ସୈନ୍ଧବ ସହିତ ଥିବା ଲୋକମାନେ ଦ୍ରୌପଦୀଙ୍କୁ ଧରିବା ପାଇଁ ଚେଷ୍ଟା କଲେ । ଦ୍ରୌପଦୀ ସେମାନଙ୍କଠାରୁ ନିଜକୁ ରକ୍ଷା କରି ଉଚ୍ଚସ୍ୱରରେ ଚିତ୍କାର କଲେ । ସେ ଚାହୁଁଥିଲେ, ତାଙ୍କର ଚିତ୍କାର ଧୌମ୍ୟଙ୍କର କର୍ଣ୍ଣଗୋଚର ହେଉ । ସୈନ୍ଧବ ତାଙ୍କୁ ଦୁଇ ହାତରେ ବଳପୂର୍ବକ ଉଠାଇ ନେଇ ଦୌଡିବାରେ ଲାଗିଲା । ଦ୍ରୌପଦୀଙ୍କର ଆର୍ତଚିତ୍କାର ଶୁଣି ଧୌମ୍ୟ ସୈନ୍ଧବର ପିଛା କରିବାରେ ଲାଗିଲେ । ସେ ମଧ୍ୟ ଦ୍ରୌପଦୀଙ୍କ ରକ୍ଷା ପାଇଁ ଆହୁରି ଜୋର୍ରେ ଚିତ୍କାର କଲେ । ସୈନ୍ଧବ ଦ୍ରୌପଦୀଙ୍କୁ ରଥରେ ବସାଇ ତୀବ୍ରଗତିରେ ରଥ ଚଳାଇ ଚାଲିଗଲା । ଧୌମ୍ୟ ମଧ୍ୟ ତାର ପଛେ ପଛେ ଦୌଡିଲେ ।
ଇତି ମଧ୍ୟରେ ପାଣ୍ଡବ କିଛି ପଶୁ ଶିକାର କରି ଗୋଟିଏ ସ୍ଥାନରେ ମିଳିତ ହେଲେ ଓ ଆଶ୍ରମ ଅଭିମୁଖେ ବାହାରିଲେ । ସେଠାରେ ପହଁଚି ସେମାନେ ଦ୍ରୌପଦୀଙ୍କୁ ଦେଖିବାକୁ ପାଇଲେ ନାହିଁ । ରଥ ସାରଥୀ ଇନ୍ଦ୍ରସେନ ଦେଖିଲେ, ଧାତ୍ରେୟୀ ନାମକ ଜଣେ ସ୍ତ୍ରୀଲୋକ ରୋଦନ କରୁଛି । ସେହି ସ୍ତ୍ରୀ ଲୋକଟି ଇନ୍ଦ୍ରସେନଙ୍କୁ କହିଲା, ସୈନ୍ଧବ ବଳପୂର୍ବକ ଦ୍ରୌପଦୀଙ୍କୁ ନିଜ ସାଥିରେ ନେଇ ଯାଉଛି ଓ ଏହି ଘଟଣା ଖୁବ୍ ଅଳ୍ପ ସମୟ ତଳେ ଘଟିଯାଇଛି ।
ଏକଥା ଶୁଣି ଧର୍ମରାଜ ଧାତ୍ରେୟୀଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଆଶ୍ୱାସନା ଦେଇ, ନିଜ ଭାଇ ମାନଙ୍କୁ ସୈନ୍ଧବର ଅନୁଧାବନ କରିବା ପାଇଁ କହିଲେ । ତା’ପରେ ସେ ପାଞ୍ଚଜଣଯାକ ରଥରେ ବସି ତଡିତ୍ ବେଗରେ ଅଗ୍ରସର ହେଲେ । ଦୂରରୁ ଧୁଳି ଉଡୁଥିବାର ଦେଖି ସେହି ଦିଗରେ ଯିବାରୁ, ଧୌମ୍ୟଙ୍କୁ ଦୌଡୁଥିବାର ଦେଖିଲେ । ସେମାନେ ଧୌମ୍ୟଙ୍କୁ ଧୀରେ ଆସିବାକୁ କହି ସୈନ୍ଧବଙ୍କ ସୈନ୍ୟଙ୍କୁ ଆକ୍ରମଣ କଲେ ।
ସେନାଙ୍କ ମଧ୍ୟରେ ସୈନ୍ଧବଙ୍କ ରଥରେ ଦ୍ରୌପଦୀଙ୍କୁ ଦେଖି ପାଣ୍ଡବମାନଙ୍କର କ୍ରୋଧର ସୀମା ରହିଲା ନାହିଁ । ଚିତ୍କାର କରି ସେମାନେ ସୈନ୍ଧବ ପାଖରେ ପହଁଚିଲାବେଳକୁ ଅନ୍ୟରାଜାମାନେ ଭୟରେ କମ୍ପିବା ଆରମ୍ଭ କରିଦେଇଥିଲେ ।
ଚିତ୍କାର ଶୁଣି ଦ୍ରୌପଦୀ ସୈନ୍ଧବକୁ କହିଲେ, “ଦେଖ, ମୋର ପତି ଉପସ୍ଥିତ ହେଲେଣି । ତୁମର ଓ ଏହି ସୈନ୍ୟବାହିନୀର ଏବେ ନିଶ୍ଚୟ ସର୍ବନାଶ ଘଟିବ । ତୁମର ମୃତ୍ୟୁ ସୁନିଶ୍ଚିତ । ଏପରି ପାପପୂର୍ଣ୍ଣ ଆଚରଣର ପରିଣାମ ସ୍ୱରୂପ, ତାହାହିଁ ତୋର ପ୍ରାପ୍ୟ । ଏହା ପରେ ଯଦି ଆକସ୍ମିକ ଭାବରେ ବି ମୃତ୍ୟୁମୁଖରୁ ରକ୍ଷା ପାଇଯିବୁ, ତେବେ ମଣିବୁ ତତେ ଏକ ପୁନର୍ଜନ୍ମ ମିଳିଲା ।” ପାଣ୍ଡବମାନେ ବର୍ଷାଧାର ପରିଶରମାନ ସୈନ୍ଧବଙ୍କ ସେନା ଉପରେ ଅଜାଡିବାରେ ଲାଗିଲେ । ସୈନିକମାନେ ଛତ୍ରଭଙ୍ଗ ଦେଇ, ପଳାୟନ କଲେ । ଭୀମ ଗଦାଧାରଣ କରି ସୈନ୍ଧବ ଉପରେ ଲମ୍ପ ଦେବା ସମୟରେ କୋଟିକାସ୍ୟ ବାଧା ଦେଲା । କୋଟିକାସ୍ୟକୁ ସାହାଯ୍ୟ କରିବା ପାଇଁ ଅନ୍ୟରାଜା ମାନେ ଆଗେଇ ଆସିଲେ । ସେମାନେ ଭୀମକୁ ତରବାରୀରେ ଆଘାତ କରିବା ପାଇଁ ଚେଷ୍ଟା କଲେ । ବର୍ଚ୍ଛା ପ୍ରହାର କଲେ ।
ଅର୍ଜୁନ ସୈନ୍ଧବଙ୍କ ରଥ ପାଖରେ ପହଁଚିବା ବେଳକୁ ପନ୍ଦରଜଣଙ୍କୁ ହତ୍ୟା କରିସାରିଥାନ୍ତି । ଧର୍ମରାଜ ତିନିଜଣ ସେନାପତିଙ୍କୁ ମାରିଥିଲେ । ନକୁଳ ରଥରୁ ଅବତରଣ କରି ସୈନିକଙ୍କୁ ମାରୁଥାନ୍ତି । ସହଦେବ ହାତୀ ଉପରେ ବସି, ବର୍ଚ୍ଛା ପ୍ରହାର କରି କେତେ ସୈନ୍ୟଙ୍କ ଜୀବନ ନେଉଥାନ୍ତି । ତ୍ରିଗର୍ତର ରାଜା ଧର୍ମରାଜ ଦ୍ୱାରା ହତ ହେଲା ।
ସୈନ୍ଧବ ପକ୍ଷର ବହୁଲୋକ ମରୁଥିବାର ଦେଖି କୋଟିକାସ୍ୟ କୌଣସି ପ୍ରକାରେ ନିଜ ଜୀବନ ରକ୍ଷା କରି ସେଠାରୁ ପଳାୟନ କଲା । ସୈନ୍ଧବ ଜାଣିପାରିଲେ, ଏବେ ପାଣ୍ଡବଙ୍କ ହାତରେ ତାର ମୃତ୍ୟୁ ସୁନିଶ୍ଚିତ । ସେ ଦ୍ରୌପଦୀଙ୍କୁ ରଥ ଉପରେ ଛାଡିଦେଇ ଜୀବନ ରକ୍ଷା ପାଇଁ ପଳାୟନ କଲା । ଭୀମ ଧର୍ମରାଜଙ୍କୁ କହିଲେ, “ଅଗ୍ରଜ, ତୁମେ ଦ୍ରୌପଦୀ ଓ ଧୌମ୍ୟଙ୍କୁ ରଥରେ ବସାଇ ଆଶ୍ରମକୁ ଫେରିଯାଅ । ମୁଁ ଓ ଅର୍ଜୁନ ସେହି ପାପୀ ସୈନ୍ଧବର ଉତ୍ତମ ବ୍ୟବସ୍ଥା କରୁଛୁ ।”
“ଭୀମସେନ, ସୈନ୍ଧବ ଯେତେ ଦୁଷ୍ଟ ହେଉନା କାହିଁକି, ତାକୁ ବଧ କରିବା ନାହିଁ । କାରଣ ଭଗ୍ନୀ ଦୁଃଶଳା ବୈଧବ୍ୟ ଭୋଗ କରିବ । ମାତା ଗାନ୍ଧାରୀ ଶୋକଗ୍ରସ୍ତ ହେବେ ।” ଧର୍ମରାଜ ଏପରି କହି ଭୀମଙ୍କୁ ସାବଧାନ କଲେ । କିନ୍ତୁ ଦ୍ରୌପଦୀ ସୈନ୍ଧବର ମୃତ୍ୟୁ ପାଇଁ ଜିଦ୍ ଧରିଲେ ।
କିଛି ଦୂର ପରେ ଭୀମ ଓ ଅର୍ଜୁନ ସୈନ୍ଧବକୁ ଧରିବା ପାଇଁ ସକ୍ଷମ ହେଲେ । ସେମାନେ ସୈନ୍ଧବର ମସ୍ତକର ବାଳ ସବୁ ବିକୃତ ଭାବେ କାଟିଦେଲେ । ସୈନ୍ଧବଙ୍କୁ ଅତି ବିଭତ୍ସ, କଦାକାର ବେଶରେ ସଜ୍ଜିତ କରି ରଥରେ ବସାଇ ଆଶ୍ରମକୁ ଆସିଲେ ।
ଧର୍ମରାଜଙ୍କ ସମ୍ମୁଖରେ ତାକୁ ଠିଆ କରା ହେଲା । “ଆଉ କେବେ ଏପରି ନୀଚକାମ କରିବ ନାହିଁ ।” ଧର୍ମରାଜ ତାକୁ ଏହି ଚେତାବନୀ ଶୁଣାଇ ସେଠାରୁ ବିଦା କରିଦେଲେ ।