ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ବୃଷପର୍ବ ଏସବୁ ଖବର ପାଇବାମାତ୍ରେ ବଡ ଦୁଃଖିତ ହେଲେ । କାରଣ ଶୁକ୍ରାଚାର୍ଯ୍ୟଙ୍କ ଅନୁପସ୍ଥିତିରେ ଦେବତାମାନେ ଦାନବକୂଳକୁ ଧ୍ୱଂସ କରିବେ; ସେ ନିଜେ ଯାଇ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, “ଆପଣ ଦୁଇଜଣ ଏଠାରେ କ’ଣ କରୁଛନ୍ତି? ଚାଲନ୍ତୁ ନଗରୀକୁ ଯିବେ ।”

ଶୁକ୍ରାଚାର୍ଯ୍ୟ ଗମ୍ଭୀର ହୋଇ କହିଲେ, “ଆପଣମାନଙ୍କ ବ୍ୟବହାର ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛି । ଦାନବମାନେ ମୋ ଶିଷ୍ୟ କଚ୍ଚକୁ ବହୁବାର ମାରିପକାଇଲେ । ଏବେ ଶର୍ମିଷ୍ଠା ମୋ ଝିଅକୁ କୂଅରେ ଗଳାଇ ପକାଇଲା । ମୁଁ ବରଂ ଏଠାରେ ନରହି ଅନ୍ୟ କୁଆଡେ ଚାଲିଯିବି ।”

                ଏହାପରେ ବୃଷପର୍ବ ଗୁରୁଙ୍କ ପାଦ ଧରି ତାଙ୍କୁ ଫେରିଯିବାକୁ ଅନୁରୋଧ କଲେ । ଶୁକ୍ରାଚାର୍ଯ୍ୟ କହିଲେ ଯେ, ଯଦି ଦେବଯାନୀର ଏହିଠାରୁ ଫେରିଯିବାରେ କୌଣସି ଆପତ୍ତି ନଥାଏ, ତେବେ ସେ ମଧ୍ୟ ଫେରିଯିବେ । ଶେଷକୁ ଦେବଯାନୀ ଏକ ସର୍ତ୍ତରେ ରାଜିହେଲେ ଯେ ଯଦି ଶର୍ମିଷ୍ଠା ଓ ତାଙ୍କର ସଖୀଗଣ ଦେବଯାନୀଙ୍କର ଚିରଦିନପାଇଁ ଦାସୀ ହୋଇ ରହିବେ, ତେବେ ସେ ଅବଶ୍ୟ ଫେରିଯିବେ । ପରିଶେଷରେ ତାହାହିଁ ହେଲା । ବୃଷପର୍ବ ଦେବଯାନୀଙ୍କର ସବୁସର୍ତ୍ତ ମାନିନେଲେ ଓ ସେ ବାପଝିଅ ଦୁହେଁ ଏଥର ଘରକୁ ଫେରିଲେ ।

ଅନେକଦିନ ପରେ ଦେବଯାନୀ, ଶର୍ମିଷ୍ଠା ଓ ସଖୀମାନଙ୍କ ସହ ପୁଣି ସେହି ସ୍ଥାନକୁ ବନ ବିହାର କରିବାକୁ ଗଲେ । ଯଯାତି ମଧ୍ୟ ସେଠାରେ ଅଚାନକ ଭାବେ ଆସି ପହଁଚିଲେ । ସେ ଦେଖିବାକୁ ବହୁତ ସୁନ୍ଦର ଓ ସ୍ୱଭାବରେ ଜଣେ ଗୁଣବାନ୍ ଯୁବକ ଥିଲେ । ଦେବଯାନୀ ଓ ସେ ପରସ୍ପର ପ୍ରତି ପ୍ରଥମ ଦିନରୁହିଁ ଆକୃଷ୍ଟ ହୋଇଥିଲେ । ଦେବଯାନୀ ଏଥର ତାଙ୍କୁ ମୁହଁ ଖୋଲି କହିଲେ, “ଦେଖନ୍ତୁ, ପ୍ରଥମ ଦିନରୁହିଁ ଆପଣ ମୋର ଦକ୍ଷିଣ ହସ୍ତ ଧରି ମୋତେ ସେ କୂଅରୁ ଉଠାଇ ଆଣିଥିଲେ । ସେହିଦିନଠାରୁହିଁ ମୁଁ ଭାବିନେଇଛି ଯେ ଆମର ପାଣିଗ୍ରହଣ ଏକରକମ ସମ୍ପନ୍ନ ହୋଇଛି । ଏଥିରେ ଆପଣଙ୍କର କୌଣସି ଆପତ୍ତି ନଥିଲେ ତାହା ସାକାର ରୂପ ନେବ ।”

ଯଯାତି ଭୟ କରୁଥିଲେ ଯେ, ସେ କିପରି ଏକ ବ୍ରାହ୍ମଣ କନ୍ୟା ସହିତ ବିବାହ କରିବେ? କିନ୍ତୁ ଶୁକ୍ରାଚାର୍ଯ୍ୟ ଏଥିଲାଗି ଅନୁମତି ଦେଲେ ଓ ସେ ଦୁହିଁଙ୍କର ବିବାହ ବଡ ଆଡମ୍ବର ସହକାରେ ସମ୍ପନ୍ନ ହେଲା । ଦାନବରାଜ ଅନେକ ମୂଲ୍ୟବାନ୍ ଜିନିଷସବୁ ଯୌତୁକ ରୂପେ ଦେଲେ । ଦେବଯାନୀ, ଶର୍ମିଷ୍ଠାଙ୍କୁ ଓ ଅନେକ ଦାସୀ ଧରି ଯଯାତିଙ୍କ ନଗରୀକୁ ଗଲେ ।

ସେଠାରେ ସେ ବଡ ଆନନ୍ଦରେ କିଛି ବର୍ଷ କଟାଇଲେ । ତାଙ୍କର ଯଦୁ ଓ ତୁର୍ବସୁ ନାମକ ଦୁଇ ପୁତ୍ର ହେଲେ । ଇତି ମଧ୍ୟରେ ରାଜା ଶର୍ମିଷ୍ଠାଙ୍କ ବିଷୟରେ ସବୁ କିଛି ଜାଣିଲେ । ତେଣୁ ସ୍ୱତଃ ରାଜକୁମାରୀ ଶର୍ମିଷ୍ଠାଙ୍କ ପ୍ରତି ତାଙ୍କର ସ୍ନେହ ଓ ସହାନୁଭୂତି ଭାବ ଆସିଲା । ଦେବଯାନୀଙ୍କୁ ଲୁଚାଇ ସେ ତାଙ୍କ ପାଇଁ ଏକ ନୂତନ ଭବନ କରିଦେଲେ ଓ ସେଠାରେ ସେଦୁହେଁ ରାଜାରାଣୀ ପରି ଜୀବନ ବିତାଇଲେ । ଶର୍ମିଷ୍ଠା ସୁନ୍ଦରୀ, ରାଜକନ୍ୟା ଓ ସର୍ବଗୁଣସମ୍ପନ୍ନା ଥିଲେ । ତେଣୁ ତାଙ୍କ ସହିତ ଯଯାତି ଅଧିକ ଆନନ୍ଦରେ ଦିନ ବିତାଇଲେ । ତାଙ୍କର ଦ୍ରୁହୁ, ଅନୁ ଓ ପୁରୁ ନାମକ ତିନିଟି ପୁତ୍ର ଜନ୍ମ ହେଲେ ।

ହଠାତ୍ ଦିନେ ଦେବଯାନୀ ଏସବୁ କଥା ଜାଣି ଶର୍ମିଷ୍ଠାଙ୍କୁ କହିଲେ, “ସମସ୍ତେ କହନ୍ତି ତୁମେ ଅତି ବିଚାରଶୀଳା, ବିବେକବତୀ, ଧର୍ମପରାୟଣ; କିନ୍ତୁ ବିବାହ ନ କରି ତୁମେ କିପରି ତିନିପୁତ୍ରଙ୍କର ଜନନୀ ହୋଇ ସାରିଲଣି?”

ଶର୍ମିଷ୍ଠା କହିଲେ, “ଠିକ୍ ସମୟରେ ତମେ ନିଜେହିଁ ଜାଣିବ ଯେ ସେ ପିଲାମାନଙ୍କ ପିତା କିଏ? ମୁଁ କେଉଁଠି ନଷ୍ଟ ଚରିତ୍ର ହୋଇ ପିଲାଙ୍କୁ ଜନ୍ମ ଦେଇ ନାହିଁ, ସେମାନେ ଜଣେ ସୂନାମଧନ୍ୟ ରାଜାଙ୍କର ପିଲା ।”

ବହୁଦିନ ପରେ ଥରେ ଦେବଯାନୀ, ଶର୍ମିଷ୍ଠାଙ୍କ ଭବନ ଆଡେ ବୁଲିଗଲେ । ଶର୍ମିଷ୍ଠାଙ୍କ ପୁଅମାନଙ୍କୁ ଦେଖି ସେ ଜାଣିଗଲେ ଯେ ଏମାନେ ସବୁ ହେଲେ ଯଯାତିଙ୍କ ରକ୍ତସମ୍ଭୁତ । ସେ ପିଲାଙ୍କୁ ପଚାରିଲେ, “ତୁମର ପିତା କିଏ?” ତହୁଁ ସେ ସରଳ ପିଲାମାନେ କେବଳ ଯଯାତିଙ୍କୁହିଁ ଦେଖାଇ ଦେଲେ । ଏଥିରେ ସେ ଦେବଯାନୀ ଭୀଷଣ ମାତ୍ରାରେ ରାଗିଯାଇ ଶର୍ମିଷ୍ଠାଙ୍କୁ ତିରସ୍କାର କଲେ ।

ଦେବଯାନୀ କ୍ରୋଧବଶରେ ଯଯାତିଙ୍କୁ କହିଲେ, “ତୁମେ ମୋ ସହିତ ଛଳନା କରିଛ । ମୋର ତୁମ ଉପରେ ଆଉ ବିଶ୍ୱାସ ନାହିଁ । ଏବେ ମୁଁ ମୋ ପିତାଙ୍କ ପାଖକୁ ଚାଲିଲି ।” ଏତିକି କହି ସେ ସେହିଠାରୁ ବାହାରି ସିଧା ଶୁକ୍ରାଚାର୍ଯ୍ୟଙ୍କ ପାଖରେ ଯାଇ ପହଁଚିଲେ ଓ ତାଙ୍କୁ ଘଟିଯାଇଥିବା ସମସ୍ତ ଘଟଣା ବିଷୟରେ ଅବଗତ କରାଇଲେ ।

ଶୁକ୍ରାଚାର୍ଯ୍ୟ ନିଜ ପୁତ୍ରୀଠାରୁ ସବୁ କଥା ଶୁଣି କ୍ରୋଧରେ ଯଯାତିଙ୍କୁ ଅଭିଶାପ ଦେଇ କହିଲେ, “ଯେଉଁ ଯୌବନର ଗର୍ବରେ ତୁମେ ମୋ ଝିଅ ପ୍ରତି ବିଶ୍ୱାସଘାତକତା କରିଛ, ସେହି ଯୌବନ ତୁମର ନଷ୍ଟ ହୋଇଯାଉ । ତୁମେ ବାର୍ଦ୍ଧକ୍ୟ ପ୍ରାପ୍ତ କର ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ