ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ସୈନ୍ଧବ ପରି କୋଟିକାସ୍ୟ ମଧ୍ୟ ଏକ ହୀନ, ନୀଚ ପ୍ରବୃତିଧାରୀ ଅଟେ । ତେଣୁ ସେ ତତ୍କ୍ଷଣାତ୍ ଦ୍ରୌପଦୀଙ୍କ ନିକଟକୁ ଯାଇ ପଚାରିଲା, “ସୁନ୍ଦରୀ, ତୁମର ପରିଚୟ? ତୁମେ କେଉଁ କୁଳର ସ୍ତ୍ରୀ? କିଏ ତୁମର ପତି? ଏହି ଅରଣ୍ୟ ପ୍ରଦେଶରେ ଏକାକିନୀ କଣ କରୁଛ? ତୁମେ ପଚାରିବା ପୂର୍ବରୁ ମୁଁ ଆମ ସମ୍ବନ୍ଧରେ ସବୁକିଛି ତୁମକୁ କହିଦେଉଛି? ମୁଁ ସୁରଥ ରାଜାଙ୍କ ପୁତ୍ର କୋଟିକାସ୍ୟ । ଏହି ଯେଉଁ ରାଜା ମାନଙ୍କୁ ଦେଖୁଛ, ସେମାନେ ତିଗର୍ତ ଓ କୁଳିନ୍ଦ ନରପତି । ତୁମକୁ ଅତି ଆତୁରରେ ଚାହିଁଥିବା ସେହି ଯୁବକ ହେଉଛନ୍ତି ସୁବଳ ରାଜାଙ୍କ ପୁତ୍ର । ବାରଜଣ ରାଜାଙ୍କ ମଧ୍ୟରେ ଯେଉଁ ରାଜା ରଥାସୀନ ହୋଇ ଦୃଷ୍ଟିଗୋଚର ହେଉଛନ୍ତି, ସେ ହେଉଛନ୍ତି ସିନ୍ଧୁ ଦେଶର ନରପତି ସୈନ୍ଧବ । ସେହି ସୈନ୍ଧବ ନରପତି ମୋତେ ତୁମ ବିଷୟରେ ତଥ୍ୟ ଜାଣିବା ପାଇଁ ଏଠାକୁ ପଠାଇଛନ୍ତି ।”

ସବୁ ଶୁଣି ଦ୍ରୌପଦୀ ସଙ୍କୋଚର ସହ କହିଲେ, “ତୁମର ପରିଚୟ ଏଥର ମୁଁ ଜାଣିଲି? ମୋ ପରି ଜଣେ କୁଳବଧୂ ପକ୍ଷରେ ତୁମ ସହିତ କଥାହେବା ନିତାନ୍ତ ଅଶୋଭନୀୟ । କିନ୍ତୁ ତୁମ ପ୍ରଶ୍ନର ଉତ୍ତର ଦେବା ପାଇଁ ଏଠାରେ କେହି ନ ଥିବାରୁ, ବାଧ୍ୟହୋଇ ଶେଷରେ ମୁଁ ଏହା କହୁଛି । ମୁଁ ଦ୍ରୁପଦ ରାଜ ନନ୍ଦିନୀ । ମତେ କୃଷ୍ଣା ନାମରେ ସମ୍ବୋଧନ କରାଯାଏ । ମୋର ପତି ହେଉଛନ୍ତି ପାଣ୍ଡବ । ସେମାନେ ଏବେ ଶିକାର ଉଦ୍ଧେଶ୍ୟରେ ଯାଇଛନ୍ତି । ଖୁବ୍ ଶୀଘ୍ର ଫେରିଆସିବେ । ସେମାନେ ଫେରିବା ଯାଏଁ ଆପଣମାନେ ଏଠାରେ ଅପେକ୍ଷା କରନ୍ତୁ । ଆମର ଆତିଥ୍ୟ ସ୍ୱୀକାର କଲେ, ତଦ୍ୱାରା ଆମେ ଖୁବ୍ ଆନନ୍ଦିତ ହେବୁ ।”

କୋଟିକାସ୍ୟ ସେଠାରୁ ଯାଇ ସୈନ୍ଧବଙ୍କୁ ଏହିକଥା ଜଣାଇଲେ । ସବୁ ଶୁଣି ସୈନ୍ଧବ କହିଲା “ସେ ଜଣେ ମାନବୀ, ଏହା ମୋର କାହିଁ ବିଶ୍ୱାସ ହେଉନାହିଁ । ତା ପ୍ରତି ମୁଁ ଯେପରି ଆକୃଷ୍ଟ, ସେପରି ଆକର୍ଷଣ ଅନ୍ୟ କୌଣସି ସ୍ତ୍ରୀ ପ୍ରତି ମୁଁ କେବେବି ଅନୁଭବ କରିନାହିଁ ।”

ସୈନ୍ଧବ ଏଥର ତା’ ରଥରୁ ଓହ୍ଲାଇ, ଛଅଜଣଙ୍କୁ ସାଙ୍ଗରେ ଧରି ପାଣ୍ଡବଙ୍କ ପର୍ଣ୍ଣକୁଟୀରଠାରେ ଯାଇ ପହଁଚିଲା । ଦ୍ରୌପଦୀଙ୍କୁ କୁଶଳ ମଙ୍ଗଳ ପଚାରି କହିଲା, “ତୁମେ ଓ ତୁମର ପତିଙ୍କର ସବୁ ଭଲ ତ?”

ଦ୍ରୌପଦୀ ସେହିପରି ତାର କୁଶଳ ସମାଚାର ପଚାରି ଫଳାହାର ଓ ଜଳପାନ କରିବା ପାଇଁ ଦେଲେ । ସେମାନଙ୍କୁ ଉପବେଶନ କରିବା ପାଇଁ କହିଲେ, “ପାଣ୍ଡବ ଶିକାରରୁ ଅଳ୍ପ ସମୟ ମଧ୍ୟରେ ଫେରିବେ ଓ ଆପଣମାନଙ୍କୁ ମାଂସାହାର ଦେବାର ସୁଯୋଗ ପାଇବେ ।”

ଏହା ଶୁଣି ସେ ସୈନ୍ଧବ କହିଲା “ଆତିଥ୍ୟ ବିଷୟ ଛାଡିଦିଅ, ମୋ ସହିତ ଆସି ମୋ ରଥରେ ବସ । ମୁଁ ତୁମ୍ଭଙ୍କୁ ମୋର ପତ୍ନୀ ରୂପେ ଗ୍ରହଣ କରି ସୁଖର ସାଗରରେ ବୁଡାଇଦେବି । ସିନ୍ଧୁ ଦେଶର ରାଣୀ ହୋଇ ବୈଭବପୂର୍ଣ୍ଣ ଜୀବନ ଉପଭୋଗ କର ।”

ସୈନ୍ଧବର ଏପରି କଥା ଶୁଣି ଦ୍ରୌପଦୀ କୋପିତା ହୋଇ କହିଲେ, “ଆରେ ଅଧମ, ପାପୀ । ପାଣ୍ଡବଙ୍କର ପତ୍ନୀ ଏତେ ସହଜରେ ତୁମ କଥାରେ ବଶ ହୋଇଯିବ, ତୁମେ ଏହା କିପରି ଭାବି ପାରୁଛ? ଅର୍ଜୁନ ତୁମ ରଥ ପଛେ ପଛେ ଆସି ତୁମକୁ ଜାଳି ଭସ୍ମ କରିଦେବେ । ତୁମେ କଣ, ଦେବରାଜ ଇନ୍ଦ୍ର ଚାହିଁଲେ ମଧ୍ୟ ମୋତେ ଏଠାରୁ ନେଇ ଯାଇ ପାରିବେ ନାହିଁ । ତୁମପରି ଅଧମ ପ୍ରତି ମୁଁ ଆକୃଷ୍ଟ ହେବି, ଏହା ଭାବିବା ଠାରୁ ଅଧିକ ଭ୍ରମ ଆଉ କିଛି ବି ନାହିଁ । ପାଣ୍ଡବମାନେ ହିଁ ମୋର ଜୀବନର ଲକ୍ଷ୍ୟ, ମୋର ସବୁକିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ