ଭୀଷ୍ମଙ୍କ କଥା ଶୁଣି ସତ୍ୟବତୀ ଲଜ୍ଜିତା ହୋଇ କହିଲେ, “ଅନେକ ଦିନ ପୂର୍ବର କଥା; ମୁଁ ଯେତେବେଳେ ନୌକା ବାହି ଯାଉଥିଲି, ସେତେବେଳେ ପରାଶର ମହର୍ଷିଙ୍କ ଦ୍ୱାରା ମୁଁ କୃଷ୍ଣଦ୍ୱୈପାୟନର ମା’ ହୋଇଥିଲି । ମୋର ସେହି ପୁତ୍ର ଏବେ ମଧ୍ୟ ଜୀବିତ । ସେ ଜଣେ ବଡ ତପସ୍ୱୀ । ତୁମେ ଚାହିଁଲେ ତା’ ଯୋଗୁଁ ଭରତବଂଶ ଚିରସ୍ଥାୟୀ ହୋଇ ରହି ପାରିବ ।”
ଏହି ପ୍ରସ୍ତାବରେ ଭୀଷ୍ମ ରାଜି ହେଲେ । ସତ୍ୟବତୀ ଧ୍ୟାନ ମଗ୍ନ ହୋଇ କୃଷ୍ଣଦ୍ୱୈପାୟନ ବ୍ୟାସଙ୍କୁ ସ୍ମରଣ କଲେ । କିଛି ସମୟ ପରେ ସେ ପ୍ରକଟ ହୋଇ ମାତାଙ୍କୁ ପଚାରିଲେ, “ମୋତେ, କାହିଁକି ସ୍ମରଣ କଲେ ମାତା? ମୁଁ ଆପଣଙ୍କର କାର୍ଯ୍ୟରେ କି ପ୍ରକାର ସହାୟତା କରିପାରିବି ।”
ସତ୍ୟବତୀ ତାଙ୍କର ସମସ୍ୟା ଉପସ୍ଥାପିତ କରି କହିଲେ, “ତୁମେ ଜାଣ ମୋର ଦୁଇପୁତ୍ର ସ୍ୱର୍ଗବାସୀ । ମହାନ୍ ଭରତବଂଶ ଏବେ ଉଚ୍ଛନ୍ନ ହେବାକୁ ବସିଛି । ଭୀଷ୍ମ ତ ତା’ କଥାରୁ କେବେବି ଟଳିବ ନାହିଁ, ତେଣୁ ଏହି ପ୍ରକାର ସମସ୍ୟାକୁ କେବଳ ତୁମେହିଁ ସମାଧାନ କରିପାରିବ; ସେଥିପାଇଁ ମୁଁ ତୁମକୁ ସ୍ମରଣ କଲି ।”
ତା’ପରେ ସତ୍ୟବତୀ ତାଙ୍କୁ ସବୁ କଥା ବୁଝାଇବା ପରେ ସେ କହିଲେ, “ଆମ ରାଜବଂଶରେ ଏପରି ବଂଶରକ୍ଷା କରିବାର ବିଧି ଅଛି । ଭୀଷ୍ମ ସେଥିରେ ସମ୍ମତ । ତୁମ ପରି ଅଲୌକିକ ଶକ୍ତିସମ୍ପନ୍ନ ତପସ୍ୱୀଠାରୁ ନିଶ୍ଚୟ କୁଳ ଉଜ୍ଜ୍ୱଳକାରୀ ଉତ୍ତମ ପୁତ୍ରସବୁ ଜନ୍ମନେବେ । ତୁମର ମଧ୍ୟ ଧର୍ମ କ୍ଷୟ ହେବ ନାହିଁ । ତୁମେ ମୋର ଗର୍ଭଜାତ ସନ୍ତାନ ଓ ରାଣୀମାନେ ମଧ୍ୟ ମୋର ଗର୍ଭଜାତ ସନ୍ତାନମାନଙ୍କର ସ୍ତ୍ରୀ । ତେଣୁ ତୁମେ ଏଠାରେ କୌଣସି ପ୍ରକାରରେ ଦ୍ୱନ୍ଦ୍ୱ ଦ୍ୱିଧାରେ ନ ପଡି, ମୋତେ ସହାୟତା କର । ଯଦି ସହାୟତା କରିବାକୁ ଆସିଛ, ତେବେ କାର୍ଯ୍ୟ ସମ୍ପନ୍ନ କରି ଯାଅ ।”
ବ୍ୟାସ ସବୁ ଶୁଣିବା ପରେ କିଛି ସମୟ ଚିନ୍ତା କଲେ ଓ ନିଜର ସ୍ୱୀକୃତି ଦେଇ କହିଲେ, “ମା, ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେବି ବୋଲି ମୁଁ ତ କେବେବି ଭାବି ନଥିଲି । ଜନ୍ମରୁ ମା’ ବୋଲି କିଛି ଜାଣିନାହିଁ । ତେବେ ପ୍ରଥମ ଥର ପାଇଁ ମା’ର ଆଦେଶକୁ ମୁଁ ଭାଙ୍ଗି ପାରୁନାହିଁ । ତୁମର ଆଦେଶ ମୋର ଶିରୋଧାର୍ଯ୍ୟ ।”
ବ୍ୟାସ ନିଜର ସ୍ୱୀକୃତି ଦେବା ପରେ ମାତା ସତ୍ୟବତୀ ତାଙ୍କୁ ବୁଝାଇଦେଲେ ଯେ କ’ଣ କରିବାକୁ ହେବ । ଏଣେ ସତ୍ୟବତୀ ଅମ୍ବିକାଙ୍କୁ କହିଲେ ଯେ ନିଜ କକ୍ଷରେ ତାଙ୍କର ସ୍ୱାମୀଙ୍କ ଭ୍ରାତାଙ୍କପାଇଁ ଅପେକ୍ଷା କରି ରହିବେ ଏବଂ ତାଙ୍କ ଦ୍ୱାରା ବଂଶରକ୍ଷା ହେବ । କିନ୍ତୁ ବ୍ୟାସଙ୍କର କଳାରଙ୍ଗ, ଲାଲ୍ ଆଖି ଓ ଦାଢି ଦେଖି ସେ ଅତ୍ୟନ୍ତ ଭୟରେ ତାଙ୍କ ଚକ୍ଷୁ ବନ୍ଦ କଲେ । ସେଥିପାଇଁ ତାଙ୍କ ପୁତ୍ର ଧୃତରାଷ୍ଟ୍ର ଜନ୍ମରୁହିଁ ଅନ୍ଧ ଥିଲେ ।
ତା’ପରେ ସତ୍ୟବତୀ ଅମ୍ବାଳିକାଙ୍କୁ ମଧ୍ୟ ସେହି ଏକହିଁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ କହିଲେ । ବ୍ୟାସଙ୍କୁ ଦେଖି ଭୟରେ ତାଙ୍କ ଦେହ ପାଣ୍ଡୁର ବର୍ଣ୍ଣ ଧାରଣ କଲା । ତେଣୁ ତାଙ୍କ ପିଲା ହେଲେ ପଣ୍ଡୁ ଯାହାଙ୍କର ଦେହର ବର୍ଣ୍ଣ ପାଣ୍ଡୁର ଥିଲା । ସତ୍ୟବତୀ ତଦ୍ୱାରା ତୃପ୍ତ ହେଲେ ନାହିଁ । ସେ ପୁଣି ଅମ୍ବାଳିକାଙ୍କୁ କହିଲେ “ଏଥର ତୁମେ ଯୋଗ୍ୟ ଓ ସୁସ୍ଥ ପୁତ୍ରଟିଏ ଜନ୍ମ ଦେବାକୁ ଚେଷ୍ଟା କର ।”
ଅମ୍ବାଳିକା କିଛି କହିଲେ ନାହିଁ । କିନ୍ତୁ ବ୍ୟାସଙ୍କ ପାଖକୁ ନିଜେ ନ ଯାଇ ତାଙ୍କର ଦାସୀକୁ ପଠାଇଦେଲେ । ଦାସୀ କିନ୍ତୁ ବ୍ୟାସଙ୍କୁ ମନ ଭିତରେ ଶ୍ରଦ୍ଧା ଓ ସମ୍ମାନ କରି ପୂଜା କଲା । ତେଣୁ ତା’ ଗର୍ଭରୁ ମହାନ୍ ଧାର୍ମିକ ବିଦୁର ଜନ୍ମ ନେଲେ ।