ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ପିତାଶ୍ରୀ ବିରାଟଙ୍କୁ ଉତ୍ତର କହିଲେ ଯେ ଜଣେ ଦେବପୁରୁଷ ତାଙ୍କୁ ଏହି ବିଜୟରେ ସାହାଯ୍ୟ କଲେ ଓ ସେହି କାରଣରୁ ସେ କୌରବଙ୍କ କବଳରୁ ଗୋଧନ ଉଦ୍ଧାର କରି ପାରିଲେ । ଏହା ଶୁଣି ବିରାଟ କହିଲେ, କିଏ ସେହି ମହାନୁଭବ ଯାହାଙ୍କ କୃପାରୁ ଆମର ଏହି ମହୋପକାର ସମ୍ଭବ ହେଲା ମୁଁ ତ କାହିଁ କିଛି ହେଲେବି ଜାଣିପାରୁ ନାହିଁ । ମୁଁ ତାଙ୍କର ଦର୍ଶନ ପାଇଁ ବ୍ୟସ୍ତ । ତାଙ୍କର ପୂଜା ଆରାଧନା କରି ମୁଁ ମୋ ନିଜକୁ ଧନ୍ୟ ମନେ କରିବି । ସେହି ଭଗବାନ ମୋର ଏହି ଅଭିଳାଷ ମଧ୍ୟ ପୂରଣ କରନ୍ତୁ ।

                ଉତ୍ତର କହିଲେ “ସେହି ଦେବକୁମାର ଅନ୍ତର୍ଦ୍ଧାନ ହୋଇଯିବା ସମୟରେ କହିଲେ, ସେ ଆସନ୍ତା କାଲି କିମ୍ବା ତା’ ପରଦିନ ଆପଣଙ୍କୁ ଦର୍ଶନ ଦେବେ ।” ବିରାଟ ସେପର୍ଯ୍ୟନ୍ତ ଜାଣି ନ ଥିଲେ ଯେ ସେହି ଦେବତୁଲ୍ୟ ପୁରୁଷ ନପୁଂସକ ରୂପରେ ତାଙ୍କ ସମ୍ମୁଖରେହିଁ ଉପସ୍ଥିତ ଅଛନ୍ତି ।

                ବିରାଟଙ୍କ ଅନୁମତି ପାଇବା ପରେ ଅର୍ଜୁନ କୁରୁବୀରମାନଙ୍କ ପଗଡି ବାହାର କରି ଉତରାଙ୍କୁ ଦେଲେ । ଏହି ଘଟଣାର ତିନିଦିନ ପରେ ପାଞ୍ଚ ପାଣ୍ଡବ ପ୍ରଭାତ ସମୟରେ ନିଜର ନିତ୍ୟକର୍ମ ପାଳନ କରିବା ସହିତ ଶ୍ୱେତ-ବସ୍ତ୍ର ପରିଧାନ କରି ନିଜର ପ୍ରକୃତ ରୂପରେ ବିରାଟ ରାଜ ଦରବାରରେ ପ୍ରବେଶ କଲେ । ରାଜାଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ଧର୍ମରାଜ ଉପବେଶନ କଲେ ।

                କିଛି ସମୟ ପରେ ରାଜା ବିରାଟ ସଭାସ୍ଥଳକୁ ଆସିଲେ । ତାଙ୍କ ଆସନରେ ପାଣ୍ଡବ ମାନଙ୍କୁ ବସିଥିବାର ଦେଖି ବିରାଟ ରାଜା ବିସ୍ମିତ ହୋଇଗଲେ । କ୍ରୋଧରେ ଚିତ୍କାର କରି ସେ କହି ଉଠିଲେ, “ମୁଁ ତୁମକୁ ପଶା ଖେଳିବା ପାଇଁ ଏଠାରେ ନିଯୁକ୍ତି ଦେଇଥିଲି । ହେଲେ ତୁମେ ମୋର ସିଂହାସନରେ ବସିବାର ଆସ୍ପର୍ଦ୍ଧା କିପରି କରୁଛ?”

                ବିରାଟଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଅର୍ଜୁନ କହିଲେ, “ରାଜନ୍! ଏହି ମହାତ୍ମା ଇନ୍ଦ୍ରଙ୍କର ଅର୍ଦ୍ଧେକ ଆସନରେ ଉପବେଶନ କରିବା ପାଇଁ ଯୋଗ୍ୟ ଅଟନ୍ତି । ଏହା ତ ଏକ ସାଧାରଣ ରାଜଗାଦୀ । ଏହି ଧର୍ମସ୍ୱରୂପ ଅଦ୍ଭୁତ ବଳଶାଳୀ, ରାଜର୍ଷି ଅଟନ୍ତି । ମନୁଙ୍କ ପରି ଏହି ଲୋକକୁ ରକ୍ଷା କରିବାର କ୍ଷମତା ତାଙ୍କର ଅଛି । ସେ କୁରୁ ଦେଶର ଶାସକ ଥିବା ସମୟରେ ଦଶହଜାର ଗଜ, ତିରିଶ ହଜାର ରଥର ଅଧିକାରୀ ଥିଲେ । ଦୁର୍ଯ୍ୟୋଧନ ପରି ମହାନ୍ ଯୋଦ୍ଧା ତାଙ୍କର ପରାକ୍ରମରେ ବିଚଳିତ ହୋଇ ପଡୁଥିଲା । ଆଉ ଆପଣଙ୍କର ତାଙ୍କୁ ଏପରି ପ୍ରଶ୍ନ ପଚାରିବାଟା ସମୁଚିତ କି?” ଅର୍ଜୁନଙ୍କ ଠାରୁ ଏପରି କଥା ଶୁଣି ବିରାଟଙ୍କର ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ । ସେ କହିଲେ, “ତେବେ ୟେ ହେଉଛନ୍ତି କୁନ୍ତୀ-ଦେବୀଙ୍କ ପ୍ରଥମ ପୁତ୍ର ଧର୍ମରାଜ? ତେବେ ତାଙ୍କର ଭ୍ରାତା ଭୀମ, ଅର୍ଜୁନ, ନକୁଳ ଓ ସହଦେବ କେଉଁଠାରେ ଅଛନ୍ତି? ଦ୍ରୌପଦୀ କାହାନ୍ତି?”

                ଅର୍ଜୁନ ସମସ୍ତ ବୃତାନ୍ତ ଜଣାଇ କହିଲେ, “ବଲ୍ଲଭ ନାମରେ ଯେଉଁ ବ୍ୟକ୍ତି ଆପଣଙ୍କ ପାକଶାଳାରେ କାମ କରୁଥିଲେ, ସେ ହେଉଛନ୍ତି ଭୀମ । ସେ ଗନ୍ଧର୍ବମାନଙ୍କ ଉପରେ ବିଜୟ ହାସଲ କରି ଦ୍ରୌପଦୀଙ୍କ ପାଇଁ ସୌଗନ୍ଧିକା ପୁଷ୍ପ ଆଣି ଦେଇଥିଲେ । ସେ ମଧ୍ୟ କୀଚକକୁ ବଧ କରିଛନ୍ତି । ତାଙ୍କ ବ୍ୟତିରେକେ ଏପରି କାର୍ଯ୍ୟ ଆଉ କିଏ ବା କରିବାକୁ ସକ୍ଷମ ହୋଇଥାଆନ୍ତା? ଆପଣଙ୍କ ଅଶ୍ୱଶାଳା ଓ ଗୋଶାଳାର ଦାୟିତ୍ୱରେ ଥିବା ସେହି ବ୍ୟକ୍ତି ଦୁଇଜଣ ହେଲେ ନକୁଳ ଓ ସହଦେବ । ଆପଣ ସେମାନଙ୍କ କାର୍ଯ୍ୟ-ନିପୁଣତା ସମ୍ବନ୍ଧରେ ତ ଜାଣି ସାରିଥିବେ । ଦାସୀ ସୈରିନ୍ଧ୍ରୀ ହେଉଛନ୍ତି ଦେବୀ ଦ୍ରୌପଦୀ । ଆଉ ଖୋଦ୍ ମୁଁ ହେଉଛି ଅର୍ଜୁନ । ଆପଣଙ୍କ ରାଜ୍ୟରେ ଆମେ ସୁଖପୂର୍ବକ ଅଜ୍ଞାତବାସ ବିତାଇ ପାରିଛୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ