ଅଗସ୍ତ୍ୟଙ୍କ ଆଶ୍ରମ ଦର୍ଶନ ପରେ ପାଣ୍ଡବମାନେ ଅନ୍ୟାନ୍ୟ ତୀର୍ଥ ସ୍ଥାନ ଉଦ୍ଧେଶ୍ୟରେ ଯାତ୍ରା କଲେ । ସେମାନେ କୌଶିକ ନଦୀ ତଟରେ ପହଁଚି ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମ ଦର୍ଶନ କଲେ । ନଦୀର ଅପର ପାଶ୍ୱର୍ର ଋଷି ବିଭାଣ୍ଡକଙ୍କ ପୁତ୍ର ଋଷ୍ୟଶୃଙ୍ଗଙ୍କ କାହାଣୀ ଶୁଣିବାର ସୌଭାଗ୍ୟ ଲାଭ କଲେ ।
ଅଙ୍ଗ ଦେଶର ଶାସକ ରୋମପାଦ, ଦଶରଥଙ୍କର ମିତ୍ର ଥିଲେ । ସେ ବ୍ରାହ୍ମଣମାନଙ୍କ ପ୍ରତି ଦ୍ରୋହ କରିବାରୁ ବ୍ରାହ୍ମଣମାନେ ତାଙ୍କ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ଚାଲିଗଲେ । ମାତ୍ର ସେମାନେ ଚାଲି ଯିବାରୁ ସେ ରାଜ୍ୟରେ ଆଉ ବର୍ଷା ହେଲା ନାହିଁ, ଅକାଳ ପଡିଲା । ରୋମପାଦ, ତାଙ୍କ ମିତ୍ର ଦଶରଥଙ୍କ ପରାମର୍ଶ ଅନୁସାରେ ଅନେକ ସୁନ୍ଦରୀଙ୍କୁ ଋଷ୍ୟଶୃଙ୍ଗକୁ ଆଣିବା ପାଇଁ ପଠାଇଲେ । ସେହି ସୁନ୍ଦରୀଙ୍କ ପ୍ରଚେଷ୍ଟାରେ ଋଷ୍ୟଶୃଙ୍ଗ ତାଙ୍କ ରାଜ୍ୟକୁ ଆସିଲେ । ରୋମପାଦ ନିଜ କନ୍ୟା ଶାନ୍ତାଙ୍କର ବିବାହ ତାଙ୍କ ସହିତ ଅନୁଷ୍ଠିତ କରାଇଲେ । ଋଷ୍ୟଶୃଙ୍ଗ ଅଙ୍ଗଦେଶରେ ପାଦ ଦେଉ ଦେଉ ନିୟମିତ ଭାବରେ ବର୍ଷା ଆରମ୍ଭ ହେଲା ।
ଏହିପରି ପାଣ୍ଡବମାନେ ଅନେକ ତୀର୍ଥ ସ୍ଥାନ ଦର୍ଶନ କଲେ । ସେମାନେ ମହେନ୍ଦ୍ର ପର୍ବତ ନିକଟକୁ ଯାଇ ଅକୃତବ୍ରତାଙ୍କ ଠାରୁ ପର୍ଶୁରାମଙ୍କ କାହାଣୀ ଶୁଣିଲେ । ହୟ ରାଜବଂଶୀୟ କାର୍ତବୀର୍ଯ୍ୟ, ଦତାତ୍ରେୟ ମୁନିଙ୍କଠାରୁ ବରପ୍ରାପ୍ତ ହୋଇ ଏକ ସହସ୍ର ବାହୁର ଅଧିକାରୀ ହୋଇଥିଲା । ଏହି ବଳ ତାଙ୍କୁ ଗର୍ବରେ ଅନ୍ଧ କରି ଦେଇଥିଲା । ସେ ନାନାଦି ଉପଦ୍ରବ କରୁଥିଲା । ଏକଦା କାର୍ତବୀର୍ଯ୍ୟ ପର୍ଶୁରାମଙ୍କ ପିତା ଯମଦଗ୍ନୀଙ୍କ ଆଶ୍ରମକୁ ଯାଇ ଏହାକୁ ବିଧ୍ୱଂସ କରିଦେଲା ଓ ହେମଧେନୁକୁ ଅପହରଣ କରି ଆଣିଲା । ପର୍ଶୁରାମ ଆଶ୍ରମକୁ ଫେରି ଏ ସମ୍ବାଦ ପାଇ କ୍ରୋଧ ଜର୍ଜରିତ ହୋଇ କାର୍ତବୀର୍ଯ୍ୟକୁ ଯୁଦ୍ଧରେ ସଂହାର କଲେ । ଏହାପରେ କାର୍ତବୀର୍ଯ୍ୟଙ୍କ ପୁତ୍ରମାନେ ପ୍ରତିଶୋଧ ପରାୟଣ ହୋଇ ଯମଦଗ୍ନୀ ଏକାକୀ ଥିବା ସମୟରେ ଆଶ୍ରମରେ ପ୍ରବେଶ କରି ତାଙ୍କୁ ଗଳା କାଟି ହତ୍ୟା କଲେ । ଏହାର ଫଳ ସ୍ୱରୂପ ପର୍ଶୁରାମ ଏକୋଇଶି ଥର ବିଶ୍ୱ ଭ୍ରମଣ କରି କ୍ଷତ୍ରୀୟ ମାନଙ୍କୁ ହତ୍ୟା କଲେ ଓ ସମଗ୍ର ଧରାକୁ କ୍ଷତ୍ରୀୟଶୂନ୍ୟ କରି ପକାଇଲେ । ସେ ଏହିପରି ଭାବେ ନିଜ ପ୍ରତିଶୋଧର ବହ୍ନି ନିର୍ବାପିତ କଲେ ।
ପାଣ୍ଡବଗଣ ପ୍ରଭାସ ତୀର୍ଥ ନିକଟରେ ପହଁଚିବାର ସମ୍ବାଦ ପାଇ କୃଷ୍ଣ, ବଳରାମ ଆଦି ଯାଦବଗଣ ସେମାନଙ୍କୁ ଭେଟିବା ପାଇଁ ଆସିଲେ । ସେମାନେ ପାଣ୍ଡବଙ୍କୁ ଏହି ଆଶ୍ୱାସନା ଦେଲେ ଯେ, ସେମାନେ ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରିବେ ଓ ରାଜଶ୍ରୀ ପ୍ରାପ୍ତ ହେବେ ।
ଯାଦବଗଣ ଦ୍ୱାରକା ଫେରି ଯିବାରୁ ସେମାନେ ପୁନଶ୍ଚ ତୀର୍ଥ ଯାତ୍ରାରେ ବାହାରି ପଡିଲେ । ସର୍ବ ଶେଷରେ ସେମାନେ ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଯାଇ ପହଁଚିଲେ । ସ୍ଥିର କଲେ, ଅର୍ଜୁନଙ୍କ ପ୍ରତ୍ୟାଗମନ ପର୍ଯ୍ୟନ୍ତ ସେମାନେ ସେଠାରେ ଅବସ୍ଥାନ କରିବେ । ଏହା ଏକ ଅତି ପବିତ୍ର ସ୍ଥାନ ଓ ସମଗ୍ର ତୀର୍ଥ ସ୍ଥଳୀ ମାନଙ୍କ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଅଟେ । ଏଠାରେ ପାଣ୍ଡବମାନେ ନରକାସୁରର ହାଡ ସ୍ତୂପ ଆକାରରେ ଗଦା ହୋଇଥିବାର ଦେଖିଲେ ।
ସେମାନେ ଗନ୍ଧମାର୍ଦ୍ଦନ ନିକଟରେ ପହଁଚିବା ସମୟରେ ଜୋର୍ରେ ପବନ ବହୁଥିଲା । ଧୂଳି ଉଡି ଚତୁର୍ଦ୍ଦିଗ ଅନ୍ଧକାର ହୋଇ ଯାଇଥିଲା । ବିଜୁଳି ମାରି ଭୀଷଣ ବର୍ଷା ହେଲା । ସମସ୍ତେ ଆତ୍ମ ରକ୍ଷା ପାଇଁ ଇତଃସ୍ତତ ଆଶ୍ରୟ ନେଲେ । ସକାଳୁ ବର୍ଷା ଛାଡିଯାଇ ବାତାବରଣ ପ୍ରଶାନ୍ତ ହୋଇଗଲା । କିନ୍ତୁ ପଥଶ୍ରମରେ କ୍ଳାନ୍ତ ହୋଇ ପଡିଥିବା ଦ୍ରୌପଦୀ ବର୍ଷା ଓ ଥଣ୍ଡା ପବନ ଜନିତ ଆଘାତକୁ ସହି ନ ପାରି ବେହୋସ ହୋଇଗଲେ । ଦ୍ରୌପଦୀ ତଳେ ପଡିଯିବା ଆଗରୁ ନକୁଳ ତାଙ୍କୁ ଧରି ପକାଇଲେ । ଅନ୍ୟଥା ପଥର ଉପରେ ପଡି ସେ କ୍ଷତାକ୍ତ ହୋଇଥା’ନ୍ତେ । ଧର୍ମରାଜା ତାଙ୍କୁ ନିଜ କୋଳରେ ଶୁଆଇ ଆଶ୍ୱସ୍ତ କରୁ କରୁ ନିଜେ ଲୋତକ ବର୍ଷଣ କରୁଥା’ନ୍ତି । ସଭିଏଁ ମିଶି ତାଙ୍କର ସେବା ଶୁଶ୍ରୁଷା କରି ସୁସ୍ଥ କରାଇଲେ । ସେହି ପଥ ପଥର ଓ କଂଟାରେ ଭରପୁର ଥିଲା । ଆଗକୁ ଯିବା ସମ୍ଭବ ହେଉ ନ ଥାଏ । ଏପରି ପରିସ୍ଥିତି ଦେଖି ଭୀମ ତାଙ୍କ ପୁତ୍ର ଘଟୋତ୍କଚକୁ ସ୍ମରଣ କଲେ । ତା’ପରେ ସେ ନିଜର ରାକ୍ଷସ ସେନା ସହିତ ସେଠାରେ ଆସି ଉପସ୍ଥିତ ହେଲେ । ଘଟୋତ୍କଚ ପାଣ୍ଡବ ଓ ଦ୍ରୌପଦୀଙ୍କୁ କାନ୍ଧରେ ବସାଇଲେ । ବାକି ଲୋକଙ୍କୁ ଅନ୍ୟ ରାକ୍ଷସମାନେ ବହନ କରି ଦ୍ରୂତ ବେଗରେ ଆଗେଇଲେ । କୈଳାଶ ନିକଟସ୍ଥ ବଦ୍ରିକାଶ୍ରମଠାରେ ପହଁଚିବା ପରେ ଘଟୋତ୍କଚ ଓ ରାକ୍ଷସଗଣ ସେମାନଙ୍କ ଠାରୁ ବିଦାୟ ନେଲେ । ସେଠାରେ ପହଁଚି ପବିତ୍ର ଗଙ୍ଗା ନଦୀ ଜଳରେ ସମସ୍ତେ ସ୍ନାନ କଲେ । ମୁନିଗଣ ସେମାନଙ୍କୁ ଫଳ, କନ୍ଦମୂଳ ଦେଇ ସତ୍କାର କଲେ । ଅର୍ଜୁନଙ୍କ ପ୍ରତ୍ୟାଗମନ ପର୍ଯ୍ୟନ୍ତ ସେମାନେ ସେହିଠାରେହିଁ ରହିବା ପାଇଁ ସ୍ଥିର କଲେ ।