ସମସ୍ତ କଥା ଶୁଣି କୁନ୍ତୀ କହିଲେ, “ମହାଶୟ, ଆପଣ ନିଶ୍ଚିନ୍ତ ରୁହନ୍ତୁ । ମୋର ପୁତ୍ର ସେ ରାକ୍ଷସର ଖାଦ୍ୟ ହୋଇ ଯିବ । ତାକୁ ରାକ୍ଷସ ମାରି ପାରିବ ନାହିଁ । ଓଲଟି ସେ ସେହି ରାକ୍ଷସକୁ ମାରି ପକାଇବ । ମୋର ପୁତ୍ର ମହାବଳୀ, ତା’ଛଡା ତା’ପାଖରେ ମନ୍ତ୍ର ତନ୍ତ୍ରର ଶକ୍ତି ମଧ୍ୟ ରହିଛି । ସେଇଥିପାଇଁ ମୁଁ ତାକୁ ପଠାଇବାକୁ ସାହସ କରୁଛି । କାରଣ ଏମିତି କେହି ମା ନାହିଁ ଯେ କି ତା’ର ଶହେ ପୁତ୍ର ଥିଲେ ବି ସେଥିରୁ ଜଣକୁ କାହାକୁ ମୃତ୍ୟୁମୁଖକୁ ପଠାଇବ । ମୋ ପୁତ୍ରର ବଳ ପରାକ୍ରମ ଉପରେ ମୋର ଯଥେଷ୍ଟ ବିଶ୍ୱାସ ରହିଛି । ଆପଣମାନେ ଏବେ ବିନା ଦ୍ୱିଧାରେ ଆପଣଙ୍କ ସ୍ଥାନରେ ତାକୁ ପଠାନ୍ତୁ । କିନ୍ତୁ, ଏକଥା ଯେପରି ଅନ୍ୟ କେହିବି ନଜାଣନ୍ତି । ତା’ର ଗୁରୁଙ୍କର ବାରଣ ଅଛି ।”
କୁନ୍ତୀଙ୍କ ଠାରୁ ଏଭଳି କଥା ଶୁଣି ସେ ବ୍ରାହ୍ମଣ ଜଣକ ସତେ ଯେପରି ହାତେ ହାତେ ସ୍ୱର୍ଗ ପାଇଲେ । ସମସ୍ତେ ତାଙ୍କରି ଯୋଗୁଁ ବଂଚିଯିବେ । ଏହାଭାବି ବ୍ରାହ୍ମଣ ତାଙ୍କୁ ବଡ କୃତଜ୍ଞତା ଜଣାଇଲେ । କୁନ୍ତୀ ଠିକ୍ କଥା ତ ଦେଇଦେଲେ । ତା’ପରେ ପୁଅକୁ ଏକଥା ସେ କହିବାକୁ ଗଲେ । ଭୀମ ତ ସେତେବେଳେ କସରତ କରୁଥିଲେ । କୁନ୍ତୀଙ୍କର ଚିନ୍ତିତ ମୁହଁ ଦେଖି ସେ ଭୀମ ପଚାରିଲେ, “ମା’ ଏପରି କ’ଣ ବିପଦ ପଡିଛି ଯେ ତୁମେ ଚିନ୍ତିତ ଦେଖାଯାଉଛ? ମୁଁ ଥାଉ ଥାଉ ତୁମର ପୁଣି କି ଚିନ୍ତା? ଶୀଘ୍ର ମୋତେ ସବୁକଥା ଖୋଲିକରି କୁହ । ମୁଁ ତୁମର ଦୁଃଖ ଦୂର କରିବି ।” ତା’ପରେ କୁନ୍ତୀ କହିଲେ, “ବତ୍ସଭୀମ, ମୋର ଦୁଃଖ କିଛି ହେଲେବି ନାହିଁ । କିନ୍ତୁ ଆମର ଆଶ୍ରୟଦାତା ବ୍ରାହ୍ମଣ ପରିବାର ଉପରେ ବର୍ତ୍ତମାନ ଏକ ବଡ ବିପଦ ପଡିଛି, ମୁଁ ସେଥିପାଇଁ ଖୁବ୍ ଚିନ୍ତିତ । ଆମେ ଯଦି ଏହି ବିପଦରେ ତାଙ୍କୁ ସାହାଯ୍ୟ ନ କରିବା ତେବେ ଆମର ବହୁତ ବଡ ପାପ ହେବ ।” ତା’ପରେ କୁନ୍ତୀ ସବୁକଥା ବୁଝାଇ କହିଲେ, ସେକଥା ଶୁଣି ଭୀମ ଅତି ଆନନ୍ଦରେ ଉତ୍ଫୁଲ୍ଲ ହୋଇ କହିଲେ, “ଇଏ ତ ବଡ ଖୁସିର କଥା । ମୋ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏତଦ୍ଦ୍ୱାରା ମୁଁ ମୋର ବଳବି ପରଖି ନେବି ।”
ଇତିମଧ୍ୟରେ ସେ ଅନ୍ୟ ଚାରିପାଣ୍ଡବ ଭିକ୍ଷା କରି ଘରକୁ ଫେରିଲେ । ଭୀମକୁ ଅତ୍ୟନ୍ତ ଆନନ୍ଦିତ ଅବସ୍ଥାରେ ଦେଖି ସେମାନେ ତା’ର କାରଣ ପଚାରନ୍ତେ, କୁନ୍ତୀ ସମସ୍ତ ଘଟଣା ଆମୂଳଚୁଳ ବର୍ଣ୍ଣନା କରି କହିଲେ, “ଏତେଦିନ ପରେ ବ୍ରାହ୍ମଣ ପରିବାରକୁ ସାହାଯ୍ୟ କରିବାର ସୌଭାଗ୍ୟ ଆମକୁ ମିଳିଛି ।”
କୁନ୍ତୀଙ୍କ କଥା ଶୁଣି ଯୁଧିଷ୍ଠିର ବଡ ଦୁଃଖ ପ୍ରକାଶ କଲେ । ସେ କହିଲେ ଯେ ମା’ କାହିଁକି ଏପରି ଭାବରେ ସେମାନଙ୍କୁ କଥା ଦେଲେ । କାରଣ ପାଣ୍ଡବଙ୍କର ସାଫଲ୍ୟ ତ କେବଳ ଭୀମର ବଳ ଓ ଶକ୍ତି ଉପରେ ହିଁ ନିର୍ଭର କରେ । ଭବିଷ୍ୟତରେ କୌରବଙ୍କ ସହିତ ଲଢି ପୁନଶ୍ଚ ନିଜ ରାଜ୍ୟ ପ୍ରାପ୍ତ କରିବା, ଭୀମ ବ୍ୟତୀତ କିପରି ସମ୍ଭବ? ଦୁର୍ଯ୍ୟୋଧନ ଜତୁଗୃହରେ ଯେଉଁପରି ଷଡଯନ୍ତ୍ର କରିଥିଲା, ସେସବୁଥିରୁ ଭୀମର ସହାୟତାରେ ସମସ୍ତେ ଜୀବନ ନେଇ ଫେରିଲେ । ଭୀମର ଯଦି କିଛି ହୁଏ । କିନ୍ତୁ କୁନ୍ତୀ କହିଲେ, “ବ୍ରାହ୍ମଣ ଆମକୁ ଆଶ୍ରୟ ଦେଇଛନ୍ତି, ସେମାନଙ୍କର ଏଡେ ବଡ ବିପତ୍ତିରେ ଆମେ ତାଙ୍କୁ ସହାୟତା କରିବା ନାହିଁ? ତେବେ ତ ଆମର ପାପ ହେବ । ଭୀମ ଉପରେ କୌଣସି ବିପଦ ଆସିବ ନାହିଁ । ସେ ଯେକୌଣସି ରାକ୍ଷସକୁ ଅନାୟାସରେ ମାରିପାରିବ । ମୁଁ ଯାହାବି କିଛି ସ୍ଥିର କରିଛି ତାହା ସମସ୍ତଙ୍କର ମଙ୍ଗଳ ପାଇଁ । ଆମର ଏପରି କାର୍ଯ୍ୟ ଦ୍ୱାରା ପୁଣ୍ୟ ହେବ ଏବଂ ଭବିଷ୍ୟତରେ ତାହା ଆମକୁ ନିଶ୍ଚୟ ରକ୍ଷା କରିବ ।”
ପରଦିନ ସକାଳୁ ବ୍ରାହ୍ମଣ ଭୀମଙ୍କୁ ଭଲ ଖାଦ୍ୟ ଖୁଆଇଲେ । ଖାଇବା ପରେ ଗାଡି ବୋଝେଇ କରି ଖାଦ୍ୟ ନେଇ ସେ ବକାସୁର ପାଖକୁ ଗଲେ, ସେହି ଜଙ୍ଗଲରେ ପହଁଚିବା ପରେ ଭୀମ ବକାସୁର ନାମ ଧରି ବାରମ୍ବାର ଯୁଦ୍ଧ ପାଇଁ ଆହ୍ୱାନ କଲେ । ବକାସୁର ଆସିବାକୁ ଡେରି ହେବାରୁ ସେ ନିଜେ ଗାଡି ଉପରେ ବସି ଖାଦ୍ୟସବୁ ଖାଇଲେ ।
ବକାସୁର ଦେଖିଲା ଜଣେ ସାଧାରଣ ମାନବ, ତାକୁ ଡାକୁଛି ଓ ତା’ର ଖାଦ୍ୟସବୁ ସେ ଖାଇ ଯାଉଛି । ସେ ଦୌଡି ଦୌଡି ଭୀମଙ୍କ ପାଖକୁ ଆସି କହିଲା, “ଆରେ ମାନବ, ମୋର ଖାଦ୍ୟ ହେବାକୁ ଆସିଛୁ ତୋର ପୁଣି ଏତେ ସାହସ ଯେ ଖାଦ୍ୟସବୁ ଖାଇ ଯାଉଛୁ? ତୁ କିଏ ରେ?”
ଭୀମ ତାକୁ ଦେଖି ହସିପକାଇଲେ ଓ କୌଣସି ପ୍ରକାର ବିଚଳିତ ନ ହୋଇ ସେ ଆରାମ୍ରେ ଖାଇ ଯାଉଥା’ନ୍ତି । ତାକୁ ସେ ଟିକିଏ ବି ଖାତିର୍ କରୁ ନଥା’ନ୍ତି । ଭୀମଙ୍କର ଏହି ପ୍ରକାରର ବେଖାତିର ଭାବ ରାକ୍ଷସର ଅସହ୍ୟ ହେଲା । ସେ ଗୋଟାଏ ବଡ ଗଛ ଉପାଡି ଭୀମଙ୍କ ଉପରକୁ ଫିଙ୍ଗିଲା । ଭୀମ ମଧ୍ୟ ସେଇଟି ଧରି ନେଇ ରାକ୍ଷସ ଉପରକୁ ତାହା ଫିଙ୍ଗିଲେ । କ୍ରମେ ଗଛସବୁ ଉପାଡି ସେ ଦୁହେଁ ପରସ୍ପର ପରସ୍ପରକୁ ପିଟିଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । ତା’ପରେ ମଲ୍ଲଯୁଦ୍ଧ ବି ହେଲା । ଭୀମ ତାକୁ ମାଡିବସି ତା’ ଛାତି ଉପରେ ବସି ତା’ ତଂଟି ଚିପି ତାକୁ ମାରିଲେ । ଏହାପରେ ସେ ରକ୍ତବାନ୍ତି କରି ସେଇଠି ମରିଗଲା । ରାକ୍ଷସର ଚିତ୍କାର ଶୁଣି ତା’ର ବନ୍ଧୁବାନ୍ଧବ ମଧ୍ୟ ସେଠାକୁ ଧାଇଁଲେ । ଭୀମ କହିଲେ, “ତୁମେମାନେ ଜଙ୍ଗଲରେ ରହି ପଶୁଜନ୍ତୁ ମାରି ଖାଅ । ହେଲେ ମଣିଷକୁ ଖାଇବାକୁ ଯଦି ଚେଷ୍ଟା କରିବାର ମୁଁ ଶୁଣିବି ତେବେ ସମସ୍ତଙ୍କୁ ମୁଁ ଯମଦଣ୍ଡ ଦେବି । ତେଣୁ ସାବଧାନ!”
ଏକଥା ଶୁଣି ଭୟରେ ଥରି ଥରି ସେମାନେ ସେଠାରୁ ପଳାଇଲେ । ଭୀମ ସେହି ରାକ୍ଷସର ଶବକୁ ଘୋଷାରି ଘୋଷାରି ଆଣି ନଗରରେ ପକାଇ ଦେଲେ । ତା’ପରେ ନଦୀରେ ସ୍ନାନ କରି ସେ ତାଙ୍କ ଘରକୁ ଫେରିଲେ ଓ ଯୁଧିଷ୍ଠିରଙ୍କୁ ସମଗ୍ର ଘଟଣା କହିଲେ ।
ନଗରବାସୀ ରାକ୍ଷସର ସେହି ଶବକୁ ଦେଖି ଅପାର ଆନନ୍ଦ ପାଇଲେ । କିନ୍ତୁ ତାକୁ କିଏ ମାରିଲା ସେକଥା ସେମାନେ ଆଦୌ ଜାଣି ପାରିଲେ ନାହିଁ । କେବଳ ନିଜ ନିଜର ଆରାଧ୍ୟ ଦେବୀ ବା ଦେବତାଙ୍କ ପାଖରେ କୃତଜ୍ଞତା ଜଣାଇ ସେମାନେ ଅନେକ ପ୍ରାର୍ଥନା କଲେ । କେହି କେହି ବ୍ରାହ୍ମଣ ଘରକୁ ଯାଇ ପଚାରିଲେ । ବ୍ରାହ୍ମଣ କୁନ୍ତୀଙ୍କ କଥା ମନେ ପକାଇ ସେମାନଙ୍କ କଥା କାହାକୁ କିଛି ହେଲେବି କହିଲେ ନାହିଁ । ବ୍ରାହ୍ମଣ କହିଲେ, “ଆମ ପରିବାର ବଡ ଦୁଃଖରେ ଥିଲୁ । ଜଣେ ସିଦ୍ଧ ପୁରୁଷ ଆସି ଆମକୁ ରକ୍ଷା କଲେ । ସେହି ପୁଣ୍ୟାତ୍ମା ଖାଦ୍ୟ ନେଇ ଅସୁର ପାଖକୁ ଯାଇ ତାକୁ ସେଠାରେ ବଧ କଲେ ।”
କିଛି ଦିନ ପରେ ସେଠାକୁ କେତେକ ବ୍ରାହ୍ମଣ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ସେହି ବ୍ରାହ୍ମଣଙ୍କର ଅତିଥି ହୋଇ ରହିଲେ । ସେହିଁ ଦ୍ରୌପଦୀଙ୍କ ସ୍ୱୟମ୍ବର ବିଷୟରେ ସମସ୍ତ କଥା ଏମାନଙ୍କୁ ଓ ପାଣ୍ଡବମାନଙ୍କୁ ଶୁଣାଇଲେ । ପାଣ୍ଡବମାନେ ଭାବିବାକୁ ଲାଗିଲେ ଯେ ଏଣିକି ଏହି ଗ୍ରାମ ଛାଡି ସେମାନେ ଦ୍ରୁପଦ ରାଜାଙ୍କ ରାଜ୍ୟ ଆଡକୁ ଯାଇ ବରଂ ତାଙ୍କ କନ୍ୟାର ସ୍ୱୟମ୍ବର ଦେଖିବେ ।