ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଅର୍ଜୁନ ଇନ୍ଦ୍ରପୁରୀରେ ଅବସ୍ଥାନ କରୁଥିବା ସମୟରେ ରୋମଶ ମହର୍ଷି, ତିନିଲୋକ ପରିକ୍ରମା କରିବା ଅବସରରେ ସ୍ୱର୍ଗ-ଲୋକରେ ଯାଇ ପହଁଚିଲେ । ଇନ୍ଦ୍ର ସିଂହାସନରେ ଇନ୍ଦ୍ରଙ୍କ ସହିତ ଅର୍ଜୁନଙ୍କୁ ଉପବେଶନ କରିଥିବାର ଦେଖି ସେ ଅତୀବ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଭାବିଲେ, “ଏ ନିଶ୍ଚୟ ଜଣେ ବଡ ତପସ୍ୱୀ ହୋଇଥିବେ । ତପଃ-ଶକ୍ତି ପ୍ରଭାବରୁ, ଇନ୍ଦ୍ରଙ୍କ ସହିତ ସିଂହାସନରେ ବସିବାର ଯୋଗ୍ୟତା ସେ ଲାଭ କରିଛନ୍ତି ।”

ମହର୍ଷିଙ୍କୁ ଚକିତ ନୟନରେ ଚାହିଁଥିବାର ଦେଖି ଇନ୍ଦ୍ର ସ୍ମିତ ହସି କହିଲେ, “ମୁନିବର, ଏହି ଅର୍ଜୁନ କୌଣସି ସାଧାରଣ ମାନବ ନୁହଁନ୍ତି । ସେ ପୂର୍ବ ଜନ୍ମରେ ନର ନାମକ ମହର୍ଷି ଥିଲେ । ସେ ନାରାୟଣ ମହର୍ଷିଙ୍କ ସହ ମିଶି, ବଦରିକା ଆଶ୍ରମରେ ଏକ ହଜାର ବର୍ଷ ଧରି ତପସ୍ୟା-ସାଧନ କରିଥିଲେ । ସେହି ନର ନାରାୟଣ ଦୁହେଁ, ପୃଥିବୀର ପାପ ଭାର ଉଶ୍ୱାସ କରିବା ପାଇଁ ଏବେ ଅର୍ଜୁନ ଓ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଇଛନ୍ତି । ପାତାଳର ନିବାତକବଚ ରାକ୍ଷସ ଏବେ ଦେବତାମାନଙ୍କୁ ଖୁବ୍ ହଇରାଣ କରୁଛି । ତାଙ୍କୁ ବଧ କରିବା ପାଇଁ ଏଠାକୁ ସେ ଆମନ୍ତ୍ରିତ ହୋଇଛନ୍ତି । ଆପଣ ଭୂ-ଲୋକ ଯାଇ, କାମ୍ୟକ ବନରେ ଅବସ୍ଥାନ କରୁଥିବା ଧର୍ମରାଜଙ୍କୁ ଏହି ସମ୍ବାଦ ଦିଅନ୍ତୁ ଯେ, ଅର୍ଜୁନ ସ୍ୱର୍ଗ ଲୋକରେ ନୃତ୍ୟ-ଗୀତ ଶିକ୍ଷାଲାଭ କରୁଛନ୍ତି ଓ ଏଠାରେ ସେ ଆନନ୍ଦରେ ଅଛନ୍ତି ।”

ଏହାପରେ ସେ ରୋମଶ ମହାମୁନି ଇନ୍ଦ୍ରଙ୍କ କଥା ଅନୁସାରେ ଭୂ–ଲୋକ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।

ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ, ଅର୍ଜୁନଙ୍କର ସ୍ୱର୍ଗରେ ପହଁଚି ଦିବ୍ୟାସ୍ତ୍ର ଲାଭ କରିବା ବିଷୟଟି ଜଣେଇଲେ । ଧୃତରାଷ୍ଟ୍ର ତୁରନ୍ତ ସଞ୍ଜୟଙ୍କୁ ଡକାଇ ବ୍ୟସ୍ତ ହୋଇ କହିଲେ, “ସଞ୍ଜୟ ଶୁଣୁଛ, ଅର୍ଜୁନ ସ୍ୱର୍ଗ ଲୋକରୁ ଦିବ୍ୟାସ୍ତ୍ର ହାସଲ କରିଛି । ଦୁର୍ଯ୍ୟୋଧନର ଦୁର୍ବୁଦ୍ଧି ପାଇଁ, କେତେ ବଡ ବିପତ୍ତି ଘଟିବାକୁ ଯାଉଛି । ଜଣା ନାହିଁ, ଏଥିଲାଗି ଆମ ପ୍ରଜାମାନଙ୍କୁ କେତେ ଯେ ଦୁଃଖ-କଷ୍ଟ ସହ୍ୟ କରିବାକୁ ପଡିବ । ଧର୍ମରାଜ ଓ ଅର୍ଜୁନ ଏ ଦୁହେଁ ମିଶି ତ ତ୍ରିଲୋକ-ଜୟ କରିବାର ଶକ୍ତି ସଂଚୟ କରୁଛନ୍ତି । ଏବେ ମୋର ମନେ ହେଉଛି ଯେ ମୋ ପୁତ୍ରମାନଙ୍କର ମୃତ୍ୟୁ ପ୍ରାୟ ସୁନିଶ୍ଚିତ ।” ଏହା କହି ଧୃତରାଷ୍ଟ୍ର ଅତ୍ୟନ୍ତ ଭାଙ୍ଗି ପଡିଲେ ।

ସଞ୍ଜୟ ଦୃଢ ପ୍ରତ୍ୟୁତ୍ତର ଦେଲେ “ଏଥିରେ କଣ ବା ଅତିରଞ୍ଜନ ଅଛି? ଦ୍ରୌପଦୀଙ୍କୁ ରାଜସଭାକୁ ଡକାଇ ସବୁ ପ୍ରକାରର ନିର୍ଯ୍ୟାତନା ଦେଲେ । ଏହି ଅପମାନର ପ୍ରତିଶୋଧ ସ୍ୱରୂପ ପାଣ୍ଡବଗଣ, ଆପଣଙ୍କ ପୁତ୍ରମାନଙ୍କୁ ବଧ କରିବାର ପ୍ରୟାସରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।”

ଧୌମ୍ୟ ଧର୍ମରାଜଙ୍କୁ ପରାମର୍ଶ ଦେଲେ ଯେ, ଅର୍ଜୁନଙ୍କ ପ୍ରତ୍ୟାଗମନ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ତୀର୍ଥ ପରିଦର୍ଶନ ଉଦ୍ଧେଶ୍ୟରେ ଯାତ୍ରା କରନ୍ତୁ । ଧର୍ମରାଜ, ପତ୍ନୀ ଦ୍ରୌପଦୀ, ଭାଇ ଓ ବ୍ରାହ୍ମଣ ସମୂହଙ୍କୁ ସାଥିରେ ଧରି ତୀର୍ଥ ଯାତ୍ରାରେ ବାହାରୁଛନ୍ତି । ଠିକ୍ ସେହି ସମୟରେ ମହର୍ଷି ରୋମଶ ସେଠାରେ ପହଁଚି ଅର୍ଜୁନଙ୍କ ସମ୍ବାଦ ଦେଲେ, “ସୁଧର୍ମ ସଭାରେ ଇନ୍ଦ୍ରଙ୍କ ସହିତ ଅର୍ଜୁନ ସିଂହାସନରେ ଉପବିଷ୍ଟ ଥିଲେ । ଏହି ଦୃଶ୍ୟରେ ମୁଁ ବିସ୍ମିତ ହେଲି । ଇନ୍ଦ୍ର, ଅର୍ଜୁନଙ୍କର ଶୁଭ ସମାଚାର ତୁମ ନିକଟକୁ ପଠାଇଛନ୍ତି । କେବଳ ସେହି କାର୍ଯ୍ୟରେ ମୁଁ ଏଠାକୁ ଆସିଛି । ଅର୍ଜୁନ ଦିବ୍ୟାସ୍ତ୍ର ଲାଭ କରି ସାରି ଏବେ ଚିତ୍ରସେନ ଗନ୍ଧର୍ବଙ୍କ ଠାରୁ ନୃତ୍ୟ-ସଙ୍ଗୀତ ଶିକ୍ଷା କରୁଛନ୍ତି । ତୁମେମାନେ ତୀର୍ଥ ଯାତ୍ରା କର ବୋଲି ଇନ୍ଦ୍ର ମଧ୍ୟ ଇଚ୍ଛା କରନ୍ତି । ମୁଁ ପୂର୍ବରୁ ଦୁଇଥର ତୀର୍ଥ ଯାତ୍ରା କରିଥିଲେ ମଧ୍ୟ ଏବେ ତୁମମାନଙ୍କ ସହିତ, ତୃତୀୟ ଥର ପାଇଁ ଦର୍ଶନ କରିବି ।”

ଧର୍ମରାଜଙ୍କୁ ଏହି ସମ୍ବାଦ ଖୁବ୍ ଆନନ୍ଦ ଦେଲା । ଅର୍ଜୁନ ତାଙ୍କ ବାଂଛିତ ଲକ୍ଷ୍ୟରେ ସଫଳ ହେଲେ । ଧର୍ମରାଜ ପ୍ରଥମରୁ ଯେଉଁ ତୀର୍ଥସ୍ଥାନ ଦର୍ଶନ ପାଇଁ ମନସ୍ଥ କରିଥିଲେ, ଇନ୍ଦ୍ର ମଧ୍ୟ ସେହି ସ୍ଥାନ ଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ତାଙ୍କ ପାଖରେ ଥିବା ଲୋକମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ହସ୍ତିନା ଓ ଅନ୍ୟ କିଛିଙ୍କୁ ପାଂଚାଳ ଫେରି ଯିବାକୁ ସେ ନିର୍ଦ୍ଧେଶ ଦେଲେ । ଇନ୍ଦ୍ରସେନଙ୍କ ପରି ଆୟୁଧ ଓ କବଚ ଧାରଣ କରିଥିବା କିଛି ଲୋକଙ୍କୁ ସଙ୍ଗରେ ଆସିବା ପାଇଁ ସେ ଅନୁମତି ଦେଲେ ।

ତୀର୍ଥ ଯାତ୍ରା ଅବସରରେ ପାଣ୍ଡବଗଣ ଗୋମତୀ ତୀର୍ଥ, କନ୍ୟା ତୀର୍ଥ, ଗୋତୀର୍ଥ, ବାହୁଦା ନଦୀ ତୀର, ତ୍ରୀବେଣୀ, ଗୟା କ୍ଷେତ୍ର ଆଦି ସନ୍ଦର୍ଶନ କଲେ । ଅଗସ୍ତ୍ୟ ମହର୍ଷିଙ୍କ ଆଶ୍ରମକୁ ଯାଇ, ତାଙ୍କ ବିଷୟରେ ଜ୍ଞାନ ଅର୍ଜନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ