି ବଡ ଚିନ୍ତିତ ହେଲା ଓ କାଶ୍ୟପ ବ୍ରାହ୍ମଣଙ୍କୁ ସେ କହିଲା, “ତୁମର ଉଦ୍ଧେଶ୍ୟ ଧନରତ୍ନ ପ୍ରାପ୍ତ କରିବା ତ? ମୁଁ ଦେଉଛି, ତୁମେ ସେତକ ନେଇ ଏହିଠାରୁ ଫେରିଯାଅ ।” ବ୍ରାହ୍ମଣ ଅଜସ୍ର ଧନରତ୍ନ ନେଇ ସେଠାରୁ ଫେରିଗଲେ ।