ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

      ସେମାନେ କ୍ରମେ ବଡ ହେଲେ ଓ ଭୀଷ୍ମ ନିଜ ଉପରେ ରାଜ୍ୟ ଭାର ନେଇ ଚଳାଉଥା’ନ୍ତି । ତାଙ୍କ ଶାସନରେ ଦେଶ ଶସ୍ୟ ଶ୍ୟାମଳା ଥିଲା । ପ୍ରଜାମାନେ ବଡ ସୁଖସନ୍ତୋଷରେ ରହୁଥିଲେ । ଭୀଷ୍ମ ସେହି ତିନି ପିଲାଙ୍କୁ କ୍ଷତ୍ରିୟୋଚିତ ବିଦ୍ୟାସବୁରେ ପାରଙ୍ଗମ କରାଉଥା’ନ୍ତି । ବେଦବିଦ୍ୟା ଓ ଧନୁର୍ବିଦ୍ୟା ଇତ୍ୟାଦି ସେମାନେ ଶିଖିଲେ ।

      ସେହି ତିନିଜଣଙ୍କ ମଧ୍ୟରେ ଧୃତରାଷ୍ଟ୍ର ସବୁଠୁ ବଳଶାଳୀ ଥିଲେ । ପଣ୍ଡୁ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ । ବିଦୁର ଧର୍ମ ଶାସ୍ତ୍ରରେ ବେଶ୍ ପାରଙ୍ଗମ ଥିଲେ । ସେମାନଙ୍କର ରାଜ୍ୟାଭିଷେକ ବୟସ ହୋଇଗଲା । ଭୀଷ୍ମଙ୍କ ପାଇଁ ଏକ ସମସ୍ୟା ହେଲା ସେ ଏବେ କାହାକୁ ସିଂହାସନରେ ବସାଇବେ । ବିଦୁର ଦାସୀପୁତ୍ର, ତେଣୁ ତା’ର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଧୃତରାଷ୍ଟ୍ର ତ ଅନ୍ଧ ତେଣୁ ତାଙ୍କୁ ମଧ୍ୟ ସେ ରାଜା କଲେ ନାହିଁ । ତେଣୁ ଶେଷରେ ବିବଶ ହୋଇ ସେ ପଣ୍ଡୁଙ୍କର ରାଜ୍ୟାଭିଷେକ କରାଇଲେ ।

      ସେମାନଙ୍କର ବିବାହ ବୟସ ମଧ୍ୟ ଅତୀତ ହୋଇ ଗଲାଣି । ଗାନ୍ଧାର ରାଜାଙ୍କର ଏକମାତ୍ର ଧର୍ମପରାୟଣା କନ୍ୟା ହେଲେ ଗାନ୍ଧାରୀ । ଭୀଷ୍ମ ଶୁଣିଥିଲେ ଶିବ ତାଙ୍କୁ ବର ଦେଇଥିଲେ କି ତାଙ୍କର ଶହେ ପୁତ୍ର ଜନ୍ମ ହେବେ । ସେ କେତେକ ବ୍ରାହ୍ମଣଙ୍କ ହାତରେ ପ୍ରସ୍ତାବ ଦେଇ ଗାନ୍ଧାର ରାଜାଙ୍କ ନିକଟକୁ ପଠାଇଲେ । ପ୍ରସ୍ତାବଟି ହେଉଛି ଯେପରି ଧୃତରାଷ୍ଟ୍ରଙ୍କ ସହିତ ଗାନ୍ଧାରୀଙ୍କର ବିବାହ ହୁଏ ।

      ଗାନ୍ଧାର ରାଜା ସବଳ ତ ଜାଣିଥିଲେ ଯେ ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ । ତଥାପି ମଧ୍ୟ ସେ ନିଜର ସମ୍ମତି ଦେଇଥିଲେ । କାରଣ ଧୃତରାଷ୍ଟ୍ର ହେଉଛନ୍ତି ଭରତବଂଶର ଉତ୍ତରାଧିକାରୀ । ସେପରି ବଂଶରେ ଝିଅର ବିବାହ ଦେବା ତ ଅତି ଭାଗ୍ୟର କଥା । ଗାନ୍ଧାରୀ ଯେତେବେଳେ ଶୁଣିଲେ କି ତାଙ୍କର ଭାବିସ୍ୱାମୀ ଅନ୍ଧ; ସେ ବି ଠିକ୍ ସେହିଦିନଠାରୁ ନିଜ ଆଖିରେ ପଟି ବାନ୍ଧି ଦେଲେ । ସେ ଭାବିଲେ ଜଣେ ପତ୍ନୀ ପାଇଁ ତା’ପତିହିଁ ସବୁକିଛି । ତାଙ୍କର ଏପରି ବ୍ୟବହାର ଯୋଗୁଁ ସମସ୍ତେ ଖୁସି ହେଲେ ଓ ତାଙ୍କୁ ଖୁବ୍ ପ୍ରଶଂସା ବି କଲେ । ତାଙ୍କ ବଡ ଭାଇ ଶକୁନି ତାଙ୍କୁ ହସ୍ତିନାପୁର ନେଇ ଯାଇ ବିବାହ ଦେଲେ । ଭୀଷ୍ମଙ୍କ ଠାରୁ ଯଥେଷ୍ଟ ଉପହାର ପାଇ ଶକୁନି ନିଜ ଦେଶକୁ ଫେରି ଗଲେ ।

      ଏବେ ପଣ୍ଡୁଙ୍କର ବିବାହ ସମସ୍ୟା ଦେଖାଦେଲା । ଭୀଷ୍ମ ଯାଦବ କନ୍ୟା କୁନ୍ତୀଙ୍କ ବିଷୟରେ ଖବର ରଖିଥିଲେ । ସେ ବଡ ଧର୍ମପରାୟଣା ଥିଲେ । ସୁର ଯାଦବ ବଂଶର ବିଖ୍ୟାତ ରାଜା ଥିଲେ । ତାଙ୍କ ପୁତ୍ର ବସୁଦେବ ଓ କନ୍ୟା ପୃଥା ଥିଲେ । ରାଜା ସୁରଙ୍କର ପିଉସୀ ପୁଅ ଭାଇ କୁନ୍ତିଭୋଜ ଥିଲେ । ସେ ସନ୍ତାନହୀନ ଥିଲେ । ତେଣୁ ସୁରଙ୍କ ଝିଅ ପୃଥାକୁ ଜନ୍ମ ସମୟରୁ ସେ ଝିଅ କରି ନେଇ ପାଳିଥିଲେ । ତାଙ୍କ ନାମ ଅନୁସାରେ ପୃଥାଙ୍କର ନାମ କୁନ୍ତୀ ହେଲା । କୁନ୍ତୀ ବଡ ଧାର୍ମିକା ଥିଲେ; ପିତାଙ୍କର ଯେତେ ଋଷିମୁନି ସବୁ ଅତିଥି ହୁଅନ୍ତି; ସେମାନଙ୍କର ସେବାସତ୍କାର ସେ ହିଁ ନିଷ୍ଠା ସହିତ କରୁଥିଲେ ।

ଥରେ ସେଠାକୁ ମହାମୁନି ଦୁର୍ବାସା ଆସିଲେ । ପୃଥାଙ୍କର ସେବାରେ ସେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ, “ଝିଅ, ତୋ ସେବାରେ ମୁଁ ଅତ୍ୟନ୍ତ ଆପ୍ୟାୟିତ । ତୋତେ ମୁଁ ଗୋଟିଏ ମନ୍ତ୍ର ଶିଖେଇ ଦେଉଛି, ମନ୍ତ୍ରଟି ପଢି ଯେଉଁ ଦେବତାଙ୍କୁ ତୁ ଧ୍ୟାନ କରିବୁ, ସେ ପ୍ରକଟ ହୋଇ ତୋତେ ଗୋଟିଏ ପୁତ୍ର ରତ୍ନ ଦେବେ ।”

ଦିନେ କୁନ୍ତୀ ଭାବିଲେ କି ଏହି ମନ୍ତ୍ରର ସତ୍ୟତା କେତେ ଦୂର ସେ ଟିକେ ଦେଖିବେ । ସେ ମନ୍ତ୍ରଟି ପଢି ସୂର୍ଯ୍ୟ ଦେବତାଙ୍କୁ ଧ୍ୟାନ କଲେ । ତତ୍କ୍ଷଣାତ୍ ସୂର୍ଯ୍ୟ ପ୍ରକଟ ହୋଇ ତାଙ୍କୁ ଏକ ପୁତ୍ର ପ୍ରଦାନ କଲେ । କବଚକୁଣ୍ଡଳ ସହିତ ସୁନ୍ଦର ପୁଅଟିଏ ଜନ୍ମ ହେଲା । ମାତ୍ର ବିଚାରୀ କୁନ୍ତୀ ଏଣେ ମହାସମସ୍ୟାରେ ପଡିଲେ । ଅବିବାହିତା ଝିଅ ମା’ ହେବାରୁ ବଦନାମ ହେବ । ତେଣୁ ସେହି ପିଲାକୁ ସେ ଏକ ପେଟିରେ ପୁରାଇ ଭସାଇ ଦେଲେ । ସେହି ପେଟି ଏକ ନିଃସନ୍ତାନ ସାରଥିକୁ ମିଳିଲା । ସେ ଅତି ଆନନ୍ଦିତ ହୋଇ ସେହି ପିଲାଟିକୁ ଭଗବାନଙ୍କ ଦାନବୋଲି ଭାବି ତା’ର ସ୍ତ୍ରୀ ରାଧାଙ୍କୁ ନେଇ ଦେଲା । ସ୍ୱାମୀ ସ୍ତ୍ରୀ ଦୁହେଁ ସେହି ପିଲାଟିକୁ ଅତି ଯତ୍ନରେ ଓ ସ୍ନେହରେ ପାଳନ ପୋଷଣ କଲେ । ସେହି ପିଲାଟିହିଁ ଭବିଷ୍ୟତରେ କର୍ଣ୍ଣ ହେଲେ ।

ଏହି ଘଟଣା ପରେ କୁନ୍ତୀଭୋଜ ତାଙ୍କ ଝିଅ ପାଇଁ ସ୍ୱୟମ୍ବର ହେବ ବୋଲି ଘୋଷଣା କଲେ । ପଣ୍ଡୁ ମଧ୍ୟ ସେହି ସ୍ୱୟମ୍ବରରେ ଉପସ୍ଥିତ ଥିଲେ । କୁରୁବଂଶରେ ଜନ୍ମିଥିବା ସୁନ୍ଦର ରାଜକୁମାର ପଣ୍ଡୁଙ୍କୁହିଁ ସେ ବରଣ କଲେ । କୁନ୍ତୀଭୋଜ ତାଙ୍କ ଝିଅର ବିବାହ ମହାସମାରୋହରେ ସମ୍ପନ୍ନ କଲେ । ଅନେକ ସମ୍ପତ୍ତି ହାତୀଘୋଡା ଦାସଦାସୀ ଯୌତୁକ ଦେଇ ସେମାନଙ୍କୁ ସେ ହସ୍ତିନାପୁର ପଠାଇ ଦେଲେ । ସେଠାରେ ଏ ନବ ଦମ୍ପତ୍ତି ଅତି ଆନନ୍ଦରେ ସମୟ ବିତାଇଲେ ।

କିଛିଦିନ ପରେ କୌଣସି ଏକ ପରିସ୍ଥିତିରେ ପଣ୍ଡୁଙ୍କର ମହାରାଜ ଶଲ୍ୟଙ୍କ ସହିତ ଯୁଦ୍ଧ ହେଲା । ପଣ୍ଡୁ ଲକ୍ଷ୍ୟ କଲେ ଶଲ୍ୟଙ୍କ ସାରଥିର ବଡ ସୁନ୍ଦର ଚେହେରା । ଯୁବକଟି ଦେଖିବାକୁ ବଡ ସୁକୁମାର; ସେହି ଯୁଦ୍ଧରେ କେହି ବି ହାରିଲେ ନାହିଁ । ଶେଷକୁ ଯୁଦ୍ଧ ବନ୍ଦ କରି ସେ ଦୁହିଁଙ୍କ ଭିତରେ ସନ୍ଧି ହେଲା । ସନ୍ଧିର ସର୍ତ୍ତ ଅନୁସାରେ ସେ ଦୁହେଁ ପରସ୍ପରକୁ କିଛି ଉପହାର ସ୍ୱରୂପ ମାଗିଲେ । ପଣ୍ଡୁ ଶଲ୍ୟଙ୍କ ସାରଥିଙ୍କୁହିଁ ମାଗିଲେ । ଶଲ୍ୟ ହସି ହସି ତାଙ୍କ ସାରଥିଙ୍କୁ ଆଣି ପଣ୍ଡୁଙ୍କ ହାତରେ ତାକୁ ସମର୍ପଣ କରି କହିଲେ, “ଆଜିଠାରୁ ଏହି ସାରଥୀର ଦାୟିତ୍ୱ କେବଳ ତୁମର, ସେ ତୁମ ଜୀବନର ରଥକୁ ଯେପରି ଠିକ୍ ଭାବରେ ଚଳାଇବ ତାହାହିଁ ଆଶା ରଖି ତୁମ ହାତରେ ମୁଁ ତାକୁ ସମର୍ପଣ କରୁଛି ।” ପଣ୍ଡୁ ଏଥିରୁ କିଛି ବୁଝିପାରିଲେ ନାହିଁ, କାରଣ ସାରଥିକୁ ଏତେ ନାଟକୀୟ ଭଙ୍ଗୀରେ ସମର୍ପଣ କରିବାର କ’ଣ ବା ଆବଶ୍ୟକତା? ଶଲ୍ୟ ପଣ୍ଡୁଙ୍କୁ ଅଧିକ ବିସ୍ମୟାଭିଭୂତ କରି କହିଲେ, “ମହାରାଜ ପଣ୍ଡୁ, ଏହି ସାରଥିଟି ହେଉଛି ମୋର ଭଉଣୀ ମାଦ୍ରୀ । ତୁମେ ତାକୁ ନିଜେ ଚାହିଁଲ ଓ ନେଲ ତେଣୁ ମୋର ତା ପାଇଁ ଥିବା ଦାୟିତ୍ୱରୁ ମୁଁ ଏବେ ସମ୍ପୂର୍ଣ୍ଣ ମୁକ୍ତ ।” ତାଙ୍କ କଥା ଶୁଣି ପଣ୍ଡୁ ଭୀଷଣ ଲଜ୍ଜିତ ହେଲେ; କିନ୍ତୁ ଆନନ୍ଦିତ ହୋଇ ସେ ମାଦ୍ରୀଙ୍କର ପାଣିଗ୍ରହଣ କଲେ ।

ଦୁଇ ସ୍ତ୍ରୀଙ୍କ ସହିତ ପଣ୍ଡୁ ବଡ ଆନନ୍ଦରେ ଥା’ନ୍ତି । କୁନ୍ତୀ ଓ ମାଦ୍ରୀ ମଧ୍ୟ ଦୁଇ ଭଉଣୀ ପରି ପରସ୍ପରକୁ ଭଲ ପାଇ ରହିଥା’ନ୍ତି । ଏମିତି କିଛିଦିନ ବିତିଗଲା । ପଣ୍ଡୁଙ୍କର ଥରେ ଦିଗ୍ବିଜୟ କରିବାକୁ ଭାରି ଇଚ୍ଛା ହେଲା । ସେ ଭୀଷ୍ମଙ୍କର ମାତାମାନଙ୍କର ଓ ପୁରୋହିତ ଆଦି ଗୁରୁଜନଙ୍କର ଆଶୀର୍ବାଦ ନେଇ ଦିଗ୍ବିଜୟ କରିବାକୁ ଗଲେ । ଅନେକ ରାଜ୍ୟଜୟ କରି ସେ ବହୁ ଧନରତ୍ନ ଧରି ପୁଣି ହସ୍ତିନାପୁରକୁ ଲେଉଟି ଆସିଲେ । ସମସ୍ତେ ତାଙ୍କର ବହୁତ ପ୍ରଶଂସା କଲେ ।

ଅପାର ଧନ ଲାଭ କରି ଧୃତରାଷ୍ଟ୍ର ଯଜ୍ଞ କଲେ, ଦରିଦ୍ରଙ୍କୁ ମଧ୍ୟ ସେ କିଛି ବାଂଟିଲେ । କିଛି ଦିନ ପରେ ପଣ୍ଡୁ ବନବିହାର କରିବାକୁ ଗଲେ । ତାଙ୍କର ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଧୃତରାଷ୍ଟ୍ର ହସ୍ତିନାପୁରରୁ ପଠାଉଥା’ନ୍ତି । ତା’ପରେ ଭୀଷ୍ମ ବିଦୁରଙ୍କର ବିବାହ ଜଣେ ରାଜକୁମାରୀ ସହିତ କରାଇଲେ ।

ଦିନେ ବ୍ୟାସ ଧୃତରାଷ୍ଟ୍ରଙ୍କ ଘରକୁ ଆସିଥା’ନ୍ତି । ଗାନ୍ଧାରୀ ଅତିଥି ସତ୍କାର କଲେ । ବ୍ୟାସ ଖୁବ୍ ଖୁସି ହୋଇ କହିଲେ, “କୁହ, ତୁମର କ’ଣ ଦରକାର?” ତହୁଁ ଗାନ୍ଧାରୀ କହିଲେ, “ମୋତେ ଏପରି ବରଦେବେ ଯଦ୍ୱାରା ମୋର ଏକଶହ ବଳଶାଳୀ ପୁତ୍ର ହେବେ ।” ବ୍ୟାସ ବର ଦେଇ ଚାଲିଗଲେ । ଏଣେ ଗାନ୍ଧାରୀ ଗର୍ଭବତୀ ହେଲେ । କିନ୍ତୁ ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ଜନ୍ମ ହେଲା ନାହିଁ । ଏଣେ କୁନ୍ତୀଙ୍କର ଜ୍ୟେଷ୍ଠ ପୁତ୍ର ଯୁଧିଷ୍ଠିର ଜନ୍ମ ହେବାର ଖବର ଆସିଲା । ଗାନ୍ଧାରୀ ରାଗରେ ତାଙ୍କ ପେଟକୁ ପିଟା ପିଟି କରିବାରୁ ମାଂସ ଖଣ୍ଡସବୁ ବାହାରି ଆସିଲେ । ବ୍ୟାସ ତାଙ୍କୁ କହିଲେ, “ମୁଁ ଦେଇଥିବା ବର କେବେବି ବ୍ୟର୍ଥ ହେବ ନାହିଁ । କିନ୍ତୁ ତମେ ଏପରି କାହିଁକି କଲ?” ତା’ପରେ ଗାନ୍ଧାରୀଙ୍କ ଇଚ୍ଛାରେ ବ୍ୟାସ ସେହି ମାଂସଖଣ୍ଡମାନଙ୍କୁ ଘିଅ ପାତ୍ରରେ ରଖିଲେ, ସେଥିରେ ଶହେ ଏକ ଖଣ୍ଡ ଥିଲା । କାରଣ ଗାନ୍ଧାରୀ ଝିଅଟିଏ ମଧ୍ୟ ଚାହୁଁଥିଲେ । ବର୍ଷକ ପରେ ଦୁର୍ଯ୍ୟୋଧନ ଆଦି ଶହେ ପୁଅ ଓ ଝିଅ ଜନ୍ମ ହେଲେ । ଦୁର୍ଯ୍ୟୋଧନ ଜନ୍ମ ହେବା ମାତ୍ରେ ନାନା ପ୍ରକାରର ଅଶୁଭ ଘଟଣାମାନ ସବୁ ଦେଖାଗଲା । ଅସମୟରେ ଧୁଳିଝଡ ହେଲା, ଉଲ୍କାପାତ ହେଲା ଓ ବଜ୍ର ପଡିଲା । ତା’ପରେ ଶୃଗାଳ ଓ ଅନ୍ୟାନ୍ୟ ଜନ୍ତୁମାନେ ଉଚ୍ଚ ସ୍ୱରରେ ଚିତ୍କାର କଲେ । ରାଜ୍ୟସାରା ଲୋକେ ଭୀତତ୍ରସ୍ତ ହେଲେ । ଭୀଷ୍ମ ଦେଖିଲେ ରାଜକୁମାର ମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜ୍ୟେଷ୍ଠ । ତେଣୁ ଋଷିମୁନି ଓ ପୁରୋହିତଙ୍କୁ ଡାକି ସେ ପଚାରିଲେ କ’ଣ କରାଯିବ ।

ସେମାନେ କହିଲେ, “ଏହିପୁତ୍ର ରାଜ୍ୟ ଓ ବଂଶର ଅମଙ୍ଗଳ କରିବ କେବଳ ତାହାରି ଯୋଗୁଁ ବଂଶନାଶ ହେବ । ତେଣୁ ତାକୁ ଯଥାଶୀଘ୍ର ତ୍ୟାଗ କର ।” କିନ୍ତୁ ଧୃତରାଷ୍ଟ୍ର ଏ ପ୍ରସ୍ତାବରେ ମୋଟେ ମଙ୍ଗିଲେ ନାହିଁ । ଇତିମଧ୍ୟରେ ଗୋଟିଏ ପରେ ଗୋଟିଏ ଶହେ ପୁଅ ଓ ଦୁଃଶୀଳା ନାମକ ଝିଅଟିଏ ଜନ୍ମ ହେଲେ । ଧୃତରାଷ୍ଟ୍ରଙ୍କ ଅନ୍ୟ ବଶ୍ୟ ପତ୍ନୀ ଗର୍ଭରୁ ଯୁଯୁତ୍ସୁ ଜନ୍ମ ହେଲେ ।

ଦୁର୍ଯ୍ୟୋଧନ ତା’ର ଅନେଶ୍ୱତ ଭାଇକୁ ନେଇ ଯାହା ଇଚ୍ଛା ତାହା କରେ । ବଡ ଦୁର୍ଦ୍ଦମନୀୟ ସ୍ୱଭାବର ସେ ହୋଇଥାଏ । କୁମାର୍ଗରେ ସେ ଗଲେ ଧୃତରାଷ୍ଟ୍ର ତାକୁ କିଛି ହେଲେବି କହନ୍ତି ନାହିଁ । ରାଜକୁମାରମାନେ ସମସ୍ତ ପ୍ରକାର ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ । କିନ୍ତୁ ସମସ୍ତେ ଦୁର୍ଦ୍ଧର୍ଷ ଥିଲେ ଓ ସମସ୍ତିଙ୍କର ସ୍ୱଭାବ ଅତ୍ୟନ୍ତ କ୍ରୁର ଓ ନିଷ୍ଠୁର ଥିଲା । ତେଣୁ ସେମାନେ ସମସ୍ତପ୍ରକାର ବିଦ୍ୟାର ଦୂରୁପଯୋଗ କରୁଥିଲେ । ସେମାନଙ୍କର ଏତାଦୃଶ କାର୍ଯ୍ୟକଳାପରେ କେହି ସନ୍ତୁଷ୍ଟ ନଥିଲେ ବି କାହାର କିଛି ମୁହଁ ଖୋଲି କହିବାର ଯୁ’ ନଥିଲା । ରଜାକୁଳରେ ଗୁରୁଜନମାନଙ୍କର ଏହି ନିରବତା ସେମାନଙ୍କୁ ଯେ ଆହୁରି ବିପଥଗାମୀ କରାଇବ ଏକଥା ଜାଣି ଭୀଷ୍ମ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ