ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ ହୋଇ, ମହର୍ଷି ବୃହସ୍ପତିଙ୍କ ନିକଟରେ ଯାଇ ଶରଣ ପଶିଲେ ।
ଏହା ଜାଣିପାରି ନହୁଷ ବୃହସ୍ପତିଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ । ସେ ଋଷି, ମୁନିମାନଙ୍କୁ ନାନାଦି ଭତ୍ସର୍ନା କଲେ । କାରଣ ସେମାନେ ନହୁଷଙ୍କୁ ପର ନାରୀ ପ୍ରତି କୁଦୃଷ୍ଟି ପକାଇବା ମହାପାପ ଅଟେ କହି ଉପଦେଶ ଦେଲେ ।
ନହୁଷ ଓଲଟି ସେମାନଙ୍କୁ ପ୍ରଶ୍ନ କଲେ “ଇନ୍ଦ୍ର ତ ଏପରି କର୍ମ ଅନେକବାର କରିଛନ୍ତି । ଆପଣମାନେ ସେତେବେଳେ କାହିଁକି ତାଙ୍କୁ ଏ ଉପଦେଶ ଦେଉ ନ ଥିଲେ?” ସମସ୍ତ ଦେବଗଣ ବୃହସ୍ପତିଙ୍କ ନିକଟକୁ ଯାଇ କହିଲେ, “ମହାତ୍ମା, ନହୁଷ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଶଚୀଦେବୀଙ୍କୁ ପତ୍ନୀ ରୂପେ ନ ପାଇଲେ ଘୋର ଅନର୍ଥ ଘଟିବାର ଯଥେଷ୍ଟ ସମ୍ଭାବନା ଅଛି । ତିନିଲୋକ ବିପଦରେ ପଡିପାରେ ।”
ଶଚୀଦେବୀ ପ୍ରକାଶ କଲେ, “ମୁଁ ଯେ କୌଣସି କଷ୍ଟ ସହିବା ପାଇଁ ପ୍ରସ୍ତୁତ । କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ନହୁଷଙ୍କର ପତ୍ନୀ ହେବାପାଇଁ ମୁଁ କଦାପି ବି ଚାହିଁବି ନାହିଁ ।” ଏହା ଶୁଣି ବୃହସ୍ପତି କହିଲେ, “ଯେଉଁ ସ୍ତ୍ରୀ ମୋର ଶରଣକୁ ଆସିଛନ୍ତି, ତାଙ୍କର ରକ୍ଷା କରିବା ମୋର ପରମ ଧର୍ମ । ମୁଁ ମୋର ଧର୍ମ ନିଶ୍ଚୟ ରକ୍ଷା କରିବି ।”
ଏହି ସଙ୍କଟଜନକ ପରିସ୍ଥିତିରେ ସେମାନେ ଏକ ଉପାୟ ଚିନ୍ତା କରିବାରେ ଲାଗିଲେ, ଯାହା ଦ୍ୱାରା କି ଶଚୀଦେବୀଙ୍କର କିଛିବି କ୍ଷତି ହେଉ ନଥିବ ଓ ନହୁଷଙ୍କର କ୍ରୋଧ ମଧ୍ୟ ଶାନ୍ତ ହୋଇ ପାରିବ ।
ବୃହସ୍ପତି ଦେବତାଗଣଙ୍କୁ ପରାମର୍ଶ ଦେବାକୁ ଯାଇ କହିଲେ “ନହୁଷ ଅତ୍ୟନ୍ତ ଗର୍ବୀ ଆଚରଣ କରି ପତନଗହ୍ୱରରେ ନିଃପତିତ ହେବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଶଚୀଦେବୀ ନହୁଷଙ୍କ ନିକଟକୁ ଯାଇ, କିଛି ସମୟ ଅପେକ୍ଷା କରିବା ପାଇଁ ଅନୁରୋଧ କଲେ ଭଲ ହେବ । ସେହି ସମୟରେ ଆମକୁ ଅନ୍ୟ କିଛି ଉପାୟ ଚିନ୍ତା କରିବା ପାଇଁ ସୁଯୋଗ ବି ମିଳନ୍ତା ।”
ବୃହସ୍ପତିଙ୍କ ଅନୁରୋଧ ରକ୍ଷା କରି ଶଚୀଦେବୀ ନହୁଷଙ୍କ ନିକଟକୁ ଗଲେ । ତାଙ୍କୁ ସେ କହିଲେ, “ମୋର ପତିଦେବ ଇନ୍ଦ୍ରଙ୍କ ସମ୍ବନ୍ଧରେ ଏ ଯାବତ୍ ମୁଁ କିଛି ହେଲେବି ସମାଚାର ପାଇ ନାହିଁ । ସଠିକ୍ ସମାଚାର ଜାଣିବା ପରେ ମୁଁ ତୁମର ପତ୍ନୀ ହେବାପାଇଁ ରାଜି ।” ଇତି ମଧ୍ୟରେ ମୁନିଗଣ ଇନ୍ଦ୍ରଙ୍କୁ ଖୋଜି ବାହାର କଲେ ଓ ତାଙ୍କର ପାପକ୍ଷୟ ନିମନ୍ତେ ଅଶ୍ୱମେଧ କରାଇଲେ । ଇନ୍ଦ୍ର ସ୍ୱର୍ଗ ଫେରି ଆସିଲେ ସତ, କିନ୍ତୁ ନହୁଷଙ୍କର ତେଜସ୍ୱୀ ରୂପ ଦେଖି ସେ ଖୁବ୍ ଭୟଭୀତ ହୋଇ ପଡିଲେ ଓ ପୁନଶ୍ଚ ସେ ଯାଇ କେଉଁଠାରେ ଆତ୍ମଗୋପନ କଲେ । ଶଚୀଦେବୀ ତାଙ୍କର ଅନୁଧାବନ କରି ସେଠାରେ ପହଁଚି ତାଙ୍କୁ କହିଲେ, “ନହୁଶଙ୍କର ବିନାଶ କରି, ତୁମେ ନିଜର ଇନ୍ଦ୍ରତ୍ୱ ଫେରାଇ ଆଣ ।”
ଇନ୍ଦ୍ର ଶଚୀଦେବୀଙ୍କୁ କହିଲେ “ଏବେ ନହୁଷଙ୍କର ବିନାଶ ସମ୍ଭବପର ନୁହେଁ । କାରଣ ସେ ମୋ ଠାରୁ ଯଥେଷ୍ଟ ଶକ୍ତିଶାଳୀ ଅଟନ୍ତି । ତାଙ୍କୁ ମାରିବା ପାଇଁ ଗୋଟିଏ ଉପାୟ ଅଛି । ଏହା କେବଳ ତୁମଦ୍ୱାରାହିଁ ସାଧିତ ହୋଇ ପାରିବ । ନହୁଷ ତୁମ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପଡିଛନ୍ତି । ତେଣୁ ତୁମେ ତାଙ୍କୁ କହିବ ଯେ ସେ ଏକ ପାଲିଙ୍କିରେ ବସି ତୁମ ନିକଟକୁ ଆସିବେ । ଯାହାକି ମୁନିଋଷିଙ୍କ ଦ୍ୱାରା ବାହିତ ହେବ । ଏପରି ଅପକର୍ମ କରାଇଲେ ନହୁଷଙ୍କର ଆପେ ଆପେ ପତନ ଘଟିବ ।”
ଶଚୀଦେବୀ ଏହା ନହୁଷଙ୍କୁ ଜଣାଇବାରୁ ସେ ଖୁବ୍ ଆନନ୍ଦିତ ହୋଇ ଉଠିଲେ । ତାଙ୍କର ଆଜ୍ଞା ଅନୁସାରେ ଋଷିଗଣ ସେହି ପାଲିଙ୍କିକୁ କାନ୍ଧେଇ ଶଚୀଙ୍କ ନିକଟକୁ ବାହାରିଲେ । ପଥ ମଧ୍ୟରେ ମୁନି, ଋଷିମାନେ ଏକ ନୈତିକ ବିଷୟ ସମ୍ବନ୍ଧରେ ଆଲୋଚନା କଲେ । କିନ୍ତୁ କେହି ଏକମତ ହୋଇ ପାରୁ ନଥିଲେ । ନହୁଷ ସେମାନଙ୍କର ଏପରି ଆଚରଣରେ ଭୀଷଣ ମାତ୍ରାରେ କ୍ରୋଧିତ ହୋଇ ଉଠିଲେ ଓ ଅଗସ୍ତ୍ୟ ଋଷିଙ୍କ ଶିରରେ ପଦାଘାତ କଲେ । ତତ୍କ୍ଷଣାତ୍ ଅଗସ୍ତ୍ୟ ତାଙ୍କୁ ଏକ ସର୍ପ ହୋଇଯିବା ପାଇଁ ଅଭିଶାପ ଦେଲେ । ଏହିପରି ଭାବେ ନହୁଷ ସ୍ୱର୍ଗଭ୍ରଷ୍ଟ ହେଲେ । ଇନ୍ଦ୍ର ତାଙ୍କର ପଦ ପୁନଃପ୍ରାପ୍ତ ହୋଇ କୃତକୃତ୍ୟ ହେଲେ ଓ ଶଚୀଦେବୀଙ୍କ ସହିତ ଅତି ଆନନ୍ଦରେ କାଳାତିପାତ କଲେ ।