ଏହାପରେ ବଳରାମ କୃଷ୍ଣଙ୍କ ପ୍ରସ୍ତାବକୁ ସମର୍ଥନ କରି କହିଲେ, “ଏଠାରୁ ଯେଉଁ ଦୂତ ଯିବେ, ସେ ଭୀଷ୍ମ, ଧୃତରାଷ୍ଟ୍ର, ଦ୍ରୋଣ, ଅଶ୍ୱତ୍ଥାମା, କୃପାଚାର୍ଯ୍ୟ କର୍ଣ୍ଣ ଆଦି କୌରବ ପ୍ରମୁଖମାନଙ୍କୁ ଭେଟିବେ । ସେମାନଙ୍କ ସହିତ ବିଶଦ ଆଲୋଚନା କରି ସମସ୍ତ ବିଷୟ ବୁଝାଇବେ । ତାଙ୍କର କଥାବାର୍ତ୍ତା ନିଷ୍ପକ୍ଷ ଓ ନିଃସ୍ୱାର୍ଥପର ହେବା ଜରୁରୀ । ମୁଁ ସ୍ୱୀକାର କରୁଛି ଯେ, ଧର୍ମରାଜ ଶକୁନିଙ୍କ ସହ ପଶା ଖେଳି ଏକ ଗୁରୁତର ଭୁଲ୍ କରିଛନ୍ତି । ଶକୁନି ପଶା ଖେଳରେ ପ୍ରବୀଣ ଅଟନ୍ତି । ଧର୍ମରାଜ ଅନ୍ୟ କାହା ସହିତ ଖେଳିଥିଲେ ଅବଶ୍ୟ ଜୟଲାଭ କରିଥାନ୍ତେ । ଖେଳରେ ମୋହାବିଷ୍ଟ ହୋଇ ସେ ନିଜର ସବୁକିଛିକୁ ବାଜିରେ ଲଗାଇଦେଲେ । ମୋର ମନେ ହେଉଛି ଏଥିରେ ଶକୁନିଙ୍କର କିଛିବି ଷଡଯନ୍ତ୍ର ନାହିଁ । ଏଣୁ ଆମ ପକ୍ଷରୁ ଯେଉଁ ଦୂତ ସେଠାକୁ ଯିବେ, ସେ ଦୁର୍ଯ୍ୟୋଧନଙ୍କର ଅନୁଗ୍ରହ ପାଇବା ଆବଶ୍ୟକ ।
ବଳରାମଙ୍କର ଏପରି କଥାରେ ସାତ୍ୟକୀ ଉତ୍ତେଜିତ ହୋଇ ଉଠିଲେ । ସେ ତୁରନ୍ତ ଦଣ୍ଡାୟମାନ ହୋଇ ବଳରାମଙ୍କୁ ନିନ୍ଦା କରି କହିଲେ, “ତୁମେ ତୁମର ଅନ୍ତରର କଥା କହିଥିବାରୁ ମୁଁ ଏହାକୁ ବିଶେଷ ଗୁରୁତ୍ୱ ଦେଉନାହିଁ । କିନ୍ତୁ ତୁମର ଏପରି ଅର୍ଥହୀନ କଥାଶୁଣି ଅନ୍ୟମାନେ କିପରି ନୀରବ ରହି ପାରୁଛନ୍ତି, ତାହା ମୋତେ ବଡ ବିସ୍ମିତ କରୁଛି । ଧର୍ମରାଜଙ୍କୁ ଦ୍ୟୁତକ୍ରୀଡା ପାଇଁ ବାଧ୍ୟ କରିବାଟା କ’ଣ ଅନ୍ୟାୟ ନୁହେଁ? ସେମାନେ ଧର୍ମରାଜଙ୍କ ଭବନକୁ ଆସି ପଶା ଖେଳିଥିଲେ ଓ ସେଥିରେ ବିଜୟ ଲାଭ କରିଥିଲେ ମୁଁ ଏହାକୁ ନ୍ୟାୟୋଚିତ ଧରି ନେଇ ଥାଆନ୍ତି । ସେ ଯାହା ବି ହେଉ, ପାଣ୍ଡବମାନେ ସତ୍ୟପାଳନ କରି ବନବାସ ଓ ଅଜ୍ଞାତବାସ ଭୋଗି ସାରିଛନ୍ତି । ଅର୍ଥାତ୍ ସେମାନେ ଧର୍ମପାଳନ କରିଛନ୍ତି । ସେମାନେ ବାସ୍ତବରେ ସେମାନଙ୍କର ଚରିତ୍ରବତା, ନୈତିକପଣ ପ୍ରତିପାଦନ କରିପାରିଛନ୍ତି । ଏପରି ପରିସ୍ଥିତିରେ ଧର୍ମରାଜ ନିଜ ରାଜ୍ୟ ଫେରି ଚାହିଁବାରେ ଅଧର୍ମ ଆଉ କେଉଁଠି ରହିଲା? ଏଥିପାଇଁ ସେମାନେ ଦୁର୍ଯ୍ୟୋଧନର ଅନୁଗ୍ରହ ଲୋଡିବେ ବା କାହିଁକି? ମୁଁ ଉତ୍ତମ ରୂପେ ଜାଣେ ଯେ ଦୁର୍ଯ୍ୟୋଧନ ଖଳ ପ୍ରକୃତି ବିଶିଷ୍ଟ ଅଟେ । ସେ କୌଣସି ପରିସ୍ଥିତିରେ ମଧ୍ୟ ଏହି ପ୍ରସ୍ତାବକୁ ଆଦୌ ଗ୍ରହଣ କରିବ ନାହିଁ । ଧର୍ମ ଆଚରଣ କରି ସେ କେବେବି ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବ ନାହିଁ । କେବଳ ଏତିକି ନୁହେଁ, ଅଧର୍ମ ମାର୍ଗରେ ପରିଚାଳିତ ହେବାପାଇଁ ସେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ । ଦୁର୍ଯ୍ୟୋଧନ ଠାରୁ ଧର୍ମ, ନ୍ୟାୟ ଆଶା କରିବାଟାହିଁ ବାଚାଳାମୀ ବ୍ୟତୀତ ଅନ୍ୟକିଛି ନୁହେଁ । ଆମେ ସେମାନଙ୍କୁ ସମୂଳେ ନାଶ କରିବା ଓ ଧର୍ମରାଜଙ୍କର ରାଜ୍ୟାଭିଷେକ କରାଇବା । ଧୃତରାଷ୍ଟ୍ର, ଧର୍ମରାଜଙ୍କ ଉପରେ ଦୟାପରାବଶ ହୋଇ ରାଜ୍ୟ-ଭିକ୍ଷା ଦେବାକୁ ପ୍ରସ୍ତୁତ ହେଲେ ମଧ୍ୟ ତାହା ଆମେ ଯମା ସ୍ୱୀକାର କରିବା ନାହିଁ । ଏହି ସମ୍ବନ୍ଧରେ ମୁଁ ଧର୍ମରାଜଙ୍କ ଅଭିପ୍ରାୟ ଜାଣିବାକୁ ଚାହୁଁଛି ।”
ଦ୍ରୁପଦ କହିଲେ, “ସାତ୍ୟକୀ ଏବେ ଯାହାବି କିଛି କହିଲେ, ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ବାସ୍ତବରେ ମଧୁର ବା ନୀତିପୂର୍ଣ୍ଣ କଥାରେ ପରିବର୍ତ୍ତିତ ହୋଇ ଦୁର୍ଯ୍ୟୋଧନ କେବେବି ରାଜ୍ୟ ଫେରସ୍ତ କରିବ ନାହିଁ । ଧୃତରାଷ୍ଟ୍ରଙ୍କ ନିୟନ୍ତ୍ରଣରେ ତାଙ୍କର ପୁତ୍ରମାନେ ମୋଟେ ନାହାଁନ୍ତି । ସେମାନେ ତାଙ୍କ ପିତାଙ୍କୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ । ଏହି ଦୁଃସ୍ଥିତିରେ ଭୀଷ୍ମ ଓ ଦ୍ରୋଣଙ୍କୁ ଦୁର୍ଯ୍ୟୋଧନକୁ ଅଗତ୍ୟା ସମର୍ଥନ କରିବା ପାଇଁ ପଡୁଛି । କର୍ଣ୍ଣ ଓ ଶକୁନି ସେମାନଙ୍କର ସେବା କରି ନିଜ ଜୀବନକୁ ସାର୍ଥକ ମଣୁଛନ୍ତି । ଏପରି ମୂର୍ଖ ମୁଁ ଆଉ କେଉଁଠାରେ ହେଲେ ବି ଦେଖି ନାହିଁ । ଆମେ ଯେଉଁ ଦୂତ ଦୁର୍ଯ୍ୟୋଧନଙ୍କ ନିକଟକୁ ପଠାଇବା, ସେ ଖାଲି ଜଣେ ଉତ୍ତମ ବ୍ୟକ୍ତି ହୋଇଥିବା ପର୍ଯ୍ୟାପ୍ତ ନୁହେଁ । କାରଣ ତାଙ୍କର ବ୍ୟକ୍ତିତ୍ୱ ଦୁର୍ଯ୍ୟୋଧନ ଉପରେ କୌଣସି ପ୍ରଭାବ ପକାଇବା ସମ୍ଭବ ନୁହେଁ । ତାଙ୍କର ଦୂତଙ୍କର ଏପରି କଥାରୁ ଦୁର୍ଯ୍ୟୋଧନ ମନେ କରିବ, ପାଣ୍ଡବମାନେ ହୀନବଳ ଅଟନ୍ତି । ତେଣୁ ଆମେ ନିଜ ତରଫରୁ ଅନ୍ୟ କିଛି ଉଦ୍ୟମ କରିବା । ଶଲ୍ୟ, ଧୃତକେତୁ, ଜୟସେନ କୈକେୟ ଆଦି ରାଜାଙ୍କୁ ସେନା ସହିତ ଏଠାକୁ ଆସିବା ପାଇଁ ସମ୍ବାଦ ପ୍ରେରଣ କରିବା । ଅନ୍ୟାନ୍ୟ ସହଯୋଗୀ ରାଜାମାନଙ୍କୁ ମଧ୍ୟ ସେନାବାହିନୀ ସହ ଏଠାରେ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ ପଠାଇବା । ଦୁର୍ଯ୍ୟୋଧନ ମଧ୍ୟ ଏହା କରିବ । ଯାହାଙ୍କ ଠାରୁ ପ୍ରଥମେ ସମ୍ବାଦ ମିଳିବ ତାଙ୍କୁ ସହାୟତା ମିଳିବ । ତେଣୁ ଆମେ ସୈନ୍ୟ ସଂଗଠିତ କାର୍ଯ୍ୟରେ ଲାଗି ପଡିବୁ । ଏ ହେଉଛନ୍ତି ଆମର ପୁରୋହିତ । ଏ ବୃଦ୍ଧ ଅଭିଜ୍ଞ, ଧର୍ମଶୀଳ ଓ ନୀତିବାନ୍ ଅଟନ୍ତି । ଯାହା ସମ୍ବାଦ ପ୍ରେରଣ କରିବା କଥା, ତାଙ୍କୁ ବୁଝାଇ ଦିଅନ୍ତୁ ଓ ସେ ଧୃତରାଷ୍ଟ୍ରଙ୍କ ଦରବାରରେ ତାହା ଉପସ୍ଥାପିତ କରିବେ ।
ଶ୍ରୀକୃଷ୍ଣ ଶେଷରେ କହିଲେ, “ଦ୍ରୁପଦଙ୍କ ପରାମର୍ଶ ଗ୍ରହଣ କଲେ ପାଣ୍ଡବମାନଙ୍କର ହିତ ସାଧିତ ହେବ । ଦୁଇପକ୍ଷ ସୁଖ ପୂର୍ବକ କାଳାତିପାତ କରିବେ । ଶାନ୍ତି ଓ ମୈତ୍ରୀ ବ୍ୟତିରେକେ ଆମର ଆଉ ଅଧିକ କିଛିବି ଲୋଡା ନାହିଁ । ଏବେ ଆମେ ସମସ୍ତେ ନିଜ ନିଜ ରାଜ୍ୟକୁ ଫେରିଯିବା ଉଚିତ୍ ହେବ । ଦ୍ରୁପଦ ଆମ୍ଭମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଓ ଗୁରୁତୁଲ୍ୟ ଅଟନ୍ତି । ତେଣୁ ସନ୍ଦେଶର ବିଷୟବସ୍ତୁ ସେ ନିର୍ଦ୍ଧାରଣ କରିବା ଉଚିତ୍ ହେବ । ଭୀଷ୍ମ, ଦ୍ରୋଣ ଅବଶ୍ୟ ଏହି ସନ୍ଦେଶକୁ ସମର୍ଥନ କରିବେ । ଯଦି ଦୁର୍ଯ୍ୟୋଧନ ଆମ ପ୍ରସ୍ତାବକୁ ଅସ୍ୱୀକାର କରେ, ତେବେ ଅନ୍ୟ ରାଜାଙ୍କ ନିକଟକୁ ଯାହା ସମ୍ବାଦ ପ୍ରେରିତ ହେବ, ମୋ ନିକଟକୁ ମଧ୍ୟ ସେପରି ସମ୍ବାଦ ପଠାଇବେ ।”
ଏପରି କହି ଶ୍ରୀକୃଷ୍ଣ ସେଠାରୁ ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲେ । ଏହି ସମୟରେ ବିରାଟ ତାଙ୍କୁ ଅମୂଲ୍ୟ ଉପହାର ପ୍ରଦାନ କରି ସନ୍ତୋଷ ଚିତରେ ବିଦାୟ ଦେଲେ ।