ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଜନ୍ମେଜୟ ଉତଙ୍କଙ୍କଠାରୁ ନିଜ ପିତାଙ୍କର ମୃତ୍ୟୁ କଥା ଶୁଣିଲେ । ସେ ତ ଖୁବ୍ ଅଳ୍ପବୟସରୁ ସିଂହାସନରେ ବସିଥିଲେ । ତେଣୁ ଅନେକ କଥା ସେ ଜାଣି ନଥିଲେ । ମନ୍ତ୍ରୀମାନଙ୍କୁ ଡାକି ସେ କହିଲେ, “ମୋର ପିତାଙ୍କ ମୃତ୍ୟୁ ସର୍ପଦଂଶନ ଯୋଗୁଁ ହୋଇଥିଲା । ତେଣୁ ମହାତ୍ମା ଉତଙ୍କଙ୍କ କହିବା ଅନୁସାରେ ଆପଣମାନେ ସର୍ପଯଜ୍ଞର ବ୍ୟବସ୍ଥା କରନ୍ତୁ ।”

ତା’ପରେ ରାଜ ପୁରୋହିତ, ଜ୍ୟୋତିଷ, ଋତ୍ୱିକ, ମୁନିଗଣ ଇତ୍ୟାଦିଙ୍କୁ ଜନ୍ମେଜୟ ଡାକି ପଚାରିଲେ ଯେ ସର୍ପଯଜ୍ଞ କେଉଁ ପଦ୍ଧତିରେ କରାଯାଏ । ତହୁଁ ସେମାନେ କହିଲେ, “ମହାରାଜ, ଏପରି ଯଜ୍ଞ ପୂର୍ବରୁ କେହି କେବେବି କରି ନଥିଲେ । ତେଣୁ ଏହାର କୌଣସି ଶାସ୍ତ୍ରୀୟ ପଦ୍ଧତି ନାହିଁ ।”

ଯଜ୍ଞ ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଗଲା । ସେହି ଯଜ୍ଞରେ ଚନ୍ଦ୍ରଭାର୍ଗବ ହୋତା ହେଲେ, ପିଙ୍ଗଳ ଅଧ୍ୱର୍ଯ୍ୟ ହେଲେ ଓ କୋସ୍ତୁ ଉଦ୍ଗାତା ହେଲେ । ଏହାପରେ ଯଜ୍ଞ ଆରମ୍ଭ ହେଲା । ଫଳରେ ଲକ୍ଷ ଲକ୍ଷ ସର୍ପ ସେହି ଅଗ୍ନିକୁଣ୍ଡରେ ପଡି ନିଜ ପ୍ରାଣତ୍ୟାଗ କଲେ ।

ଏଥିରେ ତକ୍ଷକ ଅତ୍ୟନ୍ତ ଭୟଭୀତ ହୋଇ ଇନ୍ଦ୍ରଙ୍କ ଶରଣ ନେଲେ । ଇନ୍ଦ୍ର ତାଙ୍କୁ ଆଶ୍ୱାସନା ଦେଇ କହିଲେ, “ଏହି ଯଜ୍ଞ ତ ସାଧାରଣ ସର୍ପଙ୍କ ପାଇଁ । ଅତଏବ ଏହା ତୁମର କିଛି ବି କ୍ଷତି କରିପାରିବ ନାହିଁ । ଏଠାରେ ତୁମେ ନିଶ୍ଚିନ୍ତରେ ମୋ ପାଖରେ ରହିଥାଅ ।”

ସର୍ପମାନେ ଦିନକୁ ଦିନ ଧ୍ୱଂସ ପାଉଥିବାର ଦେଖି ବାସୁକୀ ବଡ ଦୁଃଖିତ ହେଲେ । ସେ ତାଙ୍କ ସାନ ଭଉଣୀ ଜରତ୍କାରୁଙ୍କୁ କହିଲେ “ଜରତ୍କାରୁ, ତୋତେ ଆମେ ଋଷି ଜରତ୍କାରୁଙ୍କ ସହିତ ବିବାହ ଦେଇଥିଲୁ, କାରଣ ତୁମ ଦୁଇଜଣଙ୍କ ନାମ ଏକ ଏବଂ ସର୍ପଜାତିର କୌଣସି ବିପଦ ପଡିଲେ ସେ ରକ୍ଷା କରିବେ । ଏବେ ତୋର ପୁତ୍ର ଆସ୍ତିକକୁ କହ ସେ ଶୀଘ୍ର ଯାଇ ସର୍ପଯଜ୍ଞ ବନ୍ଦ କରୁ; ନଚେତ୍ ସର୍ପକୂଳ ଉଚ୍ଛନ୍ନ ହୋଇଯିବ ।”

ମାତା ଜରତ୍କାରୁଙ୍କ ଆଦେଶ ପାଇ ତାଙ୍କର କିଶୋରପୁତ୍ର ଆସ୍ତିକ ଯଜ୍ଞସ୍ଥଳରେ ଯାଇ ପହଁଚିଲେ । ସେଠାରେ ସେ ବେଦଧ୍ୱନି କଲେ ଓ ନାନା ମଧୁର ବାକ୍ୟରେ ରାଜାଙ୍କର ଓ ଯଜ୍ଞକାରୀ ବ୍ରାହ୍ମଣମାନଙ୍କର ସ୍ତୁତି ଗାନ କଲେ । ରାଜା କହିଲେ, “ହେ ବ୍ରାହ୍ମଣ, ତୁମର କିଶୋର ବୟସ, ଅଥଚ ତୁମେ ଏତେ ଜ୍ଞାନୀ, ତୁମ ବେଦପାଠରେ ମୁଁ ଅତ୍ୟନ୍ତ ମୁଗ୍ଧ । ଯାହା ବର ମାଗିବ, ମାଗ ।”

ଏକଥା ଶୁଣି ଆସ୍ତିକ କହିଲେ, “ମହାରାଜ, ଯଦି ପ୍ରକୃତରେ ଆପଣ ମୋ ଉପରେ ପସନ୍ନ ହୋଇଛନ୍ତି, ତେବେ ଅଚିରେ ଏହି ଭୟଙ୍କର ସର୍ପଯଜ୍ଞ ବନ୍ଦ କରନ୍ତୁ ।”

ରାଜା କହିଲେ, “ତୁମେ ଏହି ସର୍ପଯଜ୍ଞ ବନ୍ଦ କରିବା ବ୍ୟତୀତ ଅନ୍ୟ ଯାହା ବି କିଛି ବର ମାଗିବ ତା’ ମୁଁ ଦେବି ।” ଆସ୍ତିକ କିନ୍ତୁ ନିଜ କଥାରୁ ଟଳିଲେ ନାହିଁ ।

ଏଣେ ଯଜ୍ଞ କରୁଥିବା ବ୍ରାହ୍ମଣମାନେ ତକ୍ଷକଙ୍କ ନାମ ଧରି “ତକ୍ଷକୀୟ ସ୍ୱାହା” ବୋଲି ଯେତେ ଡାକିଲେ ମଧ୍ୟ ଫଳ କିଛି ହେଲେ ବି ହେଉନାହିଁ । ବ୍ରାହ୍ମଣମାନେ ନିଜ ତପସ୍ୟାଶକ୍ତି ବଳରେ ଦେଖି ପାରିଲେ ଯେ, ତକ୍ଷକ ଇନ୍ଦ୍ରଙ୍କ ଦେହରେ ଗୁଡାଇ ହୋଇ ରହିଛନ୍ତି । ବ୍ରାହ୍ମଣମାନଙ୍କ ମନ୍ତ୍ର ତ କଦାପି ମଧ୍ୟ ବ୍ୟର୍ଥ ଯିବ ନାହିଁ । ତେଣୁ ସେମାନେ “ଇନ୍ଦ୍ରାୟ ତକ୍ଷକାୟ ସ୍ୱାହା” କହି ଅଗ୍ନିରେ ଆହୁତି ଦେଲେ । ଏପରି କରିବା ଦ୍ୱାରା ତତ୍କ୍ଷଣାତ୍ ତକ୍ଷକ ଦେହରେ ଗୁଡାଇ ହୋଇଥିବା ଅବସ୍ଥାରେ ହିଁ ଇନ୍ଦ୍ର ସ୍ୱର୍ଗରୁ ଯଜ୍ଞ ଅଗ୍ନି ମଧ୍ୟକୁ ପଡିବାକୁ ଯାଉଥିଲେ । ଠିକ୍ ସେତିକିବେଳେ ଆସ୍ତିକ ଅନ୍ତରୀକ୍ଷକୁ ଦୃଷ୍ଟିପାତ କରି କହିଲେ, “ତିଷ୍ଠ ତିଷ୍ଠ” ଏଣେ ଶୁନ୍ୟମଣ୍ଡଳରେ ଇନ୍ଦ୍ର ଓ ତକ୍ଷକ ଝୁଲି ରହିଥା’ନ୍ତି । ଏଣେ ଆସ୍ତିକଙ୍କ ଇଚ୍ଛା ପୂର୍ଣ୍ଣ କରିବେ ନା ନାହିଁ ରାଜା ତାହା ଭାବୁଛନ୍ତି । ମନ୍ତ୍ରୀମାନେ କହିଲେ ଯେ ରାଜା ନିଜର ବଚନ ନରଖିବା ମୃତ୍ୟୁ ସହିତ ସମାନ । ତେଣୁ ଏ ଯଜ୍ଞ ବନ୍ଦ ହେବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ