ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର ଉଦ୍ଧେଶ୍ୟ କ’ଣ?”
ଶ୍ରୀକୃଷ୍ଣ କହିଲେ, “ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଗୁରୁକୁଳକୁ ଯାଇ ବିଦ୍ୟାଶିକ୍ଷା କରିପାରନ୍ତି । ଏଥର ଶୁଣନ୍ତୁ, ଆମେମାନେ ହେଉଛୁ କ୍ଷତ୍ରିୟ । ଆପଣଙ୍କ ବଚନ ଆପଣ ଠିକ୍ ରକ୍ଷା କରିଛନ୍ତି । ଅତି ଆନନ୍ଦର କଥା । ଆମେ ତିନିଜଣ ନିଜର ଶୌର୍ଯ୍ୟ ଓ ପରାକ୍ରମ ଦେଖାଇବାକୁ ଏଠାକୁ ଆସିଛୁ ।”
ଜରାସନ୍ଧ କୃଷ୍ଣୁଙ୍କୁ କହିଲେ, “ଯେତେ କଥା ଶୁଣିଲେ ମଧ୍ୟ, ଭାବିଲେ ମଧ୍ୟ, ଆପଣମାନଙ୍କ ପ୍ରତି ମୋର ବୈରଭାବ ଆଦୌ ଆସୁନାହିଁ । କିନ୍ତୁ ଆପଣମାନେ କୁହନ୍ତୁ ମୁଁ କିପରି ଆପଣମାନଙ୍କର ଶତୃ ହେଲି?”
ଶ୍ରୀକୃଷ୍ଣ କହିଲେ, “ଜଣେ ମହାନ୍ ବ୍ୟକ୍ତି; ତାଙ୍କର କୁଳଧର୍ମ ରକ୍ଷା କରିବା ପାଇଁ ଯଜ୍ଞ କରୁଛନ୍ତି; ସେଥିପାଇଁ ସେହିଁ ଆମ ତିନିଜଣଙ୍କୁ ଏଠାକୁ ପଠାଇଛନ୍ତି । ଏତେଗୁଡିଏ ନିରପରାଧୀ ରାଜାଙ୍କୁ ବନ୍ଦୀ ବନାଇ ରଖିଛ ଓ କାଳୀ ମନ୍ଦିରରେ ଜଣ ଜଣ କରି ବଳୀ ଦେଉଛ; ଏହାଠାରୁ ବଳି ନିଷ୍ଠୁର କାର୍ଯ୍ୟ ଆଉ କ’ଣ ବା ଅଛି? ସେହି ରାଜାମାନଙ୍କୁ ତୁମ ହାତରୁ ଉଦ୍ଧାର କରିବାକୁ ଆମେ ଏଠାକୁ ଆସିଛୁ । ବିନା ସର୍ତ୍ତରେ ସେମାନଙ୍କୁ ଛାଡି ଦିଅ ନହେଲେ ତୁମେ ଆମ ସହିତ ଯୁଦ୍ଧ କର । ଏହି ଦୁଇଜଣ ହେଉଛନ୍ତି ଭୀମ ଓ ଅର୍ଜୁନ । ଆଉ ମୁଁ ହେଉଛି ତୁମର ଚିରଶତୃ କୃଷ୍ଣ ।”
ସେମାନଙ୍କ କଥା ଶୁଣି ଜରାସନ୍ଧ ରାଗିଗଲେ । ସେ କହିଲେ, “ମୋ ନିଜ ବଳପରାକ୍ରମ ଯୋଗୁଁ ଜିତିଥିବା ରାଜାମାନଙ୍କୁ ତୁମ କଥାରେ ଏତେ ସହଜରେ ଛାଡିଦେବି? ମୋ ସହିତ ଯୁଦ୍ଧ କରିବାକୁ ଇଚ୍ଛା ତ ସୈନ୍ୟସାମନ୍ତ ନେଇ ଆସ, ଭଲ କରି ଯୁଦ୍ଧ ହେବ । ନଚେତ୍ ତୁମ ତିନିଜଣଙ୍କ ସହିତ ଲଢିବା ପାଇଁ ମୋର ଯଥେଷ୍ଟ ସାହସ ଅଛି ।” ଏତିକି କହି ସେ ତାଙ୍କ ରାଜ୍ୟର ଅନ୍ୟାନ୍ୟ ବ୍ୟବସ୍ଥା କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ।
ଶ୍ରୀକୃଷ୍ଣ କହିଲେ, “ଏବେ ତୁମେ ଆମମାନଙ୍କ ମଧ୍ୟରୁ ଜଣକୁ କାହାକୁ ବାଛିବ ଓ ତାହା ସହିତ ଯୁଦ୍ଧ କରିବ ।”
ନିଜ ବଳ ଯୋଗୁଁ ଜରାସନ୍ଧଙ୍କର ତ ବହୁତ ଗର୍ବ ଥିଲା । ତେଣୁ ସେ କହିଲେ, “ତୁମେ ତ ମୋ ଭୟରେ ଦ୍ୱାରକାରେ ଯାଇ ରହିଛ, ତେଣୁ ତୁମ ସହିତ ମୁଁ ଆଉ କ’ଣ ବା ଯୁଦ୍ଧ କରିବି? ଆଉ ଏହି ଦୁଇଜଣଙ୍କ ମଧ୍ୟରୁ ପତଳା ଅର୍ଜୁନକୁ ହରାଇବାକୁ ମୋତେ ମୁହୂର୍ତ୍ତେ ମାତ୍ର ଲାଗିବ । ତେଣୁ ଏକମାତ୍ର ଭୀମ ସହିତହିଁ ମୁଁ ଲଢିବି ।”
ଏହାପରେ ସେ ଦୁଇଜଣଙ୍କର ଲଢିବା ପାଇଁ ସ୍ଥାନ ପ୍ରସ୍ତୁତ କରାଗଲା । ରାଜ୍ୟର ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ । ପାଂଚ ଛଅଦିନ ଧରି ମଲ୍ଲଯୁଦ୍ଧ ଚାଲିଲା । ଶେଷକୁ କୃଷ୍ଣ ଭୀମଙ୍କୁ ସଙ୍କେତ ଦେଲେ ଯେ ଜରାସନ୍ଧଙ୍କର ଦେହ ଯୋଡା ହୋଇଥିଲା, ସେହିଭଳି ଭାବରେ ଚିରି ଦେଇ ମାରିବାକୁ; ସେ ଗୋଟିଏ କୁଟା ନେଇ ଚିରି ଦେଲେ । ଭୀମ ସଙ୍କେତଟି ବୁଝିପାରି ଜରାସନ୍ଧଙ୍କୁ ସେହିଭଳି ଭାବରେ ବଧ କଲେ । ତା’ପରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନ କାରାଗାରକୁ ଯାଇ ବନ୍ଦୀ ରାଜାମାନଙ୍କୁ ମୁକ୍ତ କଲେ । ରାଜାମାନଙ୍କୁ ଯୁଧିଷ୍ଠିରଙ୍କର ରାଜସ୍ୱୟ ଯଜ୍ଞ କଥା କହିଲେ । ସେମାନେ ସମସ୍ତେ ଭୀମଙ୍କ ପାଇଁ ପ୍ରାଣ ପାଇଛନ୍ତି, ତେଣୁ ସେମାନେ ସମସ୍ତେ ଅତି ଆନନ୍ଦରେ ଶ୍ରୀକୃଷ୍ଣଙ୍କର, ଯୁଧିଷ୍ଠିର ଓ ଭୀମଙ୍କର ଜୟଧ୍ୱନି କଲେ ।
ଇତିମଧ୍ୟରେ ଜରାସନ୍ଧପୁତ୍ର ସହଦେବ ଆସି ଶ୍ରୀକୃଷ୍ଣଙ୍କ ପାଦରେ ପ୍ରଣାମ କରି କହିଲେ, “ପ୍ରଭୂ, ଆମକୁ କେବଳ କିଛି ସମୟ ଦିଅନ୍ତୁ, ମୁଁ ମୋର ମାତା ଓ କୁଟୁମ୍ବଙ୍କୁ ଧରି ଅନ୍ୟତ୍ର ଚାଲିଯିବି, ମୋ ପିତାଙ୍କ ଅପରାଧ ଯୋଗୁଁ ମୋତେ କ୍ଷମା କରନ୍ତୁ ।”
ଶ୍ରୀକୃଷ୍ଣ କହିଲେ, “ସହଦେବ, ତୁମେ ଏକଥା କାହିଁକି କହିଲ? ମୋର ମାମୁଁ କଂସର ତୁମେ ହେଉଛ ଶ୍ୟାଳକ । ତା’ଛଡା ତୁମେ ବି ତ ଆମର ସମ୍ପର୍କୀୟ । ପୁଣି ତୁମେ କିପରି ଭାବୁଛ କି ଆମେ ତୁମକୁ ଏ ରାଜ୍ୟରୁ ବାହାର କରିଦେବୁ? କଂସ ଓ ଜରାସନ୍ଧ ରାକ୍ଷସ ପ୍ରକୃତିର ଥିଲେ । ଅନେକ ଲୋକ ସେମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ । ତେଣୁ ବଧ କରି ସେମାନଙ୍କୁ ମୁକ୍ତି ଦିଆଗଲା । ତୁମେ ଏହି ରାଜ୍ୟର ରାଜା ହୋଇ ଆନନ୍ଦରେ ନିଜ ପରିବାର ଧରି ରହିଥାଅ । ଅଧର୍ମ ମାର୍ଗ ନନେଇ ପ୍ରଜାଙ୍କୁ ନିଜ ସନ୍ତାନ ଭଳି ପାଳନ କର । ରାଜଧର୍ମ ପାଳନ କରି ପୁଣ୍ୟ ଅର୍ଜନ କର । ସୁଖରେ ଥାଅ ।”
ଶ୍ରୀକୃଷ୍ଣଙ୍କ କଥା ଶୁଣି ସହଦେବ ଭକ୍ତି ଓ କୃତଜ୍ଞତାରେ ଗଦ୍ ଗଦ୍ ହୋଇଗଲେ ।