ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

କୃପାଚାର୍ଯ୍ୟ କର୍ଣ୍ଣଙ୍କୁ କହିଲେ, “ବତ୍ସ ଅର୍ଜୁନଙ୍କ ସହିତ ଦ୍ୱନ୍ଦ୍ୱଯୁଦ୍ଧ କରିବାକୁ ହେଲେ ତୁମେ ରାଜବଂଶସମ୍ଭୁତ ହୋଇଥିବା ଆବଶ୍ୟକ ।” ହେଲେ କର୍ଣ୍ଣ ନିଜର ବଂଶ ଓ ମାତାପିତାଙ୍କର ନାମ କହିବାକୁ ଟିକେ ସଙ୍କୋଚ କଲେ । ତାଙ୍କର ଏହି ଦୂରବସ୍ଥା ଦେଖି ଦୁର୍ଯ୍ୟୋଧନ ଆସି କୃପାଚାର୍ଯ୍ୟଙ୍କୁ କହିଲେ, “କ୍ଷତ୍ରିୟ ଓ ରାଜା କେବଳ ରାଜକୁମାରମାନଙ୍କ ସହିତ ଦ୍ୱନ୍ଦ୍ୱ ଯୁଦ୍ଧ କରିପାରିବ । କର୍ଣ୍ଣଙ୍କର ରାଜ୍ୟ ନାହିଁ ବୋଲି ଆପଣ ଏପରି କହୁଛନ୍ତି । ମୁଁ ତାଙ୍କୁ ଏହି ମୁହୂର୍ତ୍ତରେହିଁ ଅଙ୍ଗରାଜ୍ୟ ଦାନ କଲି ଓ ସେ ଆଜିଠାରୁ ଅଙ୍ଗରାଜ କର୍ଣ୍ଣ ହେଲେ ।”

                ଦୁର୍ଯ୍ୟୋଧନଙ୍କ ଆଜ୍ଞାନୁସାରେ ପୁରୋହିତଙ୍କୁ ଡକା ଗଲା ଓ ବିଧିମତେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସିଂହାସନ ଉପରେ ବସାଇ ଅଙ୍ଗରାଜ୍ୟର ରାଜା ଭାବରେ ଅଭିଷେକ କଲେ ।

                କର୍ଣ୍ଣ ଦୁର୍ଯ୍ୟୋଧନଙ୍କର ଏପରି ବ୍ୟବହାରରେ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ, “ମହାରାଜ, ଆପଣ କୁହନ୍ତୁ ମୁଁ କିପରି ଭାବରେ ଆପଣଙ୍କର ଏହି ଋଣ ପରିଶୋଧ କରିବି ।”

                ଦୁର୍ଯ୍ୟୋଧନ କହିଲେ, “ତୁମ ପରି ଜଣେ ପରାକ୍ରମୀ ବୀରପୁରୁଷର ବନ୍ଧୁତ୍ୱ ମୋ ପାଇଁ ଯଥେଷ୍ଟ ।”

                ସୂତ କର୍ଣ୍ଣଙ୍କୁ ପାଳନ କରିଥିଲେ – ସେ ରଥରୁ ଓହ୍ଲାଇ କର୍ଣ୍ଣଙ୍କୁ ଆଲିଙ୍ଗନ କଲେ ଓ କର୍ଣ୍ଣ ତାଙ୍କୁ ପ୍ରଣାମ କଲେ । ଦୁହେଁ ଅତି ଆନନ୍ଦିତ ହେଲେ ।

                ଏସବୁ ଦେଖି ଭୀମ କହିଲେ, “କର୍ଣ୍ଣ, ଯେତେଯାହାହେଲେ ବି ତ ତୁମେ ସାରଥିପୁତ୍ର ନା । ରାଜା ହେଲେ କ’ଣ ହେବ? ତୁମେ ତୁମର ପିତାଙ୍କର ଜୀବିକା ଗ୍ରହଣ ନକରି ଅର୍ଜୁନ ସହିତ କାହିଁକି ଦ୍ୱନ୍ଦ୍ୱ ଯୁଦ୍ଧ କରିବାକୁ ବାହାରିଛ? ଅଙ୍ଗଦେଶର ରାଜା ହୋଇ ତମେ ବା କ’ଣ ଏମିତି କରିପକାଇବ?”

                କର୍ଣ୍ଣ ଭୀମଙ୍କର ଏପରି ବାକ୍ୟବାଣ ସବୁ ସହିଗଲେ ଓ ସୂର୍ଯ୍ୟଙ୍କ ଆଡକୁ ଚାହିଁ ସେ ଚୁପ୍ ରହିଗଲେ । ଭାଇମାନଙ୍କ ସହିତ ବସିଥିବା ଦୁର୍ଯ୍ୟୋଧନ କହିଲେ, “ଭୀମସେନ, ତୁମର ଏପରି କହିବା ଆଦୌ ଉଚିତ୍ ନୁହେଁ । ଜଣେ ରାଜା ହେବା ପରେ ଯେକୌଣସି ବଳଶାଳୀ ଲୋକ ସହିତ ସେ ଲଢିପାରିବ । କର୍ଣ୍ଣଙ୍କ ମଧ୍ୟରେ ବି ଅତି ଉଚ୍ଚକୋଟୀର ମନୁଷ୍ୟର ସମସ୍ତ ଲକ୍ଷଣ ଅଛି । ସେ କବଚ କୁଣ୍ଡଳ ସହିତ ଜନ୍ମ ହୋଇଥିଲେ । ସେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ । କେବଳ ଅଙ୍ଗଦେଶ କାହିଁକି ସସାଗରାଧରା ସମସ୍ତ ପୃଥିବୀକୁ ଶାସନ କରିବାର କ୍ଷମତା ତାଙ୍କର ଅଛି । ତାଙ୍କ ମହାନ୍ ବୀରତ୍ୱ ବିଷୟରେ ମନରେ କୌଣସି ପ୍ରକାର ସନ୍ଦେହ ଆଣିବା ଯମାରୁ ଉଚିତ୍ ନୁହେଁ । ମୁଁ ତାଙ୍କୁ ଅଙ୍ଗରାଜ୍ୟର ରାଜପଦ ଦେଲି । ଯଦି ସେଥିପାଇଁ କାହାର କିଛିହେଲେବି ଆପତ୍ତି ଥାଏ ତେବେ ସେ ଆସି ମୋ ସହିତ ଦ୍ୱନ୍ଦ୍ୱଯୁଦ୍ଧ କରୁ । ହାର-ଜିତ ଜଣାଯିବ ।” କିନ୍ତୁ ଦ୍ୱନ୍ଦ୍ୱଯୁଦ୍ଧ ଆରମ୍ଭ ହେବା ପୂର୍ବରୁହିଁ ସଂଧ୍ୟା ହୋଇଗଲା । ଉପସ୍ଥିତ ଲୋକେ କିଏ କର୍ଣ୍ଣଙ୍କୁ, କିଏ ଅର୍ଜୁନଙ୍କୁ ଓ ପୁଣି କିଏ ବା ଦୁର୍ଯ୍ୟୋଧନଙ୍କୁ ପ୍ରଶଂସା କରୁକରୁ ନିଜ ନିଜ ଘରକୁ ଫେରିଲେ ।

                ଆଜି ଦିନଟି ଦୁର୍ଯ୍ୟୋଧନଙ୍କ ପକ୍ଷେ ବଡ ମହତ୍ତ୍ୱପୂର୍ଣ୍ଣ ଦିନ । ସେ ତ ଆଜି ପର୍ଯ୍ୟନ୍ତ ଅର୍ଜୁନଙ୍କୁ ମନେ ମନେ ଖୁବ୍ ଭୟ କରୁଥିଲେ । ତାଙ୍କର ବୀରତ୍ୱ ଓ ଅସ୍ତ୍ର ଚାଳନା କୌଶଳ ଦେଖି ସେ ଅତ୍ୟନ୍ତ ଭୟଭୀତ ହୋଇଥିଲେ; କିନ୍ତୁ ସେ ଆଜି କର୍ଣ୍ଣଙ୍କୁ ନିଜ ବନ୍ଧୁ ଭାବରେ ପାଇ ଏକବାରେ ନିର୍ଭୀକ ହୋଇଗଲେ ।

                ଏମିତି ଦୀର୍ଘ ସମୟ ବିତିଗଲା । ଦିନେ ଗୁରୁଦ୍ରୋଣ ତାଙ୍କ ଶିଷ୍ୟମାନଙ୍କୁ ଡାକି କହିଲେ, “ଏବେ ତୁମମାନଙ୍କର ଶିକ୍ଷା ପ୍ରାୟ ସମାପ୍ତ । ଏବେ ଗୁରୁ ଦକ୍ଷିଣାର ସମୟ ଆସିଛି ।” ଶିଷ୍ୟମାନେ ତାଙ୍କୁ ପ୍ରଣାମ କରି କହିଲେ, “ଗୁରୁଦକ୍ଷିଣା ଭାବରେ ଆପଣଙ୍କୁ କ’ଣ ଦିଆଯିବ ସେକଥା ଆପଣ କୁହନ୍ତୁ ।”

                ଗୁରୁ କହିଲେ “ଧନଐଶ୍ୱର୍ଯ୍ୟର ଓ ମଦରେ ମତ ଦ୍ରୁପଦ ରାଜାକୁ ବାନ୍ଧି ଏଠାକୁ ନେଇ ଆସିବ ।” ଗୁରୁଙ୍କ ଆଜ୍ଞା ପାଳନ କରିବାକୁ ସମସ୍ତ ଶିଷ୍ୟ ପ୍ରସ୍ତୁତ ହୋଇ ରହିଲେ । ଶିଷ୍ୟମାନେ ରଥସୈନ୍ୟ ଓ ଅନ୍ୟାନ୍ୟ ସବୁକିଛି ପ୍ରସ୍ତୁତ କରି ଗୁରୁଙ୍କୁ ନେଇ ଦ୍ରୁପଦଙ୍କ ପାଖକୁ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ