ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

                ସମସ୍ତ ରାଜା ଓ ରାଜାମାନଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ନିଜେ ସହଦେବଙ୍କ ମଥାରେ ମୁକୁଟ ପିନ୍ଧାଇ ଦେଇ ତାଙ୍କୁ ରାଜପଦରେ ଅଭିଷିକ୍ତ କଲେ । ସେହି ଦିନଠାରୁ ସେ ମଗଧର ରାଜା ହେଲେ ।

                ଜରାସନ୍ଧଙ୍କର ମୃତ୍ୟୁ ପରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନଙ୍କୁ ନିଜ ସାଙ୍ଗରେ ଆଣି ଇନ୍ଦ୍ରପ୍ରସ୍ଥ ଆସିଲେ । କାରାଗାରରୁ ମୁକ୍ତ ରାଜାମାନେ ମଧ୍ୟ ଇନ୍ଦ୍ରପ୍ରସ୍ଥ ଆସିଲେ । ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, “ଯୁଧିଷ୍ଠିର, ତୁମର ଦୁଇଭାଇ ସକୁଶଳ ଲେଉଟି ଆସିଛନ୍ତି । ଜରାସନ୍ଧ, ଭୀମଙ୍କ ସହିତ ମଲ୍ଲଯୁଦ୍ଧ କରି ନିହତ ହୋଇଛନ୍ତି । କାରାଗାରରୁ ମୁକ୍ତ ହୋଇ ରାଜାମାନେ ଆପଣଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏଠାକୁ ଆସିଛନ୍ତି ।”

                ଧର୍ମରାଜ ଏହି ଘଟଣାରେ ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ରାଜାମାନଙ୍କର ସତ୍କାର କରିବା ପରେ ନିଜ ନିଜ ଦେଶକୁ ସେମାନଙ୍କୁ ପଠାଇ ଦେଲେ । ତା’ପରେ କୃଷ୍ଣ ମଧ୍ୟ ଦ୍ୱାରକା ଫେରିଗଲେ ।

                କିଛି ଦିନ ପରେ ଅର୍ଜୁନ ଯୁଧିଷ୍ଠିରଙ୍କୁ କହିଲେ, “ମହାରାଜ, ମୋ ପାଖରେ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ରହିଛି । ମୁଁ ଏବେ ଦିଗ୍ବିଜୟରେ ଯିବି । ବିଭିନ୍ନ ଛୋଟ ରାଜ୍ୟମାନଙ୍କରୁ ଧନ ସଂଗ୍ରହ କରିବି ଓ ଆପଣଙ୍କ ଯଜ୍ଞ ବିଷୟରେ ଘୋଷଣା କରିବି ।”

ଯୁଧିଷ୍ଠିର ଏକଥା ଶୁଣି ଆନନ୍ଦରେ ସମ୍ମତି ଦେଲେ ଓ ତାଙ୍କୁ ଉତ୍ତରପଟକୁ ପଠାଇଲେ । ଭୀମ ପୂର୍ବ ଦିଗକୁ ଗଲେ, ସହଦେବ ଦକ୍ଷିଣକୁ ଓ ନକୁଳ ପଶ୍ଚିମକୁ ଗଲେ । ଆଉ ଏଣେ ଯୁଧିଷ୍ଠିର ରାଜ୍ୟ ଶାସନ କରି ଇନ୍ଦ୍ରପ୍ରସ୍ଥରେହିଁ ରହିଲେ ।

ଅର୍ଜୁନ ଉତ୍ତର ଦିଗକୁ ଯାଇ ଅନେକ ରାଜ୍ୟ ଅନାୟାସରେ ଜୟ କଲେ । ପୁଲିନ୍ଦ, ଅନର୍ତ, କାଳକୁଟ, ବୁଲିଳ, ସୁମଣ୍ଡଳ, ଇତ୍ୟାଦି ରାଜ୍ୟମାନ ତାଙ୍କର ହସ୍ତଗତ ହେଲା । ଶାକଲ ଦ୍ୱୀପର ରାଜା ମହାପରାକ୍ରମୀ ପ୍ରତିବିନ୍ଧ୍ୟଙ୍କୁ ମଧ୍ୟ ଅର୍ଜୁନ ହରାଇଲେ । ପ୍ରାଗଜ୍ୟୋତିଷପୁରର ରାଜା ଭଗଦତଙ୍କୁ ମଧ୍ୟ ଆଠଦିନ ଯୁଦ୍ଧ କରିବା ପରେ ଅର୍ଜୁନ ହରାଇଲେ ।

ଅର୍ଜୁନ ଭଗଦତଙ୍କୁ କହିଲେ, “ଆମର ଅଗ୍ରଜ ଧର୍ମରାଜ ଯୁଧିଷ୍ଠିର ରାଜସ୍ୱୟ ଯଜ୍ଞ କରୁଛନ୍ତି । ତେଣୁ ବିପୁଳ ଧନର ପ୍ରୟୋଜନ ହେଉଛି । ଆମେ ଅନ୍ୟ ଭାଇମାନେ ସେଥିପାଇଁ ଚାରିଦିଗକୁ ଦିଗ୍ବିଜୟ କରିବାକୁ ବାହାରିଚୁ । ଆପଣଙ୍କ ରାଜ୍ୟର ଆମେ ଆଦୌ କିଛିବି କ୍ଷତି କରିବୁ ନାହିଁ ।”

ଏକଥା ଶୁଣି ଭଗଦତ ତାଙ୍କୁ ବିପୁଳ ଧନ ଦେଲେ । ତା’ପରେ ସେ ଅନ୍ୟଆଡେ ଯାଇ ଧନ ସଂଗ୍ରହ କଲେ । ଗନ୍ଧର୍ବମାନଙ୍କ ଦେଶରେ ସେମାନଙ୍କୁ ହରାଇ ଉତ୍ତର କୁରୁ ଦେଶକୁ ସେ ଗଲେ । ସେଠାରେ ହରିବର୍ଷ ବୋଲି ରାଜ୍ୟଟିଏ ଥିଲା । ସେ ରାଜଧାନୀରେ ପ୍ରବେଶ କରିବା ପୂର୍ବରୁ ଦ୍ୱାରପାଳ କହିଲା, “ଏହି ଦେଶକୁ କେହି ମଧ୍ୟ ଜିତି ପାରିବେ ନାହିଁ । ବରଂ ଆପଣ ଏହିଠାରୁ ଫେରିଯା’ନ୍ତୁ ।”

ସେ ଦ୍ୱାରପାଳର ଚେହେରା ଦେଖିବାକୁ ମଣିଷଙ୍କ ପରି ଥିଲା କିନ୍ତୁ ସେ ବହୁତ ଉଚ୍ଚ ଓ ବୀରପୁରୁଷ ପରି, ସେ କହିଲା, “ଏହି ରାଜ୍ୟରେ ପ୍ରବେଶ କରିବେ ସିନା, କିନ୍ତୁ ତା’ପରେ ଚକ୍ଷୁ ଅନ୍ଧପ୍ରାୟ ହୋଇଯିବ, କିଛି ଦେଖିପାରିବେ ନାହିଁ । ମାନବଶରୀର ନେଇ ଏହା ଭିତରେ ପ୍ରବେଣ କରିବା ଅସମ୍ଭବ । ତେଣୁ ଆପଣଙ୍କର ଯାହା ଆବଶ୍ୟକ କୁହନ୍ତୁ, ବରଂ ଆମେ ଆପଣଙ୍କର ସେହି ଇଚ୍ଛା ପୂରଣ କରିବୁ ।”

ଅର୍ଜୁନ ଦ୍ୱାରପାଳଙ୍କ କଥା ଶୁଣି କହିଲେ, “ମୋର ଜ୍ୟେଷ୍ଠଭ୍ରାତା ଧର୍ମରାଜ ଯୁଧିଷ୍ଠିର ଏକ ରାଜସ୍ୱୟ ଯଜ୍ଞ କରାଉଛନ୍ତି । ସେଥିପାଇଁ ତାଙ୍କର ଧନର ଆବଶ୍ୟକ । ମୁଁ ସେହି କାରଣରୁ ଧନ ସଂଗ୍ରହ କରୁଛି ।”

ଏକଥା ଶୁଣି ଦ୍ୱାରପାଳ ଭିତରକୁ ଯାଇ ଅନେକ ଧନ, ରତ୍ନ, ଅନେକ ସମ୍ପତ୍ତି ଆଣି ଅର୍ଜୁନଙ୍କୁ ଦେଲେ । ଅର୍ଜୁନଙ୍କର ଉତ୍ତର ଦିଗ୍ବିଜୟ ସଫଳ ହେଲା । ସମସ୍ତ ଧନ ସମ୍ପଦ ସେ ଆଣି ଆପଣା ରାଜ୍ୟକୁ ଲେଉଟି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ