ପୁରୁଙ୍କର ଦୁଇଟି ପତ୍ନୀ ଥିଲେ । ସେମାନେ ହେଲେ ପୌଷ୍ଟି ଓ କୌଶଲ୍ୟା । କୌଶଲ୍ୟାଙ୍କ ପୁତ୍ରର ଷୋଳ ପୁରୁଷ ପରେ ଦୁଷ୍ମନ୍ତ ଜନ୍ମହେଲେ । ସେ ଶକୁନ୍ତଳାଙ୍କୁ ବିବାହ କଲେ । ତାଙ୍କ ପୁତ୍ର ହେଲେ ଭରତ ।
ଶକୁନ୍ତଳା ମେନକା ଓ ବିଶ୍ୱାମିତ୍ରଙ୍କ କନ୍ୟା ଥିଲେ । ବିଶ୍ୱାମିତ୍ରଙ୍କ ଉଗ୍ର ତପସ୍ୟାରେ ଇନ୍ଦ୍ର ଭୟଭୀତ ହୋଇ ସ୍ୱର୍ଗର ଅପରୂପ ସୁନ୍ଦରୀ ନର୍ତ୍ତକୀ ମେନକାଙ୍କୁ ତାଙ୍କ ତପସ୍ୟା ଭଗ୍ନ କରିବା ଉଦ୍ଧେଶ୍ୟରେ ପଠାଇଲେ । ଘୋର୍ ଜଙ୍ଗଲ ମଧ୍ୟରେ ଏତେ ସୁନ୍ଦରୀ ସ୍ତ୍ରୀକୁ ଦେଖି ବିଶ୍ୱାମିତ୍ର ସବୁକିଛି ଭୁଲିଯାଇ ତାଙ୍କୁ ନିଜ ଆଶ୍ରମକୁ ନେଲେ । ସେଠାରେ ସେମାନେ ବହୁଦିନ ଧରି ବିବାହିତ ଜୀବନ ଯାପନ କଲେ । ବିଶ୍ୱାମିତ୍ରଙ୍କର ଆଧ୍ୟାତ୍ମିକ ଜୀବନରେ ସବୁକିଛି ପ୍ରାୟ ବିସ୍ମରଣ ହୋଇଗଲା । ଦିନେ ହଠାତ୍ ସେ ଉବଲବ୍ଧି କଲେ ଯେ ତାଙ୍କର ତପସ୍ୟା ନଷ୍ଟ ହୋଇଛି । ସେ ମେନକାଙ୍କ ଉପରେ କ୍ରୋଧ ଦେଖାଇ ଅଭିଶାପ ଦେବାକୁ ସ୍ଥିର କଲେ । ମେନକା ସେତେବେଳେ ଅନ୍ତସତ୍ତ୍ୱା । ମେନକା କହିଲେ, “ମୁନିବର, ମୋର ଏଥିରେ କୌଣସି ଭୁଲ୍ ନାହିଁ । ମୋତେ ଇନ୍ଦ୍ରାଦି ଦେବତାମାନେ ଆପଣଙ୍କ ତପସ୍ୟା ଭଙ୍ଗ କରିବାକୁ ପଠାଇ ଥିଲେ । ସେମାନଙ୍କ ଇଚ୍ଛା ସିଦ୍ଧ ହୋଇଛି । ମୁଁ ମଧ୍ୟ ଚାଲି ଯାଉଛି ।”
ତା’ପରେ ତାଙ୍କର ସୁନ୍ଦର କନ୍ୟାଟିଏ ଜନ୍ମ ହେଲା । ତାକୁ ସେ ବଣରେ ଶୁଆଇ ଦେଇ ଦେବାଲୋକକୁ ପଳାଇଲେ । ଟିକି ଛୁଆଟି ନିରାଶ୍ରୟ ଭାବରେ ପଡି ରହିଥାଏ । ଦୁଇଟି ଶକୁନ ପକ୍ଷୀ ତାକୁ ପକ୍ଷ ଘୋଡାଇ ଜଗି ବସିଥା’ନ୍ତି । ଏହି ସମୟରେ ମହର୍ଷି କଣ୍ୱ ଆହ୍ନିକ କରିବା ପାଇଁ ସେଇ ବାଟରେ ନଦୀକୁ ଯାଉଥିଲେ । ସେ ସେହି ଛୁଆଟିକୁ ନେଇ ପାଳିଲେ । ଶକୁନ ପକ୍ଷୀ ଜଗିଥିଲା ବୋଲି ତା’ର ନାମ ସେ ଶକୁନ୍ତଳା ଦେଲେ । ଶକୁନ୍ତଳା କ୍ରମେ ବଡ ହେଲା । ସେ କଣ୍ୱଙ୍କୁହିଁ ତା’ର ପିତା ବୋଲି ଜାଣେ । ସେ ଯେତେ ବଡ ହେଲା, ରୂପଗୁଣରେ ସେ ସେତେ ବଢିଚାଲିଲା । ଏବେ ସେ ସମ୍ପୂର୍ଣ୍ଣ ଯୌବନରେ ଆସି ପାଦ ଦେଇଛି । ମୁନି ମଧ୍ୟ ଯୋଗ୍ୟ ପାତ୍ରଟିଏ ଦେଖି ତା’ ସହିତ ତା’ର ବିବାହ ଦେବାକୁ ଚାହୁଁଥା’ନ୍ତି ।
ଏହିପରି ସମୟରେ ଦିନେ ମୁନି ଆଶ୍ରମରେ ନଥା’ନ୍ତି । କୌଣସି କାର୍ଯ୍ୟ ଉପଲକ୍ଷେ ଦୂରକୁ ଯାଇଥା’ନ୍ତି । ରାଜା ଦୁଷ୍ମନ୍ତ ନିଜର ସୈନ୍ୟସାମନ୍ତ ଧରି ସେହି ଜଙ୍ଗଲକୁ ଶିକାର କରିବାକୁ ଆସିଲେ । ଶିକାର କରିବା ପୂର୍ବରୁ ସେ ଥରେ କଣ୍ୱମୁନିଙ୍କୁ ଦେଖା କରି ଆସିବେ ବୋଲି ଚାହିଁଲେ । ସୈନ୍ୟସାମନ୍ତଙ୍କୁ ପଛରେ ରଖି ସେ ଏକାକୀ ମୁନି ଆଶ୍ରମକୁ ଗଲେ ।
ସେଠାରେ ସେ ଅପୂର୍ବ ରୂପସୀ ଶକୁନ୍ତଳାଙ୍କୁ ଦେଖିଲେ ଓ ତାଙ୍କ ସହିତ କଥାବାର୍ତ୍ତା କରି ରାଜା ଦୁଷ୍ମନ୍ତ ବୁଝିଲେ ଯେ ସେ ଏବେ ମଧ୍ୟ ଅବିବାହିତା । ଶକୁନ୍ତଳାଙ୍କ ସଖୀମାନେ ରାଜାଙ୍କୁ ଶକୁନ୍ତଳାଙ୍କ ଜନ୍ମ ବିଷୟରେ ସବୁକିଛି କହିଲେ । ସଖୀମାନେ ସେସବୁ ମହର୍ଷି କଣ୍ୱଙ୍କଠାରୁ ଶୁଣିଥିଲେ । ତେଣୁ ଦୁଷ୍ମନ୍ତଙ୍କ ମନ ସ୍ୱତଃ ତାଙ୍କ ପ୍ରତି ଆକୃଷ୍ଟ ହେଲା । ସେ ପ୍ରସ୍ତାବ ଦେଲେ ଯେ କ୍ଷତ୍ରୀୟମାନଙ୍କ ଜାତିରେ ଗାନ୍ଧର୍ବ ବିବାହର ବ୍ୟବସ୍ଥା ଅଛି । ଯଦି ବରକନ୍ୟା ଦୁହେଁ ଇଚ୍ଛା କରି ଆକାଶ, ଭୂମି, ପବନ, ସୂର୍ଯ୍ୟ ଦେବତା ପ୍ରଭୃତିଙ୍କୁ ସାକ୍ଷୀରଖି ବିବାହ କରନ୍ତି, ତେବେ ସେଥିରେ କୌଣସି ଦୋଷ ନାହିଁ ।
ରାଜାଙ୍କ ପ୍ରସ୍ତାବ କ୍ରମେ ସକୁନ୍ତଳା ତାଙ୍କ ସହିତ ଗାନ୍ଧର୍ବ ବିବାହ କରିବାକୁ ରାଜି ହେଲେ । ରାଜା ମଧ୍ୟ ସୈନ୍ୟ ସାମନ୍ତଙ୍କୁ ରାଜ୍ୟକୁ ପଠାଇ ଦେଇ ଅଳ୍ପ କେତେଜଣ ଦେହରକ୍ଷୀ ସହିତ ସେଠାରେ କିଛିଦିନ ରହିଲେ । ନିବିଡ ଅରଣ୍ୟର ଅପୂର୍ବ ଶୋଭା; କେତେ ଜାତି ଜାତି ଫୁଲର ଅପୂର୍ବ ମହକ, ହରିଣମାନେ ନିର୍ଭୟରେ ଚରି ବୁଲୁଥିବାର ଦୃଶ୍ୟ, ଭଳି ଭଳି ଚଢେଇଙ୍କ ସୁନ୍ଦର ଗୀତ ଏବଂ ମୁନି ଆଶ୍ରମର ପବିତ୍ରତା ଭିତରେ ଦୁଷ୍ମନ୍ତଙ୍କୁ ସ୍ୱର୍ଗପ୍ରାପ୍ତି ଭଳି ଲାଗୁଥିଲା । ରାଜ ପ୍ରାସାଦରେ ଏ ଦୃଶ୍ୟ ବିରଳ । ପୁଣି ସୁନ୍ଦରୀ ଶକୁନ୍ତଳା ପାଖରେ ଅଛନ୍ତି ।
ବହୁତ ଆନନ୍ଦରେ କିଛିଦିନ କଟିଗଲା । କିନ୍ତୁ ପ୍ରଥମରୁ ଶକୁନ୍ତଳା କହିଥିଲେ, “ମୋର ଗର୍ଭଜାତ ପୁତ୍ର ଆପଣଙ୍କର ଉତ୍ତରଧିକାରୀ ଯଦିହେବ ତେବେ ମୁଁ ଆପଣଙ୍କ କଥାରେ ସମ୍ମତ ହେବି ।”
ଦୁଷ୍ମନ୍ତ ସେକଥା ସ୍ୱୀକାର କରିଥିଲେ । ତା’ପରେ ଦୁଷ୍ମନ୍ତ ରାଜ୍ୟକୁ ଫେରି ଆସିଲେ ଓ ଶକୁନ୍ତଳା ସେଠାରେ ରହିଗଲେ । ତାଙ୍କର ସନ୍ତାନ ଜନ୍ମନେବାର ବେଳ ହେଲା । କିଛି ଦିନ ପରେ କଣ୍ୱ ଫେରି ଆସି ଦେଖିଲେ ତାଙ୍କର ଆଦରର ଝିଅ ଶକୁନ୍ତଳାର ଚାଲିଚଳଣ ସବୁ ଭିନ୍ନ । ସେ ତପସ୍ୟାରେ ବସି ସବୁକଥା ଜାଣି ପାରିଲେ ।
ତା’ପରେ ଶକୁନ୍ତଳାଙ୍କୁ ଡାକି ସେ କହିଲେ, “ଯାହାସବୁ ଘଟିଛି, ମୁଁ ତାହା ସବୁ ମୋ ଧ୍ୟାନବଳରେ ଜାଣି ପାରିଛି । ତୁ ଯୋଗ୍ୟବର ପାଇଛୁ । ତୋର ସନ୍ତାନ ହୋଇ ସାରିଲେ ମୁଁ ତୋତେ ସେଠାକୁ ପଠାଇ ଦେବି ।” କିଛିଦିନ ଉତାରୁ ଶକୁନ୍ତଳାଙ୍କର ପୁଅଟିଏ ହେଲା । ପିଲାଟି ତିନିବର୍ଷର ହେବାପରେ ଶକୁନ୍ତଳାଙ୍କୁ ତାଙ୍କ ପିତା କଣ୍ୱମୁନି ଦୁଷ୍ମନ୍ତଙ୍କ ନିକଟକୁ ପଠାଇଲେ । ଶକୁନ୍ତଳାଙ୍କ ସହ ଦୁଇଜଣ ଋଷିକୁମାର ତାଙ୍କୁ ଛାଡିବାକୁ ଯାଇଥିଲେ ।
ରାଜଭବନରେ ଶକୁନ୍ତଳା ଓ ଋଷିକୁମାରମାନଙ୍କୁ ଦେଖି ଦୁଷ୍ମନ୍ତ ଚିହ୍ନିପାରିଲେ ନାହିଁ । ଶକୁନ୍ତଳାଙ୍କ ସହିତ ଯାଇଥିବା ଋଷିକୁମାରମାନେ ଦୁଷ୍ମନ୍ତଙ୍କର ଏପରି ବ୍ୟବହାରରେ ବ୍ୟଥିତ ହେଲେ; କିନ୍ତୁ ସେମାନେ ନାଚାର ଥିଲେ । ସେମାନେ ଶକୁନ୍ତଳାଙ୍କୁ କହିଲେ, “ଗୁରୁଦେବଙ୍କ କଥା ଅନୁଯାୟୀ ଆମେ ତୁମକୁ ତୁମ ଶ୍ୱଶୁର ଘରେ ଛାଡି ଯାଉଛୁ । ଏଣିକି ତୁମ କଥା ତୁମ ସ୍ୱାମୀ ବୁଝିବେ । ତୁମ ସ୍ୱାମୀ ଯଦି ପୂର୍ବକଥା ମନେ ପକାଇ ପାରୁନାହାଁନ୍ତି, ତେବେ ତୁମେ ଚେଷ୍ଟାକର କୌଣସି ସଙ୍କେତ ଦ୍ୱାରା ତାଙ୍କୁ ତୁମର ପୂର୍ବକଥା ସ୍ମରଣ କରାଇବାକୁ । କାରଣ ଏବେ ତୁମେ ଗୋଟିଏ ପିଲାର ମା’ । ମା’ ହେବାପରେ ପୁଣି ପିତା ଘରକୁ ଫେରିଯିବା ଆଦୌ ଉଚିତ୍ ନୁହେଁ । ରାଜା ତୁମକୁ ପତ୍ନୀ ଭାବରେ ନ ହେଲେ ମଧ୍ୟ ଜଣେ ଶରଣ ନେଇଥିବା ବ୍ୟକ୍ତିଭାବରେ ଗ୍ରହଣ କରନ୍ତୁ । ଆମେ ଏଥର ବିଦାୟ ନେଉଛୁ ।”
ଏତିକି କହି ଋଷିକୁମାର ମାନେ ଶକୁନ୍ତଳାଙ୍କୁ ସେଠାରେ ଛାଡି ପୁଣି କଣ୍ୱଙ୍କ ଆଶ୍ରମକୁ ବାହୁଡି ଆସିଲେ । ରାଜାଙ୍କର ସବୁକିଛି ବିସ୍ମରଣ ହୋଇଥାଏ । ତା’ର ଅନ୍ୟ ଏକ ଇତିହାସ ଅଛି । ଥରେ ଶକୁନ୍ତଳା ଦୁଷ୍ମନ୍ତଙ୍କ ଚିନ୍ତାରେ ମଗ୍ନ ରହି ଦୁର୍ବାସାଙ୍କୁ କଥା କହି ନଥିଲେ ବୋଲି ଦୁର୍ବାସା ତାଙ୍କୁ ଅଭିଶାପ ଦେଇଥିଲେ କି ଯାହା ଚିନ୍ତାରେ ଶକୁନ୍ତଳା ଏତେ ମଗ୍ନ ହୋଇ ଋଷିଙ୍କୁ ବେଖାତିର କଲା ସେ ତାକୁ ଆଉ ଚିହ୍ନିପାରିବେ ନାହିଁ । ସେଥିପାଇଁ ଦୁଷ୍ମନ୍ତ ଚିହ୍ନି ପାରିଲେ ନାହିଁ । ଶକୁନ୍ତଳା ସବୁକଥା ମନେ ପକାଇବାକୁ ଚେଷ୍ଟା କଲେ । ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ଦୀର୍ଘସମୟ ଧରି କଥାବାର୍ତ୍ତା ହେଲା । ତଥାପି ମଧ୍ୟ ସେ ତାଙ୍କୁ ସ୍ୱୀକାର କଲେ ନାହିଁ । ଶକୁନ୍ତଳାଙ୍କୁ ଦୁର୍ବାସା ଯେତେବେଳେ ଅଭିଶାପ ଦେଇଥିଲେ, ଶକୁନ୍ତଳା ସିନା ଜାଣି ପାରି ନଥିଲେ କିନ୍ତୁ ଅନୁସୂୟା ଓ ପ୍ରିୟମ୍ବଦା ନାମକ ତାଙ୍କର ଦୁଇ ସଖୀ ମୁନିଙ୍କ ପାଦ ଧରି ଶକୁନ୍ତଳାଙ୍କ ପାଇଁ କ୍ଷମା ମାଗି ତାଙ୍କୁ ଅନୁରୋଧ କରି ଅଭିଶାପ ଫେରାଇ ନେବାକୁ କହିଥିଲେ । ମୁନିଙ୍କ କ୍ରୋଧ ସେତେବେଳକୁ ପ୍ରଶମିତ ହୋଇଥିଲା । ସେ ହଠାତ୍ କ୍ରୋଧିତ ହୋଇ ବିଚାରୀ ଝିଅଟିକୁ ଅଭିଶାପ ଦେଇଥିବାରୁ ମନେ ମନେ ସେ ବହୁତ ଅନୁତପ୍ତ ହେଲେ । ଅଭିଶାପ ତ ଆଉ ଫେରାଇ ନେବାର ପ୍ରଶ୍ନହିଁ ଉଠୁନାହିଁ । ତଥାପି ଅନ୍ୟ ଏକ ଉପାୟ ଅଛି । ଋଷି ଶାନ୍ତ କଣ୍ଠରେ କହିଲେ, “ଦୁଷ୍ମନ୍ତ ଯଦି ଶକୁନ୍ତଳାକୁ ଦେଇଥିବା କିଛି ସନ୍ତକ ବା ଚିହ୍ନ ଶକୁନ୍ତଳା ଦେଖାଏ, ତେବେ ସେ ତାକୁ ଚିହ୍ନି ପାରିବ ।” ଏତିକି କହି ମୁନି ସେଠାରୁ ପ୍ରସ୍ଥାନ କଲେ ।
ଏକଥା ମନେ ପଡିବା ମାତ୍ରେ ଶକୁନ୍ତଳା ତାଙ୍କ ପାଖରେ ଥିବା ଦୁଷ୍ମନ୍ତଙ୍କ ମୁଦି ତାଙ୍କୁ ଦେଖାଇବାକୁ ଚେଷ୍ଟା କଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ରାସ୍ତାରେ କେଉଁଠି ଆସିବାବେଳେ ହାତରୁ ପଡିଯାଉଛି । ଶକୁନ୍ତଳା ବଡ ବ୍ୟଥିତ ହେଲେ । ତା’ପରେ ସେ ସେଠାରେ କାନ୍ଦି କାନ୍ଦି ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ । ଠିକ୍ ସେତିକିବେଳେ ଆକାଶବାଣୀ ହେଲା ଯେ ଶକୁନ୍ତଳାଙ୍କର ପୁତ୍ର ରାଜଚକ୍ରବର୍ତ୍ତୀ ହେବ । ତେଣୁ ତାକୁ ରାଜା ବିନା ଦ୍ୱିଧାରେ ସ୍ୱୀକାର କରିନେବା ଉଚିତ୍ ହେବ । ରାଜା ଅବଶ୍ୟ ସ୍ୱୀକାର କଲେ; କିନ୍ତୁ ଅନ୍ତର ଭିତରୁ ତାଙ୍କ ପ୍ରତି ରାଜାଙ୍କର କୌଣସି ସଦୟଭାବ ଜାତ ହେଲା ନାହିଁ ।
ବହୁଦିନ ପରେ ଜଣେ ଧୀବରଠାରୁ ରାଜା ମୁଦିଟିଏ ପାଇ ସମସ୍ତ କଥା ସ୍ମରଣ କରିପାରିଲେ । ସେହି ମୁଦିଟି ରାଜା ଶକୁନ୍ତଳାଙ୍କୁ ଦେଇଥିଲେ । ଆସିବାବେଳେ ମୁଦିଟି ଖସିପଡିଥିଲା ଓ ମାଛଟିଏ ତାକୁ ଖାଇ ଦେଇଥିଲା । ସେହି ମାଛଟିକୁ ଧୀବର ଧରି କାଟିବା ବେଳକୁ ତା’ର ପେଟ ଭିତରେ ସେ ମୁଦିଟିଏ ଦେଖିଲା । ସେ ମୁଦି ବିଷୟରେ ରାଜଧାନୀରେ ଆସି ଅନ୍ୟମାନଙ୍କୁ ପଚାରିବାରୁ ରାଜାଙ୍କ ମୁଦି ଚିହ୍ନି ପାରି ସୈନିକମାନେ ଚୋରୀ ଅଭିଯୋଗରେ ତାକୁ ରାଜାଙ୍କ ନିକଟକୁ ନେଇ ଆସିଲେ । ମୁଦିଟିକୁ ଦେଖିବାମାତ୍ରେ ରାଜାଙ୍କର ସବୁକଥା ସ୍ମରଣ ହେଲା । ସେ ଧୀବରକୁ ଦଣ୍ଡ ଦେବା ପରିବର୍ତ୍ତେ ବହୁତ ଧନ ପୁରସ୍କାର ଦେଇ ତାକୁ ସେଠାରୁ ବିଦାୟ ଦେଲେ ।
ତା’ପରେ ରାଜା ଶକୁନ୍ତଳାଙ୍କ ପାଖରେ କ୍ଷମାଭିକ୍ଷା କଲେ ଓ ନିଜର କାର୍ଯ୍ୟ ପାଇଁ ଅତ୍ୟନ୍ତ ଅନୁତପ୍ତ ହେଲେ । ଏଣିକି ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ପାଟରାଣୀ ଭାବରେ ନଅରରେ ସ୍ଥାନ ଦେଲେ ଓ ତାଙ୍କର ପୁତ୍ର କୁମାର ଭରତ ଯୁବରାଜ ହେଲେ । ସେମାନେ ଅତି ଆନନ୍ଦରେ କାଳାତିପାତ କଲେ । ଦୁଷ୍ମନ୍ତଙ୍କ ପରେ ଭରତ ରାଜଚକ୍ରବର୍ତ୍ତୀ ହେଲେ । ତାଙ୍କରି ନାମ ଅନୁସାରେ ଆଜି ଆମ ଦେଶର ନାମ ଭାରତ ହୋଇଛି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।