ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

                କୃଷ୍ଣ ଭୀମକୁ ପାଖକୁ ଡକାଇ କହିଲେ, “ତୁମେ ଗଙ୍ଗା ନଦୀ ତଟକୁ ଯାଇ ଦୁର୍ବାସା ଓ ତାଙ୍କର ଶିଷ୍ୟମାନଙ୍କୁ ଭୋଜନ ପାଇଁ ଆମନ୍ତ୍ରିତ କରିଆସ ।” ଭୀମ ସେଠାରେ ପହଁଚିବା ପୂର୍ବରୁ ଦୁର୍ବାସା ଓ ତାଙ୍କର ଶିଷ୍ୟଗଣଙ୍କ ଉଦର ଭରିଯାଇଥିଲା । ବହୁତ ଭୋଜନ କଲାପରି ସେମାନେ ଅଶ୍ୱସ୍ତି ଅନୁଭବ କରୁଥାଆନ୍ତି । ଶିଷ୍ୟମାନେ ଦୁର୍ବାସାଙ୍କ ପାଖକୁ ଆସି କହିଲେ, “ଗୁରୁବର, ମନେ ହେଉଛି ଆମେ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଭୋଜନ କରିଛୁ । ଅଯଥାରେ ଆପଣ ଧର୍ମରାଜଙ୍କୁ ଭୋଜନର ପ୍ରସ୍ତୁତି ପାଇଁ କହିଲେ । ଏପରି ଶାରିରୀକ ସ୍ଥିତିରେ ଆଉ ଅନ୍ନକଣାଟିଏ ବି ଆମେ ଆଉ ଖାଇପାରିବୁ ନାହିଁ ।”

                ସବୁ ଶୁଣି ଦୁର୍ବାସା ସେମାନଙ୍କୁ କହିଲେ, “ଧର୍ମରାଜଙ୍କ ସହିତ ଆମେ ଅନ୍ୟାୟ ଆଚରଣ କରିଛୁ । ତାଙ୍କୁ କୌଣସି ସାଧାରଣ ବ୍ୟକ୍ତି ମନେକର ନାହିଁ । ଥରେ ସେ କ୍ରୋଧ ଭରା ଦୃଷ୍ଟି ନିକ୍ଷେପ କଲେ, ଆମେ ସମସ୍ତେ ଭସ୍ମୀଭୂତ ହୋଇଯିବା । ଥରେ ଅମ୍ବରୀଷଙ୍କ ଠାରେ ମୋର ଏପରି ଦୁରାବସ୍ଥା ହୋଇଥିଲା । ଅଧୁନା ଆମ ସମ୍ମୁଖରେ ଗୋଟିଏ ମାତ୍ର ଉପାୟ ଅଛି । ତାହା ହେଉଛି ଧର୍ମରାଜଙ୍କୁ କିଛି ବି ନ କହି ଆମେ ଏ ସ୍ଥାନ ଛାଡି ଚାଲିଯିବା ।” ଏପରି ଭାବେ ସମସ୍ତେ ଯଥାଶୀଘ୍ର ସେ ସ୍ଥାନ ପରିତ୍ୟାଗ କଲେ ।

                ଭୀମ ଗଙ୍ଗାନଦୀ ତଟରେ ପହଁଚି ଦେଖିଲେ, ସେଠାରେ କେହି ବି ନାହାଁନ୍ତି । ସେଠାରେ ଥିବା କେତେକ ବ୍ରାହ୍ମଣଙ୍କୁ ପଚାରିବାରୁ, ସେମାନେ ମୁନି ଓ ତାଙ୍କ ଶିଷ୍ୟଗଣଙ୍କର ପ୍ରସ୍ଥାନ ବିଷୟ କହିଲେ । ଭୀମ ଆଶ୍ରମକୁ ଫେରିଆସି ଏହି ସମାଚାର ଦେଲେ । କିନ୍ତୁ ଧର୍ମରାଜ ଆଶଙ୍କା କଲେ, କେଉଁ ମୁହୂର୍ତ୍ତରେ ଦୁର୍ବାସା ଆଶ୍ରମରେ ପହଁଚି ସେମାନଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି ।

                ଧର୍ମରାଜଙ୍କୁ ଶ୍ରୀକୃଷ୍ଣ କହିଲେ, “ସେମାନେ ଆଉ ଆସିବେ ନାହିଁ ।” ଏହାପରେ ସେ ସମସ୍ତ ଘଟଣା ତାଙ୍କ ଆଗରେ ବର୍ଣ୍ଣନା କଲେ । କୃଷ୍ଣଙ୍କର କୃପା ଓ ସହାୟତା କାରଣରୁ ଦୁର୍ଯ୍ୟୋଧନ ଓ ତାର ସଖାମାନେ ପାଣ୍ଡବ ମାନଙ୍କର କିଛି ବି କ୍ଷତି କରିପାରିଲେ ନାହିଁ ।

                ଏହିପରି କିଛିଦିନ ବିତିଗଲା । ପାଣ୍ଡବ କାମ୍ୟକବନରେ ରହୁଥାନ୍ତି । ଦିନେ ସେମାନେ ଅରଣ୍ୟକୁ ଶିକାର ଉଦ୍ଧେଶ୍ୟରେ ଯିବାପାଇଁ ସ୍ଥିର କଲେ । ତେଣୁ ଫେରିବା ସମୟ ପର୍ଯ୍ୟନ୍ତ ଦ୍ରୌପଦୀଙ୍କର ତୃଣବିନ୍ଦୁ ନାମକ ଜଣେ ଋଷିଙ୍କ ଆଶ୍ରମରେ ରହିବାର ବ୍ୟବସ୍ଥା କଲେ । ପୁରୋହିତ ଧୌମ୍ୟ ମଧ୍ୟ ତାଙ୍କ ସହିତ ରହିଲେ । ସେହିଦିନ ସୈନ୍ଧବ, ସାଲ୍ୱ ନୃପତିଙ୍କର କନ୍ୟାଙ୍କୁ ବିବାହ କରିବା ପାଇଁ ସେନା ଓ ଅନ୍ୟ କେତେକ ରାଜାଙ୍କ ସହିତ ତୃଣବିନ୍ଦୁ ଋଷିଙ୍କ ଆଶ୍ରମ ବାଟ ଦେଇ ଯାଉଥିଲେ । ପରିବେଶ ନିର୍ଜନ ଥାଏ । ଆଶ୍ରମ ନିକଟସ୍ଥ ଏକ ବୁଦା ଆଢୁଆଳରୁ ଦ୍ରୌପଦୀଙ୍କର ବିଜୁଳିସମ ଉଦ୍ଭାସିତ ରୂପ ସୈନ୍ଧବ ଆଖିରେ ପଡିଗଲା ।

                ତାଙ୍କର ରୂପଶୋଭାକୁ ଦେଖି ସୈନ୍ଧବ ହଠାତ୍ ସ୍ତମ୍ଭିତ ହୋଇ ରହିଗଲା । ଚକ୍ଷୁରେ ତାର ପଲକ ମଧ୍ୟ ପଡିଲା ନାହିଁ । ମନରେ ତାର ପ୍ରବଳ ବାସନା ଜାତ ହେଲା । ତା’ପରେ ସେ କୋଟିକାସ୍ୟ ନାମକ ଜଣେ ରାଜକୁମାରକୁ ପାଖକୁ ଡକାଇ କହିଲା, “ତୁମେ ଏହି ରୂପବତୀକୁ ଦେଖିଲ କି? ତୁମେ ତା’ଠାରୁ ପଚାରି ବୁଝ, ସେ କାହାର କନ୍ୟା, କାହାର ପତ୍ନୀ, ଓ ମୋ ସହିତ ଆସିବା ପାଇଁ ସମ୍ମତ କି ନୁହେଁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ